ଆଶା ତ ବୈତରଣୀ..!!!
ଆଶା ତ ବୈତରଣୀ..!!!
"ଦିଲ ହୈ ଛୋଟା ସା
ଛୋଟି ସି ଆଶା";
କିଏ କହିଥିଲା, କାହିଁକି କହିଲା -
ସେ ତ ଜଣା ନାହିଁ I
କିନ୍ତୁ ହୃଦୟ କଣ୍ଟାଟି ଟିକ୍ ଟିକ୍ କରେ
କେବଳ ସେଇଥି ପାଇଁ I
ସବୁ ନାହିଁ ନାହିଁ ଭିତରେ
ସେ ଏକ ଛୋଟ "ହଁ" ଟିଏ
ଦିକ୍ ଦିକ୍ ଜଳୁଥାଏ -
ନିରାଶାର ବହଳ ଅନ୍ଧାର କୁ ଠେଲି
ନିଜ ଅସ୍ତିତ୍ୱକୁ ଉଜାଗର କରିବା ପାଇଁ I
ଆକାଶର ଜହ୍ନ ବି
ଜହ୍ନ ମାମୁଁ ପାଲଟିଯାଏ I
ଧୂ ଧୁ ମରୁଭୂମିରେ ବି
ଜଳ ଉତ୍ସ ଦେଖାଯାଏ I
ଆଜି ର ରଙ୍କଟିଏ ବି
ଆସନ୍ତା କାଲିର ରାଜା ପାଲଟିଯାଏ I
ଦଶ ଥର ଫେଲ ହେଲେ ବି
ଏଗାର ଥରେ ନିଶ୍ଚୟ
ପାସ କରିବାର ମୋହ ଟି
ମୁଣ୍ଡ କୁ ସାଉଁଳାଇ ଦିଏ I
ଗୁଳିବିଦ୍ଧ ସୈନିକ ଟିଏ ବି
ଘର ବାହୁଡା ର ସ୍ବପ୍ନ ଦେଖୁଥାଏ I
ଉଜାଣି ଜୀବନ ଯମୁନା ସୁଅରେ
ନିଆଶ୍ରୀ ର କୁଟା ଖିଅ ସମ
ଭାସୁଥାଏ ହୋଇ...
ଆଶା ର କ୍ଷୁଦ୍ର ହୁଲିଡ଼ଙ୍ଗା ଟିଏ I
ସନ୍ତାପିତ ପ୍ରାଣରେ କେବେ ସେ
ରଚେ ସବୁଜ ସ୍ମୃତି ତ ପୁଣି
କୁହୁଡି ବଳୟରେ ବାଟ ହୁଡା ଇଚ୍ଛାଙ୍କର
ଉଭା ହୁଏ ହୋଇ ଆଗାମୀ ପ୍ରତିଶ୍ରୁତି I
ଏଇ ତ ଜୀବନ..!!!
ଆଖି ଖୋଲାଥିବା ତକ ଟିକ୍ ଟିକ୍ ସ୍ୱରରେ
ଗାଉଥାଏ ହୃଦୟର ଗୀତି I
ଆଉ...ଆଖି ବନ୍ଦ ହେଲେ
ଘେରିଯାଏ ଅସରନ୍ତି ଅମାବାସ୍ୟାର ରାତି I
ତଥାପି ସେ ଅମା ଅନ୍ଧାରେ
ଉଇଁ ଆସେ ଧ୍ରୁବ ତାରାଟିଏ ପରି...
ଦିଶାହରା ନାବିକ ର ହୋଇ ଭରସା ର
ଏକମାତ୍ର ସାଥୀ I
ସେ ଜୀବନ୍ତ ପ୍ରବାହ ର ଅନ୍ୟନାମ ଆଶା..;
ଫିରଭି .."ୟେ ଦିଲ ହୈ ଛୋଟା ସା" ।