ବର୍ଷା
ବର୍ଷା

1 min

35
ନବ ଜଳଦର ଆଗମନ ଦେଖି
ହସୁଅଛି ବୃକ୍ଷରାଜି,
ପ୍ରତୀକ୍ଷାର ଅନ୍ତ ଘଟିଅଛି ତାଙ୍କ
ସବୁ କଷ୍ଟ ଯିବ ଭାଜି ।
ଦାରୁଣ ଗ୍ରୀଷମ କବଳରେ ଯେତେ
କରିଥିଲା ହାହାକାର,
ଶୀତଳ ସମୀର ପରଶରେ ସେତେ
ଫୁଟାଉଛି ହସଧାର ।
ଜଳଦ ଗର୍ଜନେ ପକ୍ଷୀର କାକଳୀ
ଉଚ୍ଛୁଳି ପଡୁଛି ଯେବେ,
ତରୁଲତାଗଣ ଆସ ବୋଲି ପ୍ରିୟ
ଡାକୁଛି କର-ପଲ୍ଲବେ ।
ଝିପିଝିପି ହୋଇ ଅଙ୍ଗରେ ବରଷା
ଯେବେ ପଡୁଅଛି ଖସି,
ପାଦପ କୁଳ ଯେ' ସବୁଜ ରଙ୍ଗରେ
ସଜେଇ ହେଉଛି ହସି ।
ପ୍ରିୟ ପାଇ ଯେହ୍ନେ ପ୍ରିୟା ନାଚିଉଠେ
ବହୁତ ଦିନ ଅନ୍ତରେ,
ତେହ୍ନେ ତରୁଲତା ନୃତ୍ୟରେ ମଗନ
ବରଷା ମିତ ସଙ୍ଗରେ ।