ବର୍ଷାରାଣୀ
ବର୍ଷାରାଣୀ


କୃଷ୍ଣ ନବାମ୍ବର ପରିଧାନ କରି
ଘନ ଉପରାଣେ ମଥାକୁ ଆବୋରି,
ଗଗନ ଅଙ୍ଗନ କରି ସେ' ମଣ୍ଡନ
ଅବତରି ଅଛି ମରତ ଭୁବନ ।
କ୍ରୀଡାରତ ହୋଇ ମଳୟର ସଙ୍ଗେ
ଝିପିଝିପି ତାନ ତୋଳି ନାନା ରଙ୍ଗେ,
କରି ଅନୁସରି ଗମନ କରୁଛି
ଶତ ସୌଦାମିନୀ ଅଙ୍ଗରେ ଖେଳୁଛି ।
ସୂର୍ଯ୍ୟ ଚନ୍ଦ୍ର ତାରା ତା' ରୂପ ଦର୍ଶନେ
ରହନ୍ତି ଗୋପନେ ଆପଣା ସଦନେ,
ସରସୀ ବଦନ ଦିଶଇ ପ୍ରସନ୍ନ
ପୟେପୂର୍ଣ୍ଣ ହୋଇଅଛି ଅପଘନ ।
ବର୍ଷାଘୋଷ ବର୍ଷାରାଣୀ ଆଗମନ
କରକଶ କଣ୍ଠେ କରଇ ବଖାଣ,
ଚାତକର ଧ୍ୟାନ ଘନଜଳ ପାନ
କେକୀ ପୁଚ୍ଛଟେକି ନୃତ୍ୟରେ ମଗନ ।
ନିରପ ସରୀତା ସହଚରୀ ତା'ର
ଲଭିଅଛି ବହୁ ଜଳ ଅଳଙ୍କାର,
ତନୁ ସଜାଉଛି ଅତି ଯତନରେ
ମିଶିବ ସାଗର ପ୍ରିୟ ସଙ୍ଗତରେ ।
ନବ ପଲ୍ଲବରେ ବିଟପୀ ସଜନୀ
ସୁରଧାମ ସମ ରଚୁଛି ଧରଣୀ,
ବର୍ଷାରାଣୀ ହସ୍ତୁଁ ଲଭି ବଇଭବ
ଜୀବକୁଳ କ୍ଳେଶ ହୋଇଛି ଲାଘବ ।