STORYMIRROR

Balabanta Sahu

Inspirational

3  

Balabanta Sahu

Inspirational

ଆ' ମାଟି ହେବା

ଆ' ମାଟି ହେବା

1 min
25K


ନିଜକୁ ଦେବୀ ମଣୁଥିବା

ତୋ ପରି ଫୁଲେଇମାନଙ୍କ କୁଆଁ କୁଆଁ ରାବ ହିଁ

ତରଳାଇ ଦେଇଛି ପ୍ରଶସ୍ତ ମାଟି ଛାତିର ହୃଦୟକୁ;

ତା'ବୋଲି ବୋଧେ ! ଆଜିବି

ବନ୍ଦ କୋଠରୀ ଅବା ଗହଳବୁଦାରୁ ଆସୁଥିବା

କେଉଁ ଗୋଟେ ଫୁଲେଇର ବୁକୁଫଟା ଚିତ୍କାରରେ

ତରଳିଯାଇ , ବକ୍ଷସ୍ଥ ସମୁଦ୍ରରେ

ନିଜକୁ ଆତ୍ମସାତ୍ କରିଦିଏ ମାଟି..।


ପୁଣି ,ନିଜକୁ ଦେବୀ ମଣୁଥିବା

ଖାସ୍ ତୋ ପରି ଫୁଲେଇମାନଙ୍କ ଇଚ୍ଛାମତେ ହିଁ

ଏଇ ମାଟି ସମର୍ପି ଦିଏ ସ୍ତନ ଯୁଗଳ

ପ୍ରେମାକାଶେ ସଜେଇ ଦିଏ ଜହ୍ନମାମୁଁ

ପ୍ରେମ ଦରବାରରେ ରାଜକୁମାରୀ କରି

ଧରେଇ ଦିଏ ମନମୁତାବକ ମାଟିଘୋଡ଼ା

ଯାଚି ଦିଏ ଶହ ଶହ ରାଜକୁମାର୍

ଆଉ ପାଦର ଅଳତାଠୁ ଲଲାଟେ ବିନ୍ଦି ପର୍ଯ୍ୟନ୍ତ ।


ପୁଣି ବୟସ ତାଳେ ତାଳେ

ଏକମାତ୍ର ମସ୍ତକ ଉପରକୁ

ଯେତେବି ବ୍ୟାପିଯାଏ ଆକାଶ

ଯେତେବି ସତାଏ କଳାବାଦଲର ଚାପ

ତେବେ ତେବେ ଲୋଡ଼ାପଡେ

ଅବିକଳ ନିଜ'ପରି ବନ୍ଧୁ ଅବା ବାନ୍ଧବୀଟିଏ

ତା'ବି ତ ଦେଇଛି , ମୋ ରୂପରେ

ତା' ବୋଲି ମୁଁ ଅଛି ତୋ ସମ୍ପର୍କ ତାଲିକାରେ

ନହେଲେ ତୁ କିଏ ? ମୁଁ କିଏ ?

କଣ ବା ହୋଇଥାନ୍ତା ସମ୍ପର୍କ ଆମର ?

କେଜାଣି ? ନା' ଜଣା ତୋତେ ନା ମୋତେ !


ଯିଏ ତୋ ପାଇଁ ଏତେ କିଛି ଦେଇଛି

ତାକୁ ତୁ ଭୁଲିଯିବା କଥା କହୁଛୁ !

ତୁ ବୋଧେ ଭୁଲିଯାଉଛୁ ?

ଏ ମାଟି କେବଳ ମାଟି ନୁହେଁ ଯେ

ଆମେ ଚାଲିଯିବା ଅନ୍ୟ କେଉଁଠିକୁ

ଏ ମାଟି ପରା ମାଆ ଟି

ମାଆକୁ ଛାଡି କେ କେବେ ତିଷ୍ଠିଛି ?

ନା କେବେ ତିଷ୍ଠିବ ?


ତୁ ମାନୁଥିବା ପ୍ରେମର ପ୍ରତୀକ

ସ୍ଵୟଂ ଶ୍ରୀକୃଷ୍ଣଙ୍କ ଅବସ୍ଥା ତ ଜାଣିଥିବୁ !

ମାତୃ ଲୁହରେ କିପରି

ବିଲୀନ ହୋଇଯାଇଥିଲା

ତାଙ୍କର ଐତିହ୍ୟ ଐଶ୍ୱର୍ଯ୍ୟ ସମ୍ପନ୍ନ ଦ୍ଵାରିକାନଗରୀ ।


ଏବେତ ତୁ ବରାବର୍ ବୁଝୁଥିବୁ...

ଏ ମାଟି କେବଳ ମାଟି ନୁହେଁ ଯେ

ଆମେ ଚାଲିଯିବା ଅନ୍ୟ କେଉଁଠିକୁ

ଆ'.. ମାଟିକୁ ଭଲପାଇବା ।

ମାଟି ପାଇଁ ହିଁ ଜିଇଁବା

ଶେଷରେ ମାଟି ପାଇଁ ହିଁ ମରିବା

ମାଟିରେ ହିଁ ମିଶିଯାଇ , ମାଟି ହୋଇଯିବା

ମାଟି ହୋଇପାରିବା କଣ କମ୍ ସୌଭାଗ୍ୟର କଥା !

ବଳବନ୍ତ ସାହୁ

ମୋ- 9078105234


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational