କରୋନା
କରୋନା


ଚାଇନାରୁ ଜାତ ଭ୍ରମଇ ଜଗତ
କରୋନା ତାହାର ନାମ,
ମୃତ୍ୟୁର ତାଣ୍ଡବ ରଚୁଅଛି ସିଏ
ଜନଭାଗ୍ୟ କରି ବାମ ।
ତା'ର ସ୍ପର୍ଶ ଅଟେ ଗରଳରୁ ବଳି
ଦିଏ ମରଣ ବେଦନା,
କେତେବେଳେ ସିଏ କାହାକୁ ଛୁଅଁଇ
କେହି ତ' ଜାଣି ପାରେନା ।
ଆସିଛି ଧରାକୁ ଭୟ ରଚିବାକୁ
ଖେଳି ମଣିଷ ସଙ୍ଗରେ,
ଜୀବନ ଜୀବିକା କରୁଛି ହରଣ
ନାଚି ଜନ ଗହଣରେ ।
ବାଳ ବୃଦ୍ଧ ଅବା ବନିତା ବୋଲି ସେ'
କାହାକୁ ଛାଡଇ ନାହିଁ,
ଯାହାକୁ ପାଉଛି ତା' ରକ୍ତ ପିଉଛି
ରକ୍ତ ପିପାସୁ ଯେ' ସେହି ।
ପାଶକୁ ତାହାର ଯାଅନା ଯାଅନା
ତା'କୁ ସଭିଏଁ କର ନା',
ଟିକିଏ ସତର୍କ ଆମର ଯେ' ଅସ୍ତ୍ର
ତା'କୁ ନାଶିବାକୁ ସିନା ।
ବାରବାର ଯିଏ ହସ୍ତକୁ ପ୍ରକ୍ଷାଳେ
ମୁଖେ ରଖେ ଆଚ୍ଛାଦନ,
ତା'କୁ ଛୁଇଁବାକୁ କରୋନା ପାରେନା
ଦୂରରେ ରହଇ ଜାଣ ।
ବାସରୁ ବାହାରି ପଥପ୍ରାନ୍ତେ ଯିଏ
କରେନାହିଁ ବିଚରଣ,
କରୋନା ଆଶଙ୍କା ନଥାଏ ତାହାକୁ
ଭୋଗେନାହିଁ ସେ' କଷଣ ।
ପାଳି ସାମାଜିକ ଦୂରତା ନିୟମ
ସର୍ବଦା ରହି ସତର୍କ,
ଜରୁରୀ କରମ ଯେ' ଜନ କରଇ
ନଥାଏ କରୋନା ଦକ ।