Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Inspirational Others

3  

Chinmayee Barik

Inspirational Others

ଚିନି କମ୍

ଚିନି କମ୍

6 mins
7.4K


ରେସ୍ପେକ୍ଟେଡ୍ ମାମ୍,

ଇଣ୍ଟରନେଟ୍ ଯୁଗରେ ଚିଠି ଲେଖିବା ଗୋଟିଏ ପାଗଳାମି ବୋଲି ଅଭିହିତ ହୋଇ ପାରେ ହେଲେ ମୁଁ ବି କୋଉ ପାଗଳରୁ କମ୍ ଥିଲି କି ?ଗୋଟିଏ ପାଗଳ ଏମିତି ଅନେକ କିଛି ପାଗଳାମି କରିପାରେ ।ମୋ ପାଖରୁ ଚିଠି ପାଇ ବହେ ହସିବେ ବୋଧେ ...ନ ହେଲେ ଘନ ଘନ ସିଗାରେଟ୍ ଟାଣିବେ ।ଏହା ମୁଁ କନଫର୍ମ ।ହେଲେ ଚିଠିଟିଏ ଲେଖିବାକୁ ମୋତେ ଅନେକ ସମୟ ବି ଲାଗିଛି ।

ଅପୂର୍ବ ସୁନ୍ଦରତା ଭିତରେ ଆପଣଙ୍କ ଓଠରେ ସଦାବେଳେ ଲାଗିଥାଏ ସିଗାରେଟ୍ ।ଚେନ୍ ସ୍ମୋକର କହିଲେ ବି ଅତ୍ୟୁକ୍ତି ହେବନି ।ଆଖିରେ ଗୋଲଡେନ୍ ଫ୍ରେମ ଚଷମା ।ମଥାରେ ଲାଲ୍ ବିନ୍ଦି ।ସାମ୍ପୋକରା ଚୁଟି ମୁହଁ ଉପରକୁ ଓହରି ଆସିଥାଏ ସବୁବେଳେ ।ଅଫିସ୍ ସାରା ଆପଣଙ୍କ ଚର୍ଚ୍ଚା ।

ଆପଣଙ୍କ ମୁହଁରେ ଗୋଟିଏ ହସ ଲାଗି ପ୍ରତି ଯୋଗିତା ଚାଲେ ଆମ ଭିତରେ ।ଆମର ବସ୍ ହିସାବରେ ଆପଣ ଖୁବ୍ ପଙ୍କଚ୍ଆଲ୍ ଥିଲେ ସବୁଥିରେ ।ଆପଣଙ୍କ ଠାରୁ ଟିକିଏ ଏପ୍ରିସିଏସନ ପାଇବା ଲାଗି ସବୁ କାମ ଠିକ୍ ଠିକ୍ କରିବାକୁ ଚେଷ୍ଟା ଚାଲେ ।ହେଲେ ଯାହା କଲେ ବି ଆପଣ ଆଖି ଉଠାଇ ଟିକେ ସ୍ମାଇଲ୍ ଦେବା ଦୂରେ ଥାଉ ...ସବୁବେଳେ ଗୋଟିଏ ଡାଏଲଗ୍ କୁହନ୍ତି... ଟ୍ରାଏ ଫର୍ ଦି ବେଷ୍ଟ ।

ଆପଣଙ୍କ ଅଫିସ୍ ସାମ୍ନାରେ ହିଁ ମୋର କେବିନ୍ ଥିଲା ।ସେଥିଲାଗି ଅନ୍ୟ ଷ୍ଟାଫ୍ ମାନଙ୍କର ମୋ ପ୍ରତି ଖୁବ୍ ଇର୍ଷା ଥିଲା ।କିଛି ନା କିଛି କାମ ବାହାନାରେ ସେମାନେ ମୋ ପାଖକୁ ଆସୁଥିଲେ ଆପଣଙ୍କୁ ଟିକେ କାଚ ଏପଟରୁ ଦେଖିବାକୁ ।ବେଳେ ବେଳେ ମୋତେ ଚିମୁଟି ଦେଇ କହୁଥିଲେ ୟୁ ଆର୍ ଲକି ୟାର୍ ।ଖାସ୍ ଜାଗାଟେ ମାଡି ବସିଛୁ । ହେଲେ ଆପଣ ସବୁବେଳେ ସେଇ ଲାପଟପ୍ ଭିତରେ ବୁଡି ରହୁଥିଲେ ।

ହଁ...ଆପଣ ହସୁଥିଲେ କେବଳ ଯେତେବେଳେ ବୁଢା ପିଅନ୍ ରାମଦିନ୍ ଚା’ ନେଇ ଯାଉଥିଲା ଆପଣଙ୍କ ପାଖକୁ ।ଆପଣ ତାକୁ ସ୍ମାଇଲ୍ ଦେଇ ପଚାରୁ ଥିଲେ ସେ ଖାଇଛି କି ନାହିଁ ବୋଲି ।

ବେଳେ ବେଳେ ଆମେ ମାନେ ନିଜକୁ ଭାରୀ ହତଭାଗା ବି ମନେ କରୁଥିଲୁ ଯେ ଆମେ କାହିଁକି ପିଅନ୍ ରାମଦିନ୍ ନ ହୋଇ ସଫ୍ଟୱେୟାର ଇଞିନିୟର ହେଲୁ ବୋଲି? ଆପଣଙ୍କୁ ଦେଖିବାକୁ ଇଛା କରି ଆପଣଙ୍କ ଡୋର ପାଖରୁ ସବୁ ବାରବାର ଫେରୁଥିଲୁ ଖାଲି ଯାହା କାଚ ବାହାରୁ ଦେଖି ।

ଆପଣଙ୍କ ମୁହଁରେ ଗୋଟିଏ ରୁକ୍ଷତା ଥିଲା...ମିଠା ରୁକ୍ଷତା ।ନିହାର ସବୁବେଳେ କହୁଥିଲା ଆପଣ ଗୋଟିଏ କଡା କପ୍ କଫି ହେଲେ ...ଚିନି କମ୍....।

"ଚିନି କମ୍"କଫି ଆମମାନଙ୍କୁ ପସନ୍ଦ ଥିଲା ।ଆପଣଙ୍କ ଲାଗି ଆମେ ସବୁ ଡାଇବେଟିସ୍ ପେସେଣ୍ଟ ହେବାକୁ ବି ରାଜି ଥିଲୁ ।ଆମ ସମସ୍ତଙ୍କର ଏତିକି ତ ଇଛା ଥିଲା ଗୋଟେ କେଣ୍ଡେଲ୍ ନାଇଟ୍ ଡିନର୍ ଉଇଥ୍ ୱାନ୍ କପ୍ ଅଫ୍ କଫି...ଇନଡିଭିଜୁଆଲି......

ସମସ୍ତଙ୍କ ପ୍ରେମିକା ମାନେ ଆପଣଙ୍କ ବିଷୟରେ ଜାଣି ସାରିଥିଲି ।କିଛି କିଛି ବାହାନାରେ ସେମାନେ ଆସି ଆମ ଅଫିସ୍ ରେ ଆପଣଙ୍କୁ ଦେଖି ସାରିଥିଲେ ।ଆପଣଙ୍କୁ କି ମାଲୁମ ଆପଣଙ୍କୁ ନେଇ କେତେ ଷ୍ଟାଫଙ୍କର ତାଙ୍କ ପ୍ରେମିକା ମାନଙ୍କ ସହ ମନ ଫଟା ଫଟି ହୋଇ ସାରିଥିଲା ।ଆପଣ କାହା ସହ ଜଡିତ ନ ହୋଇ ବି କେତେ ଲୋକଙ୍କ ଜୀବନରେ ଦାଖଲ ହୋଇ ସାରିଥିଲେ ।ଆପଣଙ୍କ ଲାଗି କେତେ ମନ ଫଟାଫଟି...କେତେ ଶୀତଳ ଯୁଦ୍ଧ.....

ଆପଣଙ୍କ ମିଠା ରୁକ୍ଷତା ହିଁ ଆମ ହୃଦୟକୁ ଝିଣ୍ ଝିଣ୍ କରୁଥିଲା ।ଯେତେବେଳେ ଆପଣ ଚଷମା ଭିତରୁ ଆଖି ଉଠାଇ ପ୍ରୋଜେକ୍ଟର ଉଇକ୍ ପଏଣ୍ଟ ଗୁଡାକ କହୁଥିଲେ ସେତେବେଳେ ଆପଣଙ୍କ କଥା ଆମ କାନରୁ ଭାଁ ଭାଁ ହୋଇ ବାହାରି ଯାଉଥିଲା ।ଆପଣଙ୍କ କଥା ଶୁଣିବାକୁ ହେଲେ ଆମକୁ ତଳକୁ ନଜର କରି ଶୁଣିବାକୁ ପଡୁଥିଲା ।

ଆପଣଙ୍କୁ ଟିକେ ଖୁସି କରାଇବାକୁ ମୁଁ ଦିନରାତି କାମରେ ଲାଗି ପଡୁଥିଲି ।ମୋ ପ୍ରୋଜେକ୍ଟ୍ ରେ ଆପଣ ସଂପୂର୍ଣ୍ଣ ସନ୍ତୁଷ୍ଟ ନ ଥିଲେ ବି ଅସନ୍ତୁଷ୍ଟ ନ ଥିଲେ ।ମୁଁ ଜାଣି ପାରୁଥିଲି ।ରାତି ରାତି ଅନିଦ୍ରା ହୋଇ କାମ କରୁଥିଲି ।ଟାୟାର୍ଡ ହେଲେ ଫେସବୁକ୍ ଖୋଲୁଥିଲି ।ଆପଣଙ୍କ ଗ୍ରିନ୍ ଲାଇଟ୍ କେବଳ ରାତି ବାରଟାରୁ ଗୋଟାଏ ଯାଏଁ ଜଳେ ।ଗ୍ରିନ୍ ଲାଇଟ୍ ଦେଖି ଅନେକ ଥର ମେସେଜ୍ ଦେବାର ଇଛା ହୁଏ ହେଲେ ଆପଣଙ୍କର ମିଠା ରୁକ୍ଷତାଟା କଡା ରୁକ୍ଷତାରେ ପରିଣତ ହେଉ ଏହା ମୁଁ ଚାହୁଁ ନ ଥିଲି ।ରାତି ସାରା ଭାବୁଥିଲି ସେ ଭାଗ୍ୟବାନ ଲୋକ କିଏ ଯିଏ ଆପଣଙ୍କ ଗ୍ରିନ୍ ଲାଇଟ୍ ର ସୁଯୋଗ ନେଉଥିବ ।

ଆପଣ ଆମମାନଙ୍କ ଠାରୁ ଅତିକମ୍ ରେ ଦଶବର୍ଷ ବଡ ହୋଇଥିବେ ହେଲେ ଆମେ ଏଇ ଦଶ ବର୍ଷଟାକୁ ବି ଗୋଟିଏ ଜମ୍ପରେ ଅତିକ୍ରମ କରିବାର ଇଛାରେ ବି ମସଗୁଲ୍ ଥିଲୁ ।

ଡବଲ୍ ବେଡସିଟ୍ ପରି ଲମ୍ବା ଚଉଡା ଭାରୀ ପାଟ ଶାଢୀ ସହ ହାଇ ନେକ୍ ବ୍ରାଉଜର୍ ବେଶ ପୋଷାକରେ ଆପଣ ଆସୁଥିଲେ ।ହାଇ ହିଲର ଠକ୍ ଠକ୍ ଆବାଜ୍ ଆମକୁ ପାଉଁଜିର ଛମ୍ ଛମ୍ ଆବାଜ୍ ଭଳି ଶୁଭୁଥିଲା ।

ସେଦିନ ଆପଣଙ୍କର ଜନ୍ମ ଦିନ ଥିଲା ।ଆମକୁ ଆପଣ ଇନଭାଇଟ୍ କରିଥିଲେ ହୋଟେଲ୍ ଗୋଲ୍ଡେନ୍ ପ୍ଲାଜାକୁ ।ଆମ ଭିତରେ ଗୋଟିଏ ମୃଦୁ ଶିହରଣ ଖେଳି ଯାଇଥିଲା ।ଆମେ ସବୁ ଯିବୁ ଯେ ହେଲେ ଆପଣ ଆମମାନଙ୍କୁ କେମିତି ଅପ୍ୟାୟିତ କରିବେ ସେ କଥା ଭାବି ନିଦ ହେଉ ନ ଥାଏ ।ରାତି ସାରା ଫୋନ୍ ରେ କଥା ଆପଣଙ୍କ ଲାଗି କ’ଣ କିଏ ଗିଫଟ୍ ନେବେ ।ସମସ୍ତେ ସରପ୍ରାଇଜ୍ ଗିଫଟ୍ ନେଇଥିଲେ ।

ସାଜସଜ୍ଜାରେ ହୋଟେଲ୍ ପୁରି ଉଠିଥିଲା ।ସ୍ଲୋ ମ୍ୟୁଜିକ୍ ବି ।କିଛି ଅନ୍ୟ ଗାର୍ଲସ୍ ବି ଆସିଥିଲେ ।ସେମାନଙ୍କୁ ଦେଖି ଆମ ମାନଙ୍କ ମାଇଣ୍ଡ ଆହୁରି ଫ୍ରେସ୍ ହୋଇଗଲା ।ମନେ ମନେ ଆମେ ଭାବିଲୁ ସତରେ ଆପଣ କେତେ ଭଲ!!!କେତେଜଣଙ୍କ ଆଖି ସହ ଆଖି ମିଶାଇ ସାରିଥିଲୁ ।

ଠିକ୍ ସମୟରେ ଆପଣ ହଲ୍ ଭିତରକୁ ଏଣ୍ଟ୍ରି କଲେ ।ୱାୱ...ହ୍ୱାଇଟ୍ ଶାଢୀ ସହ ଗୋଲ୍ଡେନ୍ ବର୍ଡର ପାଟ ।ଆଜି ହାଇନେକ୍ ବ୍ଲାଉଜ ବଦଳରେ ବେକ୍ ଲେସ୍ ବ୍ରାଉଜ୍ ।ଖୋଲା ଚୁଟି ବଦଳରେ ହେୟାର ଜେଲ୍ ଦେଇ ଖୋସା ।ହ୍ୱାଇଟ୍ ଷ୍ଟୋନ୍ ନେକଲେସ୍ ଉଇଥ୍ ମେଚିଂ ଇୟର ରିଙ୍ଗ୍ ।ଉଇଦାଉଟ୍ ସ୍ପେକ୍ ରେ ଫାଷ୍ଟ ଟାଇମ୍ ଲାଗି ଆପଣଙ୍କୁ ଦେଖୁଥିଲୁ ।ମାଇଣ୍ଡ ବ୍ଲୋଇଂ ଲୁକ୍ ।

ଆମେ ଆପଣଙ୍କୁ ଗିଫ୍ଟ ଦେବୁ କ’ଣ ବରଂ ଆମ ସମସ୍ତଙ୍କ ଲାଗି ଆପଣ କିଛି କିଛି ଗିଫ୍ଟ ଆଣିଥିଲେ ।କେକ୍ କାଟି ସମସ୍ତଙ୍କୁ ଖୁଆଇ ଦେଇଥିଲେ ।ସେଦିନ ମନ ଖୋଲି ହସିଥିଲେ ଆଉ ସମସ୍ତଙ୍କ ସହ ନିର୍ଦ୍ଧିଷ୍ଟ ବ୍ୟବଧାନ ରଖି ଡ୍ୟାନ୍ସ ବି କରିଥିଲେ ।

ସେଦିନ ଆମ ସମସ୍ତଙ୍କର ଆପଣ ହିଁ ଗୋଟିଏ ପ୍ରେମିକା ଥିଲେ ବୋଧେ ।ସବୁ ଖୁସିରେ ଆତ୍ମ ହରା...ସମସ୍ତେ କିଛି କିଛି ଡ୍ରିଙ୍କସ୍ ବି କରିଥିଲେ ମୋତେ ଆଉ ଆପଣଙ୍କୁ ଛାଡି ।ନିହାର ତ ବେଳେ ବେଳେ ଚିତ୍କାର କରୁଥିଲା ....ଏ ଚିନି କମ୍.....ଏକଥା ଆପଣଙ୍କର ଅବୁଝା ଥିଲେ ବି ଆମେ ସବୁ ବୁଝିପାରୁଥିଲୁ ।

ପାର୍ଟିର ଶେଷ ପ୍ରହରରେ ଜଣେ ସୌମ୍ୟ ସୁନ୍ଦର ପୁରୁଷଙ୍କର ଆବିର୍ଭାବ ହେଲା ।ସେ ଥିଲେ କର୍ଣ୍ଣେଲ୍ ସ୍ୱାଗତ୍ ବାସୁ ।ଆପଣଙ୍କର ଫିୟାନ୍ସି ।ଆପଣ ଆମ ମାନଙ୍କ ସହ ଇନଟ୍ରୋଡ୍ୟୁସ୍ କରେଇ ଦେଲେ ।ଆମେ ମୁହଁରେ ଖାଲି ହସୁଥିଲୁ ହେଲେ ଭିତରେ ଖୁବ୍ ଜ୍ୱଳନ ଅନୁଭବ କରୁଥିଲୁ ।ମଦୁଆଙ୍କ ମଦ ନିଶା ହଟି ସାରିଥିଲା ।ସମସ୍ତେ ତରତରରେ ଆପଣଙ୍କ ଲାଗି ଆଣିଥିବା ଗିଫ୍ଟ ଦେଇ ବିଦା ହେଲେ ।ମୁଁ ମଧ୍ୟ ଫେରିବାକୁ ବାହାରୁଥିଲି ।ଗିଫ୍ଟ ଦେବାର ସ୍ପୃହା ମରି ସାରିଥିଲା ।

ହଠାତ୍ କର୍ଣେଲ୍ ସ୍ୱାଗତ୍ ବାସୁଙ୍କ ଫୋନ୍ ବାଜି ଉଠିଲା ।ସେ ବାହାରକୁ ଯାଇ କିଛି କଥା ହୋଇ ଫେରିଲେ ।ଆପଣଙ୍କୁ ଦେଖି କହିଲେ ...ସରି ବେବୀ...ମୋର ଅର୍ଜେଣ୍ଟ କାମ ପଡିଗଲା ...ମୋତେ ଯିବାକୁ ହେବ ।ତୁମେ ଟିକେ ମେନେଜ୍ କରିନେବ ...ପ୍ଲିଜ୍ ।ଏତକ କହି ସେ ପବନ ବେଗରେ ଚାଲିଗଲେ ।ଆପଣ ଖୁବ୍ ଅପ ସେଟ୍ ରେ ଥିଲେ ।ମୋତେ କହିଲେ ଟିକେ ଅପେକ୍ଷା କରିବାକୁ...ସାଥିରେ ଫେରିବାକୁ ।ମୁଁ ଅପେକ୍ଷା କଲି ।ଆପଣ ନିଜକୁ ସମ୍ଭାଳିବାକୁ ଟିକେ ଡ୍ରିଙ୍କସ୍ ବି କଲେ ।ସାଥିରେ ଆମେ ବାହାରିଲୁ ।

ଆପଣ ଡ୍ରାଇଭିଂ କରୁଥିଲେ ।ଗାଡିରେ ସ୍ଲୋ ମ୍ୟୁଜିକ୍ ଭୂପିନ୍ଦର ସିଂଙ୍କର ...ଏକ୍ ଅକେଲା ଏକ ସହର ମେଁ....ଗୀତ ବାଜୁଥିଲା ।ହଠାତ୍ କହିଲେ ସମସ୍ତେ ତ ଗିଫ୍ଟ ଦେଲେ ହେଲେ ତୁମେ ତ ଦେଇନ ?ଆପଣଙ୍କ କଥାରେ ମୁଁ ଟିକେ ହଡବଡେଇଗଲି ।ସତରେ ମୁଁ ଗିଫ୍ଟଟା ଦେଇ ନ ଥିଲି ଏ ଯାଏଁ ...ମୋ ପକେଟ୍ ରେ ଥିଲା ।ମୁଁ କାଢି ଆପଣଙ୍କ ହାତକୁ ବଢାଇ ଦେଲି ।ଆପଣ ଗାଡି ରୋଡ୍ ସାଇଡ୍ ରେ ରଖିଲେ ।ଗିଫ୍ଟଟି ଖୋଲି ଦେଖିଲି ।ହଳେ ପାଉଁଜି ଆଣିଥିଲି ।ଆପଣ ଖୋଲିଲା ବେଳକୁ ପଟେ ପାଉଁଜି ଥିଲା ।ମୁଁ ଆଶ୍ଚର୍ଯ୍ୟ ହେଲି ।ବୋଧ୍ ହୁଏ ଆର ପଟଟି ମୋ ଖଟରେ ପଡିଥିବ ।ପେକିଂ କଲା ବେଳେ ଭୂଲି ଯାଇଛି ବାଇ ମିସଟେକ୍ ।ମୁଁ କହିଲି ମାମ୍ ଭୂଲ୍ ରେ ଆରପଟଟି ଛାଡି ଦେଇଛି କେଉଁଠି ।ଆପଣ ଫେରାଇ ଦିଅନ୍ତୁ ।ମୁଁ ଦୁଇଟିକୁ ଏକାଠି କରି ଆପଣଙ୍କୁ ପରେ ଦେଇ ଦେବି ।ଆପଣ ଟିକେ ହସିଲେ ଆଉ କହିଲେ ..ନୋ ନିଡ୍ ଡିୟର ଏନାଦର୍ ୱାନ୍....ଦିସ୍ ୱାନ୍ ଇଜ୍ ଗୁଡ୍ ....ଏହା କହି ପାଦରୁ ଲୁଗାଟେକି ସେହି ପଟକ ପାଉଁଜି ଆପଣ ଡାହାଣ ପାଦରେ ପିନ୍ଧିଲେ ।ତା ପରେ ମୋତେ ଡ୍ରାଇଭିଂ କରିବାକୁ କହିଲେ ।

ମୁଁ ଡ୍ରାଇଭିଂ କରୁଥିଲି ।ଆପଣଙ୍କ ଆଖି ଝୁମି ଆସୁଥିଲା ।ମ୍ୟୁଜିକ୍ ସ୍ଲୋ ଚାଲୁଥିଲା ।ଆପଣ ହୋସ୍ ରେ ଥିଲେ କି ନା ଜାଣେନି ହେଲେ ପଦଟେ କହିଥିଲେ...ୟୁ ଆର୍ ଦ ବେଷ୍ଟ ....।ମୋ କାନ୍ଧରେ ମଥା ରଖି ଶୋଇ ଯାଇଥିଲେ ।

ଆଃ...ସେଦିନ ଭାବୁଥିଲି ଏ ରାସ୍ତା ନ ସରନ୍ତା କି କେବେ ...ମୁଁ ଏମିତି ଗାଡି ଚଲାଉ ଥାଆନ୍ତି ।ଏକ ଅଦ୍ଭୂତ ରୋମାଞ୍ଚ କର ଅନୁଭବ ...ଭୂଲି ପାରିନି କେବେ ।

ରାସ୍ତା ସରି ଆସିଥିଲା ।ଆପଣ ମୋତେ ଥାଙ୍କସ୍ ଟେ ନ କହି ବି ଘର ଭିତରକୁ ଚାଲି ଯାଇଥିଲେ ।ମୁଁ ଆପଣଙ୍କ ଗାଡି ନେଇ ଫେରି ଆସିଥିଲି ମୋ ଘରକୁ ।ଖଟ ଉପରେ ପାଉଁଜିଟି ବି ପାଇଥିଲି ।

ତା ପର ଦିନ ପଟକ ପାଉଁଜିଟି ନେଇ ଯାଇଥିଲି ଆପଣଙ୍କୁ ଦେବାକୁ ।ଅନେକ ସନ୍ତର୍ପଣରେ ଦେଖିଲି ଆପଣଙ୍କ ପାଦରେ ମୋ ଦେଇଥିବା ଗୋଟିଏ ପାଉଁଜି ହିଁ ପିନ୍ଧିଥିଲେ ।ଆରଟି ଦେବାକୁ କାହିଁକି ଆଉ ମନ ହେଲାନି ।ପକେଟ୍ ରେ ପୁରାଇ ଫେରି ଆସିଥିଲି ।ପ୍ରତ୍ୟେକ ଦିନ ଭାବେ ଆଜି ଦେଇଦେବି ...ପୁଣି ମନ କ’ଣ କୁହେ ଫେରାଇ ନେଇ ଆସେ ।ଛଅ ମାସ ପରେ ଆଫଣଙ୍କର ଟ୍ରାନ୍ସଫର୍ ହୋଇଗଲା, ହେଲେ ଯିବା ଯାଏ ଆପଣଙ୍କ ଗୋଟିଏ ପାଦରେ ଗୋଟିଏ ପାଉଁଜି ହିଁ ଥିଲା ।

ଏ ପାଉଁଜି ବିଷୟରେ ଆମେ କେବେ ବି କଥା ହେଇନୁ ।ଆପଣ ସେଇ ରୁକ୍ଷ ମିଠା ପଣରେ ରୁହନ୍ତି ।ଆମେ ସେମିତି ଆପଣଙ୍କୁ ଦୂରରୁ ଦେଖି ଖୁସି ହେଉଥିଲୁ ।ଆପଣ ଗଲା ଦିନ ସମସ୍ତଙ୍କ ଆଖିରେ ଲୁହ ଥିଲା...ହଁ ,ଆପଣଙ୍କ ଆଖିରେ ବି.....

ଏହା ଭିତରେ ତିନି ବର୍ଷ କଟି ଗଲାଣି ....

ଆଜିଯାଏ ଆପଣ ମୋ ଜୀବନରେ ଏକ ରହସ୍ୟମୟ ନାରୀ ହୋଇ ରହିଗଲେ ।ଆପଣଙ୍କ କଥା ଭାବିଲେ ମୋ ଦେହରୁ ଥକ୍କା ପଣ ମେଣ୍ଟିଯାଏ ।ଏବେ ବି ଅନ୍ ଲାଇନ୍ ରେ ଆପଣଙ୍କ ଗ୍ରୀନ୍ ସିଗନାଲ୍ ଦେଖିଲେ ମୋର ଇର୍ଷା ହୁଏ ।ବେଳେ ବେଳେ ଗୋଟିଏ ସୁନ୍ଦର ମୁହୁର୍ତ୍ତରେ ମୋ ପାଟିରୁ....."ଚିନି କମ"......ଶବ୍ଦଟି ବାହାରି ଆସେ ।

ଏବେ ବେଳେ ବେଳେ ମୋ ସ୍ତ୍ରୀ "ରୋମା"ଖୁବ୍ ଜିଦ୍ କରେ ସେ ପାଉଁଜିଟିକୁ ପିନ୍ଧିବାକୁ ।ହେଲେ ମୁଁ ତାକୁ ଦିଏନି ।ପାଉଁଜିଟି ମୋ ସହ ଅଫିସ୍ ଯାଏ ଆଉ ସାଥୀରେ ଫେରେ ବି ।

ଯଦି କେବେ ଆପଣଙ୍କ ସହ ଦେଖା ହୁଏ ତେବେ ଏ ପାଉଁଜଟି ଆପଣଙ୍କୁ ପିନ୍ଧାଇ ଆରପଟଟି ଖୋଲି ଆଣିବି ନିଜ ଲାଗି ପୁଣି ଥରେ......

ଆଗାମୀ ଏକତିରିଶ ତାରିଖରେ ମୋର ଜନ୍ମଦିନ । ଆପଣଙ୍କୁ ସାଦରେ ନିମନ୍ତ୍ରଣ ରହିଲା l

ଆପଣଙ୍କ ଅପେକ୍ଷାରେ..........

ଇତି

ଆଶିଷ ପଟ୍ଟନାୟକ#


Rate this content
Log in

Similar oriya story from Inspirational