ଅବ୍ୟକ୍ତ ସମ୍ପର୍କ
ଅବ୍ୟକ୍ତ ସମ୍ପର୍କ
ସମୟ ଚକ୍ରର ସୁଦୂର ଅତୀତେ,
ପୟେଃ ପଲ୍ଲବିତ ଥିଲା ପୟସ୍ଵିନୀ,
ଅଳଙ୍କାର ତାର ସ୍ରୋତର ମାଧୁର୍ଯ୍ୟ,
ସୌଦାମିନୀ ସମ ଥିଲା ତେଜସ୍ଵିନୀ ।
କାଳର କରାଳେ କାୟ ଜରାଜୀର୍ଣ୍ଣ,
ମୁଖ ମଣ୍ଡଳେ ଆଭା ଅସ୍ତମିତ,
ବିରହ ବେଦନା ବିଭାବରୀ ସାଜି,
ଜୀବନର ପଥ କରେ କଣ୍ଟକିତ।
ଅବନୀ ତନୟା ବିରୋହିନୀ ସାଜି,
ବିଷର୍ଣ୍ଣ ବଦନେ ବ୍ୟାକୁଳିତା ହୁଏ,
ପ୍ରତୀକ୍ଷା ଯନ୍ତ୍ରଣାର ପ୍ରତିଟି କ୍ଷଣରେ,
ପଲକେ ଲୋତକ ଝରି ଝରି ଯାଏ।
ବଳାହକ ଆଜି ବାର୍ତ୍ତାଵହ ସାଜି,
ବିରୋହିନୀ ପାଶେ ବିଦ୍ୟମାନ ହୁଏ,
ପ୍ରେମର ପ୍ରତୀକ ପ୍ରୀତିର ବାରତା,
ସ୍ରୋତସ୍ୱିନୀ କୋଳେ ବରଷି ଯାଏ।
ପ୍ରିୟତମର ଏହି ପ୍ରୀତି ବାରତାରେ,
ଆନନ୍ଦେ ଅଧିର ତନ୍ଦ୍ରିତ ତଟିନୀ,
ଅସ୍ତଗାମୀ ସ୍ବପ୍ନ ଜୀବନ୍ୟାସ ପାଇ,
ପ୍ରଗଳ୍ଭା ମୋହିନୀ ଆଜି ଆହ୍ଲ।ଦିନୀ।
ଭାବ ବିହ୍ୱଳେ ବିମୋହିତ ମନେ,
ସ୍ବପ୍ନ ସାଗରର ଶତ ତରଙ୍ଗେ,
କୁଳୁ କୁଳୁ ନାଦେ ପାଗଳି ପ୍ରେୟସୀ,
ଅଟବୀ ଶିଖରୀ ସରଣୀ ଲଙ୍ଘେ।
ମୁହାଣ ସମୀପେ ଉପନୀତ ହୋଇ,
ଅଭିମାନୀ ପ୍ରିୟା ଅଭିମାନ କରେ,
ତଥାପି ନୟନୁ ପ୍ରେମାଶ୍ରୁ ଵହଇ,
ଦେଖି ପ୍ରିୟତମକୁ ପ୍ରସନ୍ନ ଚିତ୍ତରେ।
ବିଚ୍ଛେଦର ସେହି ବିବଶତା ଗାଥା,
ମନ ଅନ୍ତରାଳେ ହୋଇଛି ବିଲୀନ,
ନୀରବେ ଭାବର ଆଦାନ ପ୍ରଦାନ,
ସମ୍ପର୍କ ପ୍ରେମର ସତରେ ମହାନ।
ମହାମିଳନର ମାହେନ୍ଦ୍ର ବେଳାରେ,
ନବକଳେବର ବେଶେ ବିମଣ୍ଡିତା ହୋଇ,
ପ୍ରାଣ ପ୍ରଣୟିନୀ ସାଗର ବକ୍ଷରେ,
ସମର୍ପି ନିଜକୁ ଦେଇଛି ହଜେଇ।
ଶାଶ୍ଵତ ପ୍ରଣୟେ ପରିପୂର୍ଣ୍ଣ ହୋଇ,
ବିରୋହିନୀ ନୁହେଁ ଆଜି ତରଙ୍ଗିଣୀ,
ନଥିଲା ଛଳନା, ନାହିଁ ପ୍ରତାରଣା,
ଅଭୁଲା ସମ୍ପର୍କର ଏ ଅଖୁହା କାହାଣୀ।
[ପୃଥିବୀ ପୃଷ୍ଠରେ ଆଜି ବହୁତ ଗୁଡ଼ିଏ ନଦୀ ଧ୍ବଂସାଭିମୁଖୀ ହୋଇ ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି। ଏହି କବିତାରେ ନଦୀକୁ ପ୍ରିୟତମା ଏବଂ ସାଗରକୁ ପ୍ରିୟତମ ଭାବେ ବର୍ଣ୍ଣନା କରିଛି। ନଦୀ କିପରି ତା ପ୍ରାଣ ପ୍ରିୟତମ ପାଖରେ ପହଞ୍ଚିଛି, ତାହା ଏ କବିତା ମାଧ୍ୟମରେ ପ୍ରକାଶ କରିଛି।]
(ଶବ୍ଦାର୍ଥ -
ପୟେଃ- ଜଳରେ, ପୟସ୍ଵିନୀ, ସ୍ରୋତସ୍ଵିନୀ, ତଟିନୀ, ତରଙ୍ଗିଣୀ- ନଦୀ, ସୌଦାମିନୀ- ବିଜୁଳି, କାୟ- ଶରୀର, ବୀଭାବରୀ- ରାତ୍ରି, ଅବନୀ- ପୃଥିବୀ, ତନୟା - କନ୍ୟା,
ବଳାହକ - ମେଘ , ଅଟବୀ- ଜଙ୍ଗଲ, ଶିଖରୀ- ପର୍ବତ, ସରଣୀ- ମାର୍ଗ, ପ୍ରେୟସୀ- ପ୍ରେମିକା)