ଭୁଲ୍
ଭୁଲ୍
ସେଦିନ ଥାଏ ରବିବାର । ଇନସ୍ପେକ୍ଟର ରବୀନ୍ଦ୍ର ଙ୍କ ଧର୍ମପତ୍ନୀ ପ୍ରଣତୀ ସେଦିନ ଭାରି ଖୁସି ଥାନ୍ତି । କାହିଁ କେତେ ଦିନ ପରେ ଆଜି ସେ ସ୍ବାମୀ ଙ୍କ ସହ ବାହାରକୁ ବୁଲିବାକୁ ଯିବେ । କାର୍ଯ୍ୟ ବ୍ୟସ୍ତତା ଭିତରେ ରବୀନ୍ଦ୍ର ଟିକେ ଅଳ୍ପ ସମୟ ଦେଇ ଥାନ୍ତି ନିଜ ପତ୍ନୀ ପ୍ରଣତୀ ଙ୍କୁ ସେଥି ପାଇଁ ଟିକେ ତାଙ୍କର ମନ ଊଣା ରହେ ସବୁବେଳେ । ହେଲେ ଆଜି ରବୀନ୍ଦ୍ର ବୁଲି ଯିବା ପାଇଁ ଖାସ୍ କରି ଛୁଟି ଆଣିଛନ୍ତି ବଡ଼ ବାବୁ ଙ୍କୁ କହି ।
ପ୍ରଣତୀ ଶୀଘ୍ର ଶୀଘ୍ର ବାହାରି ପଡି ରେଡ୍ଡୀ ହେଇ ଗଲେ ଆଉ ରବିନ୍ଦ୍ର ବି । ଦୁହେଁ କାର ରେ ବସି ବାହାରି ପଡ଼ିଲେ ଶପିଂ ମଲ୍ କୁ । ରବୀନ୍ଦ୍ର ଙ୍କୁ ଏତେ ଭିଡ଼ ଜାଗା ଜମା ବି ପସନ୍ଦ ଲାଗୁ ନ ଥାଏ ହେଲେ ଉପାୟ ବା ଆଉ କଣ ? ପ୍ରଣତୀ ଗୋଟିଏ ପରେ ଗୋଟିଏ ଦୋକାନ ବୁଲି ଜିନିଷ କିଣା ବିକା ରେ ଲାଗି ଥାନ୍ତି । ହଠାତ୍ କେହି ଜଣେ ଚିତ୍କାର କରିବାର ଶୁଣି ସମସ୍ତେ ସେଇ ଜାଗା କୁ ଧାଇଁ ଗଲେ ଦେଖିଲେ କେହି ଜଣେ ଲୋକ ଟିଏ ରକ୍ତ ଜୁଡୁବୁଡୁ ହେଇ ତଳେ ପଡ଼ିଛି । ସଙ୍ଗେ ସଙ୍ଗେ ରବୀନ୍ଦ୍ର ଆମ୍ବୁଲାନ୍ସ କୁ କଲ୍ କଲେ ଆଉ ଲୋକ ଟି କୁ ହସ୍ପିଟାଲ୍ ପଠେଇ ଦେଲେ ।
ରବୀନ୍ଦ୍ର ଥାନା କୁ ଫୋନ କରି ଆହୁରି ପୋଲିସ୍ କର୍ମଚାରୀ ଙ୍କୁ ଡକେଇ ପଠେଇଲେ । ଆଉ ଜାଗା ଟି କୁ ଯଥା ଶୀଘ୍ର ସିଲ୍ କରି ଦିଆ ଗଲା । ସେ ବଡ଼ ଦୋକାନ ଆଉ ବାହାରେ ଥିବା କିଛି ଛୋଟ ଦୋକାନ ଆଗରେ ଥିବା ସମସ୍ତ ଲୋକଙ୍କୁ ସେ ଜାଗା ରୁ କୁଆଡ଼େ ବାହାରକୁ ଯିବା ପାଇଁ ବାରଣ କରା ଗଲା । ସମସ୍ତେ ଗୋଟିଏ ଜାଗା ରେ ହିଁ ରହିଲେ ।
ରବୀନ୍ଦ୍ର ଲୋକ ମାନଙ୍କୁ ନିଜର ପରିଚୟ ଦେଇ ସେ ଘଟଣା ର ତଦନ୍ତ ଲାଗି ଲୋକ ଙ୍କୁ ପଚରା ଉଚୁରା କରିବା ଆରମ୍ଭ କଲେ । କିଛି ସମୟପରେ ଆଉ କିଛି କର୍ମଚାରୀ ଆସି ଗଲେ ।
ରବୀନ୍ଦ୍ର - ଏଠି ଉପସ୍ଥିତ ଥିବା ସବୁ ଲୋକ ଙ୍କ ର ବ୍ୟାଗ୍ କୁ ଚେକ୍ କର, ଲୋକ ଟି ଉପରେ ଛୁରୀ ରେ ଆକ୍ରମଣ ହେଇଛି ଆଉ ମୁଁ ସିଓର ଯେ ଛୁରୀ ଏବେ ବି ଆମ ମାନଙ୍କ ଭିତରେ ଅଛି କାହିଁକି ନା ଘଟଣା ଘଟିବା ପର ଠାରୁ ବାହାର ଲୋକ କେହି ଭିତରକୁ ଆସି ନାହାନ୍ତି ଆଉ କେହି ବାହାରକୁ ଯାଇ ନାହାଁନ୍ତି ମଧ୍ୟ ।
ରବୀନ୍ଦ୍ର ଏଥର ଆଗ ଘଟଣା ଦେଖି ଚିଲ୍ଲେଇ ଥିବା ଲୋକ କୁ ଡକେଇ ତାକୁ ପଚାରିବା ଆରମ୍ଭ କଲେ । ଲୋକ ଟି କହିଲା ଆଜ୍ଞା ମୁଁ ହେଉଛି ସେ ବାବୁ ଙ୍କ ଘରେ କାମ କରୁ ଥିବା ଚାକର । ବାବୁ ଙ୍କ ସହ ମୁଁ ମାର୍କେଟ ଆସି ଥିଲି ପରିବା କିଣିବା ପାଇଁ । ପାଖ ଦୋକାନ ରେ ପରିବା କିଣି ଆସିଲା ବେଳ କୁ ଏ ସବୁ ଦେଖିଲି ।
ରବୀନ୍ଦ୍ର - ହେଲେ ଗେଟ୍ ପାଖରେ ତ ତମ ବାବୁ ଏକା ଆସୁ ଥିବାର ଦେଖା ଯାଉଛି କ୍ୟାମେରା ରୁ । ତମେ ତ ନ ଥିଲ ସେ ଜାଗା ରେ ।
ଚାକର - ଆଜ୍ଞା ମୁଁ ପଛ ପଟ ଗେଟ୍ ବାଟ ଦେଇ ଆସି ଥିଲି ବାବୁ ତ କାର୍ ରେ ଆସି ଥିଲେ ମୁଁ ଘରୁ ଚାଲି ଚାଲି ଆସି ଥିଲି ।
ରବୀନ୍ଦ୍ର - ହଉ ଠିକ୍ ଅଛି । ତମ ବାବୁ ଙ୍କ ନାଁ ଆଉ ତାଙ୍କ ଘରେ ସବୁ କିଏ କିଏ ଅଛନ୍ତି ?
ଚାକର - ଆଜ୍ଞା ଆମ ବାବୁ ଙ୍କ ନାଁ ରଘୁନାଥ ପଣ୍ଡା । ସେ ଏକା ରୁହନ୍ତି ଆଉ ତାଙ୍କ ଦୁଇ ପୁଅ ବିଦେଶ ରେ ଚାକିରି କରିଛନ୍ତି ।
ରବୀନ୍ଦ୍ର - ଠିକ୍ ଅଛି ତମେ ଏବେ ଯାଇ ପାର ହେଲେ ବାହାରକୁ ନୁହେଁ ।
ରବୀନ୍ଦ୍ର ଙ୍କୁ କାହିଁ ଟିକେ ସବୁ ଗଡ଼ଗଡ଼ ଲାଗିଲା । ସେ ଜଣେ କର୍ମଚାରୀ କୁ ଡାକି ସେ ଚାକର ଉପରେ ନଜର ରଖିବା ପାଇଁ ଇଶାରା ଦେଲେ ।
ଏତିକିବେଳେ ରବୀନ୍ଦ୍ର ଙ୍କ ର ଫୋନ୍ ରିଂ ହେଲା ।
ପ୍ରଣତୀ - ହ୍ୟଲୋ, ତମେ କୋଉଠି ? ମତେ ତମେ ସପିଙ୍ଗ କରିବା ପାଇଁ ଆଣି ଥିଲ ନା ଏମିତି ଚୋରଣୀ ଭଳି ଚେକ୍ କରେଇବା ପାଇଁ ।
ରବୀନ୍ଦ୍ର - ଆରେ କଣ ହେଲା ? ତମେ ପାଟି କରନି ମୁଁ ଆସୁଛି ।
ଦୁଇ ଜଣ ଲେଡ୍ଡି ପୋଲିସ୍ ପ୍ରଣତୀ ଙ୍କୁ ତାଙ୍କ ବ୍ୟାଗ୍ ମାଗୁ ଥିଲେ ଚେକ୍ କରିବା ପାଇଁ । ହେଲେ ପ୍ରଣତୀ ମନା କରୁ ଥିଲେ ।
ପ୍ରଣତୀ - ଆସି ଗଲ ତମେ ? ଏଇ ଦେଖ ତମ ଷ୍ଟାଫ୍ କେମିତି ମତେ ଜୋର୍ କରି ଚେକ୍ କରୁଛନ୍ତି । ମୁଁ ତମ ସ୍ତ୍ରୀ ବୋଲି ଟିକେ ଜଣେଇ ଦିଅ ତାଙ୍କୁ ।
ଲେଡ୍ଡୀ ପୋଲିସ୍ - ସରି ସାର୍ ।
ରବୀନ୍ଦ୍ର - ଆରେ ନାଇଁ ନାଇଁ ତମେ ଚେକ୍ କର । ପ୍ରଣତୀ ବ୍ୟାଗ୍ ଦିଅ ତାଙ୍କୁ । ସେ ନିଜ ଲୋକ ହେଉ କିମ୍ବା ବାହାର ଲୋକ ନିଜ କର୍ତ୍ତବ୍ୟ ଆଗ ରେ ସମସ୍ତେ ସମାନ ।
ପ୍ରଣତୀ ରାଗି ଯାଇ ବ୍ୟାଗ୍ ଦେଇ ଦେଇ ଯାଇ ବସିଲେ ଚେୟାର ଉପରେ ।
ରବୀନ୍ଦ୍ର ଯାଇ ସବୁ ଦୋକାନ ଗୁଡ଼ିକ ର ସିସି ଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବାକୁ ଲାଗିଲେ । ଆଉ ସଙ୍ଗେ ସଙ୍ଗେ ପାଣି ଟାଙ୍କି ପଛ ପଟକୁ ଗଲେ ଦେଖିଲେ ସେଠାରେ ରକ୍ତ ଭିଜା ଛୁରୀ ପଡ଼ିଛି ।
ସବୁ ଲୋକ ଙ୍କ ର ଯାଞ୍ଚ୍ ସରିଲା ପରେ କିଛି ସୁରାକ ନ ମିଳିବାରୁ ଏଥର ସବୁ ଲୋକ ଙ୍କୁ ଛାଡ଼ି ଦିଆ ଗଲା । ରବୀନ୍ଦ୍ର ପ୍ରଣତୀ ଙ୍କୁ ନେଇ ଘରକୁ ଆସିଲେ । ପ୍ରଣତୀ ଚୁପ୍ ହେଇ ବସି ଥାନ୍ତି ଗାଡ଼ି ରେ । ସେଦିନ ହସ୍ପିଟାଲ୍ ରୁ କଲ୍ ଆସିଲା ସେ ଲୋକ ଟା କୁ ବଞ୍ଚେଇ ହେଲା ନାହିଁ । ରବୀନ୍ଦ୍ର ବଡ଼ ଚିନ୍ତା ରେ ପଡି ଗଲେ କଣ ହବ ଏବେ ! ଲୋକ ଟା ବଞ୍ଚି ଥିଲେ ହୁଏତ କିଛି କହି ଦେଇ ଥାଆନ୍ତା ହେଲେ କେମିତି କଣ ଜଣା ପଡ଼ିବ ସବୁ ? କ୍ୟାମେରା ରେ ତ କିଛି ବି ଜଣା ପଡ଼ିଲା ନାହିଁ । ଲୋକ ଟା ଭାରି ଚାଲାକ ଅଛି । ପାଣି ଟାଙ୍କି ଆଡେ଼ କ୍ୟାମେରା ନ ଥିବା ହେତୁ ପାଚେରୀ ପଛ ପଟରୁ ଛୁରୀ କୁ ଫୋପାଡି ଦେଇଛି ।
ଏତିକି ବେଳେ ପ୍ରଣତୀ ନିଜ ଫେସବୁକ୍ ରେ ଏକ ଫଟୋ ପୋଷ୍ଟ କଲେ ର ରବୀନ୍ଦ୍ର ଙ୍କୁ ଟାଗ୍ କରି, ରବୀନ୍ଦ୍ର ଫଟୋ ଟି କୁ ଦେଖି ଦେଇ ସଙ୍ଗେ ସଙ୍ଗେ ଗାଡ଼ି ନେଇ ବାହାରି ପଡିଲେ । ଆଉ ରଘୁନାଥ ଙ୍କ ଚାକର କୁ ଆରେଷ୍ଟ କରି ହାଜତ ରେ ପୁରେଇ ଦେଲେ । କେହି କିଛି ବୁଝି ପାରୁ ନ ଥାନ୍ତି । ଟିଭି ରେ ନିୟୂଜ୍ ରେ ଚାରି ଆଡ଼େ ରବୀନ୍ଦ୍ର ଙ୍କ ର ପ୍ରଶଂସା ।
ରାତି ଦଶ ଟା ରବୀନ୍ଦ୍ର ଘରକୁ ଫେରିଲେ । ପ୍ରଣତୀ ଟିକେ ଖୁସି ଜଣା ପଡୁ ଥାନ୍ତି । ଦେଖିଲେ ରବୀନ୍ଦ୍ର ଙ୍କ ହାତ ରେ ଗୋଟିଏ ପ୍ୟାକେଟ । ରବୀନ୍ଦ୍ର ବଢେଇ ଦେଲେ ପ୍ରଣତୀ ଙ୍କ ହାତ କୁ । ପ୍ରଣତୀ ଖୋଲି ଦେଖିଲେ ଆରେ ଏ ହାର ଟା ତ ଆଜି ମୁଁ ଦୋକାନ ରେ ଦେଖୁ ଥିଲି ଆଉ ଏ ଘଟଣା ଘଟି ଗଲା ଆଉ ଆମେ ଆସିଲେ ଭାରି ।
ହେଲେ ତମେ ଏଇଟା କଣ ପାଇଁ ଆଣିଲ? ଓ ତମର ଏ ବିଜୟ ପାଇଁ ।
ରବୀନ୍ଦ୍ର - ଆରେ ନା ନା ଏଇଟା ତମ ପୁରସ୍କାର ତମେ ଆଜି ସେ ଆସାମୀ କୁ ଧରା ପକେଇ ଦେଲ ପରା ।
ପ୍ରଣତୀ - ମୁଁ ? କଣ କଲି? ତମେ ତ ଯାଇ ଥିଲା ତାକୁ ଧରିବାକୁ ।
ରବୀନ୍ଦ୍ର - ଆସ ଦେଖ ଏଇ ଫୋଟୋ କୁ । ତମେ ଆଜି ଦୋକାନ ରେ ଫଟୋ ନେଲା ବେଳେ ଅଜାଣତରେ ତମ କ୍ୟାମେରା ରେ ସେ ଆସାମୀ ଜଣକ ଆସି ଯାଇଛି ଆଉ ସେଇଥିରୁ ଜାଣି ହେଲା ଆସାମୀ କିଏ ? ସେଥିପାଇଁ ଏ ଉପହାର ଟି ମୋ ତରଫ ରୁ ତମ ପାଇଁ ।
ପ୍ରଣତୀ - ହେଲେ ସେ ଆସାମୀ ଜଣକ କିଏ !
ରବୀନ୍ଦ୍ର - ସେଇ ଚାକର ।
ପ୍ରଣତୀ - ହେଲେ କଣ ପାଇଁ ସେ ଏମିତି କଲା ?
ରବୀନ୍ଦ୍ର - ଲୋକ ଟି ଭଲ ସିନା ହେଲେ ତା ପରିସ୍ଥିତି ତାକୁ ବାଧ୍ୟ କଲା ଏମିତି କରିବା ପାଇଁ । ଚାପ ରେ ପଡି ସେ ଭୁଲ୍ ରାସ୍ତା କୁ ବାଛି ନେଲା । ଲୋକ ଟି ଭା ବିଶ୍ଵସ୍ତ ଥିଲା । ଗୋଟିଏ ବୋଲି ପୁଅ ଟିଏ ହେଲେ ଏକ ଦୁର୍ଘଟଣା ରେ ପୁଅ ତାର ଡାକ୍ତରଖାନା ରେ ପଡ଼ିଲା ଡାକ୍ତର ଟଙ୍କା ନେଲେ ଅପେରେସନ୍ କରିବେ ବୋଲି କହିଲେ । ଆଉ ଆଜି ରଘୁନାଥ ଯେତେବେଳେ ଘରୁ ଅନେକ ଗୁଡ଼ିଏ ଟଙ୍କା ନେଇ ବ୍ୟାଙ୍କ୍ ଯାଉ ଥିଲେ ଏ ଚାକର ମୁହଁ ଘୋଡେଇ ସେ ଟଙ୍କା ବ୍ୟାଗ୍ କୁ ଛୁରୀ ଦେଖେଇ ନେବାକୁ ବସି ଥିଲା । ହେଲେ ରଘୁ ତା କୁ ଚିହ୍ନି ଦେଲେ ସେଥି ପାଇଁ ବାଧ୍ୟ ହେଇ ସେ ରଘୁନାଥ ପେଟ ରେ ଛୁରୀ ଭୁଷି ଦେଲା ।
ପ୍ରଣତୀ - ସତରେ ମଣିଷ ମାନସିକ ଚାପ ରେ ପଡି ବେଳେବେଳେ ଅନିଚ୍ଛା ସତ୍ତ୍ବେ ଏମିତି ଭୁଲ୍ କରି ବସେ ହେଲେ ଏଠି ଭୁଲ୍ କାହାର !
ରବୀନ୍ଦ୍ର - ଜାଣି କୁ ହଉ କି ଅଜାଣତରେ ହଉ, ଇଚ୍ଛା ଅନୁସାରେ ହେଉ କି ଅନିଚ୍ଛା ସତ୍ତ୍ବେ ହଉ ଭୁଲ୍ ସବୁବେଳେ ଭୁଲ୍ । ଆଉ ଆଇନ୍ ସମସ୍ତ ଙ୍କ ପାଇଁ ସମାନ । ହୁଏତ ସେ ଚାହିଁ ଥିଲେ ରଘୁନାଥ ଙ୍କୁ ନିଜ ଦୁଃଖ ଜଣେଇ ପାରି ଥାଆନ୍ତା । କି ଅନ୍ୟ କାହା ଠୁ ସାହାଯ୍ୟ ମାଗି ପାରି ଥାଆନ୍ତା । ହେଲେ ଏ ଭୁଲ୍ କରି ଏବେ ସେ ନିଜ ଜୀବନ ସହ ନିଜ ପରିବାର କୁ ବି କଷ୍ଟ ଭୋଗିବାକୁ ପଡ଼ିବ ।
ଆଜି ତମେ ଯୋଉ ନିଜ ବ୍ୟାଗ୍ ଚେକ୍ କରିବାକୁ ମନା କରୁ ଥିଲ ସେଇଟା ବି ଭୁଲ୍ । କାହିଁକି ଜାଣିଛ ଆଜି କାଲି ସାଧାରଣ ଲୋକ ନୁହେଁ ଉଚ୍ଚ ପଦବୀ ରେ ଥିବା ଲୋକ ହିଁ ଅପରାଧ କରି ବସୁଛନ୍ତି । ଆମ ଆଇନ୍ ସମସ୍ତ ଙ୍କ ପାଇଁ ସମାନ ସେ ବଡ଼ ହେଉ କିମ୍ବା ସାନ । ଭୁଲ୍ ତ ସବୁବେଳେ ଭୁଲ୍ ନା ।