କବି
କବି
କବିଟିଏ ମୁଁ କବିଟିଏ
କଳ୍ପନା ରାଇଜେ ଘୁରିବୁଲୁ ଥାଏ
ପଦେ ଅଧେ କେବେ ଲେଖିଦିଏ
କବିଟିଏ ମୁଁ କବିଟିଏ।।
ଚୁପ୍ ଚାପ୍ ଯେବେ ବସିଥାଏ
କଳ୍ପନାରେ କେତେ ଶବ୍ଦ ଉଙ୍କି ମାରେ
କାଗଜ କଲମେ ଲେଖିଦିଏ
କବିଟିଏ ମୁଁ କବିଟିଏ ।।
ଚୁପ୍ ଚାପ୍ ଆସି ଶବ୍ଦରାଣୀ
କାନେ ମୋର ସିଏ କହେ ପୁଣି
ତୋ ହୃଦୟର ମୁଁ ରାଣୀଟିଏ
କବିଟିଏ ମୁଁ କବିଟିଏ।।
ସେ ରାଣୀକୁ ମୁଁ ପାଛୋଟି ନିଏ
ଛନ୍ଦ ଅଳଙ୍କାରେ ସଜାଇଦିଏ
କବିତାର ସିଏ ରୂପ ନିଏ
କବିଟିଏ ମୁଁ କବିଟିଏ।।
ନଚିହ୍ନୁ ପଛକେ ମୋତେ କିଏ
ସେଥିରେ ତିଳେ ଦୁଃଖ ନଥାଏ
ମୁଁ କଳ୍ପନା ରାଇଜ ରାଜାଟିଏ
କବିଟିଏ ମୁଁ କବିଟିଏ।।
କବିତାକୁ ଦେଖି ସବୁ ଦୁଃଖ ଭୁଲେ
ହୀରା ଲୀଳା ତାର ସରି ନୁହେଁ
କଳ୍ପନାରେ ତାକୁ ରୂପ ଦେଉଥିବି
ଜୀଇ ଥିବି ଯେତେ ଦିନ ଯାଏ
କବିଟିଏ ମୁଁ କବିଟିଏ।।