Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Tragedy

2  

Maheswar sahoo

Tragedy

ସଂସାର ଖାଇଲା ମଦ ବୋତଲ

ସଂସାର ଖାଇଲା ମଦ ବୋତଲ

7 mins
553


ନାକକୁ ଚିପି ଧରି, ଆଖି ବୁଜି ସିଧା ପାଟିରେ ଢାଳି ଦେଇଥିଲା ବିନା ପାଣିରେ ମଦ । ଗୋଟେ ବୋତଲ ନୁହେଁ ପୁରା ଦୁଇ ବୋତଲ । ପାଖରେ ଚାଖଣାରେ ଥାଏ କୁକୁଡ଼ା କଲିଜା, ଗୋଡ଼, ମୁଣ୍ଡ ଓ ଗଳା ମାଂଶର କଷା । ତା ପରେ ପୁରା ବିନ୍ଦାସ ହୋଇ ଠିଆ ହୋଇ ଯାଇଥିଲା ନିଧିଆ । ଏବେ ଛାତିରେ ହାତ ବାଡେଇ, ଗୋଡ଼ ଦୁମ ଦୁମ କଚାଡି ଆଗକୁ ମାଡି ଚାଲିଲା ଡବା ବିହୀନ ଇଞ୍ଜିନ ଭଳି । ନିଧିଆ ସହିତ ମଦ ପିଆରେ କିଏ ଟକ୍କର ଦେଵ ଯେ । ଏହି ଅଞ୍ଚଳରେ କେହି ଜଣେ ମରଦ ଅଛିତ ମୋ ଆଗକୁ ଆସି ଠିଆ ହୁଅ ବୋଲି ଏମିତି ଚିତ୍କାର କରି ଟଳି ଟଳି ଆଗକୁ ଆଗକୁ ଚାଲିଥାଏ ନିଧିଆ ।

    ସତରେ ନିଧିଆ ସାମ୍ନାକୁ ଆସିବାକୁ କାହାର ସାହସ ନାହିଁ, ଯେତେବେଳେ ନିଧିଆ ମଦ ପିଇ ପୁରା ବୋବାଲ କରି ଚାଲିଥାଏ ନିଧିଆ । ସହର ଠାରୁ ନିଜ ବସ୍ତିର ଘର ଯାଏ ସମସ୍ତେ ଡରିଥାନ୍ତି ନିଧିଆକୁ । କାରଣ ମଦ ନିଶାରେ କାହାକୁ କଣ କହିପକାଏ ଅସଭ୍ୟ ଭାଷାରେ । ଭାଷା ଶୁଣିବାକୁ କାହାର ଭୟ ନାହିଁ ଯେ । ଆବାଳବୃଦ୍ଧବନିତା ସମସ୍ତେ ନିଧିଆକୁ ବାଟ ଛାଡି ଦିଅନ୍ତି । ନିଶା ଛାଡି ଗଲେ ନିଧିଆ ଭାରି ଶାନ୍ତ, ସରଳ ଓ ଭଦ୍ରଭଳି ବ୍ୟବହାର କରିଥାଏ । 

   ନିଧିଆ ଜଣେ ଶିକ୍ଷିତ ଓ ସ୍ୱାସ୍ଥ୍ୟବାନ ପିଲା । ବୟସ ପାଖାପାଖି ବତୀଶ ହେବ । ଦୁଇଟି ପିଲାର ବାପା । ଗୋଟେ ପୁଅ ଓ ଗୋଟେ ଝିଅ । ପୁଅ ବଡ଼ ତୃତୀୟ ଶ୍ରେଣୀରେ ପଢୁଛି । ଝିଅ ଦୁଇ ବର୍ଷର ହେବ । ସ୍ତ୍ରୀ ମଧ୍ୟ ଜଣେ ଶିକ୍ଷିତା । ପରିବାର କହିଲେ ନିଧିଆ, ପତ୍ନୀ ମାଳତୀ, ବାପାମାଆ, ସାନ ଭାଇ କୈଳାସ ସହିତ ନିଧିଆର ଦୁଇ ପିଲା । ଏଇ କିଛି ଦିନ ହେବ ନିଧିଆର କଣ ହୋଇଛି କେଜାଣି ମଦ୍ୟପାନ ପାଇଁ ସବୁବେଳେ ଆଗଭର । ଘରକୁ ଘର ବୋଲି କହୁ ନାହିଁ । ସବୁବେଳେ ମଦୁଆ ସାଙ୍ଗ ଧରି ବୁଲୁଛି । କୌଣସି କାମ ଧନ୍ଦାରେ ଲକ୍ଷ ନଦେଇ କେବଳ ମଦ ପିଇ ବଦମାସି କରିବା । ବାଡ଼ିଆ ପିଟା କରିବା ଧନ୍ଦାରେ ଆଗଭର ହେଉଛି । ପତ୍ନୀ ମାଳତୀ ଯେତେ ବୁଝେଇଲେ ବି ଶୁଣୁ ନାହିଁ । ବାପା ମାଆ କିଛି କହିଲେ ଓଲଟା ଜବାବ ଦେଉଛି । ମାରି ଦେବୀ ଚିରି ଦେବୀ ଏମିତି କେତେ କଥା ।

    ସମୟ ସ୍ରୋତରେ ବିଚରା ନିରୀହ ପରିବାରଟି କୁଟା ଖଣ୍ଡେକୁ ଆଶ୍ରାଭଳି ଆଶ୍ରିତ ହୋଇ ସମୟ ନିର୍ବାହ କରୁଥାନ୍ତି । ମାଳତୀ ସବୁବେଳେ ନିଜର ମଦୁଆ ସ୍ୱାମୀଙ୍କ କଟୁ କଥା ଶୁଣି ଶୁଣି ନିଜକୁ ତିଳ ତିଳ କରି ଜାଳି ନିଜ ଜୀବନକୁ ପାଉଁଶ କରିବା ଛଡା କିଛି ନ ଥାଏ । 

   ଆଜି ରବିବାର । କୁଆଡୁ ଏକ ଅଦିନିଆ ଝଡ଼ ଆସିଲା ଭଳି ପେଟେ ମଦ ପିଇ ଦେଇ ଆସି ପହଁଚି ଯାଇଥିଲା ନିଧିଆ । ମାଳତୀ କୁଆଡେ ଗଲୁ ଜଲ୍ଦି ଆ, କୁଆଡେ ଗଲୁ ଯେ ଜଲ୍ଦି ଆ

ମାଳତୀ ଡରି ଡରି ଆସି କହିଲା କଣ ହେଇଛି ଯେ ।

ନିଧିଆ, " କେତେ ଡାକିଲିଣି, ତୋତେ କଣ ଶୁଣା ଯାଉନି "

ମାଳତୀ, " ତମକୁ କେତେ ନେହୁରା ହେବି ତମେ ମଦ ପିଅ ନାହିଁ । ଛଅ ବର୍ଷ ହେଇଗଲା ହେଲେ ତମେ ମଦ ଛାଡିବାତ ଦୂରର କଥା, ଆଜି କାଲି ବହୁତ ମଦ ପିଉଛ । ସବୁବେଳେ ପେଟେ ମଦ ପିଇ ଦେଇ ଆସି ମୋତେ ମାର ଧର କରୁଛ । ତମ ଗୋଡ଼ ଧରୁଛି ତମେ ସେ ବିଷ ଗୁଡାକ ପିଅ ନାହିଁ । ତମେ ପରା ଏତେ ପାଠ ପଢିଛ । ତମେ ପରା ଶିକ୍ଷିତ । ହେଲେ ଜଣେ ଶିକ୍ଷିତ ପିଲା ହୋଇ ମଦ ପିଇ ମାତାଲି ହେଉଛ । ଗାଁ ଯାକର ଲୋକ କେତେ ଛି ଛାକର କରୁଛନ୍ତି ତମେ କଣ ଜାଣିନ । "

ନିଧିଆ, " ତୋ ବାପାର କଣ ହେଲା ଯେ ! ତୋ ବାପା କଣ ମୋତେ ମଦ ପିଇବାକୁ ପଇସା ଦେଉଛି । ମୋ ମୁଣ୍ଡ ଗରମ କରନା କହୁଛି । ଜୀବନରୁ ମାରିଦେବୀ । "

ମାଳତୀ, " ମାରିଦିଅ ମୋତେ ! ଲୋକଙ୍କର ଟାହି ଟାପୁରା ଶୁଣିବା ଅପେକ୍ଷା ତମ ହାତରେ ମରିଯିବା ଭଲ । "

ନିଧିଆ, " ତୋତେ ଆଜି ମାରିଦେବୀ । ସବୁବେଳେ ଯେତେବେଳେ ଟିକେ ପିଇ ଦେଇ ଖୁସି ହୋଇ ଘରକୁ ଆସିବୁ ଏ ବଜାତ ମାଇକିନିଆ ମୋ ପ୍ରାଣ ଖାଉଛି । "

   ଏମିତି କହି ନିଧିଆ ମାଳତୀର ତଣ୍ଟିକୁ ଧରି ନିର୍ଧୁମ ବିଧା ଭୁଷା ମାରିବାରେ ଲାଗିଲା । ବାପା ମାଆ ବାରଣ କଲେ ବି ଶୁଣିବାର ନାହିଁ ଓଲଟା କହିଲା ଯିଏ ବାଧା ଦେଵ ତାକୁବି ଆଜି ମାରିଦେବୀ । ପୁଅ ରୋହିତ ବାପାଙ୍କର ମାଆଙ୍କୁ ମାରୁଥିବାର ଦେଖି କାନ୍ଧ କାନ୍ଧ ହୋଇ କହୁଥାଏ ବାପା ବାପା ଆଉ ମାଆକୁ ମାର ନାହିଁ । ସେ ମରିଗଲେ ମୋତେ କିଏ ଖୁଏଇ ଦେଵ । ବାପା ମୋ ମାଆ ମରିଯିବ ତାକୁ ଆଉ ମାର ନାହିଁ ବାପା । ଛୋଟିଆ ପିଲାଟିର କାନ୍ଧ ବୋବାଳି ଦେଖି ମଧ୍ୟ ଟିକେ ବି ଦୟା ଆସିନଥିଲା ନିଧିଆର ମନରେ ଓଲଟା ଗୋଇଠା ଗୋଟେ ମାରିଦେଲା ପୁଅକୁ । ରୋହିତ ବିକଳରେ କାନ୍ଧୁଥାଏ କେବଳ କାନ୍ଧୁ ଥାଏ ଓ କହୁଥାଏ ମୋ ବାପା ଆଜି ମୋ ମାଆକୁ ମାରିଦେବେ । ମୋତେ ଆଉ ଆମ କୁନି ଝିଅକୁ କିଏ ଖୁଆଇ ଦେଵ । କିଏ କପଡା ପିନ୍ଧେଇ ଦେଵ । କିଏ କପଡା ସଫା କରି ଯତ୍ନରେ ରଖିବ ଏମିତି ଛୋଟିଆ ପିଲାଟିର କାନ୍ଧ ବୋବାଳି ଓ ପରିବାରର ସମସ୍ତ ଲୋକଙ୍କ ହୋ ହଲ୍ଲାରେ ସାହି ଭାଇ ଲୋକ ଆସି ରୁଣ୍ଡ ହୋଇ ଗଲେ । ସମସ୍ତେ ଧରା ଧରି କରି ମାଳତୀକୁ ମରଣ ମୁହଁରୁ ବଞ୍ଚାଇଲେ ।

    ମାଳତୀ ଭାବି ନେଇଥିଲା ଯେ ଆଉ ତା ଜୀବନରେ ଖୁସି ନାହିଁ । ପିଲା ଦୁଇଟା ମୁହଁକୁ ଚାହିଁ ଜୀବନ କାଟିବାକୁ ଚେଷ୍ଟା କରୁଥିବା ମାଳତୀର ବୋଝ ଉପରେ ନଳିତା ବିଡ଼ା ଭଳି ସ୍ୱାମୀ ଦଣ୍ଡ । କେମିତି କାଟିବ ଦିନ । ଏବେ ତାର ଗୋଟିଏ ରାସ୍ତା ବାପା ଘର । ବାପା ତାର ଶିକ୍ଷିତ ବର ଭଲ ଘର ଦେଖି ଜ୍ୱାଇଁ ଠିକ କରିଥିଲେ ହେଲେ ଭାଗ୍ୟର ବିଡମ୍ବନା । ଜ୍ୱାଇଁ ରୋଜଗାର କରୁଛନ୍ତି ହେଲେ ମଦ୍ୟପ । ଏଇ କିଛି ଦିନ ହେବ ତାଙ୍କର ମଦ୍ୟପାନର ସୀମା ରହୁନାହିଁ । ମନ ଇଛା ପିଉଛନ୍ତି ଓ ବିନା କାରଣରେ ବହୁତ ମାରୁଛନ୍ତି । ମରଣାତ୍ମକ ଦଣ୍ଡ ଦେଉଛନ୍ତି ସେ । କେମିତି ବଞ୍ଚିବି ? ବୁଝେଇଲେ ବି ଆହୁରି କଠୋର ହେଉଛନ୍ତି । ବାପଘର ଛଡା ଆଉ କୌଣସି ଦିଗ ନ ଥାଏ ମାଳତୀ ପାଖରେ । 

    ବାପା ଆସିଲେ ନେବା ପାଇଁ ହେଲେ ନିଧିଆ ରୁକ ଠୁକ ମନା କରିଦେଲା ନା ତୁ ବାପଘର ଯାଇ ପାରିବୁନି । ମୁଁ ଆଉ ମଦ ପିଇବିନି କି ତୋତେ ମାର ଧର କରିବିନି । ଶଶୁର ବହୁତ ବୁଝେଇ କହିଲେ ଆଉ ଯେମିତି ମଦ ପିଇବା କଥା ନ ଶୁଣେ । ନିଧିଆ ଶଶୁରଙ୍କୁ ବାଟେଇ ଦେଲା । ଶଶୁରଙ୍କ ଯିବା ପରେ ନିଧିଆ ମାଳତୀକୁ ମଧ୍ୟ ବହୁତ ବୁଝେଇ କହିଲା, ଦେଖ ମାଳତୀ ମୁଁ ତତେ ବହୁତ ଭଲ ପାଏ । ତୁ ଗଲା ପରେ ମୁଁ କେମିତି ବଞ୍ଚିବି କହିଲୁ । ମୋ ପିଲାଙ୍କୁ ନ ଦେଖିଲେ ମୁଁ ବଞ୍ଚି ପାରିବିନି ! ତୁ ତ ଜାଣିଛୁ ଟିକେ ନଦେଖିଲେ ମନ କେତେ ଗୁଡେଇ ହୁଏ ।

ମାଳତୀ, " ହଁ ! ଏଇନେ ନିଶାରେ ନାହଁ ବୋଲି କହି ଦେଉଛ । ମଦ ପିଇବ ନାହିଁ ବୋଲି କେତେ ଥର କହିଲଣି। କେତେ ଥର ଶପଥ କଲଣି । କେତେ ବାଡାଉଛ ମଦ ନିଶାରେ । ପୁଣି ମଦ ପିଇ ନିଶା ହେଇଗଲେ ବାଡ଼େଇବା ଆରମ୍ଭ କରିଦେବ । ନିଧିଆ ଆଉ କେବେ ମଦ ପିଇବ ନାହିଁ ବୋଲି ପୁଣି ଥରେ ଶପଥ କଲା ।

    ଏବେ ନିଧିଆ ମଦ ପିଇବା ଛାଡି ଦେବାକୁ ବହୁତ ଚେଷ୍ଟା କଲା । ବେଳେ ବେଳେ ମନକୁ ମନ ବସି କଣ ଫୁଟୁରୁ ଫୁଟୁରୁ ହେଉ ଥାଏ । ମଦ ପିଇବା ସମୟ ହୋଇ ଗଲେ ବହୁତ ଉଚ୍ଚାଟ ହୁଏ ମନ ତାର । ହୃଦୟ ବହୁତ ଘାଣ୍ଟି ହୁଏ । ବିକଳରେ ଡହଳ ବିକଳ ହୁଏ ହୃଦୟ । ଦାନ୍ତ କାମୁଡି ହୁଏ ବହୁତ ବିଳି ବିଳି ହୁଏ । ହେଲେ ମନ ମଧ୍ୟରେ ଗୋଟିଏ କଥା ମଦ ପିଇବି ନାହିଁ । ମଦୁଆ ସାଙ୍ଗ ଆସନ୍ତି, ଜବରଦସ୍ତି କରନ୍ତି ହେଲେ ନିଧିଆ ନିଜ ଜିଦରୁ ଅଟଳ । ନା ନା ମୁଁ ସେ ମଦରେ ହାତ ମାରିବି ନାହିଁ । ଦୀର୍ଘ ଛଅ ବର୍ଷ ଧରି ହେଇଯାଇଥିବା ଅଭ୍ୟାସଟା ଏତେ ଜଲ୍ଦି ଛାଡିବା କାଠିକର ପାଠ ହେଲେ ନିଧିଆ ପାଇଁ ତାହା ସମ୍ଭବ ହୋଇଥିଲା ।

    ମଦ ସିନା ନିଧିଆ ଛାଡି ଦେଇଥିଲା ହେଲେ ତାର ପେଟରେ କୌଣସି ଏକ ଅଜଣା ରୋଗ ଆରମ୍ଭ ହୋଇ ଯାଇଥିଲା । ଅତ୍ୟଧିକ ମଦ୍ୟପାନ ପୁଣି ବିନା ପାଣିରେ ! ନିଜ ପେଟ ଭିତରେ ଥିବା କୋମଳାଙ୍ଗ ଗୁଡିକ ନଷ୍ଟ କରି ଦେଇଥିବା । ସାଧାରଣତଃ ମଦରେ ଆଲକୋହଲ ନାମରେ ଏକ ବିଷାକ୍ତ ରାସାୟନିକ ଦ୍ରବ୍ୟ ରହିଥାଏ । ଯାହାକି ମାତ୍ରାଧିକ ହୋଇ ଗଲେ ନିଜର ପାକସ୍ଥଳୀ, କ୍ଷୁଦ୍ର ଓ ବୃହତ ଅନ୍ତନାଡ଼ ଜାଳି ଦେଇଥାଏ । ଏଣୁ ନିଧିଆ ପାକସ୍ଥଳୀରେ ଘାଆ ହୋଇ ଯାଇଥିଲା ଯାହାକୁ ଇଂରାଜୀରେ ଅଲଷର କୁହାଯାଏ । ନିଧିଆକୁ ଠିକ ଭାବେ ହଜମ ହେଉନଥିଲା । ଭୋକ ଲାଗେ ନାହିଁ । ସବୁବେଳେ ପେଟ ପୁରିଲା ଭଳି ଲାଗେ । ମାଳତୀ ଯେତେ ବାଧ୍ୟ କଲେ ମଧ୍ୟ ଦୁଇ ଗୁଣ୍ଡା ଖାଇ ଉଠିଯାଏ । ଏମିତି ଧୀରେ ଧୀରେ ନିଜର ଶରୀର ଦୁର୍ବଳ ହେବାରେ ଲାଗିଲା ତା ସହିତ ପେଟ ଘାଆ ବଢ଼ିବାରେ ଲାଗିଲା । 

    ଦିନେ ହଠାତ ଖାଇବାକୁ ବସିଛି ଜୋରରେ ବାନ୍ତି ଆସିଲା ନିଧିଆକୁ । ହେ ଭଗବାନ ୟେ କଣ ! ମୁଣ୍ଡା ମୁଣ୍ଡା ରକ୍ତ ! ରକ୍ତ ଦେଖି ମାଳତୀ ଦେବୀ ଅଚେତ ହୋଇ ଗଲେ । ବାରମ୍ବାର ରକ୍ତ ବାନ୍ତି ଦେଖି ସାନ ଭାଇ କୈଳାସ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଲେ । ପରୀକ୍ଷା ନିରୀକ୍ଷା କରି ଜାଣି ପାରିଲେ ପେଟରେ ଘାଆ ହୋଇ କେନ୍ସର ବା କର୍କଟ ରୋଗ ଆକ୍ରାନ୍ତ କରିଛି ।

   ମାଳତୀ ଶୁଣି ଭାରଶ୍ୟାମ ହରେଇ ବସିଲେ । ପରିବାରର ରୋଜଗାରିଆ ପୁଅର ଏଇ ଅବସ୍ଥା କଉ ବାପା ମାଆ ସହିବ ଯେ । ପରିବାରରେ ଦୁଃଖର ଛାୟା । ଡାକ୍ତରୀ ଚିକିତ୍ସା ପାଇଁ ଖର୍ଚ୍ଚ ବଢ଼ିବାରେ ଲାଗିଲା । ଦିନକୁ ଦିନ କାଙ୍ଗାଳ ହେବାରେ ଲାଗିଲେ । ପାରିବାରିକ ଋଣ ଓ ଉଧାରୀ ବଢ଼ିବାରେ ଲାଗିଲା । ଏମିତିକି ଲୁଣ ତେଲ ପାଇଁ ପଇସାର ଅଭାବ । ସାନ ଭାଇ କୈଳାସତ ଛୋଟ ପିଲା ସେ କଣ ରୋଜଗାର କରିବ । ତଥାପି କୌଣସି ଏକ ଜାଗାରେ କାମ କରି କିଛି ପଇସା ପାଏ ଆଉ ସେଇ ପଇସାରେ ନିଜ ଘର ଲୁଣ ତେଲ ଚାଲିଯାଏ ।

   ନିଧିଆର ରୋଗ ଧୀରେ ଧୀରେ ବଢ଼ିବାରେ ଲାଗିଲା । ଶରୀରର ଦୁର୍ବଳତା ସହିତ ଚେହେରା ଜୀର୍ଣ୍ଣ ଶୀର୍ଣ୍ଣ ହୋଇ ଯାଇଥିଲା । ସମ୍ପୂର୍ଣ୍ଣ ଭାଗ୍ୟ ବଦଳି ଯାଇଥିଲା ପରିବାରର । ନିଧିଆ କହିଲେ ଡରୁ ଥିବା ଲୋକ ଆଜି ତାଙ୍କ ପରିବାର ଉପରେ ହସୁ ଥିଲେ । ଦଶ ଟଙ୍କା ଦେବାକୁ ବିଶ୍ୱାସ ନଥିଲା କାହାର । ନିଧିଆ ଏବେ ପ୍ରାଣତ୍ୟାଗ କରିବା ଛଡା ବାଟ କିଛି ନାହିଁ କହିଲେ ଚଳେ । କାରଣ ଜମି ବାଡ଼ି ବନ୍ଧା ପଡିସାରିଥାଏ । ରୋଗ ଉପଶମ ପାଇଁ ଔଷଦ ଆବଶ୍ୟକ ଓ ଔଷଦ ପାଇଁ ଅର୍ଥ । ତେଣୁ ବିନା ଅର୍ଥରେ ବଟିକା ଗୋଟେ କିଣିବା କଷ୍ଟ । 

   ନିଧିଆର ପେଟ ଯନ୍ତ୍ରଣା ବଢ଼ିବାରେ ଲାଗିଲା । ଏବେ ଅସମ୍ଭାଳ ହୋଇ ଯାଇଥିଲା ଶରୀରର ଯନ୍ତ୍ରଣା । ଭଗବାନଙ୍କୁ ଡାକୁଥାଏ ନିଧିଆ, ହେ ଭଗବାନ ମୋତେ ମାରିଦିଅ । ମୁଁ ଆଉ କଷ୍ଟ ସହିପାରୁନି । ମୋ ପିଲା ଛୁଆ ତମକୁ ଲାଗିଲେ । 

    ରାତି ପାହିଯାଇଥାଏ । ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡିବା ପୂର୍ବରୁ ନିଧିଆ ଆଖି ବୁଜି ଦେଇ ସବୁ ଦିନ ପାଇଁ ଇହଲୀଳା ସମ୍ବରଣ କରିଥିଲା । ଆଜି ପିଲାମାନେ ତାର ଅନାଥ । ରହିବାକୁ ଘର ଥିଲେ ବି ବନ୍ଧା ପଡିଯାଇଛି । ଚାଷ କରିବାକୁ ଜମି ଥିଲେ ବି ବନ୍ଧା ପଡିଯାଇଛି । କୈଳାସ ଅବିବାହିତ ଭାଇ ଅଛି ହେଲେ କାମ ଧନ୍ଦା ପାଇଁ ଏତେ ଉପଯୁକ୍ତ ନ ହୋଇ ମଧ୍ୟ କିଛି ରୋଜଗାର କରେ ଯାହାକି ଘର ତେଲ ଲୁଣକୁ ନିଅଣ୍ଟ । 

    ଏବେ ନିଧିଆର ସ୍ତ୍ରୀ ବାଟରେ ଚାଲିଗଲା ବେଳେ ଲୋକେ କୁହା କୁହି ହୁଅନ୍ତି ଦେଖ ଦେଖ ମଦୁଆ ବର କାହାକୁ ବାଟ ଚଲେଇ ଦିଏନି ଆଉ ସ୍ତ୍ରୀ କୁ ଦେଖ.....ବିଚରା ବିଧବା ହେଇକି ରହିଲା । ସ୍ୱାମୀ କେବେ ଚିନ୍ତା କରିଥିଲା କି ମୋ ସ୍ତ୍ରୀ ଯେତେବେଳେ ନିଃସହାୟ ହେଇଯିବ ତାକୁ କେହି ବି ବାଟ ଚଲେଇ ଦେବେ ନାହିଁ । ମଦ ପିଇବ କାହିଁକି ପରିବାରକୁ ଦାଣ୍ଡରେ କାହିଁକି ଠିଆ କରେଇବ ।


Rate this content
Log in

Similar oriya story from Tragedy