Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପାଷାଣୀ
ପାଷାଣୀ
★★★★★

© Bijaya kumar Jena

Inspirational Others

5 Minutes   7.3K    16


Content Ranking

ଅଚାନକ ଘର ଭିତରକୁ ପଶିଆସିଲା ଅହଲ୍ୟା, କୌଶଲ୍ୟାର ସାନ ଭଉଣୀ। ଆଉ ପଡିଗଲା ଚାରିକାତ ମେଲେଇ ଡ୍ରଇଂରୁମର କାଉଚ୍ ଉପରେ।

କୌଶଲ୍ୟା ତା’ ସାନ ଭଉଣୀ ଅହଲ୍ୟାକୁ ଏମିତି ଅବସ୍ଥାରେ କେବେ ଦେଖିନାହିଁ। 

 ଅହଲ୍ୟା ଚାରି ବର୍ଷ ହେଲା ବାହା ହୋଇଛି, ଅଢେ଼ଇ ବର୍ଷର ଝିଅଟିଏ। ସ୍ଵାମୀ ଆନନ୍ଦ କିଶୋର ପାତ୍ର - ରାଉରକେଲା ଇସ୍ପାତ ନଗରୀରେ ଜଣେ ସଫଳ ଯୁବ ବ୍ୟବସାୟୀ।

ଶିକ୍ଷିତ ସୁନ୍ଦର ଓ ଅହଲ୍ୟା ଠାରୁ ପାଞ୍ଚ ବର୍ଷ ବଡ଼ ହେଲେ ବି ସମାନ ବୟସର ଦେଖାଯାଆନ୍ତି।

ଅହଲ୍ୟା କୋଉ କମ କି..! ତାଙ୍କ ତିନି ଭଉଣୀ ଭାଇ ମଧ୍ୟରୁ ମଝିଆଁ ଓ ସୁନ୍ଦରୀ। ଏବେ ତାକୁ ତେଇଶି କି ଚବିଶ ହେଇଥିବ।

ତେବେ ଅଚାନକ ଏମିତି ଅହଲ୍ୟାର ଅନୁପ୍ରବେଶ ଓ କାଉଚ୍ ଉପରେ ପଡିଯିବା ଦେଖି କୌଶଲ୍ୟା ବି ସ୍ତମ୍ବିଭୁତ। 

କେତେଥର ସେ ତା ଗେହ୍ଲା ଭଉଣୀ ଓ ଭିଣୋଇଙ୍କୁ ତାଙ୍କ ଘରକୁ ଡାକିଛି, ସେମାନେ ଆସିନାହାନ୍ତି। ଅଥଚ ଆଜି ଖରାବେଳେ ଅଚାନକ ଏକାକୀ ଅହଲ୍ୟା...??

କିଛି ଅଘଟଣର ଅନୁମାନ କରି କୌଶଲ୍ୟା ପାଣି ଗ୍ଳାସଟିଏ ଆଣି ଅହଲ୍ୟା ଉପରେ ଛିଞ୍ଚି ଦେଲା ଓ ଜୋର

କରି ପିଆଇ ଦେଲା।

 "ଆଉ ପାଣି ଛିଞ୍ଚିଲେ କ’ଣ ହେବ ଲୋ ଦେଇ, ଏବେ ମୁଁ ଗଙ୍ଗା ନଦୀରେ ବୁଡ଼ିଲେ ବି ଆଉ ଆଗର ଅହଲ୍ୟା ହେଇ ପାରିବିନି।.... ଧିକ୍ ଏ ନାରୀ ଜନ୍ମ, ଧିକ୍କାର ଏ ପୁରୁଷ ମାନଙ୍କୁ.....!!"

 -"ଆଲୋ କଅଣ ହେଇଛି ତୋର କହ, ଆନନ୍ଦ ବାବୁ ଓ ରୁବି କୋଉଠି ଅଛନ୍ତି, ତୁ କୋଉଠୁ ଓ କେମିତି ଆସିକି ପାରାଦ୍ଵୀପରେ ପୁଣି ମୋ ଘରେ ପହଁଚିଲୁ କହ." ବ୍ୟସ୍ତ ହୋଇ ଏକାଥରେ ଏତେ ସବୁ ପଚାରିଦେଲା କୌଶଲ୍ୟା।

  "କ’ଣ ଅଛି ଯେ ମୁଁ କହିବି ତୋତେ। ... ଧିକ୍କାର ଏ ରାସ୍ତା କଡରେ ପ୍ରତି ଅଧ କିଲୋମିଟରରେ ଗଢି ଉଠିଥିବା ମନ୍ଦିର ଓ ତା'ଭିତରେ ପୂଜା ପାଉଛନ୍ତି ଯେତେକ ଦେବୀ ଓ ଦେବତା ମାନଙ୍କୁ, .... ଧିକ୍କାର ଏ ସବୁ ରାସ୍ତା କଡରେ ଠିଆ ହୋଇଥିବା ବିରାଟ ବପୁଧାରୀ ହନୁମାନ ମୂର୍ତ୍ତି ମାନଙ୍କୁ.... କେହି ଆସିଲେ ନାହିଁ ଲୋ ...ମୋତେ ଟିକିଏ ସାହା ଭରସା ଦେବାକୁ। ଏତେ ଦେବୀ ଦେବତା ବାଟ ସାରା ପୂଜା ପାଉଛନ୍ତି... ତାଙ୍କର କୌଣସି ପ୍ରକାରର ପ୍ରଭାବ ଦେଖିବାକୁ ମିଳିଲା ନାହିଁ ସେହି ରାସ୍ତା କଡରେ ଘର ତିଆରି କରି ରହୁଥିବା ଲୋକମାନଙ୍କ ଉପରେ..., କିମ୍ବା ରାସ୍ତା ନିର୍ମାଣ କାମ କରୁଥିବା ମଣିଷ ମାନଙ୍କ ଉପରେ...!! ଛିଃ.. ଛିଃ.. ଛିଃ.... ଲୋ ଦେଇ, ଛିଃ… ଛିଃ… , ... ଯେତେ ଛି ଛାକର କଲେ ବି ନିଅଣ୍ଟ ଲୋ ଏ ମଣିଷ ଓ ତାଙ୍କ ଦ୍ୱାରା ପରିଚାଳିତ ଏ ଠାକୁର ଆସ୍ଥାନ ମାନଙ୍କୁ। ନା ...ଆଉ ନୁହେଁ। ଆଉ ନୁହେଁ। ସମ୍ଭାଳି ହଉନି ଦେଇ..."

*********

 ରାତି ପ୍ରାୟ ନଅଟାରେ ରାଉରକେଲାରୁ ଡିନର ସାରି ନିଜ କାର ଧରି ଅହଲ୍ୟା, ଆନନ୍ଦ ଓ ତାଙ୍କର ଅଢେଇ ବର୍ଷର ଝିଅ ରୁବି ବାହାରିଲେ ଜଗତସିଂହପୁର; ଖରାଦିନିଆ ରାତି, ଭୋର ଭୋରରେ ନିଜ ଘର ଜଗତସିଂହପୁରରେ ପହଂଚି ଯିବାର ଉଦ୍ଦେଶ୍ୟ ନେଇ କି ବାହାରିଥିଲେ।

  ଆନନ୍ଦ ତାଙ୍କର ସୋ'ରୁମର ଦାୟିତ୍ଵ ଷ୍ଟାଫ ମାନଙ୍କୁ ବୁଝାଇ, ତାଲା ପକାଇ ଘରକୁ ଆସିଲା ବେଳକୁ ସାଢେ ଆଠଟା ହେଇଯାଇଥିଲା। ତାଙ୍କୁ ରାତିରେ କାର ଚଲେଇ ଲଙ୍ଗ ଡ୍ରାଇଭରେ ଯିବାକୁ ଭଲ ଲାଗେ। ରାସ୍ତାରେ ଗହଳି ନଥିବ, ସାଇଁ ସାଇଁ ଗାଡ଼ି ଗଡୁଥିବ, ମିନିଟରେ ଦୁଇ କିଲୋମିଟର। 

 ଆଗ ସିଟରେ ବେଲ୍ଟ ବନ୍ଧେଇକି ଶୁଆଇ ଦେଲେ ଝିଅଟିକୁ ଓ ପଛ ସିଟରେ ଆରାମରେ ଶୋଇଗଲା ଅହଲ୍ୟା।

 ଦି'ଘଣ୍ଟାର ଡ୍ରାଇଭିଂ ହେଇଥିବ ହୁଏତ, କୋଉ ଜାଗା ଜଣା ନାହିଁ।

" ହେଇ, ଟିକେ ଗାଡ଼ି ରଖ, ପରିସ୍ରା କରିବ ନାହିଁ କି..? ରୁବିକୁ ଉଠେଇବାକୁ ହେବ, ନହେଲେ ସିଟ ଓଦା କରିଦେବ।"

 ରୁବି ଜମାରୁ ଉଠିଲା ନାହିଁ ଆଉ ଆନନ୍ଦଙ୍କୁ ଲାଗୁନି। ଅହଲ୍ୟା ତାର ଏକା ଓହ୍ଲାଇଲା। କିଛି ସମୟ ପରେ ହାଲକା ହୋଇ କାର ଡୋର ଖୋଲି ଭିତରକୁ ନଇଁ ପଡ଼ି ପାଣି ବୋତଲଟି ଅଣ୍ଡାଳି କି ଆଣିଲା ...ହାତ ମୁହଁ ଟିକେ ଧୋଇ କୁଳୁକୁଂଚା କରିଦେବା ଉଦ୍ଧ୍ୟେଶରେ। ଡୋରଟା ଖୋଲା ରହିଲେ କାଳେ କିଛି ସାପ ବେଙ୍ଗ ପଶିଯିବ ଭାବି ଧଡସ୍ କରି ଧକ୍କା ମାରି କାରର ଡୋରଟା ଠିକ ବାହାରୁ ବନ୍ଦ କରି ଦେଇଛି.... ବାସ ଆଉ ତାପରେ, ଆନନ୍ଦ ଭାବିନେଲେ ଯେ ଅହଲ୍ୟା ଗାଡ଼ି ଭିତରକୁ ଆସିଲେ ଓ ଭିତରୁ ଥାଇ କାର ଡୋର ବନ୍ଦ କରିଦେଲେ। ଗାଡ଼ି ଷ୍ଟାର୍ଟ ହେଲା ଓ ଫୁରର କରି ଆଗକୁ ମାଡ଼ିଲା।

  ବାହାରେ ଅହଲ୍ୟା... ଆଉ କି ପାଣି ପିଇବ... ବୋତଲ ଫୋପାଡ଼ି ଦେଇ ଚିତ୍କାର କଲା, ଆହୁରି ଆହୁରି ଚିତ୍କାର। କାର ସେତେବେଳକୁ ଅଦୃଶ୍ୟ। ନିରୋଳା ନିଛାଟିଆ ରାତିରେ, ଅଚାନକ ଅହଲ୍ୟା ନିଜକୁ ଭୟଙ୍କର ଭାବରେ ଅସହାୟ ଅବସ୍ଥାରେ ପାଇଲା। ଭୟରେ ଜଡ଼ସଡ଼... ଆଗରୁ କି ପଛରୁ କିଛି ଗାଡ଼ି ଆସୁନି । ସେ ସ୍ଥାନରୁ ବାହାରିବାକୁ ହେବ କି କ’ଣ କରିବ କିଛି ଆଉ ମୁଣ୍ଡରେ ଢୁକୁନି।

  ଅଗତ୍ୟା ଚାଲିଲା ସେ , ଯୁଆଡେ କାରଟା ଯାଇଛି।

କିଛି ସମୟ ଚାଲିବା ପରେ ଆଗରେ ଆଲୁଅ ଦେଖାଗଲା। ରାସ୍ତା କଡରେ ଗୋଟିଏ ଢ଼ାବା ଓ ଢ଼ାବା ଆଗରେ ପାଞ୍ଚ ଛଅ ଜ’ଣ ମଣିଷ ବସି ଖିଆ ପିଆ କରୁଛନ୍ତି ହୁଏତ।

********

 ଓଃ, ଆଉ ସମ୍ଭାଳି ହଉନି, ଏମାନେ ମଣିଷ ନା ପଶୁ..!! କାହିଁ, ପଶୁ ମାନେ ବି କୋଉଠି ଏମିତି ଭୟଙ୍କର ପ୍ରକୃତିର ନଥାନ୍ତି। କୋଉଠି ବି ଦେଖିନି କେବେ। 

ଅହଲ୍ୟା କିଛି କହିବା ପାଇଁ ସାହସ ସଞ୍ଚୟ କରୁଥିଲା, ନିଜର ଅସୁବିଧା କଥା ଆଉ କିଛି ମଣିଷଙ୍କ ଆଗରେ ।

କହିକି ସାହାଯ୍ୟ ଆଶା କରୁଥିଲା। କିନ୍ତୁ, ହେଲା କ’ଣ. .??

 ପାଞ୍ଚଜଣ ମଣିଷ ସେଇଠି ଅମଣିଷ ପିଶାଚ ପାଲଟି ଗଲେ। ଅହଲ୍ୟାକୁ ମାଡି ବସିଲେ। ତାକୁ ଟେକିନେଇ

ଟିକିଏ ଆଢୁଆଳକୁ ନେଇ କି ଗଡ଼େଇ ଦେଲେ, ଓ ତାପରେ ଏକ ପରେ ଏକ...... ଯାହା କିଛି ହେଇଥିଲା, ଗୋଟିଏ ନାରୀ ଜୀବନର ସବୁଠାରୁ ଭୟଙ୍କର ଘଟଣା ହୋଇଥିଲା। ରାସ୍ତା କଡ଼ର ବନ ଦେବୀ ଓ ଦେବତା ମାନେ ଏକତ୍ରିତ ହୋଇ ଦେଖୁଥିଲେ ସବୁକିଛି। 

ଢ଼ାବାର ବୁଢ଼ା ମାଲିକ ଜଣକ ଢୁଳେଇ ଢୁଳେଇ ହୁଏତ ଶୁଣୁଥିବ ଧର୍ଷଣର ଶିକାର ହେଉଥିବା ନାରୀଟିର କରୁଣ କୋହ ଓ କାମୁକ ପୁରୁଷ ମାନଙ୍କ ଚାପା ଉତ୍ତେଜକ ଅଶ୍ଳୀଳ ଶବ୍ଦ କିଛି।

 କଦାକାର ଏ ସମାଜ। ନାରୀ .. ତିନି ବର୍ଷର ହେଉ ବା ସତୁରୀ ବର୍ଷର ହେଉ...କଣ କେବଳ ଏହି ଲୋଲୁପ କ୍ଷୁଧା ପାଇଁ ସୃଷ୍ଟି ହୋଇଛି..?

 ଏତେ ଧର୍ମ ଏତେ ଈଶ୍ୱର ଭଗବାନ ସବୁ କ’ଣ କେବଳ ଟଙ୍କା ଆଦାୟ ଓ ବ୍ୟବସାୟ ପାଇଁ ମନ୍ଦିର ମସଜିଦ, ଗୀର୍ଜା, ଗୁରୁଦ୍ଵାରା ଭିତରେ ସ୍ଥାପନ କରାଯାଇଛି..?

କିଛି ବି ପରିବର୍ତ୍ତନ ହେଉନି ମଣିଷ ଭିତରେ..? କିଛି ବି ଗୋଟେ ବିଭ୍ରାଟ ଘଟିଲା ନାହିଁ ଏମିତି ଏକ ବିପଦ ପୂର୍ଣ୍ଣ କାଳରେ..!!

ଯେତେବେଳେ ନାରୀଟି ଧର୍ଷଣର ଶିକାର ହେଉଥାଏ..?

********

 ଆଉ ତାପରେ, ସେ ପୁରୁଷ ମାନଙ୍କର ଭୋକ ଉପଶମ ହେଲା ବୋଧହୁଏ।

 ଗୋଟେ ଅଟୋ ରିକ୍ସା ଡାକିକି ଅହଲ୍ୟାକୁ ସେଥିରେ ବସେଇ ସେଇ ପାଖର ଏକ ଛୋଟିଆ ସହରର ବସ ଷ୍ଟାଣ୍ଡରେ ଛାଡିଦେଲେ।

 କେତେବେଳେ ଯେ ସକାଳ ହେଲା, କେତେବେଳେ ଯେ ଅହଲ୍ୟା ନିଜେ ନିଜକୁ ଚିହ୍ନି ପାରିଲା, କୋଉ ଗାଡ଼ି କେମିତି ଧରିଲା, କାହାକୁ କ’ଣ କହିଲା କିମ୍ବା ବାଟ ଖର୍ଚ୍ଚ ଖାଦ୍ୟ କେମିତି ଯୋଗାଡ଼ କଲା କିଛି ତାକୁ ଜଣାନାହିଁ।  ଏକା ମୁହାଁ ହୋଇ, କେମିତି ଯେ ପାରାଦ୍ଵୀପରେ ତା କୌଶଲ୍ୟା ଦେଇ ଘରେ ପହଂଚିବା ପରେ ଜାଣିଲା ଯେ ସେ ବଂଚିଛି। କିନ୍ତୁ ୟା’ ଭିତରେ ସେ ଅହଲ୍ୟାରୁ ପାଷାଣୀ ଅହଲ୍ୟା ହେଇ ଯାଇଛି । ଏମିତି କେତେଥର ଏ ଅହଲ୍ୟା ମାନେ ପାଷାଣୀ ହେଉଥିବେ..??

*********

 ସେଦିନ ଆନନ୍ଦ ଆଉ ଆନନ୍ଦରେ ଥିଲେ କି..?

କିଛି ସମୟ ଗାଡି ଚଲେଇବା ପରେ ରାସ୍ତାକଡ଼ରେ ଗୋଟେ ଚା ଦୋକାନ ଖୋଲାଥିବା ଦେଖି ଆନନ୍ଦ ଗାଡି ରଖିଲେ ଓ ଅହଲ୍ୟାକୁ ଡାକିଲେ। 

 ପଛରୁ ଜବାବ ନାହିଁ..!! ଭୟଙ୍କର ଭାବରେ ଚମକି ପଡିଲେ... ଗାଡ଼ି ବୁଲେଇ କି ସିଧା ପହଂଚିଲେ ସେଇ ଜାଗାରେ, ଯୋଉଠି ଅହଲ୍ୟା ଓହ୍ଲାଇ ଥିଲା। କାହିଁ କୋଉଠି ସେ..?

  ଅନ୍ଧାର ଯେ ଏତେ ତୀବ୍ର ଓ ନୈରାଶ୍ୟ ଜନକ ପ୍ରଥମ ଥର ପାଇଁ ଅନୁଭବ କରୁଥିଲେ ଆନନ୍ଦ।

....ତାପର ପୁଲିସ ଷ୍ଟେସନ ... ଅନୁସନ୍ଧାନ...

ଦୁଇ ଦିନ ପରେ କୌଶଲ୍ୟା ଦିଦିଙ୍କ ଫୋନ ଆସିଲା ଆନନ୍ଦ ପାଖକୁ... ଅହଲ୍ୟା ସେଇଠି ଅଛି କିନ୍ତୁ ପାଷାଣୀ ଅହଲ୍ୟା ଏବେ ସେ..।

 ଜୀବନ ତ ଚାଲିଥିବ, ଚାଲୁଥିବ ସମାଜ ବି। କ'ଣ ଏମିତି ଭାବରେ...?

 -ବିଜୟ କୁମାର ଜେନା , ଦମାନଯୋଡ଼ି।

ଅଚାନକ ଅହଲ୍ୟା କୌଶଲ୍ୟା

Rate the content


Originality
Flow
Language
Cover design

Comments

Post

Some text some message..