Bichitra Biswal

Tragedy


2  

Bichitra Biswal

Tragedy


ଲୁହ

ଲୁହ

2 mins 7.5K 2 mins 7.5K

ଲୋକଟି ସବୁଦିନ ବହେ ମଦ ପିଇ ଆସି ସ୍ତ୍ରୀ'କୁ ଗାଳିଗୁଲଜ କରୁଥିଲା ଓ ଗୋରୁ ପରି ବାଡ଼ଉଥିଲା। ଯଦିଓ ପଡିଶା ଘର କଥାରେ ମୁଣ୍ଡ ପୁରେଇବା ଅଭ୍ୟାସ ମୋର ନାହିଁ, କିନ୍ତୁ ନିଜ ସ୍ତ୍ରୀ ପ୍ରତି ଲୋକଟିର କର୍କଶ ଗାଳି ଓ ବଡ଼ିଆରେ ମୋ ଛାତି ବି ଥରି ଉଠୁଥିଲା। ଏତେ ସବୁ ପରେ ବି ସେ ସ୍ତ୍ରୀ ଲୋକଟିକୁ ମୁଁ କେବେ କାନ୍ଦିବା ଦେଖିନାହିଁ। ତା ଆଖିର ଲୁହ ଥରେ ବି ମୋ ନଜରରେ ପଡିନି। ଏମିତିକି ଲୋକଟି ବାଡ଼େଇବା ବେଳେ ବି ତା ସ୍ତ୍ରୀ'ର କାନ୍ଦ ଶବ୍ଦ ବି ମୁଁ ଶୁଣିନି। ମୁଁ ଆଶ୍ଚର୍ଯ୍ୟ ହୁଏ, ଏତେ ନିର୍ଯ୍ୟାତନା ପରେ ବି ସ୍ତ୍ରୀ ଲୋକଟିର ଆଖିରୁ ଲୁହ ଧାରେ ବି ବାହାରୁନି କିପରି।

ମୋ ଘର ବାରେଣ୍ଡାରୁ ଥାଇ ମୁଁ ବାରମ୍ବାର ଦେଖିଛି, ଲୋକଟି ଗାଳି ଦେଇ ବା ମାଡ଼ ମାରି ସାରି ଘରୁ ବାହାରି ଯିବା ପରେ ସ୍ତ୍ରୀ ଲୋକଟି ଘର ଦୁଆର ମୁହଁକୁ ଆସି ଲୁହ ଶୁନ୍ୟ ଆଖିରେ ରାସ୍ତା ସେପଟେ ଆଖୁ ପେଡା କଳ ପକେଇଥିବା ଦରବୁଢ଼ା ଲୋକଟିକୁ ନିର୍ବିକାର ଭାବେ ଚାହିଁ ରହେ।

ମୋ ମନରେ ଅନେକ ଥର ସନ୍ଦେହ ଜାତ ହୋଇଛି ସ୍ତ୍ରୀ ଲୋକଟିର ଏପରି ବ୍ୟବହାରରେ। ହେଲେ ମୁଁ ବେଶୀ ଆଗକୁ ଭାବେନି।

ମୋ ଭିତରେ ଥିବା ଉତ୍କଣ୍ଠାକୁ ଆଉ ଅଧିକ ନଚାପି, ଦିନେ ପୁରୁଷ ଲୋକଟି ନଥିବା ବେଳେ ସାହସ ସଞ୍ଚୟ କରି ସ୍ତ୍ରୀ ଲୋକଟିକୁ ପଚାରିଲି, ସେ ଲୋକଟା ତୁମକୁ ଏତେ ଗାଳି କରୁଛି, ଗୋରୁ ଭଳି ବାଡ଼ଉଛି। ହେଲେ ତୁମ ଆଖିରେ ତ ମୁଁ କେବେ ଲୁହ ଦେଖିନି। ତୁମକୁ କଣ କଷ୍ଟ ହୁଏନି? ଏତେ କଷ୍ଟ ସହି ତୁମେ ଏଠି ପଡିରହିଛ କାହିଁକି? ଟିକିଏ ଛେପ ଢ଼ୋକି ପୁଣି ପଚାରିଲି, ସବୁ ମାଡ଼ ଗାଳି ପରେ ତୁମେ ଏ ଦୁଆର ମୁହଁକୁ ଚାଲି ଆସି ଆଖୁ ପେଡାଳିକୁ ଚାହିଁ ରୁହ କଣ ପାଇଁ?

ସ୍ତ୍ରୀ ଲୋକଟିର ମୁହଁର ମାଂସପେଶୀ ଟିକେ ସଂଚାଳିତ ହେଲା। ବୋଧହୁଏ ସେ ହସିବାକୁ ଚେଷ୍ଟା କରି ବି ପାରିଲା ନାହିଁ। ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ହାତ ବଢ଼େଇ ମୋତେ ଆଖୁ ପେଡାଳି ଆଡକୁ ଦେଖିବାକୁ କହିଲା।

- ଯେଉଁ ଆଖୁରୁ ରସ ବାହାରି ସାରିଲାଣି ସେ ଆଖୁ ଖଦାକୁ ଆଉ ଯେତେ ଚିପୁଡିଲେ ବି ସେଥିରୁ କଣ ରସ ବାହାରିବ? ମୁଁ ଗରିବ ଘର ଝିଅ ବାବୁ। ପିଲା ବେଳେ ଗରିବୀ, ଭୋକ, ଅଭାବ, ଅନଟନର ଦାଉ ଓ ଆଉ ଟିକେ ବଡ ହେବା ପରେ ମୋ ଦେହ ଓ ମନ ଉପରେ ଅନେକ ନିର୍ଯ୍ୟାତନା ସହି ସହି ମୋର ସବୁ ଲୁହ ବୋହିସରିଛି ବାବୁ। ଆଉ କାନ୍ଦିବାକୁ ଲୁହ ଆସିବ କେଉଁଠୁ? ସେ ରସ ଚୁପୁଡା ଆଖୁ ଖଦା ପରି ତ ମୋର ଅବସ୍ଥା। ତେଣୁ ମାଡ଼ ଗାଳିରେ ମୋତେ ଦୁଃଖ ଲାଗିଲେ, ମୁଁ ସେହି ଆଖୁ ଖଦାକୁ ଚାହିଁ ନିଜ ମନକୁ ବୁଝେଇ ଦିଏ।

ଜବରଦସ୍ତ ଗୋଟେ କରେଣ୍ଟ ଖାଇବା ପରି ଲାଗିଲା ମୋତେ। ମୁଁ ଏକା ସମୟରେ ରସ ନିଗିଡି ସାରିଥିବା ଆଖୁ ଖଦା ଓ ସ୍ତ୍ରୀ ଲୋକଟିକୁ ଦେଖୁଥିଲି।


Rate this content
Originality
Flow
Language
Cover Design