ଦେହ ଆଉ ଦେହୀ
ଦେହ ଆଉ ଦେହୀ
ରବିବାର ସକାଳ ହେଲେ ବି ନୀତାର ଜଲ୍ଦି ଉଠିବାର ଥିଲା ।ଆଠଟା ଭିତରେ ଗାଧେଇ ସୂର୍ଯ୍ୟଙ୍କୁ ପ୍ରଣାମ କରବା ତାର ପିଲା ଦିନରୁ ଅଭ୍ୟାସ ।ଉଦୟ ସୂର୍ଯ୍ୟଙ୍କ ଭିତରେ ଗୋଟିଏ ଦିନପାଇଁ ନୁହେଁ ବରଂ ଆଗାମୀପାଇଁ ଭରି ରହିଥାଏ ଅନେକ ପ୍ରତ୍ୟାଶା ।ଜୀବନର ଅନେକ ହତାଶାକୁ ଜାଳିଦେଇ ବଞ୍ଚିବାର ନୂଆ ଏକ ସମ୍ଭାବନା ଯୋଗାଇ ଦିଏ ସକାଳ ସୂର୍ଯ୍ୟଙ୍କର ପହିଲି କିରଣ ।ହେଲେ ପିଲା ଦିନର ସେଇ ଉଚ୍ଛ୍ଵାସ ଗୁଡାକ ବୟସ ସାଥୀରେ କେମିତି ଶିଥିଳ ହେଇ ଆସୁଛି ।ସବୁ ସରିସରି ଯାଉଛି ।ଭାରି ଦୁଃଖ ଲାଗିଲା ତାକୁ କାଲି ଯେତେବେଳେ ପୁଅ କହିଲା ମାଆ ମୋ ସ୍କୁଲ୍ ଦିନଗୁଡାକ ଫେରି ଆସନ୍ତା ନି !ତାଆରି ଆଖି ଆଗରେ ତା ପୁଅର ବି ସରିଗଲା ସ୍କୁଲ୍ ଦିନଗୁଡାକ!!
ଅବଶ୍ୟ ନୂଆ କିଛିର ସନ୍ଧାନରେ ଏମିତି ସବୁ କିଛି ସରିସରି ଯାଏ ।ଦେହ ଦୁଃଖ ପାଏ କିନ୍ତୁ ଦେହୀ ଖୁସି ହେଉଥାଏ।ହେଲେ ଏତେ ତତ୍ଵ କଥା ମନ କଣ ବୁଝେ ।ଆଖିରେ ତାର ଲୁହ ଦେଖି ପୁଅ ଚିଡିଗଲା ।"ଓଃ ମାମା ,ତୋର ସବୁ କଥାରେ ଖାଲି ଲୁହ ।" ପୁଅର ଏମିତି ବଡ ମଣିଷ ଭଳି କଥାରେ ସେ ହସି ପକେଇ ଥିଲା ।ସେ କେମିତି ଜାଣିବ ମାଆ ଆଖିରେ ସବୁ ସମୟ ପାଇଁ ପାଣି ହିଁ ମହଜୁଦ୍ ଥାଏ।ଭାବି ଭାବି ଅଧା ଘଣ୍ଟା ଗଲାଣି ।ଡିସେମ୍ବରର ସକାଳଟା ଭାରୀ ଲୋଭନୀୟ ।କମଳ ଭିତରୁ ଦେହ ବାହାରିବାକୁ ନାରାଜ।ମୋବାଇଲ୍ ଖୋଲି ଟେମ୍ପର୍ଚର୍ ଚେକ୍ କଲା ।୧୪ଡିଗ୍ରୀ !!ସାଢେ ପାଞ୍ଚ ତ ହେଇଛି ।ଆଉ ଟିକେ ଗଡିଲେ ହବ ।ଆଖି ଲାଗି ଯାଇଥିଲା ତାର।କଲିଂ ବେଲ୍ ଶବ୍ଦରେ ନିଦଟା ଭାଙ୍ଗିଗଲା ।ଏତେ ସକାଳୁ କିଏ ?ଠିକା ଚାକରାଣୀ ତ ଜମାରୁ ଏତେ ସକାଳୁ ଆସେନି ।ଭାରି ଫୁଲେଇ ।ଜାଣିଛି ତା ବିନା ଘର ଚଳେନି ।ସେଥିପାଇଁ ଫୁଲେଇପଣଟା ଟିକେ ବେଶୀ ।ବାଥ୍ ରୁ୍ମ୍ ରେ ଗିଜର୍ ଅନ୍ କରି ସେ ବାହାରକୁ ଗଲା । ଛ'ଟା ବାଜିଲାଣି ।ଆସିଲେ ଗାଧେଇବ।
କବାଟ ଖୋଲି ଦେଖିଲାବେଳକୁ ଲାଗୁଆ ମୁଢିବାଲି ଅମୃତି ।
"ଦିଦି ଗରମ ବାଦାମ ଆଉ ମୁଢି ଆଣିଛି ।ରବିବାର ଛୁଟି ଦିନେ ତମେ ଭଲ ପାଅ ବୋଲି ଆଗ ତମ ଘରକୁ ଆସିଲି ।"
ତା ଚିକ୍କଣ କଥାରେ ନୀତାଟିକେ ଚିଡିଗଲା ମନେମନେ ।ସେ ଜଲ୍ଦି ଉଠିପଡେ ବୋଲି ସିଏ ଭଲ କି ଜାଣିଛି ।ସେଇଥି ପାଇଁ ସିନା ଆସିଛି ।ଆଉ କେହି ଏତେ ସକାଳୁ ଉଠନ୍ତିନି ।"ହଁ ଯେ ,ଏଡିକି ଥଣ୍ଡାରେ ତୁ ଏତେ ସକାଳୁ ?''ଚିଡା ପଣକୁ ଲୁଚେଇ କହିଲା ।
"ନାଇଁ ଦିଦି,ଟଙ୍କକୁ କାଲିଠୁ ଜର।ବେଗେ ବିକା ସରିଲେ ତାକୁ ଡାକ୍ତରଖାନା ନେବି ।ସେଠି ହେଲେ କଣ କମ୍ ଭିଡ?"
'ତୋ ବର ଆଉ ଆସୁନି କି ତୋ ପାଖକୁ ?"
"ସକାଳୁ କାହା କଥା କହିଲ ?ନିଜ ଜନ୍ମକଲା ପୁଅଟା ଯଦି ତାର ମନେ ପଡୁଥାନ୍ତା ସେ କଣ ଏମିତି ହଉଥାନ୍ତା ?ମୁଁ ତ ମାଆଟା ।କଣ କରିବି ?ଲାଗିଛି ମୋ ପାରୁ ପର୍ଯ୍ୟନ୍ତେ।"
ଆହା,କିଛି ଅଧିକା ପଇସା ତାକୁ ଦେଲା ନୀତା ।ଅମୃତିପାଇଁ କେବଳ ଆହାଟିଏ ଛଡା ଆଉ ଅଧିକ କଣ ବା କରି ପାରନ୍ତା ସେ ?ମାଆଟିଏ ବୋଲି ସିନା !!ଆଡବାଇଆ ପୁଅଟେ ଜନ୍ମ କରିଛି ବୋଲି ତା ବର ତାକୁ ସୁଖ ପାଏନି ।ପୁଅଟି ଭଲ ହେଇଥିଲେ ସେ କଣ ତାକୁ ସୁଖ ପାଆନ୍ତା।ସୁଖପାଇବା ପାଇଁ ଯିଏ ବାହାନା ଖୋଜେ ସେ ତ ଯେମିତି ହେଲେ ଦୋଷଟେ ଖୋଜିପାଇବ ହିଁ ପାଇବ।ଏଗୁଡା ମନ ଭିତରର କଥା ।ଅମୃତି ଏତେ କଥା ବୁଝେନି ।ହଉ ପଛେ ଆଡବାଇଆ ,ତାରି ପୁଅ ତ।ଆଜି ରାତି ଚାରିଟାରୁ ସେ ଉଠିବଣି ।ଏମିତି ଜଲ୍ଦି ଉଠୁଥିବା କେତୋଟି ଘରବୁଲି ସାରି ସିଏ ଆଜି ତା ପୁଅକୁ ନେଇ ଡାକ୍ତରପାଖକୁ ଯିବ।ସେଠି ବି କେତେ ଡେରି ହବ କିଏ ଜାଣେ ।ଝିଅ ଦିନୁ ଅମୃତିକୁ ସିଏ ଦେଖୁଛି ।କେତେ ଜଲ୍ଦି ସେ ମାଆ ହେଲା ଆଉ ଆଜି ଜୀବନ ସଂଗ୍ରାମରେ ଅବତୀର୍ଣ୍ଣ।ଭୀରୁ ଭଳି ପଛଘୁଞ୍ଚା ଦେଇ ଚାଲି ଯାଇଥିବା ତା ବରକୁ ସିଏ ମନେ ପକେଇବାକୁ ଚାହେଁନି ।ସମୟ ଥିଲେ ବେଳେ ବେଳେ ନୀତା ତା ସାଥୀରେ ଗପ ଯୋଡେ ।"ସତରେ କଣ ସେ ତୋର ମନେ ପଡେନି ?" ପଚାରିଲେ ହସିଦିଏ।ଆଉ ସରଳ ଜୀବନ ଦର୍ଶନର କଥା ସବୁ କହେ।"ଦୁଃଖର କେତେ ରୂପ ଦିଦି ।ସେଗୁଡାକ ଯିଏ ଭୋଗିଛି ତାକୁ ଝୁରି ମରିବାକୁ ବେଳ କାଇଁ?"
ସତ କଥା ।ତା ଦେହ କେତେ ଦୁଃଖ ଭୋଗୁଛି ସିନା ହେଲେ ତା ଦେହ ଭିତରର ଦେହୀ ଅନେକ ଅଭିଜ୍ଞତା ସାଉଁଟି ଚାଲିଛି ।ଦେହକୁ କଷ୍ଟ ହୁଏ ସିନା ଦେହୀକୁ ନୁହେଁ।ଗୀତା ନ ପଢି ବି ଅମୃତି ଭିତରର ଦେହୀ ବୁଝି ସାରିଛି ସେ କଥା।ସେଇଥି ପାଇଁ ନିର୍ଲିପ୍ତ ଭଳି ସେ ସହି ପାରୁଛି ।ପୁଅର ପିଲାଦିନଟା ସରିଗଲା ବୋଲି ତାକୁ ଦୁଃଖ ଲାଗୁଥିଲା ।ହେଲେ ଦୁଃଖର ଏତେ ରୂପ ଦେଖି ମନଟା ତାର ସ୍ଥିର ହେଇଗଲା।ଦେହ ମାଧ୍ୟମରେ ଦେହୀ ଖୋଜେ ବ୍ୟାପକତା।ବନ୍ୟାଇ ଭଳି ମନକୁ କାଟିକୁଟି ଦେଲେ ସେ କଥା କଣ ସମ୍ଭବ ହୁଏ !!