ଅଡ଼ୁଆ
ଅଡ଼ୁଆ


ମୁଖରା ସ୍ତ୍ରୀ'ଟେ ପାଖେ ଯାର ଥିବ
ଜୀଇଁ ଥାଉଥାଉ ମରେ
ଅଳସୁଆ ସ୍ବାମୀ ସ୍ତ୍ରୀ'କୁ ମିଳିଲେ
ତା'ଦୁଃଖ କେବେ ନ ସରେ ।
ମୂର୍ଖପୁଅ ଅଟେ ସମାଜେ କଳଙ୍କ
ପରିବାର ପାଇଁ ଦୁଃଖ
ବିଟପୀ କନିଆଁ ନିଆଁ ଝୁଲଟିଏ
ପୋଡିଦିଏ ସବୁ ସୁଖ ।
ଅଯୋଗ୍ୟ ଶାସକ ଦେଶକୁ ଅଡ଼ୁଆ
ସ୍ଵାର୍ଥେ ଥାଏ ଯାର ମନ
ନିଜର ଉନ୍ନତି ସବୁବେଳେ ଚିନ୍ତା
ନଷ୍ଟହୁଏ ପ୍ରଶାସନ ।
ହେଳାବୁଦ୍ଧି ଥିଲେ କୃଷକ ଜୀବନେ
କୃଷି'ତା ଉଜୁଡ଼ି ଯାଏ
ସଠିକ ସମୟେ କାର୍ଯ୍ୟ ସାରିଦେଲେ
ପରିଣାମ ସୁଖ ହୁଏ ।
ଭୋଗଇଛା ଅଟେ ସାଧୁଙ୍କୁ ଅଡ଼ୁଆ
ସାଧନାରେ ଆଣେ ବାଧା
ବୈରାଗ୍ୟ ବିହୀନ ସାଧୁର ଜୀବନ
ନିରର୍ଥକ ହୁଏ ସଦା ।
ଶିକ୍ଷକ ଯଦି ବା ହୁଏ ଅହଙ୍କାରୀ
ସବୁ ମୁଁ ଜାଣିଛି ଭାବେ
ନୂଆଁନୂଆଁ କଥା ଶିଖି ପାରେନାହିଁ
ଆଦର୍ଶ ହୁଏନି କେବେ ।
ସବୁ ସମୟରେ ରୋଗୀକୁ ଅଡ଼ୁଆ
ଅନଭିଜ୍ଞ ଚିକିତ୍ସକ
ଦେଶପ୍ରୀତି ନାହିଁ ସୈନିକ ଭାଇର
ମରିବା ଭୟେ ସତର୍କ ।
ନୈତିକ ବିହୀନ ଆଜ୍ଞାନୀ ମନୁଷ୍ୟ
ଅହିତ ସାଧନ କରେ
କରିଲେ କର୍ତ୍ତବ୍ୟ ସମାଜ ମଧ୍ୟରେ
ସୁଖ ଶ୍ରଦ୍ଧା ପ୍ରୀତି ଭରେ ।