ଅତିଷ୍ଠ ମେଦିନୀ
ଅତିଷ୍ଠ ମେଦିନୀ
ବିଦ୍ରୁପ କରେ ନିଷ୍ଠୁର ସମୟ,
ଅଜଣା ଆତଙ୍କେ ଆଜି ନର ଅସହାୟ।
ମୃତ୍ୟୁର କଟାକ୍ଷରେ ଅତିଷ୍ଠ ମେଦିନୀ,
ମାନବ ଚକ୍ଷୁରୁ ଆଜି ବହେ କଲ୍ଲୋଳିନୀ।
ରିପୁ ଅଶରୀରୀ, କର ବିସ୍ତାରିତ,
ଅଶନି ପ୍ରହାରେ ଆଜି ମାତୃ କୋଳ ରିକ୍ତ।
ତୃଷାର୍ତ୍ତ ଅନଳ ହୋଇ ଉତ୍ତେଜିତ,
ବିଘଟିତ କରେ ଆଜି ସମ୍ପର୍କର ଅସ୍ଥିତ୍ଵ।
ହୃଦୟ ବକ୍ଷରେ ଉଠେ କଲ୍ଲୋଳ,
ଦୂର ଚକ୍ରବାଳେ ଆଜି ଶୁଭେ କ୍ରନ୍ଦନର ରୋଳ।
ବିମୁଖ ପ୍ରକୃତି ହୋଇ ଉଦ୍ଭାସିତ,
ମାତଙ୍ଗମ ସମ ଆଜି ହୁଏ ଉନ୍ମତ୍ତ।
ଚକ୍ରବାତର ଦୁନ୍ଦୁଭି ନାଦରେ,
ଅଶାନ୍ତ ଉଦଧି ଆଜି ତାଣ୍ଡବ କରେ।
ଉନ୍ମତ୍ତ ଉତ୍ସୃଙ୍ଖଳ ଉତ୍ତୁଙ୍ଗ କଲ୍ଲୋଳ,
ଚଳ ଚଞ୍ଚଳ ଆଜି ସଲିଳ ଅନିଳ।
ସଲିଳ ଅନିଳ ଅମ୍ବୁଦ ଅମ୍ବର,
ବିନାଶର ବାର୍ତ୍ତା ଆଜି କରନ୍ତି ପ୍ରଚାର।
ବିଟପୀ ବଲ୍ଲରୀ ହେଉବା ନିଳୟ,
ଉନ୍ମୂଳିତ କରେ ଆଜି ବିଧ୍ୱଂସୀ ପ୍ରଳୟ।
ମର୍ମଭେଦୀ ସେହି ବିଭୀଷିକା ଦୃଶ୍ୟ,
ସର୍ବସ୍ବ ହରାଇ ଆଜି ସେ ନିଃସ୍ଵ।
ବାତ୍ୟା କାରାଗାରେ ବନ୍ଦୀ ଏ ଜୀବନ,
ପ୍ରାଣୀଲୋକ ଆଜି ହୋଇଛି ବିପନ୍ନ।
ତ୍ରାହି ତ୍ରାହି ଶଦ୍ଦେ ଉଠେ କମ୍ପନ,
ପ୍ରାଣ ପକ୍ଷୀ ଆଜି କରେ ସଙ୍କୀର୍ତ୍ତନ।
ମହାମାରୀ ହେଉ ଅବା ଚକ୍ରବାତ,
ଜୀବନ ଜୀବିକା ଆଜି ହୋଇଅଛି ଧ୍ବସ୍ତ।
କ୍ଷୁଧାର ତାଡ଼ନାରେ ହୋଇ ନିଷ୍ପେସିତ,
ଅଭାଗା ମଣିଷ ଆଜି ହୋଇଯାଏ ଅସ୍ତ।
ପରଂବ୍ରହ୍ମ ତୁମେ ପରମେଶ୍ବର,
ଦୟାମୟ ତୁମେ କ୍ଷମାର ସାଗର।
କର କମଳର ଅମିୟ ପରଶେ,
ତୁମ ସୁନ୍ଦର ସୃଷ୍ଟିକୁ ଆଜି ଉଦ୍ଧାର କର ପ୍ରଭୁ
ତୁମ ସୁନ୍ଦର ସୃଷ୍ଟିକୁ ଆଜି ଉଦ୍ଧାର କର।