Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚାଲ ବୁଲି ଯିବା ଗାଆଁକୁ
ଚାଲ ବୁଲି ଯିବା ଗାଆଁକୁ
★★★★★

© Kisho Raj

Inspirational

8 Minutes   386    19


Content Ranking

ଥରେ ଯାଅ ତୁମ ନିଜର ମାତୃଭୂମିକୁ, ଯେଉଁଠି ଜଳି ଥିଲା ତୁମର ଏନ୍ତୁଡ଼ି ନିଆଁ। ତୁମର କ୍ରୋଧ, ଦୁଶ୍ଚିନ୍ତା ଦୂରେଇ ଯିବ ନିଶ୍ଚିତ। ଗାଁର ସେହି ବାଲ୍ୟବନ୍ଧୁ, ବାନ୍ଧବୀ, ଗୁରୁଜନ ଓ ସାହି ପଡ଼ିଶା ର ଲୋକଙ୍କୁ ଭେଟି ହୃଦୟର ଶିଖାଟି ପୁନର୍ବାର ଶିହରି ଉଠିବ। ଗାଁର ପୂଲକ୍ ଭରା ପ୍ରଭାତ ଓ ନିସ୍ତବ୍ଧ ରାତ୍ରିର ମଧୁରତା ରେ ମନ୍ତ୍ରମୁଗ୍ଧ ହୋଇ ପଡ଼ିବ। ଗାଆଁ ମୁଣ୍ଡ ସେହି ବୃଦ୍ଧ ଅଶ୍ୱତ୍ଥ ବୃକ୍ଷର ଡାଳ ରେ ଅଗଣିନ୍ତି ବିହଂଗ ମାନଙ୍କର କିଚିରିମିଚିରି କଳରବ୍ ସ୍ଵରରେ ପୁନର୍ଜନ୍ମ ର ତୃପ୍ତି ମିଳେ। ଆକାଶଛୁଆଁ ତାଳବଣ , କଇଁଭରା ପୁଷ୍କରିଣୀ ଓ ସବୁଜିମା ଫସଲର ଚମକରେ ନୟନରୁ ସନ୍ତୋଷର ଅଶ୍ରୁ ଝରି ପଡ଼େ।

ଏଇ ନିକଟ ଅତୀତରେ ମୁଁ ବାହାରି ପଡ଼ିଥିଲି ମୋ ଗାଁର ଅଭିମୁଖେ। ମୋ ନିଜ ଗାଆଁ, ମୋ ମାଆ। ଯେମିତି ମୋତେ ହାତଠାରି ଡାକୁ ଥିଲା। ମନରେ ମୋ ଭୟର ନିଦ ମାଡ଼ି ଆସୁଥିଲା, ଯେମିତି ମୋ ମାଆ କୌଣସି ଦୁର୍ଦ୍ଦିନର ସମ୍ମୁଖୀନ ହେଉଛି।

ବରମୁଣ୍ଡା ବସଷ୍ଟାଣ୍ଡ ରେ ବସି ମଜ୍ଜୀ ଯାଇ ଥିଲି ସେହି ଭାବନାରେ। ହଠାତ୍ ଜଗନ୍ନାଥ ବସ୍ ର ହର୍ଣରେ ବିଚଳିତ ହେଇ ପଡ଼ିଲି। ମୋ ଗାଁକୁ ଏହା ଥିଲା ଶେଷ ବସ୍। ତେଣୁ ନାହିଁ ନ ଥିବା ଭିଡ଼। ଠେଲି ପେଲି ପଶିଗଲି। ଭିଡ଼ ସତ୍ତ୍ୱେ ଝରକା ପାଖ ସିଟ୍ ଟିଏ ପାଇଗଲି।

ବହୁଦିନ ପରେ ଗାଁକୁ ଯାଉଥିଲି, ତେଣୁ ଗାଆଁ ସାଥୀ ମାନଙ୍କୁ ଭେଟିବାକୁ ଭାରି ଉତ୍ସୁକ ହେଇ ପଡ଼ୁଥଲି। ଗାଡ଼ି ଗଡ଼ିଲା ଗନ୍ତବ୍ୟ ସ୍ଥଳ ଅଭିମୁଖେ। ପ୍ରଥମେ ପ୍ରଥମେ ଅଣନିଃଶ୍ବାସୀ ଲାଗୁଥିଲା । ଧିରେ ଧିରେ ମୋ ସିଟ୍ ସହ ମୋତେ ଅଧିକ ତୃପ୍ତି ମିଳିବାକୁ ଲାଗିଲା, କାରଣ ଝରକା ସେ ପାଖର ଦୃଶ୍ୟରେ ଆଖି ମୋର ଖୋଜୁଥିଲା, ସେହି ପିଲା ଦିନର, ମନରେ ଉଙ୍କି ମାରି ଆସୁଥିବା ଅର୍ଦ୍ଧସ୍ପଷ୍ଟ ସ୍ମୃତିକୁ ପୁନର୍ବାର ସାଉଁଟିବାକୁ। ମନରେ ମୋ କଳ୍ପିତ ହେଉଥିଲା କି, ମୋ ଗାଁ ଏମିତି ହେଇଥିବ, ସେମିତି ହେଇଥିବ, ନା, ମୁଁ ତାକୁ ଯୋଉଠି ଛାଡ଼ି ଆସିଥିଲି, ସେଇଠି ପଡ଼ି ରହିଥିବ? ଏମିତି ଅଗଣିତ ଭାବନାରେ ମନ ମୋ ଭାରୀ ହେଇ ଯାଉଥାଏ।

ପ୍ରତି ବସଷ୍ଟପ ରେ ଗାଡ଼ି ରହୁଥାଏ। ଯେତିକି ଲୋକ ଓହ୍ଲାଉ ଥାଆନ୍ତି, ଦୁଇ ଗୁଣା ଅଧିକ ଚଢ଼ୁ ଥାଆନ୍ତି। କ୍ରମେ ଗାଡ଼ିଟି ସାନ୍ଦି ହେଇ ଯାଉଥାଏ ବିଭିନ୍ନ ଧର୍ମର, ବିଭିନ୍ନ ଜାତିର, ବିଭିନ୍ନ ଗାଆଁ ଗଣ୍ଡାର ଦିଣ୍ଡା, ଦଣ୍ଡା,ବାଳୁଙ୍ଗା, ଚଣ୍ଡୀ, ବୁଢ଼ା,ବୁଢ଼ୀ ଓ ଏଣ୍ଡିମେଞ୍ଚି ମେଞ୍ଚଡ ଛୁଆ ଗୁଡିକରେ। କିଛି ବୁଢ଼ା ଧୋତି ଖଣ୍ଡେ ଖଣ୍ଡେକୁ ଗେଞ୍ଜି ଟିଏ ପିନ୍ଧି ଥିଲା ବେଳେ ବୁଢ଼ୀ କେଇଜଣ କେବଳ କସ୍ତା ଲୁଗାଟିଏ ଗୁଡେ଼ଇ ହେଇ ପଡିଥିଲେ।

ଚିରା ଫଟା ଜିନସ୍ କୁ ବ୍ୟାକ୍ ଲେସ୍ ଟପ୍ ରେ କଲେଜ୍ ପଢୁଆ ଝିଅଟିଏ କାନରେ ପଘା ସଦୃଶ ହେଡ୍ ଫୋନ୍ ଟି ଗେଞ୍ଜୀ ଦେଇ ବସିଥିଲା ମୋ ଆଗ ସିଟ୍ ରେ। କିଛି ଲଫଙ୍ଗା, ବାଳୁଙ୍ଗା ଙ୍କ ଲାଳଭିଜା କୁତ୍ସିତ ଚାହାଣୀରେ ଯେମିତି ଗାଧୋଉ ଥିଲା ସେ। ଝିଅଟିର ନିଘା ନ ଥିଲା ଏ ପ୍ରତି , ନା ସବୁ ଜାଣି ନ ଜାଣିବାର ବାହାନା କରୁଥିଲା?

କିନ୍ତୁ ମୋତେ ଭାରି ଘୃଣା ଲାଗୁଥିଲା ସମାଜର ଏହି ଯୁବକଙ୍କ ଉପରେ ଯେଉଁମାନେ ଭବିଷ୍ୟତରେ ଦେଶକୁ ଆଗକୁ ନେବାର ଶପଥ ନିଅନ୍ତି। ଅନ୍ଧାରରେ ସଦ୍ୟ କଢ଼ି ମୁଖରେ ବୁଜୁଳା ଦେଇ, ମୃଦୁ ପାନୀୟ ଢୋକା ରେ ତାର ଉଷ୍ମତାକୁ ହରିନେଇ, ଦିବାଲୋକରେ ନିର୍ଯାତନା ବିରୋଧରେ ସ୍ଲୋଗାନ ର ଓଡ଼ି ମାରନ୍ତି। ଛି!

ଏମିତି କିଛି ଘଟଣାକୁ ଅଣଦେଖା କରି ମୁଁ ମୋ ଯାତ୍ରାର ଉଷ୍ମତା ରେ ସିଝିବାକୁ ଚାହୁଁ ଥିଲି। ବସ୍ ଟି ମୋ ପଡୋଶୀ ଗାଁରେ ପ୍ରବେଶ କଲା। ଖରକାର ସେ ପାଖେ ଧାବମାନ ସୁନ୍ଦର ସବୁଜ ଡେଙ୍ଗା ଗଛ ଗୁଡ଼ିକ ଯେମିତି କାହାର ପିଛା କରୁଥିଲେ। କିନ୍ତୁ ପଛରେ ରହି ଯାଉଥିଲେ। ସେ ଦୃଶ୍ୟ ମୋ ଚକ୍ଷୁକୁ ଯେପରି ଆନନ୍ଦ ଦେଉଥିଲା, ଭାଷାରେ ପ୍ରକାଶ କରି ହେଉନି। ଶୀତଳ ସୁମଧୁର ସମୀରରେ ଅବିଶ୍ରାନ୍ତ ଭାବନାକୁ ଥାପୁଡ଼େଇ ଦେଇ ମୋ ହୃଦୟର ଦୁର୍ଗମ ଅଞ୍ଚଳରେ ଯେମିତି ସ୍ଥାନ ଅଧିକାର କରି ନେଉଥିଲା। ମୁଁ କେବଳ ଉପଭୋଗ କରିଥିଲି ସେହି କ୍ଷଣ ଟିକୁ ଏବଂ ଏ ସବୁ ସୁନ୍ଦର ଲୁକାୟିତ ଉପହାର ପାଇଁ ଧନ୍ୟବାଦ ଦେଉଥିଲି ତାକୁ।

ଯେତେବେଳେ ବସ୍ ଟି ଗାଁରେ ପ୍ରବେଶ କଲା, ମୋ ହୃଦୟ ବ୍ୟାକୁଳ ହେଇ ପଡ଼ିଲା। ବସ୍ ଟି ଅଟକି ଗଲା ସେଇ ବୁଢ଼ା ବରଗଛ ମୂଳେ, ଯାହାର ଓହଳରେ ମୋ ବାଲ୍ୟ ସାଥୀ ସବୁ ମିଶି ଦୋଳି ଖେଳୁ ଥିଲୁ। ବର ଓହଳ ର ଚେର ପକେଟ୍ ରେ ପୂରେଇ ବିଦ୍ୟାଳୟକୁ ଯାଉଥିଲୁ, ଯେବେ ଘରପାଠ ସମ୍ପୂର୍ଣ୍ଣ ହେଇ ନଥାଏ। ଚେର ପକେଟ୍ ରେ ରଖିଲେ କୁଆଡେ ମାଡ଼ ହୁଏନି, ଏ ଧାରଣା ଥିଲା ଆମ୍ଭର। ଯାହାକି ଏବେ ବି ମୋ ଓଠରେ ବୋକାମୀ ଓ ପିଲାଲିଆମିର ହସଟିଏ ଆଙ୍କି ଦିଏ।

ଦୁଲ୍ କିନା ଓହ୍ଲାଇ ପଡ଼ିଲି। ମୋ ନୟନରୁ ଦୁଇ ଧାର ପାଣି ଝରି ପଡ଼ିଲା। ମଥାନତ କରି ମୋ ମାତୃଭୂମି, ମୋ ଗାଁ, ମୋ ମାଆର ପାଦ ଧୂଳି ଟିକେ କପାଳରେ ବୋଳି ଦେଇ କୃତଜ୍ଞତା ଜଣାଈଲି, କି ମୋ ଭଳି ଅଭାଗା, ଅଯୋଗ୍ୟ ସନ୍ତାନ ଟିଏ କୁ କୋଳରେ ବଢେଇଛି ବୋଲି, ଯିଏ କି ଆଜି ଯାଏଁ ମାଟି ମାଆ ପାଇଁ କିଛି ବି କରି ପାରିନି। ନିଜକୁ ଧିକ୍କାର ଲାଗୁଥିଲା, ତଥାପି ପୁନର୍ବାର ମାଆ କୋଳରେ ଆଉ ଥରେ ମୁଁହ ପୋତି କାନ୍ଦିବାକୁ ଚାହୁଁଥିଲି।

ପାଦ ବଢ଼େଇଲି ଗାଆଁ ଭିତରକୁ। ସଞ୍ଜ ହେଇ ଆସୁଥାଏ। ମହିମା ଅଲେଖ ଟୁଙ୍ଗି ରେ ଖଞ୍ଜଣି ମାଡ଼ ଓ ଜଣାଣ ବ୍ୟତୀତ କୌଣସି ଶୋର୍ ଶବ୍ଦ ଶୁଭୁ ନଥାଏ। ମୋ ଗାଁ ରାସ୍ତାର ଦୁଇ କଡ଼ ରେ କେତେ ଯେ ଗଛ ଥିଲା। କାହିଁ ଗଲା ସବୁ। ଯାହାର ଡାଳରେ ଡାଳ-ମାଙ୍କଡ଼ି ଖେଳୁ ଥିଲୁ ଆମେ ପିଲାଦିନେ। ଗାଆଁ ଦାଣ୍ଡର ଦୁଇ ଧାରରେ ସେଇ କାଦୁଅ, ପାଣି, ପୋଚ ଭରା ନୟନଯୋରି, ଯହିଁରେ ମୁଁ କାଗଜ ଡଙ୍ଗା କରି ଭସାଉଥିଲି, ବନିଶୀ କଣ୍ଟାରେ କେରାଣ୍ଡି ଧରୁଥିଲି। ଓଃ ଆଚ୍ଛା! ମୋ ସହ ଲୁଚକାଳି ଖେଳୁଛନ୍ତି ସେମାନଙ୍କ ବାଲ୍ୟ ବନ୍ଧୁ କୁ ପାଇ ! ନାଇଁ। ସେ ସବୁ କଂକ୍ରିଟ ରାସ୍ତା ତଳେ ସମାଧି ନେଇ ସାରିଛନ୍ତି। ଗଛ ଗୁଡ଼ିକ ନିର୍ମମ ଭାବରେ ହଣା ଖାଇଛନ୍ତି। ଏହି କଟୁ ସତ୍ୟରେ ଆଖି ମୋର ପୁନର୍ବାର ଜକେଇ ଆସୁଥିଲା କି, କାହାର ସ୍ଵରରେ ଟିକେ ଅନ୍ୟମନସ୍କ ହୋଇ ପଡ଼ିଲି।

"କେବେ ଆସିଲୁ ରେ ପୁଅ? ବାପା, କଣ କରୁଚୁ ଏବେ? କୋଉଠି ରହୁଚୁ?" - ଏମିତି କିଛି ପ୍ରଶ୍ନ।

ସ୍ୱର ଟି ଯେମିତି ଆପଣାର ଲାଗୁଥିଲା। ଲାଗିବନି କେମିତି ଯେ? ମୋ ଜେ'ପା ଙ୍କ ବୟସର ହେବେ, ଯାହାଙ୍କ କାନ୍ଧରେ ବସି କେତେ ଯେ ଯାନି ଯାତ୍ରା, ମେଲଣ ବୁଲିଛି ପିଲାଦିନେ। ମୁଣ୍ଡରେ କେଇ ଗଣ୍ଡା ଧୋବଲା ବାଳ, ଚମ ଧୁଡୁଧୁଡୁ। ଆଖି ପଶି ଯାଇଥିଲା କୋରଡ ଭିତରେ। ହାତରେ ବଙ୍କୁଲି ବାଉଁଶ ଠେଙ୍ଗା ଟିଏ। ପାକୁଆ ପାଟିରେ ଦୋକତା ପାକୁଳି କରୁଥିଲେ। ମୋର ପରିଚୟ ଦେଲି। ଅଣ୍ଟାକୁ ବଙ୍କେଇ ବଙ୍କେଇ ପାଖକୁ ଆସି ମୋ ମୁଣ୍ଡକୁ ଆଉଁସି ଦେଲେ। ମେଲାଣି ମାଗି ଆଗକୁ ବଢ଼ିଲି। ଅନ୍ଧାର ଗଳି ସଦୃଶ ଦାଣ୍ଡର ଖାଲ ଢିପ ସହ ମୁଁ ସଂପୂର୍ଣ୍ଣ ଜଡ଼ିତ। ଯାହାର କୋଳରେ ବସି କେତେ ଯେ ଧୂଳି ଖେଳିଛି, ମିଛି ମିଚ୍ଛିକା ଭାତ ତିଆଣ ରାନ୍ଧିଛି, କୁଆଡେ ଗଲେ ସବୁ। ଖାଲ ଢିପ ସବୁ ପୂରି ଯାଇଛି ସିମେଣ୍ଟ, ବାଲିର ମସଲା ଫେଣ୍ଟାରେ।

ହ୍ୟାଙ୍ଗ ଓଭର ରେ ମହନି ଝରାର ଯାତ୍ରା ଡାଇଲଗ୍, କନ୍ଦର୍ପ ଡମ ର ସହରୀ ବଙ୍କେଇ ଭାଷା, ଆଉ ସୁକ ଅଜା ର ମେଳାପୀ ବ୍ୟଙ୍ଗରେ ଗାଆଁ ଦେଶକୋଠ ସନ୍ଧ୍ୟା ପ୍ରକମ୍ପିତ ହେଉଥିଲା, ଗାଆଁ ବେକାରୀଙ୍କ ପୁନଃ ପାକୁଳିରେ।

ଘରେ ଆରାମରେ ପହଞ୍ଚିଲି, କାରଣ ଯେଉଁ ବୁଲା କୁକୁରଙ୍କ ଭୟରେ ମାଆ ର କାନି ଧରି ଚାଲୁ ଥିଲି ଛୋଟ ବେଳେ, ବୋଧ ହୁଏ, କୋଉ ମରୁଭୂମିର ବାଲି ଝଡରେ ବାଟବଣା ହେଇ ଯାଇଥିଲେ ସବୁ।

ରାତିରେ ନିଦ ଆସିଲାନି। ସେ ସବୁ ଆନ୍ଦୋଳିତ କରୁଥିଲା ମୋତେ। ପିଲାବେଳେ ଜେଜୀ ର କାହାଣୀ ପେଡିରୁ ବୁଢ଼ୀ ଅସୁରୁଣୀ , ମଣ୍ଡାଖିଆ ଅସୁର ଗପ ସବୁ ଶୁଣି ଭୟରେ ତାହାରି କାନିରେ ମୁହଁକୁ ଲୁଚେଇ ଶୋଇ ପଡ଼ୁଥିଲି। ନ ହେଲେ ପରୀ ରାଇଜ କାହାଣୀ କିବା ନାନବାୟା ଗୀତରେ ମାଆ ର ସ୍ନେହ ଭରା ଥାପୁଡ଼ା ରେ ଶେଯ ଶୁଙ୍ଘୁ ଶୁଂଘୁ ନିଦ ଆସି ଯାଉଥିଲା।

କୌଣସି ମତେ ରାତି କଟିଲା। ଯେହେତୁ ସାହିତ୍ୟରେ ରୁଚି ଥାଏ ମୋର, ବାଲ୍ୟଵନ୍ଧୁ ସହ ତାହାର ଭଙ୍ଗା ସାଇକେଲ ରେ ଆଗରେ ବସି ବାହାରି ପଡ଼ିଲି, ପଲ୍ଲୀର ସୁର୍ୟୋଦୟକୁ ଉପଭୋଗ କରିବାକୁ ନଦୀ ପଠାକୁ।

ମନେ ପଡୁଥାଏ, ପିଲାଦିନର ସେ ସ୍ମୃତି ସବୁ। ପାହାନ୍ତ୍ତାରୁ ଉଠି ନିଆଁ ପୋଇଁବାକୁ ଧାଇଁ ଯାଉଥିଲି ଚୌଧୁରୀ ବୁଢ଼ା ଖୁଳୀ ମୁହଁ କୁ। ଅଘସା ପାଟିରୁ ଆମ୍ବିଳା ଭରଭର କୋଳି ସବୁ ଚୋବେଇ ପକାଉଥିଲି। ରୋଦନା ବୁଢ଼ୀ ଗାଣ୍ଡୁଆ ଟିରେ ଖତ ପକେଇବାକୁ ନେବା ଦୃଶ୍ୟ କେବେବି ମନରୁ ଲିଭି ପାରେନା।

କୁନା, କୁନି ଙ୍କର ପଣିକିଆ ମଗେଇବାର ମଧୁର କୋଳାହଳ ଶୁଣି ପୁନର୍ବାର ସେଇ ପୁରୁଣା ଦିନକୁ ଫେରି ଯିବାକୁ ଇଚ୍ଛା ହୁଏ। ଦରୋଟି ଭାଷାରେ ଅଝଟ କରିବା, କୁକୁର ଲାଞ୍ଜ ଝିକିବା, ପ୍ରଜାପତି ଧରିବା ଓ କଙ୍କି ପଛରେ ଗୋଡେଇବା ଆଦି ଚପଳାମି କିଏ ଯେ ପାଶୋରି ପାରିବ?

ଗାଆଁ ମୁଣ୍ଡ ପୋଖରୀରେ ତରୁଣୀ ଓ ନବ ବିବାହିତା ମାଇକିନିଆଙ୍କ ଅର୍ଦ୍ଧ ଫୁଙ୍ଗୁଳା ଶରୀରର ଅପୂର୍ବ ଗଠନର ଲୋଭାୟିତ ଝଲକ ଲଂପଟ ସନ୍ନ୍ୟାସୀର ଚକ୍ଷୁ କୁ ପୂର୍ଣ୍ଣ ସନ୍ତୁଷ୍ଟି ଦେଇ ଥାଏ।

ନଦୀ ଘାଟକୁ ଶଖାୟିତ ଦାଣ୍ଡିରୁ ସ ଠିକ ଗୁଳା ଟିକୁ ବାଛିବାରେ ବିଫଳ ହେଲି। ବନ୍ଧୁର ସ୍ନେହଭରା ତାଚ୍ଛଲ୍ୟର ନିର୍ଦ୍ଦେଶରେ ଅଗ୍ରସର ହେଲି।

ସଦେଇ ସେଠୀ ର ସମାଧି ପାର ହେଇ ନାଳରେ ପଶିଲି। ପରେ ପରେ ଆମ୍ବତୋଟା, ଯହିଁରେ ବାରମାସି ଆମ୍ବ ଗଛ ଟିଏ ଅଛି। ଦିନ ଦ୍ବିପ୍ରହରରେ ପକେଟ୍ ରେ ଲଙ୍କାଲୁଣ ପୁଡିଆଟିଏ ପୁରେଇ କେତେ ଯେ ଆମ୍ବ ଖାଇ ପାଟି ଘା କରିଥିଲି, ମନେ ପଡ଼ୁଥିଲା ମୋର। କଜ୍ଜଳପାତି ର ସୁମଧୁର କୁହୁ କୁହୁ ତାନରେ ଶ୍ରୀୟା ଘୋଷାଲ ବି ପଛରେ ପଡିଯିବ। ଆମ୍ବ ବଉଳର ଅପୂର୍ବ ମହକରେ ବିମୋହିତ ହେଲି। ବେଗୁନିଆ ଦାନ୍ତକାଠି ଟିଏ ଖୁନ୍ଦି ଖୁନ୍ଦି ଆଗେଇଲି। କିନ୍ତୁ, କାହାକୁ ବହୁତ ମିସ୍ କରିଥିଲି। ବର୍ଣ୍ଣବୋଧ ର ସେଇ ଦି ଧାଡ଼ି ଏବେବି ମନେ ପଡେ,

" ରାତି ପାହଲାଣି ରାବ - ଇ କାଉ,

ଉଠ ଉଠ ମଠ ନ କର ଆଉ ।"

କାହିଁ ଗଲା ସେ କାକ ରାବ, ଗଞ୍ଜା କୁକୁଡ଼ା ର ଆଲାରାମ୍ ଘଡ଼ି। ମନେ ଦ୍ଵନ୍ଦ ବଢ଼ିବାକୁ ଲାଗୁଥାଏ।

ହଠାତ୍, ନଦୀ ସେ ପାଖ କୁହୁଡିଆ ପାହାଡ଼ର ଦିଗବଳୟ ରୁ ମୁହଁ କାଢୁ ଥିବା ସିନ୍ଦୂର ଟୋପା ସଦୃଶ ଦିବାକର ଙ୍କୁ ଦେଖି ସବୁ କ୍ଲେଶ ଭୁଲି ଗଲି। ଥୁଣ୍ଟା ତାଳ ଗଣ୍ଡିରୁ କେତେ ପୁଞ୍ଜା ଶୁଆ ସେଇ ନାଲି ଫଳ ଆସେ ଉଡ଼ି ଯାଉଥିଲେ। ମନର କଳପଟ୍ଟା ରେ ସେଇ ଦୃଶ୍ୟ ଟିକୁ ସବୁଦିନ ପାଇଁ ଛାପି ନେବାକୁ ଚାହୁଁ ଥିଲି। ସ୍ମୃତି ର ମୁଣିରେ ଲୁଚେଇ ଦେବାକୁ ଚାହୁଁଥିଲି।

ଅନାବନା ସବୁଜ ଗୁଳ୍ମ ଉପରେ ଶିଶିର ବିନ୍ଦୁ ଗୁଡ଼ିକ ମୋତି ସମ ଚମକୁଥିଲେ। ପ୍ରକୃତି କାକର ବୁନ୍ଦା ରୂପକ ଆଣରେ ବୁଢିଆଣୀ ଜାଲରେ ଆଙ୍କି ଥିବା ରଙ୍ଗୋଲି ପ୍ରଭାତର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିଲା। କାଉଁଶୀ ନଟିରେ ଧଳା ଫୁଲ ସବୁ ସୁଲୁସୁଲୁ ପବନରେ ଦୋଳି ଖେଳୁ ଥାନ୍ତି। ବଗୁଲୀ ନାନୀ ଗୋଟେ ଟାଙ୍କ ଟେକି ପାଣିରେ ତାର ପ୍ରତିବିମ୍ବକୁ ଚାହିଁ ବସିଥିଲା। ବାୟା ବବାର ମକା କିଆରୀରେ ସେଇ ପାଳ ଭୂତ ଆଜି ବି ସେମିତି ଠିଆ ହେଇଛି।

କି ମନୋରମ ଦୃଶ୍ୟ ଥିଲା ସେଇ !

କିନ୍ତୁ, ସେ ଖୁସି ଟିକ ପାଣି ଫୋଟକା ଭଳି ଫୁଟିଗଲା, ଯେତେବେଳେ ବ୍ରାହ୍ମଣୀ ନଈ ର ଲୁହରେ ପାଦ ଧୋଇବାକୁ ଯାଉଥିଲି।

ମନରେ ମୋ L. A Tennyson ଙ୍କ "The Brook" କବିତାର ପ୍ରତିଟି ପଂକ୍ତି କୁ ଗୁଣୁ ଗୁଣାଉ ଥିଲି। ମୋ ଆଗରେ ଭାସି ଯାଉଥିଲା, କିଛି ଅପରିଷ୍କାର, ଆବର୍ଜନା, ମଇଳା ଓ ମୂର୍ତ୍ତିର ପୂତୁଳା। ହୃଦୟର ଜ୍ଵଳା ହୁତାଶନ ଭଳି ପୋଡ଼ି ପକାଉଥିଲା ସେ କବିତାର କବିର ଭାବନାକୁ।

ଯାହାବି ହେଉଥିଲା, କିଛି ଠିକ୍ ହେଉ ନଥିଲା। ବୁଝି ପାରୁଥିଲି ମୋ ମାଟି ମାଆ ର ବେଦନା କୁ। ସୃଷ୍ଟିର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଥିବା ଗାଆଁ ଆଜି କୋକେଇ ଶର୍ଯ୍ୟାରେ ଶୋଇଛି।

ଚାଷୀ ଭାଈ ର ହଳୁଆ ଗୀତ, ବିଲ ମଝିରେ ଶୁଖୁଆ ପୋଡାକୁ ପଖାଳ ଭାତ, ରାଜଧାନୀର ସେଣ୍ଟ୍ରାଲ ଏ.ସି ରେଷ୍ଟୁରାଣ୍ଟ ଠାରୁ କେଇ ଗୁଣରେ ଅଧିକ ଶାନ୍ତି ଦିଏ। କିନ୍ତୁ, କାହିଁ ସେଇ ଦୃଶ୍ୟ, କାହିଁ ସେଇ ଶସ୍ୟ ଭରା ଶଗଡ଼ ଗାଡ଼ି।

ନା, ଗାଁରେ କେବଳ କେଇ ଯୋଡ଼ା ବଳଦ, କିନ୍ତୁ ନଥିଲା ଲଙ୍ଗଳ କଣ୍ଟି। ବିଜ୍ଞାନର ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ର ବ୍ୟବହାର ଯୋଗୁଁ ଦେଶୀ ଲଙ୍ଗଳ, ମଇ, କୋଡି, କୋଦାଳ ଓ ଶାବଳ ଗୁଡ଼ିକ ସଂଗ୍ରହାଳୟ ଅଭିମୁଖେ ଯାତ୍ରା କଲେଣି।

ମୁଁ ଯେଉଁ ଚାଟଶାଳୀ ରେ ଅ, ଆ, ଚକ, କଳ, ନଳ ଶିଖି ଆଜି ଗାଆଁ ବିଷୟରେ ଦି ଧାଡ଼ି ଲେଖିବାକୁ ଚେଷ୍ଟା କରୁଚି , ତାହା କୁଆଡେ ହଜି ଗଲାଣି। ସିଙ୍ଗାଣି ନାକି ମାନେ ଆଉ ଆମ୍ବ ତୋଟାରେ ରଜଦୋଳି ବାନ୍ଧି ବଣରେ ହାତୀ ଡାକୁଚି ନା ନାହିଁ ଶୁଣିବାକୁ ଇଚ୍ଛୁକ ନୁହନ୍ତି। କୁଆଁର ପୁନେଇ ରେ ଜହ୍ନକୁ ଲିଆ ଫିଙ୍ଗି ଖେନ୍ତେଇ ହବାକୁ ଝିଅ ଆଉ କୁଆଁରୀ ହେଇ ରହିବାକୁ ଚାହୁଁନି।

ଏଣ୍ଡୀମେଞ୍ଚି ସବୁ କ୍ରିକେଟ୍, ଲୁଡୁ, ଚେସ୍ ଓ ଭିଡ଼ିଓ ଗେମ୍ ର କାରୟିତ ହେଇ ଗିଲି ଦଣ୍ଡା, କାଚ ବାଟି, ବୋହୁଚୋରି, ଲୁଚକାଳି ଓ କାଚ କଉଡ଼ି ଖେଳର ମହତ୍ତ୍ଵ ଭୁଲି ଗଲେଣି। ଏଗୁଡ଼ିକ ଯେମିତି ଖେଳର "ରେଡ୍ ଡାଟା ପୁସ୍ତକ" ରେ ଛପା ହେଇ ସାରିଲେଣି।

କିନ୍ତୁ, କିଛି ପ୍ରଥା, ସଂସ୍କୃତି ଓ ପରମ୍ପରା ଗାଁରେ ଆମ ବଞ୍ଚି ରହିଛି। ଯେମିତିକି ଅଗଣାରେ ତୁଳସୀ ମୂଳେ ସନ୍ଧ୍ୟା ଦୀପ, ଗାଆଁ ଦାଣ୍ଡରେ ପଣା ଦେବା, ଶିଶୁର ୨୧ଆ ଓ ବର୍ଷ ପୂରଣି, ଷ ଠି ପୂଜା, ତ୍ରିନାଥ ମେଳା ଓ ସତ୍ୟ ନାରାୟଣ ପାଲା ଇତ୍ୟାଦି।

ତଥାପି ସହରୀ ଜୀବନ ଠୁ, ଗାଁର ମଫସଲି ଜୀବନରେ ବହୁତ ସନ୍ତୁଷ୍ଟି ଓ ଆନନ୍ଦ ମିଳିଥାଏ। ତାର ମଧୁର ପରିବେଶ, ଶାନ୍ତି ଜୀବନ, ପରିଷ୍କାର ପାଣି ପବନ ଯୋଗୁଁ ଗାଆଁ ମହତ୍ତ୍ଵ ବଢି ଥାଏ। ଗାଆଁ ଲୋକମାନଙ୍କର ଯତ୍ନ, ଭାଈ ବନ୍ଧୁ କୁଟୁମ୍ବ ଙ୍କ ସହଯୋଗ, ଆଚାର ବ୍ୟବହାର ଓ ଯାନି ଯାତ୍ରା ମେଲଣ ର ଆନନ୍ଦ ସହରୀ ଜୀବନ ଠୁ ବାରି ହେଇ ପଡ଼େ।

ତୁମ ମାତୃଭୂମି ଗାଁ

Rate the content


Originality
Flow
Language
Cover design

Comments

Post

Some text some message..