ମୁଁ ସାଧ୍ଵୀ କହୁଛି
ମୁଁ ସାଧ୍ଵୀ କହୁଛି
ମୁଁ ଏକ ସାଧ୍ଵୀ କହୁଛି..
ଈଶ୍ଵରଙ୍କ ସାନିଧ୍ୟରେ ଅଛି ।
ଘର ଲୋକ ଆଜି ବହୁତ ଖୁସି
ସାକ୍ଷାତ ଈଶ୍ଵରଙ୍କୁ ସମୀପେ ଲଭି।
ତାଙ୍କ ମନୋରଥ ପୂର୍ଣ୍ଣ ହୋଇଛି ।
ଆଉ ମୁଁ...
ଝିଅ ହବାର ଋଣ ଶୁଝୁଛି;
ମୁଁ ଏକ ସାଧ୍ଵୀ କହୁଛି ।
ସାଧାରଣ ମନୁଷ୍ୟ ନୁହନ୍ତି ସେ ତ
ପରମପିତାଙ୍କ ସମ ;
ତାଙ୍କ ଆସ୍ଥାନ ଆଶ୍ରମ ନୁହେଁ ଯେ...
ସେ ତ କାଳେ ମର୍ତ୍ତ୍ୟେ ବୈକୁଣ୍ଠର ସ୍ଥାନ ।
ମର୍ତ୍ତ୍ୟର ଈଶ୍ଵର ସେ..
ଏ ଶରୀର ମନ ଆତ୍ମାରେ ତାଙ୍କ ଅଧିକାର ପୂର୍ଣ୍ଣ ।
ଚାହିଁବେ ଯେପରି ଖେଳିବେ ସେପରି
କେବଳ ସମର୍ପି ଦେବାରେ ହିଁ ଅଛି
ମୋର ପରମ ଧର୍ମ ।
ସ୍ଵାର୍ଥର ଅନ୍ଧ ଗଳିରେ
ଯେବେ ବାଟ ବଣା ହୁଏ ମନ ;
ଲହରେଇ ଉଠେ ଅସୁମାରି ଇଚ୍ଛା
ଆଉ ଫିକା ପଡିଯାଏ
ସବୁ ସମ୍ପର୍କର ସ୍ଵାଭିମାନ ।
ସ୍ଵାର୍ଥ ଆଉ ପରମାର୍ଥ ଲାଭ ର ଖେଳରେ
କେତେ ଯେ
ଇଜ୍ଜତ ଖିନଭିନ ହୁଏ
ଧର୍ମ ନାମେ ବନ୍ଧା ପଡୁଥାଏ ନିତି
ନିରୀହ ଜୀବନ ଆଉ ଯୌବନ ।
ଆତ୍ମ ଘୋଷିତ ଭଗବାନ ଯେବେ
ପାଲଟନ୍ତି ଦୁଃଶାସନ I
ସେ ବାସନାର ଯଜ୍ଞ ବେଦୀ ପରେ
କେତେ ସ୍ୱାଧ୍ଵୀ ଯେ ବଳି ପଡନ୍ତି ଅକାରଣ ।
ମର୍ତ୍ତ୍ୟ ଦେବତାଙ୍କ ଭୋଗରେ
ଆଜି ବନ୍ଧା ମୋର ଇହ ଭାଗ୍ୟ I
ଭୋଗର ସେହି କୁତ୍ସିତ ଖେଳରୁ
କାଳେ ଲଭିବି ଯେ ପରମ ମୋକ୍ଷ ।
ଦେହ ଦାହ କାମନାର ଜୁଇ ରେ
ଅସହାୟ ପତଙ୍ଗଟିଏ ମୁଁ ଜଳେ ।
ଜିଅନ୍ତା ନର୍କରେ ଛଟପଟ ହୁଏ
ମୁକ୍ତିର ପଥ ଖୋଜି ବୁଲେ I
କିନ୍ତୁ...!!! ଲୋକେ କୁହନ୍ତି
ମୋ ଝିଅ ଜନ୍ମରେ ଅଛି ସାର୍ଥକତା ;
ବଞ୍ଚି ଥାଉ ଥାଉ...
ଈଶ୍ଵରଙ୍କ ସାନିଧ୍ୟରେ ଲଭିଛି ଯେ
ଦେବୀତ୍ୱର ସତ୍ତା !
ଏ ଭାଗ୍ୟ କେତେ ଜଣଙ୍କର ଅଛି..!
ମୁଁ ସାଧ୍ଵୀ କହୁଛି
ଈଶ୍ଵରଙ୍କ ସାନିଧ୍ୟ ରେ ଅଛି..।
ବିନ୍ଦୁ ନିବେଦିତା