Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରିବାର
ପରିବାର
★★★★★

© Sagarika Mohanty

Inspirational Tragedy

10 Minutes   13.9K    10


Content Ranking

ସିନ୍ଦୁର ଟିକେ ମାଥାରେ ନାଇ ଦେଲେ , ସବୁ ଝିଅ ଭିତରେ ଗୋଟେ ନୂଆ ପରିବାରର ଦାୟିତ୍ୱ ମୁଣ୍ଡେଇବାର ସାହାସ ଆସିଯାଏ । ସେଇ ଟିକକ ସିନ୍ଦୁର ତାକୁ ନୂଆ ପରିବାରଟିରେ ଖୁଡି , ମାଇଁ , ଭାଉଜ ଏମିତି କେତେ ସମ୍ପର୍କରେ ବାନ୍ଧି ପକାଏ । କିନ୍ତୁ ସେ ନାଲି ଟୋପାଟା ନଲାଗିଲେ ଦାୟିତ୍ୱ ନବା ତ ଦୂରର କଥା , ସବୁ ସମ୍ପର୍କ ଫିକା ଲାଗେ , କଳଙ୍କର ବୋଝକୁ ସାରା ଜୀବନ ମୁଣ୍ଡେଇବାକୁ ପଡେ। ଏଇୟା ହିଁ ତ ଆମ ସମାଜର ନିୟମ ! ୟା ବିରୁଦ୍ଧରେ ଯିବା ପାଇଁ ଆମ କାହା ଭିତରେ ସାହାସ ନାହିଁ । କିନ୍ତୁ ସାହାସ ବାନ୍ଧିଥିଲା ମାମା ଅପା ।

ତା ଦୃଢ ମନୋବଳ ଦେଖିଲେ , ବିଶ୍ୱାସ କରି ହେଉନଥିଲା ଯେ ସିଏ ଅଳ୍ପ ପାଠୋଇ । ଭଦ୍ରକର ଗୋଟେ ଛୋଟ ଗାଁ ର ଝିଅ ବୋଲି । ନିଃସ୍ୱାର୍ଥପର ହେଇ ପରିବାର ପାଇଁ କେମିତି ବଞ୍ଚି ହୁଏକୁ , ମୋ ପରି ଗୋଟେ ସିନ୍ଦୁର ପିନ୍ଧୁଥିବା ଝିଅକୁ ସେ ବେଶ ଭଲ କରି ଶିଖେଇ ଦେଇଥିଲା ।

ଅଠର ବର୍ଷ ତଳର କଥା । ମୋ ବାହାଘରର ଠିକ ଦୁଇ ମାସ ପରେ ଭୁବନେଶ୍ବର , ମାଷ୍ଟର କ୍ୟାଣ୍ଟିନ ଛକରେ ଛିଡା ହେଇ ମୁଁ ବସକୁ ଅପେକ୍ଷା କରିଥାଏ । ସେଦିନ ଘରକୁ ଯିବାକୁ ଅଫିସରୁ ଟିକେ ଶୀଘ୍ର ବାହାରି ଆସିଥିଲି । ଅଫିସର ଛୁଟିରେ ଥିଲେ । ତେଣୁ ମୁଁ କାହିଁକି , ପ୍ରାୟ ସବୁ କର୍ମଚାରୀ ଜଲ୍ଦି ଅଫିସରୁ ବାହାରି ଯାଇଥିଲେ । ସେପଟୁ ବସଟା ମାଡି ଆସୁଥିଲା । ମୁଁ ହାତ ଦେଖେଇବା ଆଗରୁ ଟିକେ ରହିଗଲି । ଭାବିଲି , ଆଜି ମାମା ଅପାକୁ ଡାକି , ତା କାମଟା ଆଗ ସାରିଦିଏ ।

ହଁ , ଆଜି ସମୟ ଅଛି । ତାକୁ ଡାକି କଣ ଗୋଟେ ଉପହାର ଦେଇଦେଲେ , ଦାୟିତ୍ୱ ସରିବ । ମାଆ କେତେଥର କହିଲାଣି , ମାମାକୁ ଡାକି ଗୋଟେ ଭଲ ଜିନିଷ ଦବା ପାଇଁ । କିନ୍ତୁ ସମୟ ମିଳି ନଥିଲା ।ବ୍ୟାଗରୁ ମୋବାଇଲଟା କାଢି ତାକୁ ଫୋନ କଲି । ସେ ସାଙ୍ଗେ ସାଙ୍ଗେ ଆସିବାକୁ ରାଜି ହେଇଗଲା । ସେଇଠୁ ଅଳ୍ପ ଦୂରରେ ତା ବିଉଟି ପାର୍ଲର ।

ଦଶ ମିନିଟ ପରେ ଦାନ୍ତ ନିକୁଟି ଆସି ମୋ ପାଖରେ ପହଞ୍ଚି ଗଲା । ମୁଁ ତାକୁ ନେଇ ପାଖରେ ଥିବା ଗୋଟେ ସୁନା ଦୋକାନ ଭିତରକୁ ଗଲି । ବହୁତ ବଛାବାଛି କରି ଗୋଟେ ଛୋଟିଆ ସୁନା ଲକେଟଟା ତା ଆଡ଼କୁ ବଢ଼େଇ ଦେଲି । ସିଏ କିନ୍ତୁ ସେ ଗୋଟେ ହୀରା ନାକଫୁଲଟିକୁ ଖୁବ ଆଗ୍ରହର ସହକାରେ ଦେଖୁଥାଏ । ମୋ ଆଡ଼କୁ ବଢ଼େଇ ଦେଇ କହିଲା , ମୋର ଏଇ ହୀରା ନାକଫୁଲଟା ତୋ ଠାରୁ ଦରକାର । ମୋ ଜାଣିବାରେ ସେ କେବେ ଏତେ ଅଧିକାରରେ କାହାକୁ କିଛି ମାଗେନି । ଆଉ ଆଜି ଏକାଥରେ ହୀରା ନାକଫୁଲ !

ପାଗଳୀଟା ! ମୋ ସହ ତାର ସମ୍ପର୍କ ବା କଣ । ଉଆର୍କିଙ୍ଗ ଓମେନ୍ସ ହଷ୍ଟେଲରେ ମୋ ସାଙ୍ଗରେ ରହୁଥିଲା । ଜ୍ଞାନ ହେବା ଦିନୁ ସରଜୁ ଭାଇଙ୍କୁ ନିଜ ମାନପ୍ରାଣ ଦେଇ ଭଲ ପାଉଥିଲା । ସରଜୁ ଭାଇ ତାଙ୍କ ଗାଁ ମୁଖିଆଙ୍କ ପୁଅ । ମାମା ଅପା , ସରଜୁ ଭାଇ ଯେତେ ନେହୁରା ହେଲେ ବି ତାଙ୍କ ପ୍ରେମକୁ ଘର ଲୋକଙ୍କର ସ୍ୱୀକୃତି ମିଳିଲାନି । ଶେଷରେ ସମସ୍ତଙ୍କୁ ଲୁଚି ଦୁହେଁ ପଳେଇଆସିଲେ ଏଇ ରାଜଧାନୀ ଭୁବନେଶ୍ବରକୁ । ଆସିବା ପରେ ମାମା ଅପା ରହିଲା ହଷ୍ଟେଲରେ ଆଉ ସରଜୁ ଭାଇ ରହିଲେ ଗୋଟେ ମେସରେ । ଦୁହେଁ ଚାକିରୀ ପାଇଲେ ବାହା ହେବେ ବୋଲି ନିଷ୍ପତ୍ତି ନେଲେ ।

ହଷ୍ଟେଲରେ ରହିବାର ଅଳ୍ପଦିନ ଭିତରେ ତାର ମୋର ବନ୍ଧୁତା ଟା ବେଶି ବଢିଯାଇଥିଲା । ବେଶି ପାଠ ପଢ଼ିନଥିବାରୁ ସେ ଗୋଟେ ବିଉଟି ପାର୍ଲର ରେ ଚାକିରୀ ପାଇଲା । ସରଜୁ ଭାଇ ମଧ୍ୟ ଗୋଟେ କମ୍ପାନୀରେ ଚାକିରୀ କଲେ ଓ ଘରଭଡା ନେଇ ରହିଲେ । ଦୀର୍ଘ ଦିନ ବିତିଗଲା ପରେ ବି ସରଜୁ ଭାଇ ତାକୁ ପାଖକୁ ନବା କିମ୍ବା ବାହା ହେବା କଥା ପାଟିରେ ଧରୁ ନଥିଲେ । ଶନିବାର ହେଲେ ମାମା ଅପା ତାଙ୍କ ପାଖକୁ ଯାଉଥିଲା , କିନ୍ତୁ ସେଠୁ ଫେରିଲେ ତକିଆରେ ମୁହଁ ମାଡି ବହୁତ ସମୟ ଧରି କାନ୍ଦୁଥିଲା । ମୁଁ ତା କଷ୍ଟ ଦେଖି ସହି ପାରୁନଥିଲି । ଧୀରେ ଧୀରେ ତା ଦୁଃଖସୁଖର ସାଥୀ ହେଇଗଲି । ସେ ବି ମୋତେ ଖୁବ ଭଲ ପାଉଥିଲା । ମୋତେ ଖୁଏଇ ସାରିଲେ ନିଜେ ଖାଉଥିଲା । ମୋ ଦେହ ଖରାପ ହେଲେ , ନିଜ କଥା ଭୁଲିଯାଇ ମୋର ସେବା କରୁଥିଲା । ମୋର ସବୁ କଥା ବୁଝୁଥିଲା । ବଡ ଭଉଣୀ ପରି ମୋ ବାହାଘରରେ ସବୁ କିଣାକିଣି ଏବଂ ଅନ୍ୟାନ୍ୟ କାମରେ ମୋତେ ସାହାଯ୍ୟ ବି କରିଥିଲା । କିନ୍ତୁ ତା ବୋଲି କଣ ମୋତେ ଏକାଥରେ ଏମିତି ହୀରା ନାକଫୁଲ ମାଗିବ !

ନୂଆ କରି ବାହାଘର ହେଇଛି ମୋର । ଶାଶୁ ଘରେ ସମସ୍ତଙ୍କ ମନ ନେଇ ଚଳିବାଟା କମ ମହଙ୍ଗା କଥା ନୁହେଁ । ନିଜେ ଚାକିରୀ କଲେ ମଧ୍ୟ ସେମିତି ସ୍ୱଚ୍ଛନ୍ଦରେ ଟଙ୍କା ଖର୍ଚ୍ଚ କରିବାର ସାହସ ମୋର ନଥିଲା । ନୂଆ କରି ସଂସାର ଗଢିଲା ବେଳେ , ସଂଘର୍ଷର ଲଟାଟା ଯେ ମୋ ଉପରକୁ ଯୋରରେ ମାଡି ଆସୁଛି , ସେକଥା ବୁଝିବାକୁ ବେଶି ଡେରି ହେଇ ନଥିଲା । ଭଡାଘର, ମାସିକିଆ ଖର୍ଚ୍ଚ ସାଙ୍ଗକୁ ନୂଆବନ୍ଧୁ ଚର୍ଚ୍ଚା କୁ ଆମ ଦୁଇଜଣଙ୍କ ସ୍ୱଳ୍ପ ବେତନ , ସମୁଦ୍ରକୁ ଶଙ୍ଖେ ପାଣି ପରି ପ୍ରତୀତ ହେଉଥାଏ । ବର୍ତ୍ତମାନ ଓ ଭବିଷ୍ୟତ ନିଜ ନିଜ ଭିତରେ ଛନ୍ଦି ହେଇଯାଉଥାନ୍ତି । ଏ ସମୟରେ ହୀରା ଭଳି ଏକ ଆଭିଜାତ୍ୟପୂର୍ଣ୍ଣ ଶବ୍ଦଟି ମୋ ମନ ଭିତରେ , ସଂକ୍ଷେପରେ ବିରକ୍ତି ଭାବ ସୃଷ୍ଟି କରୁଥାଏ । ଅବଶ୍ୟ ତାକୁ ନଜଣେଇ ସେ ନାକଫୁଲଟିର ଦାମଟା ଦୋକାନିକୁ ପଚାରି ଦେଇଥିଲେ ହେଇଥାନ୍ତା । କିନ୍ତୁ ସାହାସ ପାଇଲା ନାହିଁ ।ମଧ୍ୟବର୍ତ୍ତୀ ପରିବାରର ଝିଅ ଓ ବୋହୁ ମୁଁ । ନିଜେ ମନ କରି ଗୋଟେ ହୀରା ଗହଣା ନିଜ ପାଇଁ ଆଜି ଯାଏ କିଣିନି । ଆଉ ତା ପାଇଁ ଏତେ ସରାଗ କାହିଁକି ଦେଖେଇବି ଯେ ! ସେଦିନ କାହିଁକି କେଜାଣି , ହୃଦୟାଟା ସଙ୍କୁଚିତ ହେଇ ସୋରିଷ ଦାନା ପରି ହେଇଯାଉଥାଏ ।

ସୁନା ଲକେଟଟାକୁ ମୁଁ ଜୋର କରି ତା ହାତକୁ ବଢ଼େଇ ଦେଲି । ସାଙ୍ଗ ହିସାବରେ ଗୋଟେ ସୁନା ଲକେଟ ଉପହାର ପାଇବା ମଧ୍ୟ ଖୁବ ପ୍ରଶଂସା ଯୋଗ୍ୟ ହେବା କଥା । କିନ୍ତୁ ତା ମନରେ ସେତେଟା ଉତ୍ସାହ ଦେଖି ପାରିଲିନି । ସେଦିନ ହଠାତ ତା ପ୍ରତି ଥିବା ଅନୁରାଗଟା ବର୍ଷା ପାଣି ଖାଇ କାନ୍ଥରୁ ମାଟି ଅତଡା ଖସିବା ପରି ଖସିବାକୁ ଲାଗିଲା । ତାର ସବୁ ଉପକାର ସେଦିନ ଫିକା ଫିକା ଲାଗୁଥିଲା ।ସତରେ , ମଣିଷ ନିଜ ଅଜାଣତରେ ଆଉ ଜଣକ ପାଖରେ କେତେ ଶୀଘ୍ର ଅଲୋଡା ହେଇଯାଏ , ସେ ନିଜେ ବି ଜାଣିପାରେନି ।

ସେଦିନ ତାକୁ ବୁଝେଇ ପାରିନଥିଲି , ନୂଆ ଜୀବନରେ ପାଦ ଦେଉ ଦେଉ କେତେ ସମସ୍ୟା ଘେର ଭିତରେ ମୁଁ ବେଢ଼ି ହେଇ ଗଲିଣି । କହିଥିଲେ ବି ହୁଏତ ସିଏ ବୁଝି ପାରିନଥାନ୍ତା । ସରଜୁ ଭାଇଙ୍କ ହାତ ଧରି ଗାଁ ଛାଡି ଆସିଲା ବେଳେ ବାପ ଘରେ ତ ତାକୁ ଶୁଦ୍ଧି ହେଇପଡିଥିଲେ । ଆଉ ଶାଶୁ ଘର କଥା ନ କହିଲେ ସରେ । ପରିବାର କାହାକୁ କୁହନ୍ତି , ସିଏ ବା କଣ ବୁଝିବ ?

ସମୟ ଗଡି ଚାଲେ । ମୁଁ ମୋ ପରିବାର ଓ ଚାକିରୀ ଭିତରେ ବହୁତ ବ୍ୟସ୍ତ ହେଇ ଯାଇଥାଏ । ମାମା ଅପା ସହ ଥରେ ଦୁଇଥର ମନ୍ଦିରରେ ଦେଖା ହେଇଥିଲା । ମୋତେ ଦେଖିଲା ମାତ୍ରେ ସେ ମୋ ପାଖକୁ ଦୌଡ଼ି ଆସି ମୋତେ କୁଣ୍ଢେଇ ପକାଏ । ତାର ପୂର୍ବବତ ସ୍ନେହବୋଳା କଥାବାର୍ତ୍ତାରେ ମୋତେ ପୋତି ପକାଏ । କିନ୍ତୁ ତାକୁ ହୀରା ନାକଫୁଲଟିଏ ନ ଦେଇ ପାରିବାର ଅକ୍ଷମତା କିମ୍ବା ଅଧିକ କିଛି କାଳେ ମାଗିଦବ , ସେ ଡର ଟା ମୋତେ ତା ଠାରୁ ପଛକୁ ଟାଣି ନେଉଥିଲା । ଆତ୍ମଗ୍ଲାନି ବୋଧରେ ମୁଁ ଭାରାକ୍ରାନ୍ତ ହେଇଯାଉଥାଏ । ତା ସହ ସମ୍ପର୍କକୁ ଆଗକୁ ନେବା ପାଇଁ ବାହାନା ଯୋଗାଡ଼ କରି ପାରୁନଥାଏ ।

ହଷ୍ଟେଲରେ ରହିବା ସମୟରେ କେତେଥର ତାକୁ ଆଶ୍ୱାସନା ଦେଇଛି ତା କଥା ଜୀବନ ସାରା ବୁଝିବି ବୋଲି । ହେଲେ ସେ ସବୁ ପ୍ରତିଶୃତି ପାଣି ଫୋଟୋକା ପରି ମିଳେଇ ଯାଉଥାଏ ।

ସତରେ ମୁଁ କଣ ଏତେ ସ୍ୱାର୍ଥପର ? ନା !!! ,

ମୁଁ ପରିସ୍ଥିତିର ଦାସ । ଏ ଦୁନିଆରେ ସବୁ ମଣିଷ ପରିସ୍ଥିତିର ଦାସ । ସମୟ ଓ ପରିସ୍ଥିତି ହିଁ ମଣିଷର ବ୍ୟବହାରରେ ପରିବର୍ତ୍ତନ ଆଣନ୍ତି । ପ୍ରକୃତରେ କୌଣସୀ ମଣିଷ ଖରାପ ନୁହନ୍ତି । ମଣିଷ ଯେତେବେଳେ କିଛି ନିଷ୍ପତ୍ତି ନିଏ , ତା ପଛରେ ତାର ନିଜସ୍ୱ ଯୁକ୍ତିଯୁକ୍ତ କାରଣ ଥାଏ । ମୁଁ ଚାହୁଁଥିଲି , ମାମା ଅପା ମଧ୍ୟ ଏତିକି କଥା ବୁଝି ଯାଆନ୍ତା । ସତରେ ସେ ବି ଯେମିତି ସବୁ ବୁଝିଯାଇଥିଲା । ମୋତେ କେବେ କିଛି ଅଭିଯୋଗ କରୁନଥିଲା କିମ୍ବା ଫୋନ କରି ଡିଷ୍ଟର୍ବ କରୁନଥିଲା ।

ଧୀରେ ଧୀରେ ସମ୍ପର୍କର ଡୋରି ଢିଲା ହେବାରେ ଲାଗିଲା । ବେଳେବେଳେ ଏତେ କାର୍ଯ୍ୟ ବ୍ୟସ୍ତତା ଭିତରେ ବି ତାର ସେଇ ସ୍ନେହୀ , ସରଳ ମୁହଁଟା ମୋ ହୃଦୟ କରୋଡ ଭିତରେ ଉଙ୍କି ମାରେ ।କିନ୍ତୁ ମୁଁ ଚଟାପଟ ନିଜକୁ କୌଣସି କାମ ଭିତରେ ବ୍ୟସ୍ତ ରଖି ତା ସ୍ମୃତିକୁ ଭୁଲିଯିବାକୁ ଆପ୍ରାଣ ଚେଷ୍ଟା କରେ । ଆଖିରେ ଲୁହ ବି ଜକେଇ ଆସେ । ହେଲେ କଣ କରିବି ! ନୂଆ ପରିବାରକୁ ଆସିଥିବା ଝିଆଟିର ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସଂଘର୍ଷର କାହାଣୀଟି ବି ଖୁବ ନିଆରା । ସମସ୍ତଙ୍କୁ ଆପ୍ୟାୟିତ କରି ମନ କିଣୁ କିଣୁ ନିଜ ମନଟିକୁ ଯେ କୋଉଠି ହଜେଇ ଦେଇଥାଏ , ସେ କଥା ସେ ନିଜେ ବି ବୁଝି ପାରେନି । ନିଜ ଉପରେ ଖୁବ ଅଭିମାନ ହୁଏ । କେତେ ଅସହାୟ ମୁଁ ସତେ !!

କିଛି ଦିନ ପରେ ମୋ ସ୍ୱାମୀଙ୍କର ଦିଲ୍ଲୀକୁ ବଦଳି ହେଇଗଲା । ନୂଆ ସହର , ନୂଆ ପରିବେଶ ଭିତରେ ଖାପ ଖୁଏଇବାକୁ ବହୁତ ସମୟ ଲାଗିଲା । ଦୁଇ ବର୍ଷ ପରେ ମୋ କୋଳକୁ ଗୋଟେ ପୁଅଟିଏ ବି ଆସିଲା । ୟା ଭିତରେ ମାମା ଅପା ସହ କଥା ହେବା ତ ଦୂର କଥା ତା ଖବର ବି ରଖି ପାରିଲିନି । ୟାଙ୍କର ଗୋଟେ ପରେ ଗୋଟେ ପ୍ରମୋସନ ହେଇ ଚାଲିଲା ଆଉ ମୁଁ ଘର ଦାୟିତ୍ୱ ଭିତରେ ଅଧିକା ରୁ ଅଧିକ ବାନ୍ଧି ହେଇଯାଉଥିଲି । ଓଡିଶା ଆସିବା ସତେ ଯେମିତି ମୋ ପାଇଁ ସ୍ବପ୍ନ ହେଇଗଲା । ଶାଶୁ ଶ୍ୱଶୁର ଓ ଘରଲୋକ ପ୍ରତ୍ୟେକ ବର୍ଷ ଆସି ବୁଲି ଯାଉଥାଆନ୍ତି ।

ପାଞ୍ଚବର୍ଷ ପରେ ମୋ ଶାଶୁଙ୍କର ଦେହାନ୍ତ ହେଲା । ଆମେ ସବୁ କାମ ଛାଡି ଭୁବନେଶ୍ୱର ପହଂଚିଲୁ । ଶାଶୁଙ୍କର କାମକୁ ଡାକିବା ପାଇଁ ମୁଁ ମାମା ଅପାକୁ ଫୋନ କଲି । ତା ନମ୍ବର ନ ଲାଗିବାରୁ ଆଉ ଗୋଟେ ସାଙ୍ଗ , ସୀମାକୁ ଫୋନ କଲି । ମୁଁ ତାକୁ ମାମା ଅପା କଥା ପଚାରିବାରୁ ସିଏ ପାଞ୍ଚବର୍ଷର ଖବର ଗୋଟେ ନିଶ୍ୱାସ ରେ ମୋତେ ଦେଇଦେଲା ।

ସରଜୁ ଭାଇ କେତେଟା ଦିନ ଭିତରେ ବୁଝି ସାରିଥିଲେ , ମାମା ଅପା କେବେ ମାଆ ହେଇ ପାରିବନି ବୋଲି । ଡାକ୍ତରୀ ଚିକିତ୍ସା ବି କଲେ । କିନ୍ତୁ କିଛି ଫଳ ହେଲାନି । ଆତ୍ମୀୟସ୍ଵଜନଙ୍କ ଘୃଣା ଦୁହିଁଙ୍କ ଭିତରେ ଗୋଟେ ଦୁଃଖର ପାଚେରୀ ଛିଡା କରି ସାରିଥିଲା । ସରଜୁ ଭାଇଙ୍କ ମଦ ପିଆ ବି ଦିନକୁ ଦିନ ବଢି ଚାଲିଥିଲା । ମାମା ଅପା ବୁଝେଇବାକୁ ଚେଷ୍ଟା କଲେ , ସରଜୁ ଭାଇ ତା ଉପରେ ହାତ ଉଠେଇବାକୁ ମଧ୍ୟ ପଛାଉ ନଥିଲେ । ମାମା ଅପା ତାଙ୍କ ଏକେଲାପଣର ଉପଶମ କରିବାକୁ ଚେଷ୍ଟା କରି କରି ଥକି ଯାଉଥାଏ । ସରଜୁ ଭାଇ ଥରେ ନିଶାଗ୍ରସ୍ତ ହେଇ ମୋଟରସାଇକଲ ଚଳାଉଥିବା ବେଳେ ଗୋଟେ ବଡ ଦୁର୍ଘଟଣାର ସମ୍ମୁଖୀନ ହେଲେ । ମାମା ଅପା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଜଣେ ଗାଁ ଲୋକ ହାତରେ ତାଙ୍କ ଘର ଲୋକଙ୍କୁ ଖବର ଦେଲା ।

ସରଜୁ ଭାଇଙ୍କ ମା ଓ ଭାଉଜ ଗାଁରୁ ଆସିଲେ । ସେମାନଙ୍କୁ ଦେଖି ସରଜୁ ଭାଇ ସତେ ଯେମିତି ସବୁ ପାଇଗଲେ । ମାମା ଅପା ଙ୍କୁ ତାଙ୍କ ଘର ଲୋକ ବହୁତ ଘୃଣା ଚକ୍ଷୁ ରେ ଦେଖୁଥିଲେ । କିନ୍ତୁ ସେ ଦିନରାତି ସମସ୍ତଙ୍କ ସେବା କରି ସେମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ସେ ତ ମୁଣ୍ଡରେ ଦୁଃଖମଣି ପିନ୍ଧି ଜନ୍ମ ହେଇଥିଲା । ତା ଭାଗ୍ୟରେ ସୁଖ କାହିଁ ? ସରଜୁ ଭାଇ ଭଲ ହେବା ପରେ ତାଙ୍କ ଭାଉଜ ତାଙ୍କୁ ବୁଝେଇ ସୁଝେଇ ଗାଁ କୁ ନେଇ ନିଜ ଭଉଣୀ ସହ ବାହାଘର କରିଦେଲେ । ମାମା ଅପା ଏ ଖବର ପାଇ ଧର୍ଯ୍ୟ ହାରିଦେଲା । ମୁଣ୍ଡ ବାଡେଇ ଦିନ ରାତି କାନ୍ଦିଲା । ଭାଗ୍ୟକୁ ଆଦରି ସେଇ ହଷ୍ଟେଲରେ ପଡ଼ିରହିଲା । ସମସ୍ତେ ବୁଝେଇଲେ , "ସରଜୁ ଭାଇ ଯେମିତି ତାଙ୍କ ଘରକୁ ଫେରିଗଲେ , ତୁ ବି ଫେରି ଯା ତୋ ବାପା ମାଙ୍କ ପାଖକୁ ।" ତାର କିନ୍ତୁ ସେଇ ଗୋଟିଏ କଥା, " ଯାହା ହାତ ଧରି ମୋ ପରିବାର ଠାରୁ ମୁଁ ମୁହଁ ବୁଲେଇ ଦେଇଥିଲି , ତା ସହ ତ ପରିବାର ଗଢି ପାରିଲିନି , ଆଉ କାହିଁକି ଅଧିକ ସ୍ବପ୍ନ ଦେଖିବି ? ଭଗବାନ ଯଦି ମୋ ପାଇଁ ପରିବାରର ସୁଖ ରଖି ନାହାନ୍ତି , ତେବେ ମୁଁ ଏକୁଟିଆ ବଞ୍ଚିବି । ମୁଁ ନିଜେ ନିଜର ପରିବାର ହେବି ।"

ଏତେ ଅଳ୍ପ ପାଠ ପଢି ମଧ୍ୟ ତାର ଦୃଢ ମାନସିକତା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିଲା ।

ଏତିକିରେ ତା ଦୁଃଖ କାହାଣୀ ସାରିନଥିଲା । ଛଅ ମାସ ପରେ ସରଜୁ ଭାଇ ଫୋନ କରି ମାମା ଅପାକୁ କ୍ଷମା ମାଗିଲେ । ସିଏ ମାମା ଅପା ପାଖକୁ ଆସି ତାଙ୍କ ପାପର ପ୍ରାୟଶ୍ଚିତ କରିବାକୁ ଚାହୁଁଥିଲେ । ଇତି ମଧ୍ୟରେ ତାଙ୍କ ଦ୍ୱିତୀୟ ପତ୍ନୀ , ପ୍ରତିମାର ଯେ ମୁଣ୍ଡ ଖରାପ , ସେ କଥା ସେ ବୁଝି ସାରିଥିଲେ । ପ୍ରତିମା ସେତେବେଳକୁ ଅନ୍ତସତ୍ତ୍ଵା ଥିଲା । ମାମା ଅପା ତାଙ୍କୁ ସାଙ୍ଗେ ସାଙ୍ଗେ କ୍ଷମା କରିଦେଲା । ପ୍ରତିମାକୁ ନେଇ ତା ପାଖକୁ ଫେରି ଆସିବାକୁ କହିଲା । ଏ କଥାର ଦୁଇଦିନ ପରେ ହଠାତ ସରଜୁ ଭାଇଙ୍କର ହାର୍ଟ ଆଟାକରେ ମୃତ୍ୟୁ ହେଇଗଲା ।

ସୀମା ଏତିକି କଥା ହିଁ ଜାଣିଥିଲା । ତା ପରେ ସେ ଗାଁ କୁ ଚାଲି ଯାଇଥିଲା । କାଲି ଭୁବନେଶ୍ୱରକୁ ଫେରିଲା ।ଏବେ ତା ଜୀବନରେ କଣ ଚାଲିଛି ସେ ମଧ୍ୟ ଜାଣିନଥିଲା ।

ମୁଁ ଏତେ ସବୁ କଥା ଶୁଣି ଧୈର୍ଯ୍ୟ ଧରି ରହି ପାରିଲିନି । ଛୋଟ ପିଲାଙ୍କ ପରି କଇଁ କଇଁ ହେଇ କାନ୍ଦି ପକେଇଲି ।ତା ଠାରୁ ମାମା ଅପା ଘର ଠିକଣା ନେଇ ବାହାରିଗଲି ତାକୁ ଦେଖିବାକୁ । ବାଟ ସାରା ଭାବୁଥାଏ ତାକୁ କଣ କହି ବୁଝେଇବି । କଣ କହିଲେ ସେ ବୁଝିବ । ଏତେ ସବୁ ଦୁର୍ଭାଗ୍ୟର ଝଡ ତା ଜୀବନରେ ବୋହିଗଲାଣି । ସେ କଣ ଆଉ ବୁଝିବା ? ବାଟରେ ଗହଣା ଦୋକାନ ଆଗରେ ଗାଡି ଅଟକେଇ ଗୋଟେ ହୀରା ନାକଫୁଲ କିଣିଲି , ଯେଉଁଟା ସେଦିନ ସେ ବାଛିଥିଲା ।

ତା ଘରେ ପହଞ୍ଚିଲି । ମୋତେ ଦେଖି ସେ ଖୁସିରେ ଗଦ ଗଦ ହେଇ ଘର ଭିତରକୁ ପାଛୋଟି ନେଲା । ତା ମନରେ ସେମିତି କିଛିଥିବା ପରି ଜଣାପଡୁନଥିଲା । ଘର ଭିତରର ଦୃଶ୍ୟ ଦେଖି ମୋତେ ଟିକେ ଅସହଜ ବୋଧ ହେଲା । ସରଜୁ ଭାଇଙ୍କର ପୁରା ପରିବାର ସେଠି ଆଧିପତ୍ୟ ବିସ୍ତାର କରିଥାନ୍ତି ।ମାମା ଅପା ମୋ ସହ ସମସ୍ତଙ୍କର ପରିଚୟ କରେଇ ଦେଲା ।

ତାଙ୍କ ମାଆ ପାଟି କରୁଥାନ୍ତି "ମାମା , ପାନଡାଲା ଟା ଦେଇଗଲୁ !" , ତାଙ୍କ ପୁତୁରା ଝିଆରୀ ରଡି ଛାଡୁଥାନ୍ତି , ଖୁଡି , ଖାଇବାକୁ ଦିଅ , ଭୋଖ ହେଲାଣି !" ତାଙ୍କ ବଡ ଭାଇ ଖଟ ଉପରେ ବସି ଖବର କାଗଜ ପଢୁଥାନ୍ତି । ଭାଉଜ ବି ହସି ହସି ମୋ ପାଇଁ ଜଳଖିଆ ଧରି ଆସିଲେ । ଶେଷରେ ଆସିଲା ପ୍ରତିମା , ତା ଝିଅକୁ କୋଳରେ ଧରି । କହିଲା ," ମାମା ମୋ ଔଷଧ ସରିଯାଇଛି , ଆଜି ମନେ କରି ଆଣିବୁ ।" ମାମା ଅପା ହସି ହସି ସମସ୍ତଙ୍କ କଥାକୁ ଗ୍ରହଣ କରିଥିଲା ।

ମାମା ଅପା ଶେଷରେ ଖୁବ ଅଧିକାରର ସହ ମୋତେ ପ୍ରତିମା ଝିଅ ଆଡକୁ ହାତ ଦେଖେଇ କହିଲା , " ଦେଖ ମୋ ଝିଅକୁ ।" ଏତିକି କହିଲା ବେଳେ ତା ମୁହଁରେ ଗୋଟେ ଆତ୍ମତୃପ୍ତିର ହସ ଝଲକି ଗଲା । ମୋତେ ଭିତରକୁ ନେଇ ଜୋର କରି ଜଳଖିଆ ଦେଲା । ମୁଁ ତାକୁ ଏକୁଟିଆ ପାଇଁ ପଚାରିଦେଲି , " ତୁ ଏସବୁ କଣ କରୁଛୁ ଅପା ! "

ସେ ମୋତେ ଆଶ୍ଚର୍ଯ୍ୟ ହେଇ ଅନେଇ ରହିଲା । ମୋତେ କିଛି ପଚାରିବା ଆଗରୁ ମୁଁ କହିଲି ," ଏମାନେ ସବୁ କିଏ ତୋର ? ଦିନରାତି ଖଟି ଖଟି ଏ ସ୍ୱାର୍ଥପର ପଶୁ ମାନଙ୍କୁ ପୋଷିବା ଅପେକ୍ଷା କିଛି ଅନାଥ ପିଲାଙ୍କୁ ସାହାଯ୍ୟ କଲେ ପୁଣ୍ୟ ମିଳିବ । , ତୁ କଣ ଭୁଲିଗଲୁ , ସରଜୁ ଭାଇ ତୋ ମାଠାରେ ସିନ୍ଦୁର ଟୋପାଏ ଦେଇନଥିଲେ" , ଏଇ ତାଙ୍କ ପରିବାର ଲୋକ ତୋ ସହ ପ୍ରତାରଣା କରି ପ୍ରତିମା ସହ ତାଙ୍କର ବାହାଘର କରିଦେଇଥିଲେ !"

ମୋତେ ସେଇଠି ଅଟକେଇ ଦେଇ କହିଲା , ମୋ ଭାଗ୍ୟରେ ଯାହା ଥିଲା , ମୁଁ ପାଇଛି । ସେଥିପାଇଁ କେହି ଦାୟୀ ନୁହେଁ । ସିନ୍ଦୁର ନ ପିନ୍ଧିଛି ବୋଲି ତାଙ୍କ ପରିବାର ପ୍ରତି ମୋର ଦାୟୀତ୍ଵ ସରିଯିବ କେମିତି । ତାଙ୍କ ସହ ତ ମୋର ଜନ୍ମ ଜନ୍ମାନ୍ତରର ସମ୍ପର୍କ । ଟୋପାଏ ସିନ୍ଦୁର ଆମ ସମ୍ପର୍କରେ ମୋହର ଲଗେଇ ପାରିବନି । ଜୀବନ ସାରା ଗୋଟେ ପରିବାର ଗଢିବାର ସ୍ବପ୍ନ ଦେଖୁଥିବା ଲୋକଟିକୁ ଅଧିକ କଣ ଦରକାର ! ସରଜୁ ସିନା ଚାଲିଗଲେ କିନ୍ତୁ ମୋତେ ସବୁକିଛି ଦେଇଗଲେ । ସମ୍ପୂର୍ଣ୍ଣ ପରିବାରଟିଏ ଦେଇଗଲେ । ଏମାନଙ୍କୁ ପାଇ ମୁଁ ଖୁବ ଖୁସୀରେ ଅଛି । ତୁ ମୋ କଥା ଜମା ଚିନ୍ତା କରନା ।"

ହୀରା ନାକଫୁଲଟା ବ୍ୟାଗରୁ କାଢି ଦେଲି । ମୋତେ ଫେରେଇଦେଇ କହିଲା , " ଏଇଟା ରଖିଥା , ମୋ ଝିଅ ବାହାଘରକୁ ଦେବୁ । "

ମୁଁ ଫେରିଆସିଲି । ସେଦିନ ମାମା ଅପା ମୋତେ ପରିବାରର ପ୍ରକୃତ ଅର୍ଥ ବୁଝେଇ ଦେଇଥିଲା। ତାରି କଥା ଭାବି ଭାବି ରାତି ପାହିଗଲା । ତା ଜୀବନର ସମୀକ୍ଷା କଲି । ସମ୍ପୂର୍ଣ୍ଣ ଗୋଟେ ନାରୀର ଚିତ୍ର ଦେଖିପାରିଲି । ମୋ ପରି କିମ୍ବା ଆପଣଙ୍କ ପରି ନୁହେଁ । ଆମେ ତ ଟୋପାଏ ସିନ୍ଦୁର , ସମାଜରେ ସ୍ୱୀକୃତି ଓ ସମ୍ମାନ ବଦଳରେ ପରିବାର ପାଇଁ କର୍ତ୍ତବ୍ୟ କରିଥାଉ । ଇଏ କିନ୍ତୁ ଭିନ୍ନ ଏକ ନାରୀମୂର୍ତ୍ତି । ଯିଏ ଯେ କୌଣସୀ ମୂଲ୍ୟ ବଦଳରେ ଗୋଟେ ପରିବାର ହିଁ ଚାହେଁ । ସିଏ ପରିବାର କୁ ତୋଳି ଧରିଛି କିମ୍ବା ପରିବାର ତାକୁ ତୋଳି ଧରିଛି , ସେ କଥା ବୁଝିବାର ସାମର୍ଥ୍ୟ କାହାର ନାହିଁ । ସେ ଏବେ ସମ୍ପୂର୍ଣ୍ଣ ।

ସିନ୍ଦୁର ମାମା ଅପା ହୀରା ନାକଫୁଲ

Rate the content


Originality
Flow
Language
Cover design

Comments

Post

Some text some message..