Prasant Kumar Nath

Tragedy

2  

Prasant Kumar Nath

Tragedy

ବିଶ୍ୱାସଘାତକ

ବିଶ୍ୱାସଘାତକ

4 mins
809


ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା କୃଷ୍ଣା | ବିଏ ପାସ କରିବା ପରେ ଚାକିରୀ ଖୋଜିବାରେ ଲାଗି ପଡିଥିଲା । କେଉଁଠି ଚାକିରି ପାଇଁ ଘୋସ୍ ମଗାଯାଉଥିଲା ତ କେଉଁଠି ତାକୁ ଦିଆଯାଉଥିବା କାମ ତାର ପସନ୍ଦ ହେଉନଥିଲା । ଘରେ ତାର ବୃଦ୍ଧା ପିତାମାତା । ସେମାନଙ୍କ ଭରଣ ପୋଷଣର ଦାୟିତ୍ୱ ମଧ୍ୟ କୃଷ୍ଣା ଉପରେ ନ୍ୟସ୍ତ ଥିଲା । କାହିଁକିନା ଝିଅ ଜନ୍ମ ଯେମିତି ଏକ ଅପରାଧ ଭାବି ଅନେକ କନ୍ୟାଭ୍ରୁଣ ହତ୍ୟା କରୁଥିବା ବେଳେ କୃଷ୍ଣାର ପିତାମାତା ତାକୁ ନିଜର ପୁଅ ପରି ପାଲିଥିଲେ । କାଳେ ଆଉ ଗୋଟେ ପିଲା ଜନ୍ମ ହେଲେ କୃଷ୍ଣା ପ୍ରତି ଅବହେଳା ହେବ ସେଥିପାଇଁ ସେମାନେ ଦ୍ୱିତୀୟ ପିଲା ମଧ୍ୟ ଚାହିଁଥିଲେ । ଅଭାବ ଅନାଟନରେ ରହି ମଧ୍ୟ ସେ କେବେବି କୃଷ୍ଣାକୁ ତାହା ଉପଲବ୍ଧି କରିବାକୁ ଦେଇନଥିଲେ । କୃଷ୍ଣା ଭଲ ପାଠ ପଢୁଥିଲା । ଗାଁ କଲେଜରୁ ବିଏ ପାସ କରିଛି । ଆଉ ଏବେ ଚାକିରି ଖୋଜିବାରେ ଲାଗି ପଡିଛି ।

ସେଦିନ ଖବର କାଗଜ ଖେଳାଉ ଖେଳାଉ ଏକ ସେକ୍ରେଟାରୀ ଚାକିରିର ବିଜ୍ଞାପନ ଦେଖି ଯାଇ ପହଞ୍ଚିଥିଲା ଫାଲ୍ଗୁନି ଗ୍ରୁପ ଅଫ କମ୍ପାନୀରେ । ଯାହାର ମାଲିକ ଥିଲେ ବିକାଶ ପ୍ରଧାନ । ବୟସ ୩୦ ଭିତରେ ହେବ । କଥାବାର୍ତ୍ତା ଭାରି ଧୀର ଆଉ ନମ୍ର । କମ୍ପାନୀରେ ଅଧିକାଂଶ ଝିଅ ମାନେ ହିଁ କାମ କରୁଥିଲେ । କୃଷ୍ଣା ସେହି କମ୍ପାନୀରେ ବିକାଶଙ୍କ ସେକ୍ରେଟାରୀ ହିସାବରେ ନିଯୁକ୍ତି ପାଇଗଲା । ମାସକୁ ଦରମା କୋଡିଏ ହଜାର ଟଙ୍କା ଯାହା କୃଷ୍ଣାର ଆଶା ଠାରୁ ଢେର ଅଧିକ ।

ସେଦିନ କୃଷ୍ଣା ବିକାଶଙ୍କ ସହିତ କୌଣସି ଏକ କାମରେ ବାହାରକୁ ଯାଇଥିଲା ଫେରୁ ଫେରୁ ହଠାତ କଳାହାଣ୍ଡିଆ ମେଘ ମାଡି ଆସିଲା । ବର୍ଷା ସାଥିରେ ପବନ ମଧ୍ୟ ବହିବାକୁ ଲାଗିଲା । ଏକ ନିଛାଟିଆ ଜାଗାରେ ବିକାଶ ଗାଡି ଠିଆ କରିଦେଲେ । କହିଲେ ବର୍ଷା ହେଉଛି ରାସ୍ତା ଦେଖାଯାଉନି ଆଉ ଗାଡି ଚଳେଇ ହେବନି । ବର୍ଷା ସହିତ ଘଡ଼ଘଡିର ବେଗ ମଧ୍ୟ ବଢ଼ିବାରେ ଲାଗିଥାଏ । ତା ସହିତ କୃଷ୍ଣାର ଭୟ । ନିଜର ମାଲିକ ହେଲେ ବି ସେ ଜଣେ ପୁରୁଷ । ସେଥିରେ ପୁଣି ନିଛାଟିଆ ରାସ୍ତା । ରାସ୍ତାର ଦୁଇ ପାର୍ଶ୍ଵରେ ଅନେକ ଗଛ ଥିବାରୁ ବିକାଶ କହିଲେ ଗାଡ଼ିରେ ରହିବାଟା ସୁରକ୍ଷିତ ନୁହେଁ । ଚାଲ ଆମେ ସେହି ମନ୍ଦିର ପ୍ରାଙ୍ଗଣକୁ ଚାଲିଯିବା । କୃଷ୍ଣା ମଧ୍ୟ ଉଚିତ ମନେ କରି ଦୁହେଁ ମନ୍ଦିର ପାଖକୁ ଧାଇଁଗଲେ ।

ମନ୍ଦିର ପାଖରେ ପହଁଚିଲା ବେଳକୁ ଦୁହେଁ ଭିଜି ସାରିଥିଲେ । କୃଷ୍ଣା ପିନ୍ଧିଥିବା ଶାଢ଼ୀ ବରଷାରେ ଭିଜି ନିଜର ଦେହ ସହିତ ଛପି ଯାଉଥିଲା । ଆଉ ସିଏ ଲାଜେଇ ଯାଉଥିଲା । ବିକାଶ ଠାରୁ ଟିକେ ଦୂରରେ ଠିଆ ହୋଇଥିଲେ ମଧ୍ୟ ସିଏ ଲକ୍ଷ୍ୟ କରୁଥିଲା ବିକାଶ ତାକୁ ଯେମିତି ଏକ ଭିନ୍ନ ଦୃଷ୍ଟିରେ ଚାହୁଁଛନ୍ତି । ଭୟ ବଢ଼ିବାରେ ଲାଗିଲା । ବିକାଶ ତା ପାଖକୁ ଆସିଲେ ତା ହାତକୁ ଧରିଲେ ଧୀରେ ଧୀରେ ତାର ଶରୀରକୁ ସ୍ପର୍ଶ କରିବାରେ ଲାଗିଲେ । କୃଷ୍ଣା ଭୟରେ ଥରିବାକୁ ଲାଗିଲା । ଆଉ କହି ହେଉଥିଲା ସାର୍ ପ୍ଲିଜ ଏମିତି କରନ୍ତୁନି । ଏହା ପାପ । ମୋ ଜୀବନ। ସହିତ ଖେଳ ଖେଳାନ୍ତୁନି । ବିକାଶ ଆହୁରି ଜୋରରେ ଜାବୁଡ଼ି ଧରିଲେ କହିଲେ ମୋତେ ଟିକେ ସାହାଯ୍ୟ କର ତୁମର କିଛି ଅସୁବିଧା ହେବନି । ମୁଁ ତୁମକୁ ବିବାହ କରିବି । ତୁମେ ହେଇଯିବ ମୋ କମ୍ପାନୀର ମାଲିକ । ବର୍ଷା ଛାଡିଲା ବେଳକୁ ସବୁ କିଛି ସରି ଯାଇଥିଲା । କୃଷ୍ଣା ତାର ନାରୀତ୍ୱକୁ ହରେଇ ସାରିଥିଲା । ଆଉ ବିକାଶ ଖୁସିରେ ଆତ୍ମହରା ।

ବିକାଶ ସେଦିନ କୃଷ୍ଣାକୁ ଆଣି ତାର ଘର ପାଖରେ ଛାଡି ଦେଇଥିଲେ । ଆଉ ସେହିଦିନ ଠାରୁ ସେମାନେ ଅନେକ ସମୟରେ ଏମିତି ସମ୍ପର୍କ ସ୍ଥାପନ କରୁଥିଲେ । କେତେବେଳ କମ୍ପାନୀର କର୍ମଚାରୀ ମାନେ ଚାଲିଗଲା ପରେ ତ କେତେବେଳେ ହୋଟେଲରେ ।

କୃଷ୍ଣା ପାଖରୁ ନିଜର ମନ ଛାଡ଼ିଗଲା ପରେ ବିକାଶ ଆଉ ଜଣଙ୍କୁ ନିଯୁକ୍ତି କରିଥିଲେ । ଆଉ କୃଷ୍ଣାକୁ କହିଥିଲେ ତୁମେ ଆଉ ଆଗ ପରି କାମକୁ ପାରୁନ । ତୁମେ ଚାହିଁଲେ ଅଫିସରେ ଅନ୍ୟକିଛି କାମ କରି ପାର । ମୁଁ ଆଉ ଜଣଙ୍କୁ ସେକ୍ରେଟାରୀ ଭାବରେ ନିଯୁକ୍ତି କରୁଛି । ତୁମେ ଚାହିଁଲେ ମୋର ଘରେ ମଧ୍ୟ ରହିପାର । କୃଷ୍ଣା କିନ୍ତୁ ଏତେ ସବୁ କଥା ବୁଝି ପାରୁ ନଥିଲା ।

ସେ ଜାଣି ନଥିଲା ବିକାଶ ଥିଲେ ଜଣେ କାମୁକ ପୁରୁଷ । ଅନେକ ଯୁବତୀଙ୍କୁ ନିଜ କମ୍ପାନୀରେ ଚାକିରି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଥିଲା ତାଙ୍କର ନିତିଦିନିଆ କାର୍ଯ୍ୟ । କେହି କେହି ନିଜ ଇଚ୍ଛାରେ ତ କେହି କେହି ଜୋର ଜବରଦସ୍ତି ବିକାଶଙ୍କ ଶଯ୍ୟା ସଙ୍ଗିନୀ ବନି ଯାଉଥିଲେ । କେହି କେହି ଧନ ସମ୍ପତ୍ତି ଲୋଭରେ ତ ଆଉ କେହି ଲୋକଲଜ୍ୟା ଡରରେ ଚୁପ ରହୁଥିଲେ । ସୁନ୍ଦରୀ ସୁନ୍ଦରୀ ଝିଅମାନଙ୍କୁ ନିଜର ସେକ୍ରେଟାରୀ ଭାବରେ ନିଯୁକ୍ତି ଦେବା ଆଉ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଥିଲା ବିକାଶଙ୍କ ମୂଳ ଉଦ୍ଦେଶ୍ୟ । ଜଣଙ୍କ ପାଖରୁ ମନ ଛାଡ଼ିଗଲେ ତା ମୁହଁକୁ କିଛି ଟଙ୍କା ଫିଙ୍ଗି ପୁଣି ଏକ ନୂଆ ସେକ୍ରେଟାରୀ ନିଯୁକ୍ତି କରୁଥିଲେ।

ସେଦିନ ସନ୍ଧ୍ୟାରେ ବାନ୍ତି ହେବାରୁ ସେ ଡରି ଯାଇଥିଲା । ଅନ୍ୟ ଉପାୟ ନପାଇ ଦୌଡ଼ି ଯାଇଥିଲା ବିକାଶଙ୍କ ପାଖକୁ । ଯାଇ କମ୍ପାନୀ ପାଖରେ ପହଞ୍ଚି ଏହି ଖବର ବିକାଶଙ୍କୁ ଦେଇ ଖୁବ ଶୀଘ୍ର ବିବାହ କରିବା ପାଇଁ କହିବ ବୋଲି ଭାବିଥିଲା । ହେଲେ ସେଠି ପହଞ୍ଚି ଦେଖିଲା କମ୍ପାନୀ ଆଗରେ ବହୁତ ଭିଡ଼ ଲାଗିଛି । ଲୋକମାନେ ପାଟିତୁଣ୍ଡ କରୁଥିଲେ । ଖବର ନେବାରୁ ଜଣାପଡିଲା ବିକାଶ ବିବାହର ପ୍ରତିଶୃତି ଦେଇ ଏକ ଝିଅକୁ ଗର୍ଭବତୀ କଲାପରେ ତାକୁ କିଛି ଟଙ୍କା ଦେଇ ଆବରସନ କରିବାକୁ ବାଧ୍ୟ କରୁଥିଲା । କିନ୍ତୁ ଝିଅଟି ରାଜି ନହୋଇ ନ୍ୟାୟ ପାଇବା ପାଇଁ ଲୋକମାନଙ୍କୁ ଧରି ପହଞ୍ଚିଥିଲା ବିକାଶର କମ୍ପାନୀରେ ।

ତୁଣ୍ଡ ବାଇଦ ସହସ୍ର କୋଷ ପରି ସଂଗେ ସଂଗେ ଏହି ଖବର ସାରା ଗାଁରେ ଖେଳି ଯାଇଥିଲା । କୃଷ୍ଣାର କୁକର୍ମ ପାଇଁ ସେମାନେ ତାର ବାପା ମାକୁ ଦୋଷ ଦେବା ସହିତ ସବୁଦିନ ପାଇଁ ନିଆଁ ପାଣି ବନ୍ଦ କରିବାକୁ କହୁଥିଲେ । ଅନ୍ୟ ଉପାୟ ନପାଇ ତାର ପିତା ମାତା ସବୁଦିନ ପାଇଁ ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ ।

କୃଷ୍ଣା ବିଶ୍ୱାସ କରିପାରିଲା ନାହିଁ । ବିକାଶ ଯେ ଏତେ ବଡ଼ ବିଶ୍ୱାସଘାତକ ଜାଣି ସାରିବା ପରେ ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ । କୃଷ୍ଣା ସିଧା କାନ୍ଦି କାନ୍ଦି ଘରକୁ ଏକମୁହାଁ ହୋଇ ଛୁଟିଲା । ଆସି ଦେଖେତ ଘରେ ତାଲା ପଡିଛି । କ'ଣ କରିବ ଭାବି ଘର ବାରଣ୍ଡାରେ ବସି ପଡ଼ିଲା । ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କ'ଣ ଭାବୁଥିଲା କେଜାଣି ।" ବସୁ ବସୁ ତାର ଆଖି ଲାଗି ଯାଇଥିଲା ।

ହଠାତ କାହାର ପାଦ ଶବ୍ଦରେ ଚମକି ପଡିଲା କୃଷ୍ଣା । ଦେଖିଲା ତାର ସାମ୍ନାରେ ଠିଆ ହୋଇଛି ମାଂସ ଲୋଭୀ ରାକ୍ଷସ ବିକାଶ । ରାଗରେ ଜର ଜର ହେଉଥିବା କୃଷ୍ଣା ଏଥର ନିଜକୁ ସମ୍ଭାଳି ପାରିଲା ନାହିଁ । ପାଖରେ ପଡିଥିବା ଏକ କାଠ ଫାଳିଆ ରେ ବିକାଶକୁ ପ୍ରହାର କରିବାକୁ ଯାଉଥିବା ସମୟରେ ବିକାଶ ଧରି ନେଇଥିଲା ସେହି କାଠ ଫାଳିଆ ଟିକୁ ଆଉ ଜୋର କରି ଆଘାତ ଦେଇଥିଲା କୃଷ୍ଣାକୁ ।

ପରଦିନ ଖବର କାଗଜରେ ବାହାରିଲା 'ନିଜର ପାପକୁ ଲୁଚାଇବାକୁ ଯାଇ ଯୁବତୀଙ୍କ ଆତ୍ମହତ୍ୟା'। ଅନ୍ୟ ଏକ ଖବରରେ ବାହାରିଥିଲା 'କମ୍ପାନୀ ମାଲିକଙ୍କୁ ଫସେଇବାକୁ ଚେଷ୍ଟା କରି ଡି.ଏନ.ଏ ରିପୋର୍ଟ ରେ ଯୁବତୀ ବିଫଳ'

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।

ମୋ-୦୮୮୯୨୩୦୧୧୪୩


Rate this content
Log in

Similar oriya story from Tragedy