Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Kisho Raj

Inspirational


3  

Kisho Raj

Inspirational


ଜେଜେବାପା

ଜେଜେବାପା

14 mins 555 14 mins 555

ଏ...କେ, ଦୁ...ଉଇ, ତି...ଇନି, ଚା...ଆରି, ସା...ଆତେ..

- ଶୁଖିଲା ଖଣ୍ଡି କାଉଁରିଆ କାଠିକୁ ହାତରେ ଏପଟ ସେପଟ କରି ମୁଁ ଗଣିବା ଶିଖୁ ଥିଲି।


ଆଣ୍ଠୁ ଉପର ଯାଏଁ ବେରଙ୍ଗୀ ପେଣ୍ଟଟିଏ ପିନ୍ଧି ଥାଏ। ମାଟି କୋଡ଼ରେ ଡେରି ହେଇ ଅସନା ଧଳା ଗେଞ୍ଜୀଟି ବେଶି ମାଟିଆ ଦିଶୁଥାଏ। 


କଣ, ଚାରି ପରେ ସାତେ? ବେଶି ଫାଜିଲ୍ ହେଇଗଲୁଣି। ସବୁ ପୋଡ଼ି ଖାଇ ସାରିଲାଣି।, ମୋଟା ଗଳାରେ ସେ କହିଲେ। 


ମୁଁ ଶଙ୍କାରେ ତାଙ୍କ ମୁହଁକୁ ଅନେଇଲି। ବଡ଼ ବଡ଼ ଆଖି କରି ଜେ'ପା ମୋତେ ଚାହିଁ ଥାଆନ୍ତି। ସାମାନ୍ୟ ମଳିଛିଆ, ଲମ୍ବା, ମଧ୍ୟମ ଶରୀର। ଗୋଲ୍ ମୁହଁ, ଶୁଆ ନାକ। ଗେରୁଆ ଧୋତିକୁ କଛା ମାରି ପିଣ୍ଡାରେ ଗୋଡ଼ ଲମ୍ବେଇ ମୋ ସାମ୍ନାରେ ବସି ମୁଢ଼ି କଳେ କଳେ ପାଟିରେ ପକାଉ ଥାଆନ୍ତି। ବେଲାରେ ଅଧବେଲେ କ୍ଷୀର ଚାହା ଶୋଷାଡି ନେଉଥାନ୍ତି। 


କାନଟାକୁ ଟିକେ ମୋଡ଼ି ଦେଇଛନ୍ତି କି ନାହିଁ, ମୁଁ ଭେଁ କରି କାନ୍ଦି ଉଠିଲି। ଘରଟା କମ୍ପେଇ ଦେଲି। ଭଲ କି ମୋଡ଼, ପାଠ ଜମା ପଢୁନି। କାହାରି କଥା ଶୁଣୁନି।, ଦୁଆର ମଝିରେ ପିଢ଼ା ଉପରେ ବସି ସାନ ଦାଦା କହି ଉଠିଲେ। କିନ୍ତୁ, ଜେ'ପା ମୋତେ ଝିକି ନେଇ କୋଳରେ ବସେଇଲେ। ମୁଢ଼ି ଦାନା ଦିଟା ମୋ ପାଟିରେ ପୁରେଇ ଦେଲେ। ଆଖିରେ ଲୁହ ଟୋପେ ନାହିଁ। କିନ୍ତୁ, ସୀଙ୍ଗାଣି ଭୁଡୁ ଭୁଡୁ। ମୁଢ଼ି ଦାନାକୁ ଚୋବେଇ ଯାଉଥାଏ। କାନ୍ଦ ପୂରା ବନ୍ଦ। ସମସ୍ତେ ମତେ ଅନେଇ ହସୁ ଥାନ୍ତି। 


ଏଇନେ ରଡ଼ି ଛାଡୁଥିଲା। ହେହେ... ଏଇଟା ପାଠ ଠକଟା ମ।, ଦାଦା କହି ଚାଲିଥିଲେ। କିନ୍ତୁ, ମୁଁ ମୁଢ଼ି ପାକୁଳି କରି ଚାଲି ଥିଲି। 


ନା ଥିଲା ବ୍ୟସ୍ତତା, ନା କ୍ୟାରିଅର ଚିନ୍ତା। ଖାଇତେ, ପିଇତେ ଆଉ ଢୁଲେଇତେ। ବାସ୍! ହଷ୍ଟେଲ ପଢାଟେବୁଲ୍ ପାଖରେ ବସି ମୁଁ ମନେ ପକାଉ ଥିଲି। ସାମ୍ନା କାନ୍ଥକୁ ଚାହିଁ। ପିଲା ଦିନର ମନେଥିବା କିଛି ସ୍ମୃତି ସାଉଁଟି ଚାଲିଥିଲି। 


ସକାଳୁ ପେଟେ ଖାଇ ଦେଇ ବାଲି ଧୂଳିରେ ଖେଳୁ ଥିଲି। ମାଆ ପୋଖରୀକୁ ଗାଧୋଇ ଗଲା ବେଳେ, ତାର କାନି ଧରି, ମତେ ନେ ବୋଲି କହି ଦାଣ୍ଡରେ ଗଡ଼ି ଯାଉଥିଲି। କେବେ କେବେ ଜେ'ପା ମୋତେ ଭୁଲେଇ ଭିଡ଼ି ନେଉଥିଲେ, କିନ୍ତୁ ବହୁତ୍ ଥର ମାଆ କାଖରେରେ ବସି ଯିବାକୁ ଅଡି ବସୁଥିଲି। ଏଡିକି ଦୁଷ୍ଟ ଥିଲି ଯେ, ଯେମିତି ଏହି ଧାଡ଼ି ଟି ମୋ ପାଇଁ କୁହାଯାଏ। ଚାଲି ଗଲା ଶଗଡ଼ରେ ହାତ ମାରିବା। ଲଙ୍ଗଳା ହେଇ ବାଡି ଟିଏ ଧରି କାଉ କୁକୁର ପଛରେ ଗୋଡାଉଥିଲି। ଦାଣ୍ଡ ପିଣ୍ଡାରେ ଜେ'ପା କୋଳରେ ବସି ସଞ୍ଜେ ସକାଳେ ହାତ ଗୋଡ଼ ଖଜ ବଜ କରୁଥିଲି। ଗାଆଁ ଦାଣ୍ଡରେ ଗ କରି, କୁକୁରକୁ ଡାକୁ ଥିଲି। ଆ, ପୁଃସ୍। କୁକୁର ପଲ ଗୋଡ଼ାନ୍ତି। ଏବେବି ପିଚାରେ କୁକୁର ଦାନ୍ତ ଦାଗ ସ୍ପଷ୍ଟ ଜଣା ପଡେ। 


ଅ, ଆ ଠୁଁ ଆରମ୍ଭ କରି କ, ଖ ଆଉ ଗ ସବୁ ବଡ଼ଭାଇର ପୁରୁଣା ଭଙ୍ଗା ସିଲଟରେ ଶିଖିଲି। ଶ, ଷ ଆଉ ସର ଫରକ ଜାଣିବାକୁ ମୋତେ ବେଶି ସମୟ ଲାଗିଲାନି। ଗଣିବା ଠୁଁ ଆରମ୍ଭ କରି ୧୦କ ପଣିକିଆ, ଆଉ ନାଆଁ ଲେଖିବା ସବୁ ଜେ'ପାଙ୍କ ବଡ଼ ବଡ଼ ଆଖି ଡରରେ ଘୋଷି ପକେଇଥିଲି। ବଡ଼ ଇସ୍କୁଲୁ ଯିବା ପୂର୍ବରୁ ଅଙ୍ଗନବାଡ଼ି ଗହମ ଜାଉ ଖାଇ, ପଢିଲି, ଝୁଲ୍ରେ ହାତୀ ଝୁଲୁ, ବାଆ ପାଣି ଖାଇ ଫୁଲୁ। ବର୍ଣ୍ଣବୋଧଟା ସାରି ପାରିଲିନି ଆଜି ଯାଏଁ, କିନ୍ତୁ,


ବିଲୁଆ ବଡ ଚତୁର, ପଇଡ଼ ବଡ ମଧୁର।

ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ।


ଏଇ ଧାଡ଼ି ଦିଟା ଏମିତି ମୁଖସ୍ଥ କରି ଦେଇ ଥିଲି ଯେ ଆଜି ଯାଏଁ ଭୁଲିନି। 


ମାଙ୍କଡ଼ ଖାଏ କାଙ୍କଡ଼ କଷି, ବାଙ୍କ ବାବୁଙ୍କ ବାଡ଼ିରେ ପଶି। ଏହି ଧାଡ଼ିଟିକୁ ଘୋଷି ଘୋଷି, ସିଲଟରେ ଯୁକ୍ତାକ୍ଷର ଗୁଡ଼ିକୁ ମଡ଼େଇ ଚାଲୁଥିଲି। 


ଖରା ଛୁଟି ପରେ ପରେ ସମୟ ଦେଖି, ଜେ'ପା ସାଙ୍ଗରେ ବଡ଼ ଇସୁକୁଲ୍ ଗଲି। ଜରି ଅଖା ବସ୍ତାନିରେ ଖଣ୍ଡିଆ ସିଲଟକୁ ମାଟି ଖଡ଼ି ଦି ଦଣ୍ଡା, ଘୋଷାରି ଘୋଷାରି ଚାଲି ଥାଏ ଜେ'ପା ପଛେ ପଛେ, ତାଙ୍କ ଆଙ୍ଗୁଠି ଟିଏ ଭିଡ଼ି ଧରି। ୧୦ଟଙ୍କା ଦେଇ ମୋର ନାଆଁ ଲେଖା ହେଲା। ହାଜେରା ଖାତାରେ ନାଆଁ ଚଢ଼ିଲା। ନାଆଁଟି ବି ଜେ'ପା ଦେଇଥିଲେ। ନାଆଁ ଟିର ମାନେ ବୁଝା ପଡିଲା ବେଳକୁ ମୋର ୫ଥର କିଲାସ ଉଠା ସରି ଗଲାଣି। ଦି ବର୍ଷ ଯାଏଁ ବଡ ଭାଇର ପାଖେ ପାଖେ ବସିଲି। 


ମାନସାଙ୍କ ଗଣିତ ସବୁ ଜେ'ପା ପାଟିରେ ପାଟିରେ ବତେଇ ଦିଅନ୍ତି। ଆଜି, ମୁଁ ଯେଉଁ ସ୍ତରରେ ପହଞ୍ଚିଛି, ସେଥିରେ ତାଙ୍କର ଅବଦାନ ସର୍ବାଗ୍ରେ। ସେଦିନ ଗର୍ବରେ ଛାତି ତାଙ୍କର କୁଣ୍ଢେମୋଟ ହେଇ ଯାଇଥିଲା। ଯେବେ ୧୦ ମ ଶ୍ରେଣୀର ରେଜଲ୍ଟ ଆସିଥିଲା। ମୋ ନାତି ମାଟ୍ରିକରେ ଫାଷ୍ଟ୍ କ୍ଲାସ୍ ପାଇଛି, ଗାଆଁ ସାରା କୁଆଡ଼େ କହି ବୁଲୁଥିଲେ। ମୁଁ ବି ଭାରି ଖୁସି ହେଇ ଥିଲି, ଯେବେ ଏ କଥା ମାଆ ଠୁ ଶୁଣିଲି। କିନ୍ତୁ, ନ ଥିଲା ସେ ନାତି ସୁଆଗ କି ଜେ'ପା-ନାତିର ସେ ପୁରୁଣା ଭାବ। 


ତେବେ, କଣ ଥିଲା ସେ ସବୁ, ଲୋକ ଦେଖାଣିଆ? 

ଉତ୍ତରରେ କେବଳ ଦୀର୍ଘ ଶ୍ୱାସ ଟିଏ। 


ଜେ'ପା ନାତି ମଝିରେ ପଡି ଯାଇଥିଲା ଅଦୃଶ୍ୟ ବାଡ଼ ଟିଏ। ମୁଁ ପାଦ ଧୂଳି ଟିକେ ନେଇ ଆଶୀର୍ବାଦ ପାଇ ପାରିଲିନି କି ଜେ'ପା ମୋତେ ଗର୍ବରେ ସାବାସି ଟିକେ ଦେବାର ସୁଯୋଗ ଟିଏ ପାଇଲେନି। 


ଜେ'ପା ସାଙ୍ଗରେ ବିଲ ମଝିରେ ବସି ଖାଇବା, ଶସ୍ୟଭରା ଶଗଡ଼ରେ ତାଙ୍କ କୋଳରେ ବସିବା, ଗାଆଁ ପୋଖରୀକୁ ଏକାଠି ଗାଧେଇ ଯିବା, ଥଟ୍ଟା ମଜାରେ ଜେ'ପାର କଛା ଟାଣି ଫିଟେଇବା, ଏମିତି କିଛି ସ୍ମୃତି ଏବେବି ମନେପଡିଲେ, ମୁଁ ଟିକେ ହସି ଦିଏ। ଜେ'ପା ଉପରେ ଗୋଡ଼ ଲଟେଇ ଶୋଇବା, ଶେଯରେ ମୂତିବା, ଏ ଥିଲା ନିତି ଦିନିଆ ଘଟଣା। କେତେଯେ ଦୁଷ୍ଟାମୀ, ପାଗଳାମୀ ଓ ଫାଜିଲାମି କରୁଥିଲି ଓ ସେ ସବୁକୁ ସେ କେମିତି ଆକଟ କରୁଥିଲେ, ମୁଁ ଜାଣିନି। 


ଗରିବ ଘର ଝିଅ ବୋଲି, ଜେଜୀ, ମାଆକୁ ବେଶୀ ହଇରାଣ କରେ। ଯୌତୁକ ବେଶୀ ପାଇଲାନି ବୋଲି ନିଇତି ଖୁଣ୍ଟା ଦିଏ। ତଥାପି, ହାତ ଘଣ୍ଟା, ହରକୁଲେସ୍ ସାଇକଲ ଆଉ Philips ରେଡ଼ିଓ ଟିଏ ଆଣି ଥିଲା ବାପ ଘରୁ ସେତେବେଳେ। ପିତ୍ତଳ କଂସା ବାସନ ଅଲଗା ଦି ବସ୍ତା। କିନ୍ତୁ ଲୋଭୀ ବୁଢୀର ମନକୁ ପାଇ ଲାନି। 


ବୁଢ଼ୀ, ହଇରାଣ ହରକତ କରି ମାଆକୁ କେତେ ଯେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇଛି, ତାର ହିସାବ ନାହିଁ। ପଚାରିଲେ, ମାଆ କହେ, ଯେତେ ଯେତେ ଫୁଲ ବନରେ ଅଛି, ସେତେ ସେତେ କଥା ମନରେ ଅଛି।


ଥରେ ଜିଦ୍ ଧରିବାରୁ ଘଟଣା ଟିଏ କହିଲା। 


ଅଜା, ଆଈ ଆସିଥାନ୍ତି ଆମ ଘରକୁ, ଡଙ୍ଗାରେ ନଦୀ ପାର ହେଇ। ଭୋର୍ ରୁ ବାହାରି ଛନ୍ତି ଯେ, ବାଟରେ ପାଣି ଟୋପେ ବି ପିଇ ନାହାନ୍ତି। ଝିଅ ଘରକୁ ଆସୁଛନ୍ତି ବୋଲି, ମୁଢ଼ି ଦି ଟିଣ, ବାଡି ଶାଗ, ପନିପରିବା କେତେ କଣ ଆଣି ଆସିଥିଲେ। ଘରେ ପହଞ୍ଚି, ଅଜା କହିଲେ, ଝିଅଲୋ, ଚାହା ଟିକେ କଲୁ। 


ମାଆ ସବୁ ଜିନିଷ ନେଇ ରୋଷେଇ ଘରେ ରଖିଦେଲା। ଅଗଣା ଚୁଲିରେ ନାଲି ଚାହା ଟିକେ କରି, ମୁଢ଼ି ମୁଠେ ପାଇଁ ଭିତର ଘରକୁ ଯାଆନ୍ତେ, ଦେଖିଲା, ଘର କୋଲପ ପଡ଼ିଛି। ଜେଜି କି ମାଗିବାରୁ, ବୁଢ଼ୀ ଅଣ୍ଟାରେ ଖୋସି ଥିବା ଚାବି କାଠିଟା ଫୋପାଡି ଦେଲା। ବୁଢୀର ମୁହଁଟା ଯେମିତି ଫଣ ଫଣ ଦେଖା ଯାଉଥିଲା। 


ମାଆ କବାଟ ଖୋଲି ଦେଖେ ତ ମୁଢ଼ି ଟିଣଟା ଯଥା ଥାନରେ ନାହିଁ। ଛୋଟିଆ ଭିତର ଘରେ ଆଉ କୋଉଠି ଖୋଜିବ? ବୁଢ଼ୀକୁ ପଚାରିବାରୁ କହିଲା, ମଲା, ମୁଢ଼ି ଟିଣଟା ମୁଁ କଣ ଲୁଚେଇ ଦେଇଛି। 


ନୂଆ ନୂଆ ବୋଲି, ମାଆ କାନ ମୁଣ୍ଡ ଆଉଁସି ଲେଉଟି ଆସିଲା। ଜବାବ ଦେବାକୁ ସାହସ କାଇଁ ମାଆର ? 


ରୋଷେଇ ପାଇଁ ଚାଉଳ ମାଗିବାରୁ ବୁଢ଼ୀ ବାହାନା କରି ସାହି ଆଡ଼େ ପଳେଇଲା। ବିଚରା ଅଜା ଆଈ ମୋର ଭୋକ ଉପାସରେ ଗାଁକୁ ଫେରି ଗଲେ। 


ପଡିଶା ଘରେ ଚିଠି ଟିଏ ଲେଖେଇ ଏ କଥା ମାଆ ବାପାଙ୍କୁ ଜଣେଇଲା। ବାପା ବାହାରେ ଖଟନ୍ତି। ଅବେଳରେ ଘରେ ପହଞ୍ଚି ମାଆକୁ ବୁଝା ସୁଝା କରି ତୁନି କରେଇଲେ। ସହିବାକୁ ବୁଝେଇଲେ। କିନ୍ତୁ, ବୁଢୀର ଅତ୍ୟାଚାର ବଢ଼ି ଚାଲିଲା। ସହିବାର କିଛି ସୀମା ଥାଏ। କେତେ ବରଷ ସହିବ? ମାଆ ପୁଅ ମଧ୍ୟରେ ବଚସା ବଢିଲା। 


ଜେ'ପା ବୁଢ଼ୀ କି ଡରି ପାଟି ଖୋଲନ୍ତିନି। ଦିନସାରା ବିଲରେ ଖଟି ସନ୍ଧ୍ୟାକୁ ପଖାଳ ଗଣ୍ଡେ ଖାଇ ବିଛଣାରେ ପଡି ଯାନ୍ତି। କେବେ କେବେ ବୁଢ଼ୀକୁ ବୁଝେଇବାକୁ ଚେଷ୍ଟା କରି ରାତିରେ ପାଣି ପିଇ ଶୋଇବାକୁ ପଡ଼ିଛି ତାଙ୍କୁ। ବୁଢ଼ୀ ରୋଷେଇ ଘର ତାଲା ପକେଇ ଚାବି ଲୁଚେଇ ଶୋଇଯାଏ। କଳେହି, ଲୋଭୀ, ବଦମାସ୍ ବୁଢ଼ୀର ଏ ଗୁଣ ସାହି ପଡିଶା ସଭିଏଁ ଜାଣନ୍ତି। କିଏ କହିବ? ଯିଏ କହିଛି ନାମ ନେଇଛି। 


ସମୟ ଆସିଲା, ଗୋଟିଏ ଘରେ ଦିଟା ଭାତ ହାଣ୍ଡି ବସିଲା। ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଲା। ବୁଢ଼ୀ ଆଡ଼ ଆଖିରେ ବି ଆନେଇଲାନି। ଅଭାବ ଅନଟନରେ ଆମ ପରିବାର ଜୀବନ ପଥରେ ଝୁଣ୍ଟିବା ଆରମ୍ଭ କଲା। ଏମିତି କି ଟଙ୍କା ୫୦୦ରେ ବି ମାସ ଟିଏ ଚଳିବାକୁ ପଡିଲା। 


ମାଆକୁ ମାଟି ଚୂଲି ପାରି ଆସେନା। ପଡିଶା ଘର ବୁଢ଼ୀକୁ ପାରି ଦେବାକୁ ଡାକି ଯାଇଥିଲା। କିନ୍ତୁ, ବୁଢ଼ୀ ଦେଖିଲେ ସମ୍ପିବ, ସେ ଭୟରେ କେହି ଆମ ଦୁଆର ମାଡ଼ନ୍ତି ନାହିଁ। କିନ୍ତୁ, ସେ ପଡିଶା ବୁଢ଼ୀ ତା ନିଜ ନାତିକୁ ଖୋଜିବା ଆଳରେ ଆସି ଚୂଲି ଟି ପାରି ଦେଇ ଯାଇଥିଲା। ସେ ବୁଢ଼ୀଟା କଣ କାହାର ଶାଶୁ ନଥିଲା।? ସବୁ ଶାଶୁ ସମାନ ନୁହନ୍ତି। ଆଉ ମୋ ଜେ ଜୀ ପରି କୋଉ ଜେଜେମା ବି ନାହିଁ। 


ମାଆ କହେ, ଗରମ ଭାତ ଅଧିକା ଖାଇ ହେଇଯିବ ବୋଲି, ପଖାଳ ଦି ଗୁଣ୍ଡା ଖାଇ ତୋରାଣି ପିଇ ପେଟ ଭରିବାକୁ ପଡ଼ିଛି। 

ମୁଁ ମେଞ୍ଚଡ୍ଟେ କଣ ବା ବୁଝିବି ଅଭାବ କଣ? ସକାଳେ ଇସୁକୁଲ ଗଲା ବେଳେ ମାଆକୁ ଟଙ୍କାଟେ ମାଗିଲି। କହିଲି,ସେଉ ଖାଇବି।


ମାଆ କହିଲା, ଏଇନେ ପା ପେଟଟେ ଖାଇଛୁ। ଯାଆ ଇସ୍କୁଲ୍ ଯାଆ। 


ମାଆ ସେମିତି କହି ଦିଏ ସିନା, ତାର ମନ ବୁଝେନା। ପାଖକୁ ଡାକି, ଭଜା ଖୁଦ ମୁଠେ କି ଭଜା ଜାଇ ମୁଠେ ଦେଇ ସ୍କୁଲ୍କୁ ପଠେଇ ଦିଏ। ଦିନେ ଦିନେ କିଛି ନ ଥାଏ। ମନ ମାରିକି ଗାଲେଇ ଯାଏ ମୁଁ। ମାଆ ବାଡି ଖଣ୍ଡେ ଧରି ଗୋଡ଼ାଏ। 


ସେଦିନ ବି ଗାଲେଇଲି, ସ୍କୁଲ୍ ନ ଯିବାର ବାହାନା କଲି। ଦେଲା ଦି ଚଟକଣି। ଭେମ୍ବାଳିଲି। ଫୁଙ୍କୁନାଳା ଧରି ଗୋଡେଇଲା। 


ମାଡ଼କୁ ମହାଦେବ ଡରନ୍ତି। ମୋର ତ କୁଣ୍ଡା ରୁମ ଛାଡ଼ି ନଥିଲା। ଦୌଡ଼ି ଯାଇ ଖୂଳୀ ମୁହଁରେ ଠିଆ ହେଇ ରହିଲି। 


ଇସ୍କୁଲ ନ ଗଲେ ଖାଇବାକୁ ଦେବିନି। ଆସିବୁ ଆଜି ରହ।

- ମାଆ ଚିଲେଇ ଚାଲିଥିଲା। 


ସାମାନ୍ୟ ଦୂରରେ ଜେ'ପା ଛିଡ଼ା ହେଇ ସବୁ ଦେଖୁ ଥିଲେ। ପାଖକୁ ଆସି, ଗୋପାଳ ଜର୍ଦ୍ଦା ଭାଙ୍ଗ ଜରିରୁ ୨ଟଙ୍କିଆଟେ ବାହାର କରି ମୋ ହାତରେ ଗୁଞ୍ଜି ଦେଇ କହିଲେ, ନେ, ସେଉ ଖାଇବୁ। 


ମନ ଖୁସିରେ ଦୁକାନରୁ କାଗଜ ପୁଡ଼ିଆଟେ ଧରି ସ୍କୁଲ୍ ଧାଇଁଲି। 


ଆଉ ଗୋଟିଏ କଥା ମନେ ପଡେ, ଗାଆଁ ଯାତ୍ରା ଦିନର ଘଟଣା। ସାହି ପଡିଶା ସାଙ୍ଗ ସାଥୀ ମାନେ ନାନା ଖେଳନା ଧରି ଖେଳୁ ଥାଆନ୍ତି। ବାର୍ବି କଣ୍ଢେଇ, ବସ୍ ଟ୍ରକ୍, ପେଁକାଳି, ବନ୍ଧୁକ କେତେ କଣ। ମୋର ବି ମନ ଥାଏ ବନ୍ଧୁକ ଟିଏ କିଣି ସେମାନଙ୍କ ସହ ଖେଳି ବାକୁ। 


ଦଶ ଟଙ୍କା ଦେଲ। - ବାପାଙ୍କୁ ମାଗିଲି। 

କଣ କରିବୁ ୧୦ଟଙ୍କା?, ବାପା ପଚାରିଲେ। 

ବନ୍ଧୁକ କିଣିବି।- ମୋର କହିବା ସରିଛି କି ନାହିଁ...

ପଇସା ଗା***ରେ ନିଆଁ ଲଗେଇବୁ?, ବାପା ଟିକେ ଚଢ଼ା ଗଳାରେ କହିଲେ। 


ମୁଁ କାନ୍ଦିଲି। ଅଝଟ କଲି। ମୁଁ କଣ ଗୋଟିଏ ହେଇଚି? ମୋତେ ଦେଲେ ଭାଇ ମାଗିବ। ତାକୁ ବି ୧୦ଟଙ୍କା ଦେବାକୁ ପଡିବ। 


ଦେବି ଗୋଟେ ବତିଶି ମୂଳିଆ ଯେ ଏକା ଥରେ କାନ୍ଦ ଛାଡିଯିବ। - ବାପା ଟିକେ ବିଗିଡ଼ି ଗଲେ। 


ଅଭାବ ମଣିଷକୁ ଜୀଇଁବା ଶିଖାଇ ଥାଏ। ମିତବ୍ୟୟୀତା ଓ ବେକାର ଖର୍ଚ୍ଚ କମେଇବାର ଶିକ୍ଷା ମୋ ପରିବାର ମୋତେ ଛୋଟ ବେଳୁ ସେଇ ଢାଞ୍ଚାରେ ପକେଇ ଦେଇଛି। ଯଦି କୌଣସି ବସ୍ତୁ, ସେଟା ଖେଳନା ଟିଏ ହେଉ କି ବହିଟିଏ ହେଉ, ବୁଦ୍ଧିର ବିକାଶ ହେବ, ମାନସିକ ସ୍ତରରେ ଜଣେ ସୃଦୃଢ଼ ହେଇ ପାରିବ, ତେବେ ହୁଏତ ମତେ ୧୦ଟଙ୍କା ଦେବାକୁ ମନା କରି ନଥାନ୍ତେ। 


ଛୋଟ ପିଲା ଟିଏ, ସ୍କୁଲ୍ ଯିବା ବୟସରେ, ଯଦି କେବେ ଛୁଟି ଦିନରେ ତାସ୍ ଖେଳିବାରେ ଧରା ପଡେ, ତେବେ ତାକୁ ଶିକ୍ଷକ ଓ ଗୁରୁଜନଙ୍କ ଠାରୁ ଦଣ୍ଡ ମିଳେ। ତାସ ଖେଳକୁ ଜୁଆ ବୋଲି ମଣନ୍ତି ଅନେକ। ବଡ଼ ହେଇ ଜୁଆଡି ହେଇ ଯିବ ବୋଲି ଗାଳି କରନ୍ତି। କିନ୍ତୁ, ଅସଲରେ ପିଲାଟିର ବୁଦ୍ଧିରେ ବିକାଶ ଘଟେ ବୋଲି ବୁଝିବାକୁ ଗୁରୁଜନ ମାନେ ସକ୍ଷମ ହେଇ ପାରନ୍ତିନି। ବନ୍ଧୁକ, ଭୁଜାଲି ଓ ରେସିଂ ବାଇକ୍ ଖେଳନା ଯୋଗାଇ ଦିଅନ୍ତି। ବିନା ଦ୍ବିଧାରେ ଦୋକାନକୁ ପାନ, ବିଡ଼ି, ସିଗାରେଟ୍, ଖଇନୀ, ଭାଙ୍ଗ ଓ ଗୁଡ଼ାଖୁ ଆଣିବାକୁ ପଠେଇ ଦିଅନ୍ତି ଛୁଆଙ୍କୁ, କିନ୍ତୁ ଭାବନ୍ତିନି ଯେ ପିଲାଟି କଣ ଶିଖିବ ଏଥିରୁ। 


କିନ୍ତୁ ସେ ଦିନ ମୁଁ ବୁଝି ନଥିଲି। କାନ୍ଦି କାନ୍ଦି ଭୂଇଁରେ ଗଡ଼ିଲି। ଜେ'ପା ଡାକରେ ସଙ୍ଗେ ସଙ୍ଗେ ଉଠି ଧାଇଁଲି। କାନ୍ଧରେ ବସି ଯାତ୍ରା ଦେଖି ବାକୁ ଗଲି। 


ବାଟରେ ସପନି ବୁଢ଼ୀ ପଚାରିଲା, ଜେ'ପା-ନାତି ଦି'ଟା କୁଆଡେ ଯାଉଚ କିରେ?


ଯାତ୍ରା ଦେଖି।, ଦରୋଟି ଭାଷାରେ ଖନେଇ ଖନେଇ ମୁଁ କହିଲି। 


ମୋ ପାଇଁ ଖଜାଟେ ଆଣିଥିବୁରେ ନାତିଆ ।- ବୁଢ଼ୀ ପାକୁଆ ପାଟିରେ ଥଟ୍ଟା କରି ଚାଲିଗଲା। 


ଗହଳି ଭିତରେ ଫେରେଇ ହବାକୁ ବାଟ ନାହିଁ। ଭିଡ଼ରେ ଜେ'ପା ମୁଣ୍ଡକୁ ଜାବୁଡ଼ି ଧରି ଥିଲି। 


ସେ ନାଲି ବେଲୁନଟା ନେବି।- ମୁଁ ହାତ ଠାରି ଜିଦ୍ କଲି। 

ସେଇଟା ଘରକୁ ଯିବା ଭିତରେ ଫୁଟି ଯିବ।- ଜେ'ପା ମୋତେ ବୁଝାଇଲେ। 


ବନ୍ଧୁକ କିଣି ଦିଅ।


ତୋ ହାତରେ ବନ୍ଧୁକ ଦେଖିଲେ, ପୁଲୁସି ବାନ୍ଧି ନବ।


ପୁଲୁସି? ସେ କିଏ?


ପୁଲୁସି, ସେ ଚୋରକୁ ଧରେ।


ପୁଲୁସି ପାଖରେ ବନ୍ଧୁକ ଅଛି?


ହଁ। ସୈନିକ ବି ବନ୍ଧୁକ ଧରି ଶତ୍ରୁ କବଳରୁ ଦେଶକୁ ରକ୍ଷା କରେ।


ସେ ବନ୍ଧୁକ ଫୁଟାଏନି?


ହଁ। ଦରକାର ପଡ଼ିଲେ ଶତ୍ରୁକୁ ହତ୍ୟା ବି କରେ। ତୁ ସୈନିକ ହବୁ ନା ପୁଲୁସି ହବୁ?- ଜେ'ପା ମତେ ଗେଲରେ ପଚାରିଲେ। 


ମୁଁ ମୁଣ୍ଡ ହଲେଇଲି। 

ସେମାନେ ମଣିଷକୁ ମାରୁଛନ୍ତି, ମୁଁ ସେମାନଙ୍କ ପରି ହେବିନି।- ମୁଁ କହିଲି। 


ଏମିତି ଜେ'ପା-ନାତି ଗପସପ କରି ଆଗକୁ ଆଗକୁ ଚାଲି ଯାଉଥିଲୁ। ହଠାତ୍, ମୋର ନଜର ପଡିଲା କଣ୍ଢେଇ ଟିଏ ଉପରେ। ନାଲି, ନୀଳ ଲାଇଟ୍ ଜଳୁଥାଏ ସେଇଟାରେ। 


ସେଇଟା ନେବି।- କହି, ଜେ'ପା କାନ୍ଧରୁ ଉହ୍ଲେଇ ବାକୁ ହେଇ ଖସି ଗଲି। 


ଜେ'ପା, ମତେ ଆଉ କେତେ ବାଆଁରେଇବେ? ମତେ ତଳକୁ ଉହ୍ଲେ଼ଇ କଣ୍ଢେଇ ବାପୁରାଠୁ ସେଇଟି କିଣେଇ ଦେଲେ। ଅଣ୍ଟାରେ ଗୁଡେ଼ଇ ଥିବା ମେଞ୍ଚା କୁଞ୍ଚା ମଳିଛିଆ ତେଲିଆ ୧୦ଟଙ୍କିଆ ନୋଟ୍ ଟି ବଢେଇ ଦେଲେ। କେଜାଣି କେବେଠୁ ସାଇତି ରଖି ଥିଲେ? 


କଣ୍ଢେଇଟି ପାଇ ମୋର ଖୁସି କାହିଁରେ କଣ। ପ୍ରକୃତରେ ସେଇଟି ଥିଲା କଲମ ଟିଏ। ଗୋଟିଏ ପାଖରେ କଣ୍ଢେଇ ମୁଣ୍ଡଟିଏ। ଜଳୁଥିଲା। ଧପ୍ ଧାପ୍ ଲାଇଟ୍ରେ ଆଖି ମୋର ଝଲସି ଯାଉଥିଲା। 


କେତେ ଯେ ରାତି ତାକୁ ଅନେଇ ରହି ଖୁସି ହେଇଥିଲି, ମନେ ନାହିଁ। ଜେ'ପା ପାଇଁ କବିତା ଟିଏ ଲେଖିଥିଲି, ସେଇ କଲମରେ। ଶୀର୍ଷକ ମୋ ଜେ'ପା। ପଢ଼ି ଶୁଣେଇ ଥିଲି ତାଙ୍କୁ। ମୋତେ ଛାତିରେ କୁଣ୍ଢେଇ ପକେଇ ଥିଲେ ସେ। ହୁଏତ, ସେହି ଦିନ ହିଁ ସେ ଚିହ୍ନି ପାରିଥିଲେ ମୋର ଏଇ ପ୍ରତିଭା ଟିକୁ। ମୁଣ୍ଡକୁ ଆଉଁସି ଆଶିଷ ଦେଇଥିଲେ। ସେହି ଦିନ ଠାରୁ କଲମଟିକୁ ଆଜି ଯାଏଁ ମୁଁ ସାଇତି ରଖିଛି।


ଦାଦା ମାନଙ୍କର ବାହାଘର ଯାଏଁ, ବୁଢ଼ା ବୁଢ଼ୀ ଦିଟା ଯାକର ବଳ ବୟସ ଥିଲା।


କଥାରେ ଅଛି, ଯେତେ ଭାଇ, ସେତେ ଭାଗ। ସଭିଏଁ ଭିନେ ହେଇ ଗଲେ। ପର ଝିଅଟେ ଘରକୁ ଆସିଲେ, ଘର ଭାଙ୍ଗେ। ବୁଢ଼ୀ ଗୁଣକୁ, କେହି ତାକୁ ପଚାରିଲେ ନାହିଁ। ସବୁ ଯିଏ ଯୁଆଡ଼େ ଭାରିଜାକୁ ନେଇ ଗାଆଁ ଛାଡ଼ିଲେ। ପରିଣତ ବୟସରେ ପୁଅମାନେ ବୁଢ଼ା ବୁଢ଼ୀ ଙ୍କୁ ଛାଡ଼ି ଭାରିଜା କଥାରେ ଉଠ୍ ବସ୍ ହେଲେ। ମୋ ବାପା ମାଆଙ୍କୁ ସିନା ଘରୁ ତଡ଼ି ଦେଲ, ଯେଉଁ ମାନଙ୍କୁ ମୁଣ୍ଡରେ ବସେଇ ଥିଲ, ସେମାନେ କଣ କଲେ? ବଡ ପୁଅକୁ ଚାଳ/ମାଟି ଘରେ ପେଲି ଦେଇ, ଅନ୍ୟମାନଙ୍କ ପାଇଁ ପକ୍କା ଘର କରି ଦେଲ। ଆଜି ଘର ବାରଣ୍ଡାରେ ବର୍ଷା କାକର ଖାଇଲ। 


ଯେତେ ଦିନ ସମ୍ଭବ, ବୁଢ଼ାବୁଢ଼ୀ ଦିଟା ରାନ୍ଧି ଖାଇଲେ। ଚାଷ କରିବାକୁ ବଳ ନାହିଁ ଆଉ। ଭାଗୁଆରୀ ଠକି ସବୁ ଖାଇଲା। ରୋଜଗାର ବୋଲି, ଦୁହାଁଳିଆ ଗାଈ ଟିଏ। ଦିନକୁ କ୍ଷୀର ଦି ସେର ବିକି ଗୁଜୁରାଣ ମେଣ୍ଟାଇବା କଥା। ବୁଢ଼ା ସକାଳୁ ଘାସ ଜାଲିଏ କାଟି ଆଣେ। ଦାନା ଚୋକଡ ଦେବା ତ ସ୍ବପ୍ନ। ଅଣ୍ଡୀର ବାଛୁରୀ ଦିଟା ବିକିଲେ। ଯଥା ସମ୍ଭବ ଚଳି ଯାଉଥିଲେ। ସମୟ ଆସିଲା, ଗାଈକୁ ବି ବକ୍ରି କରି ଦେଲେ। 

ତା ପରେ.....


ତା ପରେ ଆଉ କଣ? ବୁଢ଼ା ବୁଢ଼ୀ ଦିଟାଙ୍କର ପଡିଲା ଦଶା। ବେଳେବେଳେ ବୁଢ଼ା ବୁଢୀର କଜିଆ ଶୁଭେ। ବୁଢ଼ୀ ଆଉ ବୁଢାକୁ ଖାଇବାକୁ ଦେଲାନି। ବୁଢ଼ା କରିବ କଣ? ପୁଅ ମାନଙ୍କ ପାଖକୁ ସହର ଧାଇଁଲା। ମାସ ଦି ଟାରେ ଗୋଟେ ପୁଅ ତଡିଲା ଆର ପୁଅ ଘରକୁ। ଆର ପୁଅ ୧୫ ଦିନରେ ନୟାନ୍ତ ହେଇ ଗଲା। ବୁଢାକୁ ତଡ଼ି ଦେଲେ ପୁଣି ଗାଆଁ କୁ।


ବୁଢ଼ା ବୁଢ଼ୀ ଦିଟା ଯଦି ପୁଅ ବୋହୂ ଙ୍କୁ ଆତେଇ ରଖି ଥାନ୍ତେ, ଏବେ ଘଷା ଖାଇ ଖାଇ ଦିନ କଟି ଥାଆନ୍ତା। ଆଜି ଏ ଘର ସେ ପିଣ୍ଡା ଶୁଣ୍ଢି ପିନ୍ଧା ହେବାକୁ ପଡି ନଥାନ୍ତା। ପଖାଳ ଆଳୁ ପୋଡ଼ା ପରିବର୍ତ୍ତେ ଆଜି ଆଇଁଷ ଟିକେ ପାଟି ବାଜୁ ଥାଆନ୍ତା। ସବୁ ସେଇ କର୍ମର ଫଳ। 


ବହୁତ୍ ଶୁଣିଛି, ସାଙ୍ଗ ମାନେ କହି ହୁଅନ୍ତି ଯେ ସେମାନଙ୍କ ଜେଜେମା ସେମାନଙ୍କୁ କେତେ ଭଲ ପାଆନ୍ତି। କେମିତି ଗେଲ କରି କରି ଖୁଆଇ ଦିଅନ୍ତି। ନିଦ ନ ଲାଗିଲେ କାହାଣୀ ପେଡ଼ି ଖୋଲି ଦିଅନ୍ତି।


ଆଉ, ମୁଁ ନିଜକୁ ତାଚ୍ଛଲ୍ୟ କରି କହି ହୁଏ, ସେ ବୁଢୀମା କାହାଣୀ ପେଡ଼ି ଟି କେମିତିଆ? ଗୋଲେଇ, ନା ଚାରି କୋଣିଆ?


ଥରେ କଲେଜ୍ ସାରି ବସରେ ଘରକୁ ଫେରୁ ଥିଲି। ଭିଡ଼ ଭିତରେ ପାଦ ଥୋଇବାକୁ ଜାଗା ନାହିଁ। ସମସ୍ତେ ପ୍ରାୟ ସେଇ ଆଖ ପାଖ ଗାଆଁର ଲୋକ। ମୁହଁ ଗୁଡ଼ା କେବେ କେବେ ଦେଖିଲା ପରି ଲାଗୁଥିଲା। କିନ୍ତୁ, ମୁହଁ ଟିଏ, ନିଜର ନିଜର ଲାଗିଲା। ଓଠରେ ମୋର ହସ ଟିଏ ଆଙ୍କି ହେଇ ଗଲା। ଜେଜୀ କୋଉଠୁ ଫେରୁଥିଲା ବୋଧ୍ ହୁଏ। ତା ସହିତ ମୋର ପ୍ରଥମ ଜର୍ଣିଂ ଥିଲା ସେଇଟା। ଆଖିରେ ଆଖି ମିଶି ଗଲା। 


କୁଆଡେ ଯାଇଥିଲୁ କିରେ?- ବୋଧହୁଏ ମୁଁ ଆଶା କରୁଥିଲି କି ମୋର ହାଲ୍ ଚାଲ୍ ପଚାରିବ। କିନ୍ତୁ, ତୁଚ୍ଛ ମୋର ଆଶା। ଉଁ କି ଚୁଁ ପଦଟିଏ ନାହିଁ। କିନ୍ତୁ, ମୁଁ, ନାତିଟେ, ମୋର ବି ଅତି କମ୍ରେ କିଛି ତ କହିବା କଥା। ପଚାରିବା କଥା। କିଛି କହିବାକୁ ଉଦ୍ୟତ ହୁଅନ୍ତେ, କଣ୍ଡକ୍ଟର ଭଡ଼ା ମାଗିଲା। ମୋର ଆଉ ଜେଜୀର ଭଡ଼ା, ୧୦ଟଙ୍କିଆଟେ ବଢେଇ ଦେଇ କଣ୍ଡକ୍ଟରକୁ ଠାରେଇ ଦେଲି ଜେଜୀ ଆଡ଼କୁ, କି ଦି ଜଣ ବୋଲି। ବସରୁ ଉହ୍ଲାଇ ଗାଆଁ ଭିତରକୁ ଆଗେ ଆଗେ ଚାଲିଲି।


ବୁଢ଼ୀ ଠଙ୍ଗ ଠଙ୍ଗ ହେଇ ମୋ ପାଖକୁ ଆସି କହିଲା, ମୁଁ ଭଡ଼ାଟା ମୋର ଦେଇ ଦେଇଛି। ତୁ ତାଠୁ ପଇସା ମାଗି ନବୁ। 


ମୁଁ ସ୍ତବ୍ଧ ହେଇ ସେଇଠି ଠିଆ ହେଇ ରହି ଗଲି। ଆଉ ବୁଢ଼ୀ ଠୁକୁ ଠୁକୁ ହେଇ ଆଗକୁ ମାଡି ଚାଲିଥାଏ। ୫ଟଙ୍କାଟେ ଦେଇ ଦେଲି ଯେ, ଭାଗବତ ଅଶୁଦ୍ଧି ହେଇଗଲା?,ମୁଁ ନିଜକୁ ପଚାରି, ଉତ୍ତର ଖୋଜୁ ଥିଲି। ଆଉ, ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲି,ଏମିତିକା ଜେଜେମା କୋଉ ହତଭାଗାକୁ ବି ଦିଆନ୍ତୁନି।


ଯେତେ ହେଲେ ବି ମାଆଟେ। ବୁଢ଼ୀ ହେଲାଣି। ପୁରୁଣା କାଳିଆ ଲୋକ। ଯୋଉ ପରିବେଶରେ ବଢ଼ି ଥିଲା, ସେଇ ଗୁଣ ସବୁ ତାଠି ଫଳିଲା। ଦିଂଡା ବୟସରେ ତା ରୂପ ଦେଖେଇଲା। କିନ୍ତୁ, ଏବେ ଅଣ୍ଟା ନଇଁ ଗଲାଣି। ଅଣ୍ଟାରେ କାନି ଗୁଡ଼େଇ ବଳ କସି ପାରିବନି। ସମ୍ପି ବାକୁ ଜିଭରେ ହାଡ଼ ମିଳେଇ ଗଲାଣି। ପୁଅ ବୋହୂ ସବୁ ବୁଝନ୍ତି। ସେବା କରିବାକୁ ଆଗଭର ହୁଅନ୍ତି। କିନ୍ତୁ, ମନ୍ଥରାର ବ୍ୟୁହରେ ସେମାନେ ପୁଣି ଫସନ୍ତି। 


ଚାରି ଦଉଡି କଟା, ମନ୍ଥରା, ନିଜ ରକ୍ତଠୁ ଅଲଗା ହେଇ ମେଣ୍ଢେଇ ହୁଏ। ଯେପରି ନିର୍ମୂଳୀ ଲତା ପରିପକ୍ଵ ବୃକ୍ଷରେ ପ୍ରବେଶ କରି ନିଜର ହିତ ସାଧନ କରେ। ଆଉ ଗୋଟିଏ ଯୋଡ଼ା ହେବାକୁ ଯାଉଥିବା ଯୌଥ ପରିବାର ଟିକୁ ପୁଣି ଖଣ୍ଡ ଖଣ୍ଡ କରିଦିଏ। ଲିଭି ଆସୁଥିବା ନିଆଁରେ ଘିଅ ଟିକେ ଛିଞ୍ଚେ। ମାଳିର ଇଚ୍ଛା ହୁଏ କି କୁରାଢି ଟିରେ ନିର୍ମୁଳୀ ଲତାର ବଂଶ ନିପାତ କରି ଦେବାକୁ, କିନ୍ତୁ ଚୋଟରେ ବୃକ୍ଷର କ୍ଷତି ଘଟିବାର ଡର ତାକୁ ପଛ ଘୁଂଚା ଦେବାକୁ ବାଧ୍ୟ କରେ। 


ଏବଂ ଏହି ଡର ଭୟଙ୍କର ରୂପ ଧାରଣ କଲା। ହୃଷ୍ଟ ପୃଷ୍ଟ ଡାଳ ଟି ଶୁଖି ଭାଙ୍ଗି ଝଡି ପଡିଲା। ଆଉ, ନିର୍ମୁଳୀ, ସେହି ଡାଳ ଟିର ସ୍ଥାନ ନେଇ ବୃକ୍ଷର ପ୍ରଧାନ ଅଙ୍ଗରେ ପରିଣତ ହେଲା। 


ସମୟ ହୁଏତ ଆସିବ। ନିର୍ମୁଳୀ, ବୃକ୍ଷ ଟିକୁ ଅପସାରଣ କରି ନିଜକୁ ପ୍ରତିକଳ୍ପନ କରିବ। ଆଉ, ବିଚରା କଂଳିଆ ଡାଳ ପତ୍ର ସବୁ ବିନା ଝଡରେ ଧରାଶାୟୀ ହେବେ। 


ସାବଧାନ !


ଗାଆଁକୁ ଫେରି ବୁଢ଼ା ତିନି ଦିନ ଚୂଡ଼ା ତିନ୍ତେଇ ଖାଇଲା। ତା ପରେ ଯାହାକୁ ପର କରିଦେଇ ଥିଲେ, ଆମ ଘରେ ଖାଇବାକୁ ଅନୁରୋଧ କଲା। ମାଆ ତାଙ୍କୁ ପାଛୋଟି ନେଲା। ମୁଣ୍ଡରେ ତେଲ ଲଗେଇ ଦେଇ ଗାଧେଇ ଦେଲା। ନୂଆ ଧୋତି ଗାମୁଛା ରଙ୍ଗ କରି ପିନ୍ଧି ବାକୁ ଦେଲା। ଘରେ ଯାହା ଥିଲା କଞ୍ଚା ଦରସିଝା ପରଷି ଦେଲା। ବୁଢ଼ା ଶାନ୍ତିରେ ଟିକେ ନିଃଶ୍ୱାସ ମାରିଲା। ଏମିତି ଆରାମରେ ୩ବର୍ଷ କଟିଗଲା। ଆମେ ଭାଇ ସବୁ ଭାରି ଖୁସି ଥିଲୁ। ହଜି ଯାଇଥିବା ଜେ'ପା ସ୍ନେହର ବରଷା ଛିଟାରେ ସମ୍ପୂର୍ଣ୍ଣ ନ ହେଲେ ବି କିଞ୍ଚିତ ଭିଜୁ ଥିଲୁ। ବସନ୍ତ ଘର ଦରଜାରେ ପହଞ୍ଚି ସାରିଥିଲା। ମଳୟ ପବନ ବହି ବାକୁ ଆରମ୍ଭ କରି ସାରିଥିଲା। ହଠାତ୍, ଦିନେ ଅଚାନକ ଝାଞ୍ଜି ବହି ବାକୁ ଲାଗିଲା। ଜେ'ପାଙ୍କ ପତ୍ତା ମିଳିଲାନି। ଏ ଘଡ଼ି ଅନେଇ ନାଇଁ, ସେ ଘଡ଼ି ଅନେଇ ନାଇଁ, ଚା ପିଇବାକୁ ବି ଆସିଲେନି, ତତଲା ଭାତ ଶୀତଳ ହେଇ ପଖଳା ହେଲା। କୁଆଡେ ଗଲେ? ଯୁଆଡ଼େ ବି ଗଲେ, ଜଣେଇ ଯାଇ ପାରି ନଥାନ୍ତେ? 


ଭାଇ ଖୋଜିଲା। ନଈ, ନାଳ, ଦଣ୍ଡା ପୋଖରୀ। ଫୋନ୍ କରି ବୁଝିଲା ବେଳକୁ, ବୁଢ଼ା ଯାଇ ସହରରେ, ସାନ ପୁଅ ଘରେ। କଥା କଣ? ନା, ବଡ ବୋହୂ ଖାଇବାକୁ ଦେଲାନି। କି କଥା?

ଘଟଣା ପୂର୍ବ ଦିନ, ମାଆ ସେଇ ରୋଷେଇ କରି ଥିଲା, ଯାହା ଗାଆଁରେ ମିଳେ। ସବୁ ଦିନେ କଣ ମାଛ ମାଉଁସ କେହି ବିକି ଆଣୁଛି? କାଇଁ ଆଜି, ଆଇଁଷ ହେଇନି? ଭାତ ଥାଳି ଠୁଁ ଉଠି ଗଲେ। ଅଜବ ଲୋକ!


ବୁଢ଼ା ସାନ ପୁଅ ଘରକୁ ଯିବାର ମାସ କେଇଟାରେ ବୁଢ଼ୀ ଚାଲିଗଲା। କାନ୍ଥରେ ଫଟୋଟିଏ ହେଇ ଟଙ୍ଗା ହେଇ ଗଲା। ଖଣ୍ଡିଆ ଦାନ୍ତକୁ ଦେଖେଇ ବୁଢ଼ୀ ହସୁଥିଲା। 


ପୁଣି, ବାପା ଦାଦା ସବୁ ଏକାଠି ହେଲେ ବହୁ ଦିନ ପରେ। ଏକାଠି କେବେ ଆଗରୁ ଦେଖି ନଥିଲି ଏ ମାନଙ୍କୁ। ବୁଢ଼ୀ ପାଇଁ ଶୁଦ୍ଧ ପୂତ ହେଲେ। କୁଣିଆ ମୈତ୍ର ଆସିଲେ। ଗାଁକୁ ଖାଇବାକୁ ଦେଲେ। ଯାହା କିଛି ବଳିଲା ଡକା ହକା ହେଇ ସାହିରେ ବଣ୍ଟା ହେଲା। ସବୁ ଯଥାମତ ସରିଲା। ବାକି ଥିଲା ହିସାବ କିତାବ। ବୁଢୀର ବଳକା କଳୁଛା ସୁନାର ଭାଗ ବଣ୍ଟା। ହେଲା ଝିମିଟି ଖେଳରୁ ମହାଭାରତ। ସବୁ କଥା ପଡିଲା। କେତେ ଖର୍ଚ୍ଚ ହେଲା, କେତେ ଉଠିଲା। କଣ ଘଟୁ ଥିଲା, ଜଣା ପଡୁ ନଥିଲା। କାହିଁକି ଏତେ କଜିଆ, ପାଟିତୁଣ୍ଡ ଆଉ ଗାଲୁ ମରା !


କଥାଟି ସାମ୍ନାକୁ ଆସିଲା। କଣ ନା ବୁଢା କିଛି ଟଙ୍କା ଦେଇଛି ବଡ ଭାଇକୁ। ସେଇଟା କୁଆଡେ ଗଲା। ବାର୍ଦ୍ଧକ୍ୟ ଭତ୍ତା। ବୁଢ଼ା କିଛି ସଂଚିଥିଲା। ଆମ ଗହଣରେ ରହିବା ବେଳେ ଭାଇକୁ ଦେଇଥିଲେ। ଭାଇ ତାକୁ ଖର୍ଚ୍ଚ ନା କରି ବ୍ୟାଙ୍କ୍ରେ ରଖିଥିଲା, ଏହା ଭାବିକି କି ବୁଢ଼ାର ଶେଷ ସମୟରେ କାର୍ଯ୍ୟରେ ଲାଗିବ। କାଳେ କେହି ପଚାରିବେନି ସେତେବେଳେ। ଏତିକି ପାଇଁ ଏତେ ନାଟକ! ଭାଇ ବି ଖୁସି ଖୁସି ଟଙ୍କାତକ ଦାଦା ମାନଙ୍କ ହାତରେ ରଖି ଦେଲା। କିନ୍ତୁ, ଯୋଉ ଅପଦସ୍ତ ହେଲା, ତାହା ବାଧି ଥିଲା। କାହା ପାଇଁ? ସବୁରି ମୂଳରେ ସେଇ ଜେ'ପା ଥିଲେ। ସେ କଥାକୁ କହିବା ଢଙ୍ଗ ଜାଣି ନଥିଲେ, ନା ଦାଦା ମାନଙ୍କର ପକ୍ଷ ନେଉ ଥିଲେ? ପକ୍ଷ ନ ନେଲେ ହୁଏତ ଭାତ ମୁଠିଏ ବି ମିଳି ବନି, ଏଇ ଡର ଘାରି ଥିଲା ତାଙ୍କୁ। କିନ୍ତୁ, ମହରଗରୁ ଯାଇ କାନ୍ତାରରେ ପଡିଲା ଭଳି ଘଟଣା ଘଟିଲା। ବୁଢାକୁ କେହି ନିଜ ଘରକୁ ନେବାକୁ ନାରାଜ। କଥା କଣ? କଣ ହେବ ଏବେ? ବିଚାର ହେଲା। କିଏ କେତେ ଦିନ ଖାଇବାକୁ ଦେଇଛି, ସେହି ଅନୁସାରେ ନିଷ୍ପତ୍ତି ନିଆ ହେବ। ବୁଢ଼ା କିନ୍ତୁ ଆମ ଘରକୁ ଆସିବାକୁ ତାର ମୁହଁ ନ ଥିଲା। ତେଣୁ ନିଷ୍ପତ୍ତି ନେବା ଦାୟିତ୍ଵ ଥିଲା ଦାଦା ମାନଙ୍କର। ବୁଢ଼ା ବାପା ଟାକୁ ଏମିତି କରୁଛ? କଥାରେ ଅଛି ପିତା ମାତାଙ୍କ ଋଣ ମରି ଗଲେ ବି ସୁଝି ହୁଏନି। ସୌଭାଗ୍ୟ ଭାବି ଆଦରି ନେବା କଥା। କିନ୍ତୁ, ଏକି ହତଭାଗ୍ୟ ସନ୍ତାନ! ଯିଏ ଚାହୁଁଛି, ପାଛୋଟି ନେବାକୁ ସେଠାକୁ ଯିବାକୁ ଚାହିଁଲେ ବି, ସେ ଅଲାଜୁକ ହେବାକୁ ଚାହିଁଲେ ନାହିଁ। 


ମୋ ବିବେକ ମୋତେ ଉତ୍ସାହିତ କରୁଥିଲା, ମୁଁ କିଛି ମତ ରଖିବି, କିଛି ଦାୟିତ୍ଵ ନେବି, କିଛି ଅନୁରୋଧ କରିବି। କିନ୍ତୁ, ବାପ ଦାଦା ମୁହଁରେ କହିବାକୁ ସୁଯୋଗ ନୁହେଁ, ଅଧିକାର ନାହିଁ। ସେମାନଙ୍କ ମତରେ ପୁଅ ମାନେ ଥାଉ ଥାଉ ନାତି ମାନେ କିଏ? କିଏ ସେ ଅଧିକାର ଦେଲା ସେମାନଙ୍କୁ? କି ଅଲାଜୁକ! କର୍ତ୍ତବ୍ୟ କରିବାକୁ ଆଗଭର କାରଣ ସେଥିରେ ଫାଇଦା ଅଛି, ସଜା କାମ କାର୍ଯ୍ୟରେ ପଛଘୁଞ୍ଚା କାହିଁକି? କହିବେ କଣ ନା, ନାତି ଗୁଡ଼ା ଭେଣ୍ଡିଆ ହେଲେଣି, ସେମାନେ ବୋଲହାକ ସବୁ କରିବେନି? ଚାଲ୍ରେ ଭାଇ କାମଟା ସାରି ଦେବା, ମୁଁ ଭାଇକୁ କହେ। ଯେତେ ହେଲେ ବି ଗୁରୁଜନ। ହେଃ ହେଃ !


ବେଶୀ ଦୁଃଖୀ ଥିଲୁ ଆମେ ସବୁ ଭାଇ ଭଉଣୀ। ଗୋଟିଏ ଡୋରରେ ବନ୍ଧା ହେଇ ରହି ଥିଲୁ। ଗଣ୍ଠି ଥିଲା ସୁଦୃଢ଼। ବାପା ମାଆଙ୍କର ଆକଟ ବି ଆମକୁ କେହି କାହାଠୁ ଦୂରେଇ ପାରିନି। ଦୂରେଇ ବି ପାରିବନି। ପରସ୍ପର ପ୍ରତି ସ୍ନେହ ଓ ଆମର ଅଲଗା ଚିନ୍ତାଧାରା ଆମକୁ ଗୋଟିଏ କରି ଅତୁଟ ରଖିଛି। କିନ୍ତୁ, ମନ୍ଥରାକୁ ଏବେବି ଡର ଲାଗୁଛି। ମୁଁ ବିଷର ସନ୍ଧାନରେ ଅଛି। ଯାହାକି ତାର ଚେରକୁ ଉପାଡ଼ି ନିଆଁରେ ଫୁଋଷେଇ ଦେବ। 


ମୁଁ ଫେରିଲି ହଷ୍ଟେଲକୁ, କିଛି ମିଠା ଖଟା ଅନୁଭୂତି ନେଇ। ଲାଗି ପଡ଼ିଲି ମୋର ସେଇ ଅନୁଭୂତିକୁ ଉତାରିବାକୁ କାଗଜ କଲମରେ। ବିତିଗଲା ବର୍ଷଟିଏ। ଖବର ନାହିଁ, ଦବର ନାହିଁ। ମୁଁ ପୁଣି ସେଇ ଜୀବନକୁ ଫେରି ଆସିଲି, ଯୋଉଠି ନ ଥିଲା, ଜେ'ପାର ସେଇ ମିଠା ଡାକ, ରାଗହୀନ ଗାଳି ଆଉ ପାଦ ଛୁଇଁବାର ସୁଯୋଗ। ବେଶୀ ସମୟ ଲାଗିଲାନି ଏ ଜୀବନକୁ ଆସିବାକୁ, କାରଣ ମୋର ହେତୁ ଆସିବା ପୂର୍ବରୁ ମୋଠୁଁ ଦୂରେଇ ଯାଇଥିଲେ ସେ। ଭାରୀ ଉପଯୋଜିତ ଥିଲି ଏ ଭଳି ଜୀବନ ସହ। ସ୍ମୃତିରେ ବଞ୍ଚିବାର। ଦୂରରୁ ଦେଖି ମଥା ପାତି ଆଶିଷ ମାଗିବାର। 


ମାଆ କହିଲା, ଜେ'ପାଙ୍କ ଦେହ ଭଲ ନାହିଁ। ଶେଯରୁ ଉଠିପାରୁ ନାହାନ୍ତି। ଆସେ, ଦେଖି ଯା। ବିକଳ ହେଇ ଦୌଡ଼ି ଥିଲି ଗାଁକୁ। ବହୁତ୍ ଦିନପରେ ଦେଖିଲି ତାଙ୍କୁ, ବୋଧହୁଏ ଶେଷ ଥର। ନିଜ ଆଖିକୁ ବିଶ୍ୱାସ କରି ପାରୁ ନଥିଲି, ଯାହା ଦେଖିଲି। ଖାଲି ହାଡ଼ ଦି ଖଣ୍ଡ। କଙ୍କାଳ ଉପରେ ଚର୍ମର ଚାଦରଟିଏ। ମୋତେ ଚିହ୍ନି ପାରିଲେନି। ଭାରୀ କଷ୍ଟ ହେଲା। ମୁଁ, ମୋ ନାଆଁ କହିଲି। ସେ ଖନେଇ ଖନେଇ ମୋ ନାଆଁଟି କହିବାକୁ ଚାହୁଁଥିଲେ, ମଁେ ବି ବ୍ୟାକୁଳ ହେଇ ଉଠୁଥିଲି, ଜେ'ପାଙ୍କ ଓଠରୁ ମୋ ନାଆଁ ଟି ଶୁଣିବା ପାଇଁ। କହି ପାରିଲେନି। ତାଙ୍କ ଆଖିରୁ ପାଣି ଠୋପେ ଝରି ଯାଉଥିଲା। ମୁଁ, ଏ ସବୁ ଦେଖି ସହି ପାରିଲିନି। ନିଜକୁ ଧିକ୍କାର ଲାଗିଥିଲା, କି, ନାତି ଟିଏ ହେଇ ତାଙ୍କ ପାଇଁ କିଛି ଟିକେ କରି ପାରିଲିନି। ସେ ଦୃଶ୍ୟ ମୋ ପାଇଁ ଥିଲା ଅସହ୍ୟ। ଫେରି ଆସିଲି। 


ସପ୍ତାହେ ହେଇ ନଥିଲା। ପାହନ୍ତାରୁ ଭାଇର ଫୋନ୍ରେ ନିଦ ଭାଙ୍ଗି ଗଲା। ଖବରଟି ପାଇଲି। ପାଦ ତଳୁ ମାଟି ଖସି ଗଲା। ଛଳ ଛଳ ଆଖିରେ ସାମ୍ନା କାନ୍ଥକୁ ଚାହିଁଲି। ଚିପକା ହେଇ ଥିବା ସେଇ କାଗଜ ଟିକୁ, ଯେଉଁଥିରେ ଲେଖିଥିଲି କବିତାଟି, ମୋ ଜେ'ପା । କାଳି ଫିକା ଦିଶୁ ଥିଲା। ପଢ଼ାଟେବୁଲ୍ ଉପରେ କାଚ ଗିଲାସରେ ଥିବା ପେନ୍ ଗୁଡ଼ିକ ଆଢୁଆଳରେ ସେଇ କଲମଟି ଲୁଚି ଯାଇଥିଲା। ପୂର୍ବପରି ଦପ୍ ଦାପ୍ କରି ଜଳୁ ନଥିଲା। ମୁଁ ତାକୁ ଏକ ଲୟରେ ଚାହିଁ ରହିଥିଲି। 


Disclaimer : ଗଳ୍ପଟି ସମ୍ପୂର୍ଣ କାଳ୍ପନିକ। କୌଣସି ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କ ସହ ଏହାର କୌଣସି ସାମଞ୍ଜସ୍ୟ ନାହିଁ। If any it's only a coincidence.



Rate this content
Log in

More oriya story from Kisho Raj

Similar oriya story from Inspirational