Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବାପା
ବାପା
★★★★★

© Prasant Kumar Nath

Tragedy

4 Minutes   7.4K    18


Content Ranking

ପ୍ରଶାନ୍ତର ବାପା ଥିଲେ ଜଣେ ଦିନ ମଜୁରିଆ । କେତେବେଳେ କାମ ମିଳିଲେ କରନ୍ତି ନହେଲେ ସେମିତି ବସି ରୁହନ୍ତି । ପୁଅକୁ କିନ୍ତୁ ଏକ ଭଲ ମଣିଷ କରିବା ଆଶାରେ ତାର ସବୁ ଅଭାବକୁ ପୁରଣ କରୁଥାନ୍ତି । ବାପା ତାର ଦିନ ମଜୁରିଆ ବୋଲି ପ୍ରଶାନ୍ତ କେବେ ବାପାଙ୍କ ଉପରେ ରାଗେ ତ କେତେବେଳେ ବସି ଭାବେ ବାପା ତାପାଇଁ କେତେ କଷ୍ଟ କରୁଛନ୍ତି । ବେଳେ ବେଳେ ତାର ଆଖିରେ ମଧ୍ୟ ଲୁହ ଆସିଯାଏ । କିନ୍ତୁ ତାର ସ୍କୁଲ ସାଙ୍ଗ ମାନେ ସମସ୍ତେ ଧନୀ ଘରର । ସେମାନଙ୍କ ସହିତ ମିଶିବାକୁ ପଡେ ନହେଲେ ସମସ୍ତଙ୍କ ଆଗରେ ସିଏ ଛୋଟ ହୋଇ ଯିବ । ବହୁତ ଥର ସାଙ୍ଗ ମାନେ ପାର୍ଟି ଆଉ ମଉଜ ମସ୍ତି କରନ୍ତି । ପ୍ରଶାନ୍ତ ସେମାନଙ୍କ ସହ ମିଶେ । ବାପଙ୍କୁ କିଛି କହିପାରେନି ପଇସା ଦରକାର ପଡ଼ିଲେ ମା ପାଖରେ ଅଳି କରେ ଆଉ ମା ବାପାଙ୍କୁ କହି ପଇସାର ବନ୍ଦୋବସ୍ତ କରି ଦିଅନ୍ତି । କିନ୍ତୁ କେଜାଣି କାହିଁକି ତାକୁ ସେହି ପାର୍ଟି ଆଉ ମଉଜମସ୍ତି ଖୁସି ଦେଇ ପାରେନା । ସାଙ୍ଗ ମାନଙ୍କ କଥା ରଖି ସେଥିରେ ସାମିଲ ହୁଏ ସତ । କିନ୍ତୁ ତାର ଆଖି ଆଗରେ ନାଚିଯାଏ ବାପାଙ୍କର ସେହି ଦୁଃଖଦ ମୁହଁ । ଏହି ଟଙ୍କା ପାଇଁ ବାପା ତାର କେତେ ଖରା ବର୍ଷା ଶୀତ କାକରକୁ ନ ମାନି ଝାଳ ବୁହାଇ ଖଟୁଛନ୍ତି । କିନ୍ତୁ ସେହି ପଇସାକୁ ମୁ ଆଣି ଏମିତି ନଷ୍ଟ କରୁଛି ଏମିତି ଅନେକ ଭାବନା ଆସେ ତାର ମନକୁ । ଭାବେ ଆଉ କେବେବି ଏମିତି ପଇସା ଗୁଡିକ ନଷ୍ଟ କରିବନି । ବାପାଙ୍କ କଷ୍ଟକୁ ବୁଝି ପାରେ ସିନା କିନ୍ତୁ ତାର ସମାଧାନ କରି ପାରେନା । 

  ବାପା ତାକୁ ଅନେକ ଥର କହିଛନ୍ତି । ମୁ ପାଠଶାଠ ନପଢ଼ି ଆଜି ଏତେ ହୀନସ୍ତା ହେଉଛି । ତୁ ମନ ଦେଇ ପାଠ ପଢିବୁ ଭଲ ଚାକିରୀ କରିବୁ ଏମିତି ମୋ ପରି ଦୁଃଖ କଷ୍ଟରେ ରହିବୁନି । ଗୋଟେ କଥା ମନେ ରଖିଥିବୁ ଧନ । ଜଣେ ଗରିବ ହୋଇ ଜନ୍ମ ହେବା ତାର ଭୁଲ୍ ହୋଇ ନପାରେ କିନ୍ତୁ ସେହି ଗରିବ ଅବସ୍ଥାରେ ମାରିବା କେବଳ ତାରି ହିଁ ଭୁଲ୍ । ତେଣୁ ଚେଷ୍ଟା ଜାରି ରଖିବୁ ସଫଳତା ନିଶ୍ଚିତ ମିଳିବ । କୌଣସି କାର୍ଯ୍ୟ କରିବା ଆଗରୁ କେବେ ହାର ମାନି ଯିବୁନି । କାହିଁକିନା ଚେଷ୍ଟା ନକରିବା ଅପେକ୍ଷା ଚେଷ୍ଟା କରି ବିଫଳ ହେବା ଅନେକ ଗୁଣରେ ଭଲ । ମଣିଷ ଭୁଲରୁ ହିଁ ଶିକ୍ଷା ପାଇଥାଏ । ବିଫଳତା ହିଁ ସଫଳତାର ପଥ ପ୍ରଦର୍ଶକ । ନିଜକୁ କେବେ ଛୋଟ ବୋଲି ଭାବିବୁନି । ମଣିଷ ଛୋଟରୁ ହିଁ ବଡ଼ ହୋଇ ଥାଏ । ଜଣେ ଦିନ ମଜୁରିଆର ପୁଅ ବୋଲି କେବେ ଭାଙ୍ଗି ପଡ଼ିବୁନି । ତୁ ଚେଷ୍ଟା କଲେ ଦିନେ ତୋରି ପାଖରେ କେତେ ଦିନ ମଜୁରିଆ କାମ କରିବେ ।

   ବାପାଙ୍କର ଏହି ମହତ ବାଣୀ ଗୁଡିକ ତାକୁ ଅନେକ ପ୍ରୋତ୍ସହନ ଯୋଗାଉଥାଏ । ଏମିତି ଏକ ବାପାର ସନ୍ତାନ ହୋଇ ତାକୁ ବହୁତ ଖୁସି ଲାଗୁଥାଏ । ବେଳେ ବେଳେ ଭଗବାନଙ୍କୁ ଦୋଷ ହୁଏ । କଣ ପାଇଁ ତା ବାପାକୁ ଏମିତି ଗରିବ କରି ରଖିଛନ୍ତି । 

  ଦୁଇ ଦିନ ହେଲା ବାପା କାମକୁ ଯାଇ ନଥିଲେ । ତେଣେ ସାଙ୍ଗ ମାନେ ଠିକ୍ କରିଥିଲେ ସିନେମା ଦେଖି ଯିବା ପାଇଁ । ସାଙ୍ଗ ମାନେ ଡାଇନିଂଗ ଟେବୁଲ ଉପରେ ବସି ଖାଉଥିଲା ବେଳେ ପ୍ରଶାନ୍ତ ପାଇଁ ଖାଇବା ଟେବୁଲ ସାଜିଥିବା ଏକ ଭଙ୍ଗା ବେଞ୍ଚ ଉପରେ ବସି ଖାଉ ଖାଉ ପ୍ରଶାନ୍ତ ବୋଉକୁ କହିଥିଲା ବୋଉ ଆସନ୍ତା ରବିବାର ଦିନ ସାଙ୍ଗ ମାନେ ସିନେମା ଦେଖି ବାହାରିଛନ୍ତି ମୋତେ ଡାକୁଛନ୍ତି । ନଗଲେ ସେମାନେ ମୋତେ ଚିଡ଼େଇବେ । ବୋଉ କହିଥିଲା ହୋଉ ତୁ ସେମାନଙ୍କୁ ସହିତ ଯିବୁ ସେମାନେ ଚିଡ଼େଇବେ କାହିଁକି । 

  ସେଦିନ ଥିଲା ସାବିତ୍ରୀ ଅମାବାସ୍ୟା । ବୋଉ ସାଇତି ରଖିଥିବା ପଚାଶ ଟଙ୍କିଆ ଖଣ୍ଡେ ପ୍ରଶାନ୍ତକୁ ଦେଲେ । "ବୋଉ ମୁଁ ସିନେମା ଦେଖି ଯିବି ପରା ? ଏତିକି ପଇସାରେ କଣ ହେବ ?" ପ୍ରଶାନ୍ତ ଅଭିଯୋଗ କରି କହିଲା "ଟିକେଟ ପଇସା କେତେ ଜାଣିଛୁନା ?" ଆଉ ସାଙ୍ଗ ମାନେ ଥିବେ ମୁଁ ଏତେ କମ ପଇସା ନେଇ କେମିତି ଯିବି କହିଲୁ ? ମୋର ମାନ ସମ୍ମାନ ବୋଲି କିଛି ଅଛିନା ନାହିଁ ?" ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତେକ ନେଇ ନିରବ ହୋଇଗଲା ପରେ ପୁଣି କହିଲା,"ବୋଉ ମୋର ଟାଇମ ହେଲାଣି ଟଙ୍କା ଦେ ।" ରୋଷେଇ ଘରୁ ବୋଉ କହିଲେ,"ମୋ ପାଖରେ କିଛି ନାହିଁ, ତୁ ବାପାକୁ ମାଗି ନେଇଯା ।"

  ପ୍ରଶାନ୍ତ ବିରକ୍ତ ହୋଇ ଗର ଗର ହଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦଧ୍ଵନି ଶୁଣି ନିରବ ହୋଇଗଲା । ବାପା କିନ୍ତୁ ବାହାରୁ ଥାଇ ପ୍ରଶାନ୍ତର ସବୁ କଥା ଶୁଣି ସାରିଥିଲେ । ଅଣ୍ଟାରେ ଖୋସିଥିବା ଶହେ ଟଙ୍କିଆ ନୋଟ ଖଣ୍ଡିକୁ ପ୍ରଶାନ୍ତର ହାତକୁ ବଢ଼େଇ ଦେଇ ଶୋଇବା ଘରକୁ ଚାଲିଗଲେ । ପ୍ରଶାନ୍ତ ମନ ଖୁସିରେ ସିନେମା ଯିବାକୁ ବାହାରି ପଡ଼ିଲା । ଶୋଇବା ଘରକୁ ଘଣ୍ଟା ଆଣିବାକୁ ଯାଉଥିଲା । ତାର କାନରେ ବାଜିଲା ବାପା କାନ୍ଦି କାନ୍ଦି ବୋଉକୁ କହୁଥିଲେ ମୁ ଏମିତି ହାତଭାଗା ସ୍ୱାମୀ ଯେ ସାବିତ୍ରୀ ଅମାବାସ୍ୟାରେ ସୁଧା ତୁମକୁ ଶାଢ଼ୀ ଖଣ୍ଡେ ଦେଇ ପାରୁନି । ଆଜିକାଲି ତ ମେସିନ ସବୁ କାମ କରିଦେଉଛି । ଆମକୁ କାମ ମିଳୁନି ପଦନା ସାର୍ କହୁଥିଲେ ତାଙ୍କର କଣ ଗୋଟେ ଟାଙ୍କି ସଫା କରିବାର ଥିଲା । ଯାଇଥିଲି କହିଲେ ଆମେ ଆଜି ବାହାରକୁ ଯାଉଛି କାଲି ଆସି ସଫା କରିଦେବ । ତେଣୁ ତାଙ୍କ ପାଖରୁ ଶହେ ଟଙ୍କା ମାଗି ଆଣିଥିଲି । ଭାବିଥିଲି ସେହି ଶହେ ଟଙ୍କାରେ କିଛି ନହେଲେ ତୁମ ପାଇଁ ଖଣ୍ଡେ ଶାଢ଼ୀ ନେଇ ଆସିବି । କିନ୍ତୁ ପିଲାଟା ସିନେମା ବାହାରିଛି ଆଜିକାଲି ବଜାର ରେଟ ଯାହା ହେଲାଣି । ତୁମେ ତାକୁ ପଚାଶ ଟଙ୍କା ଦେଇଥିଲ ସେତକ କଣ ହୋଇଥାନ୍ତା । ସେଥିପାଇଁ ତାକୁ ସେ ଶହେ ଟଙ୍କା ଦେଇଦେଲି । ଠାକୁରଙ୍କୁ ଡାକୁଛି ଭଗବାନ କୋଉ ସ୍ତ୍ରୀକୁ ମୋ ପରି ଗୋଟେ ହାତଭାଗା ସ୍ୱାମୀ ହାତରେ ନ ଦିଅନ୍ତୁ ।" ବୋଉ କହୁଥାଏ ମୁଁ ଭଗବାନଙ୍କ ପାଖରେ ଗୁହାରି କରୁଛି ସବୁ ଜନ୍ମରେ ମୋତେ ତୁମ ପରିି ଗୋଟେ ସ୍ୱାମୀ ଦିଅନ୍ତୁ । ପ୍ରକୃତ ଭଲ ପାଇବା ଟଙ୍କା ପଇସା କି ଉପହାର ରେ ନଥାଏ । ଥାଏ ସ୍ନେହ ମମତାରେ ।

   ପ୍ରଶାନ୍ତ ଏତକ ଶୁଣି ନିଜକୁ ଆଉ ସମ୍ଭାଳି ପାରିଲାନି ବାହାରକୁ ଯାଇ ଭୋ ଭୋ ହୋଇ କାନ୍ଦି ପକେଇଲା । କହିଲା ମୋର ବାପା ବୋଉ କେତେ ଦୁଃଖ କଷ୍ଟରେ ରହୁଛନ୍ତି । ନିଜର ଦୁଃଖକୁ ନିଜ ଭିତରେ ଚାପି ମୋତେ ସୁଖ ଦେଉଛନ୍ତି । ଅଥଚ ମୁଁ ତାଙ୍କର ଦୁଃଖକୁ ଆହୁରି ଅଧିକ କରିଦେଉଛି । ତାଙ୍କ ଆଖିରେ ଲୁହ ଦେଇ ମୁଁ ସିନେମା ଦେଖି ବାହାରିଛି ।

  ଶେଷରେ ମନକୁ ଦମ୍ଭ କରି ନିଜର ସାଇକେଲ ଧରି ବଜାରକୁ ଗଲା । ଆଉ ସେହି ଶହେ ପଚାଶ ଟଙ୍କାରେ ନିଜ ବୋଉ ପାଇଁ ଗୋଟେ ଶାଢ଼ୀ ଆଉ କିଛି ଫଳ ଧରି ଘରକୁ ଫେରିଲା । ଆଉ ଯାଇ ନିଜର ବାପାକୁ ଦେଇ ବାପାଙ୍କ ଛାତିରେ ମୁଣ୍ଡ ରଖି କାନ୍ଦି ପକେଇଲା । କହିଲା ବାପା ସତରେ ତୁମେ ମହାନ । କେମିତି ନିଜର ସବୁ ଦୁଃଖକୁ ନିଜ ଛାତିରେ ଚାପି ରଖି ମୋ ପାଇଁ ଏକ ଖୁସିର ପାହାଡ଼ ଠିଆ କରାଉଛ । 

 ତୁମ ପରି ଏକ ବାପା ଭାଗ୍ୟରେ ଥିଲେ ମିଳେ । ବାପାର ଦୁଃଖକୁ ବୁଝି ପାରୁଥିବ ଏମିତି ଏକ ପୁଅ ପାଇ ବାପା ମଧ୍ୟ ଖୁସି ହୋଇଗଲେ । ଆଉ ପ୍ରଶାନ୍ତ ବାପାଙ୍କ ଦୁଃଖ ଦୂର କରିବାକୁ ମନ ଦେଇ ପାଠ ପଢି ଏକ ବଡ଼ ମଣିଷ ହେବା ସହିତ ଭଲ ମଣିଷ ହେବାକୁ ଶପଥ କରିଥିଲା ।

ପ୍ରଶାନ୍ତ ବାପା ଉପହାର

Rate the content


Originality
Flow
Language
Cover design

Comments

Post

Some text some message..