ଆମ ରାଜଧାନୀ(ଶିଶୁ କବିତା)
ଆମ ରାଜଧାନୀ(ଶିଶୁ କବିତା)
ଆମ ରାଜଧାନୀ ଭୁବନେଶ୍ୱର
ସବୁଜିମା ଭରା ସ୍ୱଚ୍ଛ ସହର ।
ବିଧାନସଭାରୁ ବାଣୀବିହାର
ଦିଶେ କି ସୁନ୍ଦର କି ମନୋହର ।
ମନ୍ଦିର ମାଳିନୀ ସହର ବୋଲି
ଜଗତରେ ହୁରି ପଡୁଚି ଖାଲି ।
ଲିଙ୍ଗରାଜ,ରାଜାରାଣୀ ମନ୍ଦିର
ଖଣ୍ଡଗିରି ଗୁମ୍ଫା କେଡେ ସୁନ୍ଦର ।
କେଦାର ଗଉରୀ,ଧଉଳିସ୍ତୁପ
ଦେଖିଲେ ମନରୁ ହରେ ସନ୍ତାପ ।
ନାନା ପଶୁପକ୍ଷୀ ରହି ଅଛନ୍ତି
ନନ୍ଦନକାନନ ଲୋକେ କହନ୍ତି ।
ବାଘ,ଭାଲୁ,ହାତୀ,ସିଂହ,ଗୟଳ
ଯେତେ ଦେଖୁଥିବ ଲାଗିବ ଭଲ ।
ଥରେ ଦେଖିଥିଲେ ଚିଡିଆଖାନା
ଫେରିବାକୁ ଇଚ୍ଛା ହେବନି ଜମା ।
ରାଜ୍ୟପାଳଙ୍କର ଅଛି ଭବନ
ରାଜଭବନ ମୋ ରାଜ୍ୟମହାନ ।
ସୁନ୍ଦର ଉଦ୍ୟାନ ଫୁଲରେ ଶୋଭା
ଜନମନ କିଣି ନେଉଛି ଅବା ।
ଦେଶବିଦେଶରୁ ଆସନ୍ତି ଲୋକ
ଦେଖି ସେ ଭବନ ଭୁଲନ୍ତି ଭୋକ ।
ଚକ୍ ଚକ୍ ଦିଶେ ପିଚୁ ସଡକ
ଗାଡି ମାଳମାଳ ଲମ୍ବ ଅନେକ ।
ରାସ୍ତା କଡେକଡେ ବିଜୁଳିବତୀ
ଦିନରାତି ଏଠି ଶୋଭା ପାଆନ୍ତି ।
ଗର୍ବଗଉରବ ମୋ ରାଜଧାନୀ
ଓଡିଶା ମାଟିର ମୋତିର ଖଣି ।
ଶରତ ଚନ୍ଦ୍ର ଜାଲି,ପଥରା
ତା:୧/୭/୧୮