ଅତିଭା ବର୍ଷା
ଅତିଭା ବର୍ଷା
ଅଗସନ୍ଧ୍ୟା କାଳେ ଅତିଭା ବରଷା
ଅମ୍ୱୁଦ ଓଢଣୀ ଟାଣି,
ଅଳସ ଗମନେ ବରଷି ଯାଉଛି
ଅବନୀ ମନକୁ ଜାଣି ।
ଅଂଶୁପଟ ସମ ନବକୃଷ୍ଣ ଘନ
ଅଙ୍ଗେ ଦିଶଇ ରୁଚିର,
ଅଧୀର ଚପଳା ଧଡି ପରକାର
ଅଞ୍ଚଳେ କରେ ବିହାର ।
ଅଇନା କରି ସେ' ନଦୀର ଗରଭ
ଅଚିରେ ହେଉଛି ସଜ,
ଅତକ ପରାୟେ ନାନାସ୍ଥାନ ଭ୍ରମେ
ଅଳପ ପ୍ରକାଶି ଲାଜ ।
ଅଂଶୁଜାଳ ଧରି ଆଙ୍କିଦିଏ କେବେ
ଅଂଶୁଳ ଇନ୍ଦ୍ରର ଧନୁ,
ଅଝଟ ହୋଇଲେ ଝିପିଝିପି
ଗୀତ
ଅଳପ ଗାଏ ସେ' ମନୁଁ ।
ଅଳସୀ ନାଗରୀ ପରି ଝୁଲେ କେବେ
ଅନିଳ ଦୋଳିରେ ରହି,
ଅତର୍କିତେ କେବେ ଲମ୍ପ ଅରପଇ
ଅଙ୍କୁରିତ କ୍ଷେତ୍ରେ ଯାଇ ।
ଅଜିର ଡିଣ୍ଡିମ ସମ ଧ୍ୱନିକରେ
ଅନୁପଦୀ ହୋଇ ତା'ର,
ଅଗ୍ରେ ଅଗ୍ରେ ରହି ଅତ୍ୟୁହ ନାଚଇ
ଅଙ୍ଗଭଙ୍ଗୀ ଯେ' ଅପାର ।
ଅଚଳା ଅବଳା ବରଷା ଧାରାରେ
ଅନାବିଳ ଚିତ୍ତେ ଭିଜି,
ଅଦୟ ଗ୍ରୀଷମ କ୍ଳେଶ ବିସ୍ମରିଲେ
ଅଇଶୂର୍ଯ୍ୟ ଭୁଞ୍ଜିଭୁଞ୍ଜି ।