Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Kisho Raj

Inspirational Thriller Others


3  

Kisho Raj

Inspirational Thriller Others


ଚଞ୍ଚଳା ବୁଢ଼ୀ

ଚଞ୍ଚଳା ବୁଢ଼ୀ

11 mins 418 11 mins 418

- ଆଲୋ ବୁଢ଼ୀ, କୁଆଡେ ଯାଇଥିଲୁ?

ଗାଆଁ ପୋଖରୀ ତୁଠରେ ଚିକ୍କଣମୁଗୁନି ଉପରେ ଓଦା ପାଲଟା ଗେଞ୍ଜି ଟାକୁ ଖୁନ୍ଦାରୁ ଖୁନ୍ଦାରୁ ମୁଁ ପଚାରିଲି ।

ଗହିରିଆ ପୋଖରୀ । କିନ୍ତୁ ଅଣ୍ଟେ ହେବ ପାଣି । ଗୋଳିଆ, ଦଳ ଭରା । ଗେଭେରା ମେଞ୍ଚେ ନିଇତି ମତାର ହୁଅନ୍ତି । ପାହାନ୍ତାରୁ ଦି, ତିନି ଘଡ଼ି ମାଇକିନିଆଙ୍କ ମେଳି ହୁଏ । ପରେ ପରେ ଅଣ୍ଡିରଙ୍କ ପାଳି । ଦିନ ଦ୍ବିପହର ଯାଏଁ ତୁଠକୁ ଫୁରୁସତ୍ ନାଇଁ ।

- ଏଇ ଯାତେରା ଦେଖି ।

ଥରଥର ଗଳାରେ କହିବାକୁ ଚେଷ୍ଟା କଲା ଚଞ୍ଚଳା ।


ଯାତ୍ରା କହିଲେ, ଗାଁର ବୟସ୍କ ବୁଢ଼ା ବୁଢ଼ୀଙ୍କ ମୁହଁରେ ଖୁସି ଟିକେ ଆଣିବାର ପ୍ରଚେଷ୍ଟା । ବିଭିନ୍ନ କର୍ମ ଜଞ୍ଜାଳରେ ନିତି ଘାଣ୍ଟି ହେଇ ଚିତ୍ତବିନୋଦନର ଖୋରାକ ଟିକେ ପାଆନ୍ତିନି । ତା' ସହିତ ବନ୍ଧୁ-ବାନ୍ଧବ ଓ ଅତିଥିଙ୍କ ଗହଣରେ ଦିନଟିଏ କଟେଇବାର ସୁଯୋଗ ମିଳିଥାଏ । ସହରରେ ରହୁ ଥିବା ପୁଅ-ବୋହୁ ଆଉ ନାତି-ନାତୁଣୀଙ୍କୁ ନିକଟରେ ପାଇ ସେମାନେ ଭାରି ଖୁସି ହୁଅନ୍ତି । ଝିଅ-ଜୋଇଁଙ୍କୁ ଡାକି ଆଣି ଥାଆନ୍ତି । ନାତି-ନାତୁଣୀଙ୍କ ଅଳି ଅଝଟ ଆଉ ଦୁଷ୍ଟାମୀରେ ବୁଢ଼ା ବୁଢ଼ୀ ଦି' ଟା ବରଷ ଯାକର ଖୁସିକୁ ଗୋଟିଏ ଦିନରେ ପାଳନ୍ତି । ସାଇତି ଥିବା ସ୍ନେହ ଶ୍ରଦ୍ଧାକୁ ସେଇଠି ଅଜାଡ଼ି ଦିଅନ୍ତି । ଆନନ୍ଦର ଲୁହ ଟୋପେ ଝରି ଯାଏ ସେମାନଙ୍କ ଆଖିରେ । ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନରେ ଗାଆଁଟି ମହକେ । ସଂଧ୍ୟାରେ ତେଲ କଡ଼େଇଟିଏ ବସେ । ଭାଇ ବନ୍ଧୁ କୁଟୁମ୍ବରେ ପିଠା ପଣା ଦିଆ ନିଆ କରି ସମ୍ପର୍କକୁ ମଜବୁତ୍ କରାଯାଏ ।

ବୈଶାଖ ମାସ । ପ୍ରତି ଦିବସରେ କିଛି ନା' କିଛି ପର୍ବଟିଏ ପଡ଼େ । ସେଥିରୁ ଗୋଟିଏ ଦିନକୁ ମୋ ଗାଆଁ କୋଉ ଅମଳରୁ ଆଡମ୍ବର ସହକାରେ ପାଳି ଆସୁଛି । ଗାଆଁ ଗଣ୍ଡାରୁ ଆରମ୍ଭ କରି ସହରରେ ରହୁଥିବା ସୁଦୂର ଉଚ୍ଚ ଅଟ୍ଟାଳିକାରେ ବି ଅତି କମ୍ ରେ ସେଦିନ ପଲମରେ ଚକୁଳିଟିଏ ବସେ ।


ଅପରାହ୍ନରେ ଛୋଟିଆ ବଜାରଟିଏ ବସେ, ଅଣଓସାରିଆ ଗାଆଁ ଦାଣ୍ଡରେ । ନାତି-ନାତୁଣୀଙ୍କୁ କାନ୍ଧରେ ବସେଇ ଅଜା ବଜାର ବୁଲେଇ ନିଏ । ବେଲୁନ୍, ପେଁ କାଳି ଓ କଣ୍ଢେଇ ଧରି ସଭିଏଁ ଯାତେରା ବୁଲନ୍ତି । ମନ-ମତାଣିଆ ଟେସେନାରି, ବାସନକୁସନ କିଣିବାରେ, ବିକାଳୀଙ୍କ ସହ ଗାଆଁ ଭୁଆସୁଣୀଙ୍କର କେଚେରେ କେଚ଼େରେରେ ସଞ୍ଜ ବୁଡ଼ି ଯାଏ । ଚାଟ୍, ଗୁପୁଚୁପ୍ ଆଉ ୧୦ ଟଙ୍କିଆ ଆଇସକ୍ରିମ ଖାଇ, ହଳଦୀ-ମରା ପାପୁଲିରେ ମେହେନ୍ଦି ରଚେଇ ସେମାନେ ଯେଝା ଘରକୁ ବାହୁଡ଼ନ୍ତି ।


ଚଷା ପୁଅମାନେ ବିଦେଶ ଛାଡ଼ି ଗାଆଁ ମୁହାଁ ହୋଇ ଥାଆନ୍ତି । ଅକ୍ଷୟ ତୃତୀୟା ଠୁଁ ଚଷାର ବିଗୁଲୁ ବାଜେ । ଅଣ୍ଟାରେ ଗେରୁଆ କରିଆ ଭିଡ଼ି ବିଲରେ ପାଦ ଥାପି ଥାଏ ।

ନିପଟ ମଫସଲିଆ ଗାଆଁଟି । ନିକଟ ସହରରୁ ଅନ୍ୟୁନ ୧୫ ମାଇଲ ବାଟ ହବ । ସକାଳୁ ଅଗଣା ଓଳେଇଲା ବେଳେ ଲମ୍ବା ବସ୍ ଦି' ଟା ସହର ଆଡ଼କୁ ଯାଏ । ନାଲି ମାଟି ଖାଲ ଢ଼ିପ ଦାଣ୍ଡିରେ ଗୁରୁଣ୍ଡିଲା ଭଳି ଦେଖାଯାଏ । ଖଣ୍ଡିଏ ସଞ୍ଜକୁ ଲେଉଟେ । ଆର ଟି ହର୍ନ ଦେଲା ବେଳକୁ ସଭିଙ୍କର ପହଡ଼ ପଡି ଯାଇଥାଏ ।

ଗାଆଁ କହିଲେ, ସାତ କି ଆଠ କୋଡ଼ି ପରିବାର । ତା ପୁଣି ଦି' ଖଣ୍ଡ । ରାଜନୈତିକ ମତଭେଦ ଆଉ କିଛି ପ୍ରାପ୍ତ ବୟସ୍କ ଉଚ୍ଚ-ଶିକ୍ଷିତଙ୍କ ଆତ୍ମସମ୍ମାନ ଦୃଷ୍ଟିରୁ ଗାଆଁ ଖଣ୍ଡ ଖଣ୍ଡ ହେଇ ଗଲାଣି । ମଧ୍ୟ ଓ ନୀଚ୍ଚ ଶ୍ରେଣୀ ଅଶିକ୍ଷିତ ଗୋଷ୍ଠୀଙ୍କୁ ବିଭିନ୍ନ କାଇଦାରେ ଶୋଷୁଛନ୍ତି ସେମାନେ । ଗାଆଁର ହିତ ସାଧନ କରିବା ନାଆଁରେ, ବିକାଶ ପଥରେ କଣ୍ଟା ହେଇ ଛିଡ଼ା ହୋଇଛନ୍ତି । ଶିକ୍ଷିତ ଯୁବ ଶ୍ରେଣୀ ମାନଙ୍କୁ ଗାଆଁର ମଙ୍ଗ ଧରିବାର ସୁଯୋଗ ଦେଉ ନାହାନ୍ତି । ଉତ୍ସାହିତ କରିବା ତ ଦୂର କଥା, ନାନା ଭୟ ଆଶଙ୍କାର ଉଦାହରଣ ଦେଇ, ପଛ ଘୁଂଚା ଦେବାକୁ ବାଧ୍ୟ କରୁଛନ୍ତି ।

ତଥାପି କିଛି ସ୍ଵାଧୀନ ଚେତା ଯୁବକ ଅଛନ୍ତି, ଯେଉଁମାନେ କି' ସମାଜର ଏହି ନୀତି, କୁସଂସ୍କାର ଆଉ ପ୍ରଥାକୁ ବଦଳେଇବାର ଚେଷ୍ଟା ଜାରି ରଖିଛନ୍ତି । ସେମାନେ ଲୋକଙ୍କୁ ସଚେତନ କରେଇବା, ଅନ୍ୟାୟ ବିରୋଧରେ ସ୍ୱର ଉଠେଇବା, ବିଭିନ୍ନ ପତ୍ରିକା ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଧ୍ୟାନ ଆକର୍ଷଣ କରି ସରକାରଙ୍କ ଯୋଜନା ବିଷୟରେ ଜାଗରଣ ସୃଷ୍ଟି କରିବା ଇତ୍ୟାଦିରେ ନିଜକୁ ନିୟୋଜିତ ରଖିଛନ୍ତି । କିନ୍ତୁ ଦୁଃଖର କଥା ଯେ, ଯେଉଁ ମାନଙ୍କ ପାଇଁ ଏ ସବୁ ଚେଷ୍ଟା ଓ ଜାଗରଣ, ସେହି ବେକାର ଯୁବ ଗୋଷ୍ଠୀ ଆଜି ଦେଶୀ ବିଦେଶୀ ପାନୀୟରେ ମତୁଆଲା ହେଇ ଦୁଇ, ତିନି ଅକ୍ଷିରିଆ ମାତୃଭାଷାକୁ ଫିଙ୍ଗି ଚାଲନ୍ତି । ମାଆ, ବୋପାଙ୍କ ସଂସ୍କାରକୁ ଦାଣ୍ଡରେ ଗଡାନ୍ତି ।


ଆଉ ଶିକ୍ଷିତ, ସଂଯମ-ଯୁକ୍ତ ଯୁବକ ଗଣ, ବିଭିନ୍ନ ଦାୟିତ୍ଵରେ ବନ୍ଧା ଯୁବ ଗୋଷ୍ଠୀ, "ଆ ବଳଦ ମତେ ବିନ୍ଧ୍" ଆଉ "ଆଲୋ ସଖୀ, ଆପଣା ମହତ ଆପେ ରଖି" ଦ୍ବୟ ଲୋକବାଣୀରୁ ଦ୍ଵିତୀୟ ଟିରେ ଟିପ ମାରୁଛନ୍ତି ।

ଦେଖିବାକୁ ହାଣ୍ଡି କଳା, ଦେହରେ ଛିଣ୍ଡା ମଇଳା ଲୁଗା ଟିଏ । ରଙ୍ଗ ଛାଡ଼ି ଗଲାଣି । ଆଣ୍ଠୁ ତଳ ଯାଏଁ ଲମ୍ବିଛି । ଠାଏଁ ଠାଏଁ ଧଡ଼ିରୁ ଖୁଞ୍ଚ ଲାଗି ଚିରି ଯାଇଥାଏ । ନୁଖୁରା ଜଟ କେଇ କେଡ଼ାକୁ ଗଣ୍ଠିଟିଏ ପକେଇ, ଛୋଟ ଖୋସାଟିଏ ପାରିଥାଏ । ବେକରେ କଳା ଫିତା । ଖଇନି ଖିଆ ପାଟିରେ ଲାଳ, ସାଇଡ୍ ରେ ପାଟି ଘା' । ହଳଦିଆ ବଳକା ଦାନ୍ତ ଦି' ଗଣ୍ଡା ମେଲି ହେଇ ଯାଇଥିଲା ଚଞ୍ଚଳା ବୁଢୀର । ଅଣ୍ଟାରୁ ବଳ ଖସି ଗଲାଣି । ହାତରେ ସରୁ ଫଟା କେନ୍ଦୁବାଡ଼ି ଟିଏ, ଶୋଭା ପାଉଥାଏ ରସ ବଳା ଯୋଡ଼ା ଦି ହାତରେ । ସରୁ ସରୁ ଗୋଡ଼ ଦି' ଟାରେ ହାଡ଼ ଦେଖା ଗଲାଣି, ବଙ୍କୁଲି ବୁଢ଼ା ଆଙ୍ଗୁଠିରେ ନଖ ସବୁ ମରି ଗଲାଣି ।

ଦୋକାନ ପିଣ୍ଡିରେ ଗୋଡ଼କୁ ଲମ୍ବେଇ ଯାତ୍ରା ପ୍ରସେସନ୍ ଦେଖିବାକୁ, ସେ ଉଣ୍ଡି ବସିଥିଲା । ତାକୁ ସେଇଠି ପ୍ରଥମେ ଦେଖିଥିଲି ସେଦିନ, ଭଙ୍ଗା ପାନ ଦି' ଖଣ୍ଡ ଆଣିବାକୁ ଯାଇଥିଲି ଯେତେବେଳେ ।

ଗାଆଁ ମଝିରେ, ତିନି ଛକିଆ, ଛୋଟିଆ ଦୋକାନଟିଏ । ଛୋଟିଆ ମାନେ, ଛୋଟ ଗାଁ ତୁଳନାରେ ବହୁତ୍ ବଡ଼ । ଛୁଞ୍ଚି ଠୁଁ ଆରମ୍ଭ କରି ଲଙ୍ଗଳ ଲୁହା ଯାଏଁ, ପାଞ୍ଚ ଟଙ୍କିଆ ଖାଇବା ତେଲ ଠୁଁ ଆରମ୍ଭ କରି ପାଞ୍ଚ ଲିଟରିଆ ଯାର୍କିନି ଯାଏଁ ସବୁ ସୁଲଭ ଦରରେ ମିଳେ । ଟଙ୍କିକିଆ ଚାଉଳକୁ ଦଶ ଟଙ୍କାରେ ଘିନି ୧୫ ଟଙ୍କାରେ ବିକି ପିଢ଼ାରୁ ଗଦି ଚଉକିକୁ ପ୍ରମୋସନ୍ ହେଇଚି, ସେ ଦୋକାନୀର ।

ନଈ କୂଳରେ ଘର । ବୁଢୀ ନାଆଁରେ ଆସିଥିଲା, ଇନ୍ଦିରା ଆବାସ । ଦି' ବର୍ଷ ତଳେ, ପୁଏ ଢଳେଇ ପକେଇ ଥିଲେ । କିନ୍ତୁ ପୁଅ ଦୁଇ ଟାଙ୍କୁ ନିଅଣ୍ଟ ହୁଏ । ସବୁ ବାହା ପୁଆଣୀ ହେଲେଣି । ଭାରିଜା ସାଙ୍ଗେ ହେଁପେଁ ହେଇ ହେଲାନି ଯେ, ବୁଢ଼ୀକି କାଉଁଶି ଛପର୍ ଝାଟି ଘରେ ଖଜୁରୀ ପଟିଆରେ ଫୋପାଡି ଦେଇଛନ୍ତି । ନାତି-ନାତୁଣୀ କଥା କହିଲେ ନ ସରେ ।

ପୁଅ-ବୋହୂ ତ ଆମ୍ବିଳା ଗଛ, ରସାଳ ସୁନ୍ଦରୀ ଫଳିବ କୋଉଠୁଁ !


ବୁଢ଼ା ତ କୋଉ କାଳୁ ମଲାଣି । ସାଆନ୍ତାଣୀ ଭଳି ଚଳୁଥିଲା ସେତେବେଳେ । ଆଜି ଭିକାରୀକୁ ଭିକ ମାଗିବା ଅବସ୍ଥା ତା'ର । ମୁଣ୍ଡକୁ ତେଲ ଟିକେ ବି ଦେଉ ନାହାନ୍ତି । ଦି' ଦିନର ବାସି ପଖାଳକୁ ଦେଶୀ ଆମ୍ବୁଲ, ଆଉ ବୁଢ଼ୀ ତଣ୍ଟିରେ ଗଳୁନି । ଖାଲି ପାଦରେ ଦି' କୋଶ ଦୂରରୁ ନିଘି-ନିଘିଆ ବୈଶାଖ ଖରାରେ, ଚଞ୍ଚଳା ମାଡ଼ି ଆସିଥିଲା ଗାଆଁ ଆଡ଼େ । ଚାଖଣ୍ଡେ ଲମ୍ବର ପ୍ଲାଷ୍ଟିକ ଶିଶିରେ ଦି' ଚକି ସୋରିଷ ତେଲ, ଆଉ ପାଞ୍ଚ ଟଙ୍କିଆ ନିରିମା ଗୁଣ୍ଡ ପୁରେଇ ଥାଏ ଅଣ୍ଟିରେ ।


ସେଇଠି ଛିଡ଼ା ହେଇ ରହିଲି କିଛି କ୍ଷଣ । ପଟୁଆର ଯାଉଥାଏ । ନାନା ରଙ୍ଗର କାଗଜ ଫୁଲ ଗୁଡ଼ିକ ଜୀବନ୍ତ ଲାଗୁଥାନ୍ତି । ସାଜ୍ଜାସଜ୍ଜାରେ ଗାଆଁ ରାସ୍ତାଟି ଫୁଲ ବଗିଚା ଟିଏର ଭ୍ରମ ହେଉଥାଏ । ହାଡ଼ିର ଢୋଲ ଆଉ ଶିଙ୍ଗ ବାଜାରେ ଗାଆଁଟି ପଡୁଥାଏ, ଉଠୁଥାଏ । ହାତକୁ ହାତ ଭିଡ଼ି, ନୂଆ ଡ୍ରେସ୍ କୁ ନୂଆ ଜୋତା ପିନ୍ଧି ଲୋକେ ଗହଳିରେ ଆଗକୁ ବଢୁ ଥିଲେ । ଛୁଆ କେତେ ପୁଞ୍ଜା ପାଞ୍ଚ ଟଙ୍କିଆ ଗଗଲସ୍ ପିନ୍ଧି ଵୋପା ଅଜାର କାନ୍ଧରେ ବସି ତାଳି ମାରୁଥିଲେ ।

ପଟୁଆର ଶେଷ ମୁଣ୍ଡକୁ ବାଜୁଥିଲା ଡି.ଜେ, ଟୋକାଙ୍କ ପାସନ୍ଦିତା ଗୀତ ।

୧- ଛାତ ଉପରେ କିଏ ଲୋ, ଛାତି ଦୁଲୁକେଇ ଦିଏ ଲୋ

୨- ନବମ ଶ୍ରେଣୀ ଝିଅଟା, ଛାତି କୁ ମୋ ହଣ୍ଟ କରୁଛି

୩- ଆ ସୁନା ଘରୁ ବାହାରିଆ

୪- ନନି, ଦବୁ ବେଲେ ଖାଇମି ଜୁଡେ ଆମ୍ ଲୋ

୫- ହେ ଇଟିଲି ବାଲି, ଇଟିଲି ବାଲି

୬- ମାଉସୀ ଘର ଭଡ଼ା ଦବ କି

ଆଉ କିଛି ଆଇଟମ ନମ୍ବର

ଦ୍ବିଅର୍ଥ ବୋଧକ ସଙ୍ଗୀତକୁ ଗାଆଁ ଟୋକାଙ୍କ ଅଶ୍ଳୀଳ ଭଙ୍ଗୀରେ ନୃତ୍ୟ, ବେଶ୍ ତାଳ ପଡୁଥାଏ । ଦେଶୀ କୁଆଁରୀ ଗଣ ଛାତ ଉପରେ ଏହାର ମଜ୍ଜା ନେଉଥାନ୍ତି । ଆଦ୍ୟ ଯୌବନରେ ସରସର ଓ ଆଣ୍ଡ୍ରଏଡ ସ୍ମାର୍ଟ୍ ଫୋନ୍ ରେ ଇନ୍ଦ୍ରିୟ ଭେଦୀ ଚଳଚ୍ଚିତ୍ର ସହ ଜଡ଼ିତ କଢ଼ ଆଉ କଢ଼ି ଗଣ ସବୁ ଇଙ୍ଗିତକୁ ଠଉରେଇ ନିଅନ୍ତି । ନିଆଁରେ ଘିଅ ଢ଼ାଳିବା ସକାଶେ ତରୁଣୀ ମାନଙ୍କର ଲାଜେଇ ହସ ଆଉ ତେରେଛି ଚାହାଣି ଯଥେଷ୍ଟ ହୁଏ ।

ଇଂଲିଶ ମାଲ୍ ପକେଇ ହିତାହିତ ଜ୍ଞାନ ଭୁଲି ଯା’ନ୍ତି । ନୟନ ଯୋରିରେ ମୁହଁ ମାଡ଼ି ପଡନ୍ତି କେତେକ । ଅଚେତ ମଦୁଆଟିକୁ ମୂର୍ଦ୍ଦାର ଭଳି ଟେକି ନେଇ ଶୋଇ ଦିଅନ୍ତି ପର ପିଣ୍ଡାରେ । ବୋପାର ସମ୍ମାନଟିକ ମାଟିରେ ମିଶାନ୍ତି ।


ଭ୍ରଷ୍ଟାଚାର, ବ୍ୟଭିଚାରର ନିଖୁଣ ଉଦାହରଣ । ଆଜିର ଯୁବ ପୀଢ଼ି କେତେ ସଞ୍ଜମ । ଗ୍ରାମାଞ୍ଚଳରେ ଘଟୁଥିବା ବିଭିନ୍ନ କାଣ୍ଡ କାରଖାନାର ପ୍ରଥମ ସୋପାନ ।

କହିବ କିଏ? ଆଜି ସେମାନେ ନିଶାରେ ବାପ ଭାଇକୁ ଟାଙ୍ଗିଆ ଚୋଟ ପକେଇବାକୁ ପଛାଉ ନାହାନ୍ତି ।

ଭୁଲ୍ କାହାର? ପାଠ ପଢେଇ, ଶିକ୍ଷିତ ନକରେଇ , ପୁଅକୁ ବାହାରକୁ ପଠେଇ ଦେଲା । ଯା' ଟଙ୍କା ରୋଜଗାର କର୍ । ଏଇଟା ସଂସ୍କାର ? ପୁଅ ଆଗରେ ଭାରିଜାକୁ ମଦ ପିଇ ସଂସ୍କୃତ ଗାଇବା, ଭାରିଜାର ଝାଡୁ ପାହାର ଖାଇବା । ପୁଅ ବୁଝିଲା, ଘର ପରିବେଶ । ଗାଆଁକୁ ଛ' ମାସକୁ ଥରେ ଆସିଲା । ଟଙ୍କା ପୁଳାଏରୁ ଅଧା ଧରି ଗାଆଁ ଟୋକାଙ୍କୁ ସାଙ୍ଗ କଲା, ମଦ ପିଇଲା । ପର ଝିଅ ବୋହୂଙ୍କ ଉପରେ ନଜର ପକେଇଲା । ବାପ ତ ଟଙ୍କା ପୁଳାଏ ପାଇଲା । ସେ ବା କାହିଁକି ପୁଅକୁ ବାଧା ଦବ । ବାତେରା, ବାଳୁଙ୍ଗା ଓ ଲମ୍ପଟ ହେଇ କହ୍ନେଇ ସାଜିଲା । ବୁଲା ଷଣ୍ଢ ହେଇ, ଚାଳ ଠାରୁ ଆଜବେଷ୍ଟସ୍, ସବୁ ଗୁହାଳେ ପଶିଲା ।

ଆଜି ନେଡି ଗୁଡ କହୁଣୀରେ । ଭୋଗିବ କିଏ?


ଗାଆଁ ଚଉପାଡି ସମ୍ମୁଖରେ ଚାଲେ ଅପେରା । ସଞ୍ଜ ନ ହେଉଣୁ, ଅଖା ବସ୍ତା, ପଟିଆ, ପାଲ, କାର୍ଟୁନ୍ ଆଉ ଖଟ ପକେଇ ବସିବା ଜାଗା ମାଡ଼ି ବସନ୍ତି । କିଛି ନ ପାଇଲେ ନଡ଼ା ଦି ବିଡ଼ା ବିଛେଇ ଦିଅନ୍ତି । ଅପେରା ଆରମ୍ଭ ହେବା ପୂର୍ବରୁ ଯେଝା ଯେଝା ଥାନରେ ଆଁ କରି ଅନେଇ ରୁହନ୍ତି । ପରିବାର ସାରା ମାଡ଼ି ଯାନ୍ତି, ଅପେରା ଦେଖିବା ପାଇଁ । ଇନ୍ଦ୍ରିୟ ଉଦ୍ଦୀପକ ନୃତ୍ୟରେ ପାଟିରୁ ପାଣି ଝରାନ୍ତି ।

ସାମାନ୍ୟ ଦୁରରେ ବସିଥିବା, କୁଣିଆ ହେଇ ଆସିଥିବା ୧୬ ବୟସୀ ସୁନ୍ଦରୀଟିକୁ ଗାଆଁ ବାତେରା ଗଣ ଟାକି ରହିଥାନ୍ତି । ପଡିଶା ଗାଆଁ ଟୋକା ବି ପ୍ରେମିକାକୁ ଦେଖିବାକୁ ମାଡ଼ି ଆସିଥାଏ । ଆଖିରେ ଆଖିରେ ଈଶାରା ବି ଚାଲେ । ଧରା ପଡ଼ିଲେ ଛେଚା ଖାଏ, ନୋହିଲେ କୁଞ୍ଜବନରେ କେଳିର ସୁଯୋଗକୁ କୋଉ ଟୋକା ହାତ ଛଡ଼ା କରିବ । ଆଜିର ଗାଆଁ ଟୋକା ବି ଏ ବେପାରରେ ବହୁତ୍ ଆଗରେ । ସେଟିଙ୍ଗ କରି ମିଟିଙ୍ଗ କରେ । ଫିଟିଙ୍ଗ କରି ମଟିଙ୍ଗ କରେ । ପରେ ହରଟିଙ୍ଗ କରି ସରଟିଙ୍ଗ କରେ । ପ୍ରେଟେଣ୍ଡ କରି ଦୁସରା ଖୋଜେ । ବାଃ ରେ ବାଃ!

ଏମାନେ ସମାଜ ଗଢିବେ । ଦେଶକୁ ଆଗେଇ ନେବେ । ଛି! ଛି!

ଗାଆଁ ଆଉ ଗାଆଁ ହେଇ ରହି ନାହିଁ । ଭାଇ ବୋହୂ, ଦେଢଶୁର କୁ ଦେଖିଲେ ଆଉ ଓଢ଼ଣା ଟାଣୁନି । କାହିଁକି ନା, ତା ବାପଘର ହେଲା ପଡିଶା ଘର । ବାହାଘରର ଆଠମାସ ନ ପୂରୁଣୁ କୋଳରେ ଛୁଆ କୁଆଁ କୁଆଁ କରୁଛି । କାରଣ ବୁଝିବା କାଠିକର ପାଠ ।


ଦି' ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିବା କୌଣସି ବଡ଼ ଘଟଣା ନୁହେଁ, ଯୋଉଠି ନବବିବାହିତା ବୋହୂ ପ୍ରେମିକ ସାଙ୍ଗେ ଫେରାର୍ ବୋଲି ଖବରକାଗଜରେ ନିଇତି ବାହାରୁଚି ।

କଳଙ୍କିତ ସମାଜରେ କଳଙ୍କିତ ଅଧ୍ୟାୟର ନାୟକ ନାୟିକାମାନେ ଇତିହାସ ବଦଳେଇବାକୁ ଯାଇ ଯେ, ଇତିହାସର କଳଙ୍କ ପାଲଟି ଯିବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

…..

ବୁଢ଼ୀ ଭତ୍ତା ସାତ ଶ' ପାଉଛି ବୋଲି ତୋରାଣି ଗିନେ ମିଳୁଛି, ନୋହିଲେ କେବେଠୁ ମଶାଣୀରେ ଶୋଇ ଯାଆନ୍ତାଣି । ଚଞ୍ଚଳା ବୁଢ଼ୀ ବି ଖୁବ୍ ସରଳିଆ । ଅଳି କରେନି କି ବାହୁନି ଦିଏନି । ଯାହା ମୁନ୍ଦିଏ ଦେଲେ, ସେତିକିରେ ଶାନ୍ତି ।


ପରିଣତ ବୟସରେ ମଧ୍ୟ ଚଞ୍ଚଳା ନିଜକୁ ସକ୍ରିୟ ରଖିଛି । ଖରାଦିନେ ନଈ କୂଳିଆ ପାଳ ଅଞ୍ଚଳରେ, ସେ ତୋଟାରୁ ତୋଟା ଘୂରୁଥାଏ । କଞ୍ଚା, ପାକେଲା, ଖଣ୍ଡିଆ-ଦଦରା ଆମ୍ବକୁ ଗୋଟାଏ । ଯଥା ସମ୍ଭବ, ଆମ୍ବୁଲ ଠାକରା ଓ ସଢ଼ା କରି ସାହି ଆଡ଼େ ବିକି ଆଣେ । ବରଷକୁ ପାଞ୍ଚ ଛଅଟି ନେଳିଆ ଗାନ୍ଧୀ ନୋଟ୍ ମାଣ୍ଡିରେ ପୁରେଇ ମୁଣ୍ଡ ଶାଳେ ସାଇତି ଥାଏ । ଝରି ଦିନେ, ସେମିତି ବୁଲୁଥାଏ ବାଡିଟିଏ ଧରି ନିଛାଟିଆ ମଶାଣୀ ଓ ନଈ ଖଣ୍ଡିରେ; ବାଲି ଛତୁ, ପୁଟୁକ ଛତୁ ରେ ପାଚିଆ ନ ପୂରିବା ଯାଏଁ । କେବେ କେବେ ମୁହଁ ଅନ୍ଧାର ହେଇ ଯାଏଁ ଯେ, ଚଞ୍ଚଳାକୁ ଭୂତୁଣୀ ମଣି ଛାନିଆରେ କିଛି ଲୋକଙ୍କ ପଛ ଆଗ ଠିପି ଖୋଲି ଯାଇଛି ।

ସବୁ ଦିନ ସମାନ ଯାଏନି, କିନ୍ତୁ ପାଚ଼ିଆ ତା'ର ଚୁଛା ପଡେନି । ସୁନୁସୁନିଆ କି ପୁରୁଣି ଶାଗ ଆଣି ଖୂଳି ମୁହଁରେ ଦେଇ ଯାଏଁ । ବଦଳରେ ମୁଢ଼ି ଚୂଡା ଅଣ୍ଟିଏ ଘେନି ଘରକୁ ଫେରେ ।

- ବୁଢ଼ୀ କଣ ଖାଇଚୁ ସକାଳୁ?

ତାର ରୂପ ଦେଖି ମନରେ ମୋର ସହାନୁଭୂତି ମୁଣ୍ଡ ଟୁଙ୍ଗାରିଲା ।

- ନାଲି ଚାହା ଟିକେ ନାତୁଣୀ ଦେଇଥିଲା ।

ଧାଡ଼ି ଟିଏରୁ ଦି ଧାଡ଼ି କହି ପାରୁନି ସେ । ଖରାରେ ଗୁଟିଏ ଗୁଟିଏ ଆସି ଚାକୁଣ୍ଡା ମୂଳେ ଦୁଲ୍ କିନା ବସି ପଡ଼ିଛି । ପୋଖରୀ ହୁଡ଼ାରୁ ଘୁସୁରି ଘୁସୁରି ଓହ୍ଲେଇ ଆସି ପାଣିରେ ଗୋଡ଼କୁ ମକଚିଲା । ଫଟା ଗୋଇଠିକୁ ପଥରରେ ଘଷୁଥାଏ ।

ମୁଁ ପଚାରିଲି, "ଏ ତେଲ କ’ଣ କରିବୁ?"

- ଦିହ ମୁହଁରେ ରେନ୍ଥି ହେବି ।

- ଆଉ ନିରିମା ଗୁଣ୍ଡ?

- ବୋହୂ ଦୁକାନକୁ ପଠେଇ ଥିଲା, ରେ ପୁଅ ।

- ମୁଣ୍ଡରେ ତେଲ ମାରୁନୁ କି? ଜଟା ହେଇ ଗଲାଣି ।

- ନାଇଁରେ ପୁଅ, ନାତୁଣୀ ବାସେନା ତେଲ ଟିକେ ଦଉନି ।

- କାଇଁ ଦଉନି?

- ଏବେ କଲେଜ୍ ଯାଉଚି ତ । ସଜେଇ ହେଇ ବାହାରୁଚି ।

ଦେଲେ ସରି ଯିବନି ତାର?

-ଓହୋ! ନଡ଼ିଆ ତେଲ ଲଗେଇଲେ ହବନି, ଖାଲି ବାସେନା ତେଲ ହେଲେ ହବ?

"ବୋହୂ ସମ୍ପିବ । ତେଲ ଡବାଟାକୁ ଭାଡ଼ି ଉପରେ ଲୁଚେଇ ଦଉଚି ସେ ।" - ଚଞ୍ଚଳା ଧୀର ଗଳାରେ ବୋହୂକୁ ତାଚ୍ଛଲ୍ଯ କଲା ।

- ତୋ ପୁଏ ତତେ କିଛି ଦଉ ନାହାନ୍ତି କି?

- କାଇଁ ? ଡାଲି ମସଲା ଆଣିବାକୁ ମୋ ଭତ୍ତା ପଇସା ଦି'ଟା ତାଙ୍କ ଆଖିରେ ଜଳୁଛି ।

- ପୁଏ ତ ନଦୀରୁ ମାଛ ମାରୁଛନ୍ତି, ସବୁଦିନେ ଆଇଁଷ ଖାଉଥିବୁ ତୁ?

"ହଁ, ପେଟରୁ ବଳିଲେ ଲାଞ୍ଜ ଟିକିଏ ଦେଇତି । ମତେ ଲୁଚେଇ ଖାଉ ଯୁତି ।"- ବୁଢୀ ମୁହଁକୁ ମାରି କହୁଥାଏ ।

- ତୋ ନାତୁଣୀ ତତେ ପଚାରୁନି?

- ସେଇଟା ପା ଡାହାଣୀଟା । ଖାଲି ଗେରେ ଗେରେ ହଉଚି । କଣ କରିଛି ମୁଁ, ସେ ପୋଡାମୁହିଁର କେଜାଣି ? କାଲି ସଂଜକୁ ପଖାଳ ବେଲାଟା କଚାଡ଼ି ଦେଲା ।

- କାଇଁ?

- ମୋତେ ଯାତେରା ଖରଚ ମାଗିଲା । ମୁଁ କାହୁଁ ଆଣିବି ବୋଇଲୁ ରେ ବାପ? ମାଉଁସକୁ ଦି' ଶ' ଟଙ୍କା ଝୁଣି ନେଲା । ଆଉ ବଳିଲା, ଦି' କୋଡ଼ିରୁ ତିନି ଟଙ୍କା ଊଣା, କହିଲି,"ନେ ଖଜା ଖାଇବୁ ।"

ଦିଣ୍ଡାଟା କହିଲା - "ଏତିକି ?" -ମୁହଁକୁ ମୋଡ଼ି ଫିରିକି ଗଲା ।

- ତୋ ନିଜ ନାତୁଣୀଟା, ଦେଲୁନି ଟଙ୍କା ଶହେଟା !

- କୋଉଠୁ ଆସିବ କିରେ ନାତିଆ ? ଗତ ମାସକୁ ରାଣ୍ତୀ ଦିହଟା କଣ ହେଲା ଯେ, ଭତ୍ତା ଆଣିବାକୁ ଯାଇ ପାରିଲିନି । ବାଡି ଖିଆ ବାବୁଟା ଖାଇ ଗଲା ସବୁ । କହିଲା," ବଡ଼ ବାବୁକୁ ଯା ପ୍ରଶନ୍ କରିବୁ ।"

ଗାଆଁର ଅବସ୍ଥା ଦେଖିଲେ ନିଜକୁ ଖରାପ ଲାଗେ ଏବେ । ଅପାଠୁଆ ମଫସଲିଙ୍କୁ ଠକି, ଠକ ଆଜି ଫୁଲୁଫୁଟିଆ କୁର୍ତ୍ତା ନାଇଲାଣି । ସାଇକଲ ପଙ୍କଚର୍ କୁ ପଇସା ନଥିବା ବେହିଆ ଟୋକା ଆଜି ବୁଲେଟ୍ ଭଡ଼ ଭଡ଼ କରୁଛି ।

"ବରା ପକୁଡ଼ି ଖାଉନୁ କି?" - ମୁଁ ଆରମ୍ଭ କଲି ପୁଣି ।

ଚଞ୍ଚଳା ବୁଢ଼ୀ ହସିଲା । ଆଉ କହିଲା, "ଗେଣ୍ଡାରେ ଭୁଉଟୁ ଦେଇ ଥିଲି ଯେ, ପୁଡିଆଟେ ଦେଇଥିଲା ନବିନା । ହେତିକି । ଆଉ ଖାଇନି ।"

ବୁଢ଼ୀ ଦୁଲକିନା ପାଣି କୁ ଡେଇଁ ପଡିଲା । ଆଣ୍ଠିଏ ପାଣିରେ ପହଁରିଲା । ମୁଁ ଟିକେ ହସି ଦେଲି ।

- ବୁଢ଼ୀ, ପହଁରା ଜାଣିଚୁ?

ମେଲା ଦାନ୍ତକୁ ଦେଖେଇ ଦେଲା । ବୁଡ଼ି କି ମୁଣ୍ଡ ବାଳ ସାଉଁଳୁ ସାଉଁଳୁ କହିଲା, " ଗୁଟା ନଈ ପହଁରି ଯିବି । ହାଁ ।"

- ନଈ ପହଁରା ବି ଶିଖିଚୁ! ନଈ ଆରପଟେ ତୋ ବାପ ଘର ପରା? ତୁ ବାହା ହେଇ କି ପହଁରି ଆସିଲୁ ନା ଡଙ୍ଗାରେ ଭାସି ଆସିଥିଲୁ?

ଚଞ୍ଚଳା ମତେ ଅନେଇଲା । ଆଖିରେ ପାଣି ଜକେଇ ଆସିଲା ତା'ର ।

- ମୋ ଭାଇ, ମୋତେ କାନ୍ଧରେ ବସେଇ ଛାଡ଼ି ଦେଇ ଯାଇଥିଲା । ମୋତେ କେତେ ଭଲ ପାଉଥିଲା । ବାପ ଘର ଛାଡ଼ି ଆସିଲି । ବୁଢ଼ା ତ ମଲା ଗଲା । ମୋତେ ଛାଡ଼ି ଦେଇ ଗଲା ହନ୍ତସନ୍ତ ହେଇ ମରିବାକୁ । କେହି ପଚାରୁ ନାହାନ୍ତି, ରେ ପୁଅ !

ଭାବୁଥିଲି, ସବୁ ଥାଇବି, କିଛି ନାଇଁ । ଚଞ୍ଚଳା ବୁଢ଼ୀ ତୁଚ୍ଛା ଟାରେ ବାଡ଼େଇ ପିଟି ହଉଚି । ବୃଦ୍ଧାଶ୍ରମ ତା'ଠୁ ଭଲ । ଅନ୍ତତଃ, ଖାଇବାକୁ ଦି' ମୁଠା ତ ପାଉଛନ୍ତି ସେମାନେ!

- ବୁଢ଼ା କେମିତି ମଲା?

ବୁଢୀର ଆଖି କୋଣରେ ଲୁହ ବୁନ୍ଦାଏ ବାହାରି ଆସୁଥିଲା ।

- ମଦ ପିଇ ପିଇ ଛାତି ଟାକୁ କଣା କରି ଦେଲା । ମୋ କଥା ଟିକେ ବି ଭାବିଲାନି ।

ମୁଁ କିଛି କ୍ଷଣ ନୀରବ ରହି, ଭାବି ଚାଲିଥିଲି, ଗାଆଁର କିଛି ପୁରୁଖାଙ୍କ ଦେହାନ୍ତର ପୂର୍ବାଭାଷ ଗୁଡ଼ିକୁ, ଯେଉଁମାନେ ମଦର ବିହ୍ୱରେ ଫସି କେବେ ବି ବାହାରି ପାରି ନଥିଲେ । ଆଉ ଆଜିର ଯୁବ ପିଢିଙ୍କର ଭବିଷ୍ୟତ, ମୋ ସାମ୍ନାରେ ନାଚି ଯାଉଥିଲା ।

"ତୁ କାନ୍ଦୁଛୁ କାହିଁକି ?" - ଚଞ୍ଚଳା ମୁହଁକୁ ମୁଁ ଚାହିଁ ରହିଥାଏ ।

ମୁହଁରେ ପାଣି ମାରି ପିନ୍ଧା କାନିରେ ପୋଛି ହେଲା । ମୋତେ ଅନେଇଲାନି ଆଉ । କିଛି ତ ଅଛି । ଦୁଃଖରେ ଭାଙ୍ଗି ପଡ଼ିଛି ଚଞ୍ଚଳା ।

ମନକୁ ମନ କହି ହେଉଥାଏ, "ଡରେଇବି ସମିତିଙ୍କୁ । ମଲା ପରେ ଭୂତୁଣୀ ହେଇକି, ସେଇ ଘର ମୁହଁ ସଜନା ଗଛରେ ବସିବି । ଶାନ୍ତି ରେ ରଖେଇ ଦେବିନି କାହାକୁ ।"

ରାଗ ଗର ଗରରେ ମୁଣ୍ଡଟା ତାର ବେଶି ଥରି ବାକୁ ଲାଗିଲା ।


"ତୁ, ତ ବୁଢ଼ୀ ହେଲୁ, ଜୀବନ କାଳ ସରିଲା ତୋର, ମରିବୁ । କାଇଁ ଏମିତି କହୁଚୁ । ତୋ ନିଜ ଛୁଆ ଗୁଡ଼ା । ତାଙ୍କର ଖୁସି ମନାସିବା କଥା ।", ମୁଁ ତାକୁ ଶାନ୍ତ କରେଇ ବାକୁ ଚାହିଁଲି ।

ବୁଢ଼ୀ ହୃଦୟଙ୍ଗମ କରୁଥିଲା ତା'ର ଫଟା କପାଳକୁ । କୋଉଠି ଭୁଲ୍ କରି ଦେଇଛି ବୋଲି ନିଜକୁ ପଚାରି ଚାଲିଥିଲା । କିନ୍ତୁ, ଉତ୍ତର ଖୋଜି ପାଉ ନଥିଲା ଚଞ୍ଚଳା ।

ସାପ ଫଣାରେ ଦନ୍ତାଘାତ କଏଦୀ ବେଙ୍ଗ ଉଡ଼ି ଯାଉଥିବା କଙ୍କିକୁ ଜିଭରେ ମକଚି ପାଟିରେ ପୁରେଇ ଦେଲା ଭଳି ଜୀବନ୍ତ ଉଦାହରଣଟିଏ ।

ଏତେ କଷ୍ଟ ସହି ଛୁଆଙ୍କୁ ଭେଣ୍ଡା କଲା ପରେ ବଳ କାହୁଁ ଆସିବ? ସାହାରା ହେବା ବଦଳରେ ଯଦି ପାହାର ମିଳିବ, ସେ କେମିତି ସହିବ? ମାଆ ବୋଲି, କ'ଣ ସେ ମଣିଷ ନୁହେଁ? ତା ଶରୀର କ'ଣ ପଥରରେ ଗଢା?

ଆରେ! ପଥର ବି ପାହାରରେ ଚୁନା ହେଇ ଯାଏ, ଏ ହାଡ଼, ମାଉଁସ ଦିହଟା କେମିତି ସମ୍ଭାଳିବ !


ମୁଁ ଟିକେ ମାହୋଲ୍ ବଦଳେଇବାକୁ ଚେଷ୍ଟା କଲି ।

କହିଲି, " ନେ, ତେଲ ଟିକେ ମାରେ । "

ଟଙ୍କିକିଆ ନବରତ୍ନ ପାଉଚ୍ ଟେ ଅଣ୍ଟାରେ ଗୁଡେ଼ଇ ଥିଲି । ଦାନ୍ତରେ ଚିରି ତା' ଚକିରେ ଚିପି ଦେଲି । ଦି' ପାପୁଲିରେ ଘଷି ବୁଢୀ ମୁଣ୍ଡରେ ବୋଳିଲା ।

- ମୁଣ୍ଡଟା ଝିମ୍ ଝିମ୍ ହେଇ ଗଲାରେ ବାପ! ଆଜି ମୋ ନାତୁଣୀ ପଚାରିବ, ବାସେନା ତେଲ କୋଉଠୁ ମାରିଲୁ? କହିବି, ମୋ ନାତି ଦେଇଛି ।

ଚଞ୍ଚଳା ହସି ହସି କହି ଯାଉଥାଏ । ଗେଞ୍ଜିଟାକୁ ପାଣିରେ ବୁଡ଼େଇ ଚିପୁଡିଲା ବେଳେ, ମୁଁ ବି ଟିକେ ହସି ଦେଲି । ମନକୁ ଆତ୍ମ ସନ୍ତୁଷ୍ଟି ମିଳିଲା । ଭିକାରୀକୁ ଭିକ ମୁଠେ, ଭୋକିଲାକୁ ଭାତ ଗୁଣ୍ଡେ ଓ ତୃଷାର୍ତ୍ତକୁ ପାଣି ଆଞ୍ଜୁଳେ ଦେଲେ ଯୋଉ ଶାନ୍ତି ମିଳେ, ତାହା ମୁଁ ଅନୁଭବ କରୁଥିଲି ।


Rate this content
Log in

More oriya story from Kisho Raj

Similar oriya story from Inspirational