Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pritipriya Mohanty

Inspirational

2.5  

Pritipriya Mohanty

Inspirational

ପରୀ ପାଇଁ ପଦେ ମିଛ

ପରୀ ପାଇଁ ପଦେ ମିଛ

7 mins
545



ପଲ୍ଲବୀର ଖୁସି କହିଲେ ନ ସରେ । ପ୍ରଥମ କରି ମାଆ ହେବାକୁ ଯାଉଛି ସେ । ମାଆ ହେବା କଥା ଜାଣିବା ପରେ ନିଜର ଯତ୍ନ ସେ ଏବେ ଅଧିକ ନେଉଛି । ଏଥିରେ ତାକୁ ସାହାଯ୍ୟ କରୁଛନ୍ତି ରିତେଶ୍ । ତା' ବରାଦ ମୁତାବକ ବହିଟିଏ ଆଣି ଧରେଇଛନ୍ତି ରିତେଶ୍ "ଗର୍ଭବତୀ ମାଆର ଯତ୍ନ" । ତାକୁ ହିଁ ପଢି ସେ ଯତ୍ନ ନେଉଛି ନିଜର । ଘରେ ଶାଶୁ ବି ପଲ୍ଲବୀର ଭଲ ମନ୍ଦ ପ୍ରତି ସଜ୍ଜାଗ ରହୁଛନ୍ତି । ବହିରୁ ପଢି ଟାଇମ୍ ଟେବୁଲ୍ ଅନୁସାରେ ପଲ୍ଲବୀ କାମ କରେ ଓ ଖାଏ ମଧ୍ୟ । ଯୋଉ ଜିନିଷ ଖାଇବାକୁ ତାର ଆଦୌ ପସନ୍ଦ ନୁହେଁ ସେ ଜିନିଷ ବି ନିଜ ଖାଦ୍ୟରେ ସାମିଲ କଲାଣି ଏବେ । ଏଇ ଯେମିତି ସେଓ । ସେଓ ତାକୁ ଆଦୌ ପସନ୍ଦ ନୁହେଁ । ହେଲେ ଏବେ ଘରୁ ସେଓ ସରୁ ସରୁ ଆଣିଦେବା ପାଇଁ ବରାଦ କରେ ପଲ୍ଲବୀ ଆଉ କୁହେ ନିଜ ଜିହ୍ଵାଲାଳସା କି ପେଟ ପାଇଁ ନୁହେଁ ବରଂ ତାର ସୁସ୍ଥ,ସୁନ୍ଦର ଛୁଆଟିଏ ହେଉ ବୋଲି ଖାଉଛି । ମଧ୍ୟାହ୍ନ ସମୟରେ ଦୁଇଟା ପାଚିଲା କମଳା ଖାଇଲେ କାଳେ ଛୁଆ ଗୋରା ହେବ ବୋଲି ସେ ବହିରେ ଲେଖା ଅଛି । ତେଣୁ ଏତକ ବି ସାମିଲ କରିଛି ପଲ୍ଲବୀ ତା ଖାଦ୍ୟରେ । ରାତିରେ ଶୋଇବା ପୂର୍ବରୁ କେଶର ମିଶା ଖିର ପିଇବା,ଭାକୁର ମାଛ ମୁଣ୍ଡ,ଫଳ ପ୍ରଚୁର ପରିମାଣର ଖାଇବା,ସବୁଜ ପନିନରିବା,ଶାଗ,ଡାଲିଜାତୀୟ ଖାଦ୍ୟ,ଅଣ୍ଡା ଇତ୍ୟାଦି । ଆଗରୁ ଦେହଖରାପ ପାଇଁ ଔଷଧ ଖାଇବାକୁ ପଡିଲେ ଲୁଚେଇ ଲୁଚେଇ ଫିଙ୍ଗି ଦିଏ ଏବେ କିନ୍ତୁ ସମୟ ଅନୁସାରେ ନିଜେ ନିଜେ ଔଷଧ ଖାଇନେଉଛି । ଡାକ୍ତରଖାନା ଦେଖିଲେ ଭୟ କରୁଥିବା ଝିଅ ଟିକେ ଅସୁବିଧା ହେଲେ ଏବେ ଡାକ୍ତରଖାନା ଯିବା ପାଇଁ କହୁଛି ।


ବାହାଘର ପରେ ରିତେଶ୍ ଛୁଆଟିଏ ପାଇଁ କହିଥିଲେ ପଲ୍ଲବୀକୁ । ହେଲେ ସେ ଏଥିପାଇଁ ରାଜି ନାହିଁ ବୋଲି ମନା କରିଦେଇଥିଲା । ଡ଼ର ଲାଗୁଛି ତାକୁ । କେମିତି ଗୋଟେ ଅଜଣା ଭୟ ବସା ବାନ୍ଧୁଛି ମନରେ । ଏମିତି ନୁହେଁ ଯେ, ସେ ମାଆ ହେବାକୁ ଆଦୌ ଚାହୁଁନି । ହେଲେ ଆଗରୁ ସେ ଶୁଣିଛି ମାଆଟିଏ ହେବା ପାଇଁ କାଳେ ଭାରି କଷ୍ଟ ସହିବାକୁ ପଡେ । ତେଣୁ ସାହସ ଜୁଟୁନି ତାର । ମେଡିକାଲ,ଇଞ୍ଜେକସନ୍,ଔଷଧ ଏ ସବୁ କୁ ତାର ଆଜନ୍ମ ରୁ ଡ଼ର । ରିତେଶ୍ କିନ୍ତୁ ବହୁତ ବୁଝାନ୍ତି ତାକୁ । ଦୁନିଆରେ ସବୁ ଝିଅ ଏମିତି ମାଆ ହେଉଛନ୍ତି । ସେ ଜନ୍ମ କରିବାକୁ ଯାଉଥିବା ଏ ଦୁନିଆର ପ୍ରଥମ ମହିଳା ନୁହେଁ । ଛୁଆଟିଏ ଘରେ ନିହାତି ଜରୁରୀ । ଶାହି ପଡିଶା ଟୁପୁରୁ ଟାପୁରୁ ହେଲେଣି । ବୋଉ ର ବି ସେଇ ଏକା କଥା । ଛୁଆଟିଏ କେବେ ଘରକୁ ଆସିବ?ପଲ୍ଲବୀ ନିଜେ ବି ଅନୁଭବ କଲା ସତରେ ଛୁଆଟିଏ ବିନା ଘର ଖାଁ ଖାଁ । ତା' ଭିତରର ନାରୀତ୍ୱ ଭୟକୁ ଡେଇଁ ମାତୃତ୍ୱ ପାଇଁ ମନ ବଳାଇଲା । ସବୁ କଥା ପରେ ଏବେ ଘରେ ଖୁସି ଖବର ହାଜର । ରିତେଶ୍ ବି ଆଶ୍ଚର୍ଯ୍ୟ ହୁଅନ୍ତି ପଲ୍ଲବିକୁ ଦେଖି । କେତେ ପରିବର୍ତ୍ତନ ତା' ପାଖରେ ଏବେ ସେ ଦେଖୁଛନ୍ତି ।


ହେଲେ ଏବେ ବି ପଲ୍ଲବୀ ବେଳେ ବେଳେ ଅଜବ୍ ଯିଦ୍ କରେ । ରିତେଶ୍ ସବୁଥିରେ ହଁ ହଁ ମାରନ୍ତି । ଏଇ ଯେମିତି ଡେଲିଭରି ସମୟରେ ତୁମେ ମୋ ସାଙ୍ଗରେ ରହିବ,କେବେ ବି ମୋ ହାତ ଛାଡିବନି । ଡେଲିଭରି ସମୟରେ ମୁଁ ମରିଯିବିନି ତ?ଯଦି ମରିଯାଏ । ଇଞ୍ଜେକସନ୍ ନେଲାବେଳେ ମତେ ଛାଡି କୁଆଡେ ଯିବନି । ରିତେଶ୍ ମନେ ମନେ ହସନ୍ତି ଏ ସବୁ ପ୍ରଶ୍ନରେ । ଆଉ ହସି ହସି କୁହନ୍ତି ନାଇଁ ତୁମକୁ ଛାଡି କୁଆଡେ ଯିବିନି ପାଖେ ପାଖେ ଥିବି ସବୁବେଳେ । ପ୍ରଥମ କରି ଝିଅଟିଏ ମାଆ ହେବା ସମୟରେ ଏ ସବୁ ଆଶଙ୍କା ମନରେ ଏମିତି ଆସେ ବୋଲି ବୁଝାନ୍ତି । କିଛି ଅସୁବିଧା ହେବନି । ଯାହା ହବ ଭଲ ହିଁ ହବ । ଚାହୁଁ ଚାହୁଁ ତିନିମାସ ହୋଇଗଲା । ଦିନେ ରିତେଶ୍ ପଲ୍ଲବୀ କୁ ପଚାରିଲେ ସତ କୁହ ତୁମେ ପୁଅ ଚାହଁ ନା ଝିଅ । ପଲ୍ଲବୀ ର ଉତ୍ତର ଥିଲା କାହିଁକି କେଜାଣି ଆଖି ବନ୍ଦ କଲେ ମୋ ମୁହଁ ଆଗରେ ଝିଅ ଟିର ମୁହଁ ନାଚିଯାଉଛି । ଗୋରା ମୁହଁ,ନାଲି ନାଲି ଓଠ,ଗୋଲ୍ ଗୋଲ୍ ଆଖି,ଟିକି ଟିକି ହାତ । ଠିକ୍ ତୁମ ମୁହଁ ପରି ଦିଶୁଛି । ପୁଅ ହେବା କଥା ମନକୁ ଜମା ଆସୁନି । ସତ କଥା ହେଲା ମୁଁ ଚାହେଁ ଝିଅ ହେଉ । ଆଉ ଗୋଟେ କଥା ତମେ ଜାଣ ?ମୁଁ ତ' ତାର ନାଁ ବି ଦେଇସାରିଛି ।  ତୁମ ନାଁ ଆଉ ମୋ ନାଁ ମିଶେଇ ମୁଁ ତାର ନାଁ ରଖିଛି ପରୀ । ଭଲ ହେଇଛି ନା' ଏ ନାଁ?


-ହଁ.....ବହୁତ ଭଲ ହୋଇଛି ।


--ତୁମେ କ'ଣ ଚାହୁଁଛ କହିଲନି ତ ପୁଅ ନା ଝିଅ?


--ରିତେଶ୍ ଉତ୍ତର ଦେଲେ ମୋର କେବଳ ବାପା ହେବାକୁ ଇଛା ସେ ପୁଅ ହେଉ କି ଝିଅ । ଯାହା ହେଲେ ଚଳିବ ।


--ଏମିତି କେମିତି?କିଛି ତ ଗୋଟେ ଇଛା ଥିବ ।


--ଆରେ...ସତ କହୁଛି । ସବୁଥିରେ ମୁଁ ଖୁସି ।


ପାଞ୍ଚ ମାସ ହେଉ ହେଉ ଶାଶୁ ରିତେଶ୍ କୁ ଡାକି କହିଲେ ପଲ୍ଲବୀ କୁ ନେଇ ଅଲଟ୍ରାଶାଉଣ୍ଡ କରି ଆଣ । କେତେ କେତେ ଟଙ୍କା ତା' ଖାଇବା ପିଇବାରେ ଖର୍ଚ୍ଚ ହେଉଛି ଜାଣୁ ତ?ଯଦି ଝିଅ ଟିଏ ହେଲା ଜାଣ ସବୁ ପଇସା ପାଣିରେ ଗଲା । ମୁଁ ପ୍ରବଚନ ଶୁଣିବାକୁ ଗଲାବେଳେ ସେଠି ପ୍ରମିଳା ଦେବୀ କହୁଥିଲେ କିଏ ଜଣେ ଅଧିକ ଦାମ ନେଇ ଚୋରାରେ ଅଲଟ୍ରାସାଉଣ୍ଡ କରି ପୁଅ ହେବ କି ଝିଅ ସବୁ ସତ ସତ କହୁଛି । ତାଙ୍କ ବୋହୂ କୁ ବି ସେଇ ଠିକୁ ନେଇଥିଲେ । ତୁ ବି ପଲ୍ଲବୀକୁ ସେଇଠିକୁ ନେଇ କି ଯା । ଯେତେ ଟଙ୍କା ଖର୍ଚ୍ଚ ହେଲେ ହଉ । ଯଦି ରିପୋର୍ଟ ରୁ ଜଣାପଡିଲା ଝିଅ ଅଛି ତେବେ ଛୁଆ ନଷ୍ଟ କରି ଘରକୁ ଆସିବୁ । ଆଜିକାଲି ତ ଗୋଟେ ଦୁଇଟା ଜନ୍ମ କଲେ ବେଶୀ ହୋଇଗଲା ବୋଲି କହୁଛନ୍ତି । ମୋର ତ ତୁ ଗୋଟିଏ ପୁଅ ଯଦି ତୋର ଗୋଟିଏ ଝିଅ ହେଲା ତବେ ମୋ କୂଳ ତ ଉଜୁଡିଯିବ । କିଏ ରହିବ ଏ ବଂଶ ରେ?କେମିତି ମୋ ବଂଶ ଆଗକୁ ବଢିବ?ଏ ଅଚଳାଚଳ ସମ୍ପତ୍ତି ସବୁ ଭୂତ ଖାଇବ । ମୋର ଯେମିତି ହେଲେ ନାତିଟିଏ ଦରକାର । ରିତେଶ୍ ସବୁ କଥା ଶୁଣୁଥାଆନ୍ତି । ଯଦିଓ ବୋଉ ତାଙ୍କର ଶିକ୍ଷିତ ତଥାପି ବି ଏ ମାନସିକତା ହଟିନି ମନରୁ ଯେ ଝିଅ ପୁଅ ସବୁ ସମାନ । ଆଜିକାଲି ଝିଅମାନେ କୌଣସି ଥିରେ ପଛରେ ପଡି ନାହାଁନ୍ତି । ସମସ୍ତଙ୍କର ଜିଇ ବାର ସମାନ ଅଧିକାର ଅଛି । ସମସ୍ତେ ଯଦି ଏମିତି ଝିଅ କୁ ମାରି ପୁଅ ଚାହିଁବେ ତେବେ ସଂସାର ଧ୍ୱଂସ ହେବାକୁ ଆଉ ବେଶୀ ଦିନ ନୁହେଁ । ଭ୍ରୁଣ ହତ୍ୟା ତ ଦୂରର କଥା ଭ୍ରୁଣର ଲିଙ୍ଗ ନିରୂପଣ ବି ଅପରାଧ । ଏ ସବୁ ବି ବୋଉ ଜାଣେ ହେଲେ ନିଜ କ୍ଷେତ୍ରରେ ଝିଅଟିକୁ ଗ୍ରହଣ କରିବାର ମାନସିକତା ନାହିଁ ତା'ର । ବୋଉ କୁ ବୁଝେଇବା ବି ଭାରି କଷ୍ଟ । ଯାହା ବୁଝିଥିବ ସେଇଆ । ବୁଝେଇବାକୁ ଚେଷ୍ଟା କରିବା ବି ବୃଥା । ବାପା ଚାଲିଗଲା ଦିନରୁ ଏକଜିଦିଆ ହୋଇଯାଇଛି ସେ ।


ଅନ୍ୟ କିଛି ଉପାୟ ନ ପାଇ କ୍ଲିନକ୍ ର ଠିକଣା ବୁଝି ପଲ୍ଲବୀକୁ ନେଇ ରିତେଶ୍ ଗଲେ । ସାଧାରଣରେ ଅଲଟ୍ରାସାଉଣ୍ଡ ଚାର୍ଜ ସାତ ଶହ କିମ୍ବା ଆଠ ଶହ ହୋଇଥିବାବେଳେ ସେଠି ଦଶହଜାର । କାମ ସରିବା ପରେ ଦୁଇଜଣ ଘରକୁ ଫେରିଲେ । ରିତେଶ୍ ବୋଉକୁ ରିପୋର୍ଟ ବଢେଇଦେଇ ହସି ହସି କହିଲେ ଜାଣୁ ବୋଉ ତୋ ଇଛା ପୁରଣ ହେବ । ଆମର ପୁଅ ଟିଏ ହେବ । ତୋର ନାତି ଆସିବ । ମମତା ଦେବୀ ରିପୋର୍ଟ ପଢି ଦେଇ ଖୁସିରେ ପାଗଳ ହେଇଯାଉଥାଆନ୍ତି । କହୁଥାଆନ୍ତି ,ଆଉ ମୁଁ କେତେ ପୂଜା ,ପାଠ ,ବ୍ରତ କରୁଛି ଟି ମୋର ନାତିଟିଏ ହଉ ବୋଲି ଏ ସବୁ କଣ ବେକାର ହେଇଯିବ କି?ଯା' ହେଉ ଠାକୁରେ ମୋ ଡାକ ଶୁଣିଲେ । ପୂର୍ବାପେକ୍ଷା ମମତା ଦେବୀ ବୋହୂର ଅଧିକ ଯତ୍ନ ନେଉଥାଆନ୍ତି । ଆହୁରି ଭଲ ଭଲ ଜିନିଷ ଖାଇବାକୁ ଦେଉଥାଆନ୍ତି । ଦିନରାତି ଘରେ ପୁରାଣ କଥା ଚର୍ଚ୍ଚା କରୁଥାଆନ୍ତି । ପଲ୍ଲବୀର ମନ ଯଦିଓ ଖୁସି ଥାଏ ତଥାପି ତା' ମନ ଝିଅ ଟିଏ ଚାହୁଁଥାଏ । ହେଲେ ଅଲଟ୍ରାଶାଉଣ୍ଡ ରିପୋର୍ଟ ତ ପୁଅ ବୋଲି କହିସାରିଛି । ଭାଗ୍ୟ ଭଲ ପୁଅଟିଏ ଅଛି ଝିଅ ଥିଲେ ଦୁନିଆ ଦେଖିବା ଆଗରୁ ସେ ଆଖି ମୁଜି ସାରନ୍ତାଣି । ଶାଶୁ ଯେମିତି ଲୋକ ନଷ୍ଟ କରିବା ଯାଏଁ ପଛେ ପଛେ ଲାଗିଥାଆନ୍ତେ । ରିତେଶ୍ ଙ୍କର ବି ବୋଉ ଆଗରେ ପାଟି ଖୋଲିବାର ସାହସ ନାହିଁ ।


 ପ୍ରସବ ସମୟ ଆସି ଉପସ୍ଥିତ । ଓ.ଟି କୁ ଯିବା ପୂର୍ବରୁ ପଲ୍ଲବୀ ରିତେଶ୍ ର ହାତ ଧରି ମୁହଁକୁ ବିକଳ ହୋଇ ଚାହିଁଲା । ୟା ଭିତରେ ସେ ବୁଝିସାରିଥିଲା ଡେଲିଭରି ସମୟରେ ରିତେଶ୍ ଙ୍କର ତା ପାଖରେ ଉପସ୍ଥିତି ଚାହିଁବା କେବଳ ପିଲାଳିଆମି । ଏମିତି କେବେ ସମ୍ଭବ ନୁହେଁ । ତେଣୁ ଭୟ ଓ ଖୁସିରେ ଏକା ଏକା ଗଲା ଓ.ଟି.କୁ ।  ଓ.ଟି ଭିତରର ଦୃଶ୍ୟ ପଲ୍ଲବୀକୁ କୋଉ ସିନେମାର ଦୃଶ୍ୟ ପରି ଲାଗୁଥାଏ । ଆପ୍ରୋନ,ମାସ୍କ ପିନ୍ଧା ଡାକ୍ତର ଓ ତାଙ୍କର ଅନ୍ୟ ସହକର୍ମୀ ମାନଙ୍କୁ ବିଭିନ୍ନ ଉପକରଣ ସହ ଏମିତି ଦୃଶ୍ୟ ସେ କେବଳ ସିନେମାରେ ହିଁ ଦେଖିଥିଲା । ଏ.ସି ଚାଲିଥିଲେ ବି ପଲ୍ଲବୀ ମଥାରୁ ଗମ୍ ଗମ୍ ଝାଳ ବୋହୁଥାଏ । କେହି ଜଣେ ମହିଳା ନ ଡ଼ରି ଝାଳ ପୋଛିବା ପାଇଁ କହୁଥାଆନ୍ତି । ବି.ପି ହାଇ ହୋଇଗଲେ ରିସ୍କ । ଅପରେସନ୍ କରିହେବନି । ମନ ଟାଣ କଲା ପଲ୍ଲବୀ । ନିଶ୍ଚେତକ ଦେବା ପରେ ଆଉ କିଛି ଜାଣିନି ସେ ।  କେବଳ ଅନୁଭବ କରିଛି ମୁଣ୍ଡ ପାଖରେ କେହି ଜଣେ ମେଡିକାଲ୍ କର୍ମୀ ମୁଣ୍ଡ ଆଉଁସି ସାହସ ଦେଉଥାଆନ୍ତି । ପଲ୍ଲବୀର ଆଖି ନଇଁ ନଇଁ ପଡୁଥାଏ । ହେଲେ ନିଜ ଛୁଆ ମୁହଁ କୁ ନ ଦେଖିବା ଯାଏଁ ଜବରଦସ୍ତ ଆଖି ଖୋଲା ରଖିବାକୁ ଚେଷ୍ଟା କରୁଥାଏ ସେ । କୁଆଁ କୁଆଁ କାନ୍ଦ ଶୁଣି ପଲ୍ଲବୀ ମୁହଁରେ ଝାପସା ହସ ଖେଳିଗଲା । କାନ ପାଖରେ କିଏ ଜଣେ କହୁଥାନ୍ତି ତୁମେ ମାଆ ହୋଇଗଲ ଆଜି ରଥଯାତ୍ରାରେ ହଳଦୀମୁହିଁ ସୁଭଦ୍ରା ଆସିଛନ୍ତି ବାରଟା ବାଜି ଚଉବନ ମିନିଟ୍ ରେ । ପଲ୍ଲବୀ ଝିଅ ମୁହଁକୁ ଚାହିଁ ଆଖି ବୁଜିଦେଲା । ଅବିକଳ ଇଏ ସେଇ ମୁହଁ ଯୋଉ ମୁହଁ ତା' ଭାବନାରେ ଆସେ । ଯୋଉ ମୁହଁ ସେ ଆଖି ବନ୍ଦ କଲେ ତା ଆଖି ଆଗରେ ନାଚି ଯାଏ ।


ସେନ୍ସ ଫେରିବା ବେଳକୁ ଶାଶୁ ହାଣ୍ଡି ପରି ମୁହଁ କରି ବସିଛନ୍ତି । କେଡେ ମିଛୁଆ,କେଡେ ବେଇମାନ ସେ କ୍ଲିନକ ବୋଲି ଗୁଣୁଗୁଣୁ ହେଉଥାଆନ୍ତି । କେତେ ମିଛ କହିଲା ପୁଣି ଗୋଟେ ନୁହଁ ଯୋଡେ ନୁହଁ ଦଶ ହଜାର ଟଙ୍କା ନେଲା । ରିତେଶ୍ କହିଲେ ହଁ ପରା ବୋଉ କଣ ବା' ଆଉ ଆମେ ତାଙ୍କର କରିପାରିବା କହୁନୁ । ଭୁଲ ରିପୋର୍ଟ ଦେଇ ଟଙ୍କା ନେଇଛି ବୋଲି କେସ୍ କଲେ ଓଲଟା ଭ୍ରୁଣର ଲିଙ୍ଗ ନିରୂପଣ ଅପରାଧରେ ଆମେ ଫସିଯିବା । ସେଥିପାଇଁ ଚୁପ୍ ରହୁଛି ନ ହେଲେ ତାକୁ ଛାଡ଼ନ୍ତିନି ମୁଁ । ଯାହା ତ ହବାର ଥିଲା ହେଲା ଚୁପ୍ ହୋଇ ରହିବା ବୁଦ୍ଧିମାନର କାମ । ନାତୁଣୀ ମୁହଁକୁ ଚାହିଁବା ପରେ ମମତା ଦେବୀ ବଦଳି ଆସୁଥାଆନ୍ତି । କୋଳେଇ ନେଇ ଯାକି ପକାଉଥାଆନ୍ତି । ସ୍ନେହରେ ଆଉଁସି ଦେଉଥାଆନ୍ତି । ପଲ୍ଲବୀ କିନ୍ତୁ ବହୁତ ଖୁସି ଥିଲା । ରିତେଶଙ୍କୁ କହୁଥାଏ ଆଜି କାଲି ସବୁଠି ମିଛ । ଦଶହଜାର ଟଙ୍କା ନେଇ ସେ କେତେ ବଡ଼ ମିଛ କହିଲା । କିନ୍ତୁ,ଯାହା ହୋଇଛି ଭଲ ହୋଇଛି । ରିତେଶ୍ କହିଲେ ମିଛ କ୍ଲିନିକ୍ କହିନି । ସେ ସତ କହିବା ପରେ ମୁଁ ପରୀ ପାଇଁ ମିଛ ରିପୋର୍ଟ କୋଡିଏ ହଜାର ଦେଇ ବନେଇଛି ।



Rate this content
Log in

Similar oriya story from Inspirational