STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଅମୃତମୟ

ଅମୃତମୟ

1 min
809

ଅଳି ଅର୍ଦ୍ଦଳୀ ମଧ୍ୟରେ ଖୁସିର ସେତୁବନ୍ଧ

ସ୍ନେହ ତ୍ୟାଗ ସରଧାରେ ବସୁଧା ସମସ୍କନ୍ଧ

ଝାଡୁ ପୋଛା ହାତ ବି ଅଣ୍ଟାଭିଡ଼େ

ବାସନ ମାଜୁ ମାଜୁ ଘର ସଜାଡ଼େ

ଚୁଲି ମୁଣ୍ଡରେ ବସି ବସି

ପଣତ ଅଣ୍ଟାରେ ଖୋସି

ପୁରୁଷପ୍ରଧାନ ସମାଜରେ 

ଦେଶ ସମ୍ଭାଳେ ଲଗାମ କଷେ

ଅନ୍ତରୀକ୍ଷ ଯାତ୍ରା କରେ ସହର୍ଷେ ।


ଅପୂର୍ଣ୍ଣତା - ପୂର୍ଣ୍ଣତା ମଝିରେ ଯୋଚା ଯୁଆଳି

ଅସୁବିଧା - ସୁବିଧା ମଝିରେ ଫୁଟି କାକଳୀ

ବଂଧୁ ବେଭାର ସଜାଡୁ ସଜାଡୁ ଅର୍ଥମନ୍ତ୍ରୀ

ଶାଗ ପଟାଳିରେ ମଞ୍ଜି ବୁଣୁଗୁଣୁ ଚିନ୍ତାତନ୍ତ୍ରୀ

ସଂଧ୍ୟାରେ ସିରିଏଲ୍ ଦେଖୁ ଦେଖୁ

ଫେସବୁକରେ ଷ୍ଟାଟସ୍ ଚେକୁ ଚେକୁ

ଅନ୍ ଲାଇନ୍ ସପିଙ୍ଗ୍ କାର୍ଟରେ

ମାସିକା ବଜେଟ୍ ବ୍ୟବସ୍ଥାରେ

ଘର ସମ୍ଭାଳେ ପଣତ କାନି ଲମ୍ବେଇ

ଜାୟା କାୟା ଛାୟା ମାୟା ପ୍ରୀୟା ଲଟେଇ ।


ଯାତନା - ଯନ୍ତ୍ରଣା ମଧ୍ୟରେ ସୁଖର ଠିକଣା

ଦୁଃଖ- ଦୈନ୍ୟ ମଝିରେ ଖୁସିର ଝରଣା

ପୂଜା- ପାର୍ବଣ ପାଳନ ବେଳେ ସଂସ୍କାରଧାତ୍ରୀ

ପର୍ବ - ପର୍ବାଣୀ ତିଥି ଉପବାସୀ ଦେବୀ ଧରିତ୍ରୀ

ପିଠା ପଣା ସଜାଡୁ ସଜାଡୁ 

ସାବୁନ ଲଗା ଲୁଗା କଚାତୁ କଚାଡୁ

ଚିନ୍ତା ଚେତନାରେ

 ତ୍ୟାଗ ବଳିଦାନରେ

ପରିବାର ସମ୍ଭାଳେ ସୂତାଖିଥରେ ସୂତ୍ରଧାରିଣୀ

ମନ ତଳର ଭାଷା ପଢି ପାରେ ସମସ୍ୟାହାରିଣୀ ।


ମିଳନ- ବିଛେଦ ମଧ୍ୟରେ ସନ୍ତୁଳିତ ଆତ୍ମା

ମାନବୀ ରୂପରେ ମହନୀୟା ପରମାତ୍ମା

ଜନନୀ ଭଗିନୀ ପତ୍ନୀ ପ୍ରେମିକା ପ୍ରୀୟା

କାମିନୀ କାଞ୍ଚନ ପତ୍ର ପୁଷ୍ପ ଫଳ ଛାୟା

ଅନ୍ନ ବ୍ୟଞ୍ଜନ ଭଜା ଖୁଏଇ ପିଏଇ

ଫୁଲ କୁଣ୍ଡରେ ପାଣି ସିଞ୍ଚେଇ ଦେଇ

ଚାରିଦିନର ଜୀବନ ସମ୍ଭାଳେ ପ୍ରେମମୟୀ

ନାରୀ ରୁ ନାରାୟଣୀ ପାଲଟେ

ଜନନୀ ରୁ କାତ୍ୟାୟନୀ ପାଲଟ

ସକଳ ଘଟେ ସେ ସ୍ନେହମୟୀ ଅମୃତମୟୀ ।


Rate this content
Log in

Similar oriya poem from Inspirational