ଘରଣୀ
ଘରଣୀ
ତରତର ହେଇ କୁନି ପୁଅକୁ ସେ ସଫା କରୁଥିଲା ।ଛ ମାସର ଛୁଆଟା ଖଟରେ ଝାଡା କରି କାନ୍ଦିବାରୁ ସେ ଦୌଡି ଆସିଛି ରୋଷେଇ ଘରୁ ।ଶଶୁର ସକାଳୁ ଚା ଜଳଖିଆ ଖାଇ ବିଲବାଡି ବୁଲି ଯାଇଛନ୍ତି ।ଫେରିଲେ ଗାଧେଇ ସାରି ପୂଜା କରିବେ।ତା ପରେ ସାଙ୍ଗେ ସାଙ୍ଗେ ଖାଇବାକୁ ବସିବେ।ଶାଶୁ ବାଡି ପଟେ ବଡି ପକଉ ଛନ୍ତି ।ନଣନ୍ଦମାନଙ୍କ ଘରକୁ ଯିବ,ଘର ପାଇଁ ରହିବ।ଦିନକର କାମ ନୁହେଁ।ରୋଷେଇ ଘରର ପୁରାଟା ଦାୟିତ୍ବ ତାର।ସେ ଘରର ଘରଣୀ।ଶାଶୁ ତ ବୋହୂ ଆଣିଲେଣି ।ଏଥର ମନ ଖୁସିରେ ଯେତିକି ପାରିବେ କରିବେ।ସେ କିନ୍ତୁ ସବୁ ଦେଖିବାକୁ ବାଧ୍ଯ।
ପୁଅକୁ ପୋଛି ପାଛି ସଫା କଲା ପରେ ଖଟରେ ଆଉ ଶୋଇଲାନି ।ସେ ବି ଟିକେ ଗେଲ ହବ ବୋଲି ଚାହୁଁଛି ।ପୁଅର ମୁହଁଟା ଛାତିରେ ମାଡି ସେ ରନ୍ଧା ଘରକୁ ଗଲା ।ଚୂଲୀ ଲିଭି ଯାଇଛି ।କାଠ ଖଣ୍ଡେ ପକେଇ ଆସ୍ତେ କରି ସେ ଚୂଲୀ ଫୁଙ୍କିଲା କାଳେ ପୁଅକୁ ଅସୁବିଧା ହବ ବୋଲି ।ଭାତ ହେଇ ଆସିଲାଣି ।ପୁଅର କ୍ଷୀର ଖିଆ ସରୁନି ।ଅଧାରୁ ନେଇକି ଶୁଆଇଲେ କାନ୍ଦିବ।ଧୀରେ ଧୀରେ ପୁଅ ମୁହଁକୁ ଚାହିଁ ହସିଲା ସିଏ।"କଣ ଧନମଣି ସରିଲା ତମର ଗେହ୍ଲା ହବା ?"କ୍ଷୀର ଖିଆ ପାଟିରେ ଫିକ୍ କିନା ହସିଦେଲା ପୁଅ ।ଆଃ !ମାଆ ମନଟି ତାର ପୁରି ଉଠିଲା ।ହେଲେ ଏପଟେ ସଂସାର ଯାକର କାମ ତା ଦାୟିତ୍ବରେ ।ସେ ଘରଣୀ ପରା !ବାଧ୍ଯ ହେଇ ସେ ବେଡ୍ ରୁମ୍ କୁ ଗଲା ।ପୁଅତ ଛାଡୁନି ।କଣ କରିବ ସିଏ ?
'ଆଃ , ମାଛ ଝୋଳ ସାଥୀରେ ନରମ ଭାତ। ଆଜି କାଲି କଣ ଏମିତି ରାନ୍ଧୁଛ ?"ଖାଇଲା ବେଳେ ଶଶୁର ଖୁଣିଲେ ।ପୁଅ ଛାଡିଲାନି ବୋଲି ଆସ୍ତେ କିନା ସେ କୈଫିୟତ୍ ଟିଏ ଦେଲା ।ଶାଶୁଙ୍କ ଆଖିରେ କେମିତି ଗୋଟେ ତାଛଲ୍ଯ ଚାହାଣୀ ।ସତେ ଯେମିତି ସେ ଚାହାଣୀ କହି ଦେଉଥିଲା ଆମେ ଆଉ ଛୁଆ ପାଳୁ ନଥିଲୁ ?ହଁ ସେ ଶାଶୁ ହେଲେଣି।ସବୁ ଭୁଲ୍ ଠିକ୍ ର ଦାୟିତ୍ବ ତ ଏବେ ତାଆର।
ସାବିତ୍ରୀ ଭାର ସଜ ଚାଲିଛି ।ତିନି ଖଣ୍ଡ ଶାଢୀ ଆସିଛି ।ତା ସାଥୀରେ ଫଳମୂଳ ପରିବା ଚୁଡି ସିନ୍ଦୂର ବିଧି ଅନୁସାରେ ସେ ନିଜେ ପ୍ଯାକେଟ୍ କରୁଛି ।କେତେ ଖର୍ଚ୍ଚ ହେଲା ବୋଲି କାଲି ପଚାରିଥିଲା ସ୍ବାମୀଙ୍କୁ ।"ତୁମେ ସ୍ତ୍ରୀ ଲୋକ ଏଗୁଡାରେ ମୁଣ୍ଡ ପୁରେଇବା କଣ ନିହାତି ଦରକାର?' ସେ କିନ୍ତୁ ଭଲକି ଜାଣିଛି ଏଗୁଡା ସବୁ ଧାର୍ କରି ସେ ଆଣିଛନ୍ତି ।ମାସ ପୁରିଲେ ଦରମାରୁ ଶୁଝିବେ।ପୁଣି ମାସ ଅଧାରୁ ବାକୀ ଉପରେ ନିର୍ଭର୍।ସେଥିରେ ପୁଣି ତାଙ୍କ ନିଜର ହେନଟନ୍ ଖର୍ଚ ଅଛି ।ତା ନିଜ ପାଇଁ ଶାଢୀ କି ଗହଣା ପାଇଁ ସେ କେବେ ବି କୁହେନି ।ଯେତିକି ଚୁନାକୁ ସେତିକି ପିଠାରେ ଚଳିବାକୁ ସେ ବହୁତ ବୁଝାଏ।ହେଲେ ପୁରୁଷ ହେଇ ସେ କଣ ସ୍ତ୍ରୀ ବୁଦ୍ଧିରେ ଚଳିବେ
ସେଦିନ ତାଙ୍କର ଦିଜଣ ସାଙ୍ଗ ଆସିଥିଲେ।ଚା ଜଳଖିଆ ପରଶି ଦେଲା ବେଳେ ଥଟାରେ କହିଲେ ,"କଣ ଭାଉଜ ,ଘର କେମିତି ଚଳଉଛ ?ଆମ ଭାଇର ଧାର କରଜ କେବେ ଛାଡୁନି ।"ବୋକା ଭଳି ସେ ଚାହିଁଲା କେବଳ।ସେ ନିଜେ ବି କଣ କଣ ଏଗୁଡା ପସନ୍ଦ କରେ ?ହେଲେ ତା କଥାରେ କଣ ଘର ଚଳେ !ବଡ କଷ୍ଟରେ ସେତିକି କହିଲା ବି ସିଏ ।"ଆରେ ତମେ ପରା ଘରଣୀ ।ତମ ହିସାବରେ ଚଳନି ତ ଆଉ ଆଉ କାହା ହିସାବରେ ଘର ଚଳେ ?"ଉଠି ଆସୁଥିବା ଲୁହକୁ ଚାପି ସେ ଭିତରକୁ ପଳେଇଲା ।ସେ ଦିନ ରାତିରେ ବୁଝେଇବାକୁ ଚେଷ୍ଟା କଲା ତାଙ୍କୁ ସେକଥା ।ମହାଭାରତର ଯକ୍ଷ କଥା ମନେ ପକେଇ ଦେଲା ।ସଂସାରରେ ସେଇ ମଣଷ ସୁଖୀ ଯିଏ କିଛି ଧାର କରଜ ନକରି ନିଜ ଘରେ ଶାଗପଖାଳ ଖାଇ ଶାନ୍ତିରେ ରହେ ।"ଓଃ ,ନିହାତି ବାଜେ ମଣିଷଟେ ତମେ।ମଣିଷ ଶାନ୍ତିରେ ଟିକେ ଶୋଇଲା ବେଳକୁ କୁଆଡୁ ଆସି ଶାସ୍ତ୍ର ଆଲୋଚନା ଚାଲିଲା ।ମୋ କଥା ମୁଁ ବୁଝିବି ,ତମର ଏତେ ମୁଣ୍ଡ ଖେଳେଇବା ଦର୍କାର ନାହିଁ।"ମୁହଁ ଆଡେଇ ସେ ଶୋଇ ପଡିଲେ ।ଟିକେ ପରେ ଘୁଙ୍ଗୁଡି ଶୁଭିଲା ।ହେଲେ ତା ଆଖିକି ନିଦ କାଇଁ।ପିଲାଙ୍କ ଭବିଷ୍ଯତ ପୁଣି ବର୍ତମାନର ହଜାର ଜଞ୍ଜାଳ !!ନିଦ ହଉ କି ନହଉ ।ସକାଳୁ ଠିକ୍ ସମୟରେ ଉଠିବାକୁ ପଡିବ ତାକୁ ।ନହେଲେ ସବୁଦିନ ଭାତ ନରମ ହେଇଗଲେ କି କଣ ଏପଟ ସେପଟ ହେଇଗଲେ ଦୋଷ ତ ତାଆର ହବ ନା ।କାରଣ ସିଏ ପରା ଘରର ଘରଣୀ !!