ମାନିନୀ ସ୍ବରାଷ୍ଟ୍ର ସ୍ୱାଭିମାନ
ମାନିନୀ ସ୍ବରାଷ୍ଟ୍ର ସ୍ୱାଭିମାନ
ମାନିନୀ ସ୍ବରାଷ୍ଟ୍ର ସ୍ୱାଭିମାନ ତୁମେ
ବୈଦିକ ଭାରତ ଜାଗ୍ରତ ପ୍ରହରୀ
ସନ୍ତାନ, ସୁଯୋଗ୍ୟ
ବୀର ସୈନିକ !
ରକ୍ତ ତର୍ପଣର ଅର୍ଘ୍ୟ ଅର୍ପଣରେ
ରଖିଗଲ ତୁମେ
ଜାତିର ଟେକ ।
ସାର୍ବଭୌମ ଆମ ଆର୍ଯ୍ୟ ଭାରତର
ସମ୍ମାନ ସଂଭ୍ରମ
ମଉଡ଼ ମଣି ।
ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷେ ତୁମେ
ଏକାଗ୍ର ଭାରତ
ସୁ ଶିରୋମଣି ।
ସାରା ଦେଶ ଯେବେ ଶାନ୍ତ, ନିଦ୍ରାଗତ
ନିଝୁମ ରାତିର
ନିଃଶବ୍ଦ କୋଳେ ।
ଅପଲକ ନେତ୍ରେ ଅବିଶ୍ରାନ୍ତ ଚିତ୍ତେ
ସତର୍କେ ତୁମରି
ସଂଘର୍ଷ ଚାଲେ ।
ଆତଙ୍କବାଦ ର ବିଭତ୍ସ ଭକ୍ଷଣେ
ତୁମ ତ୍ୟାଗ,ନିଷ୍ଠା
ବଳି ପଡିଲା ।
ବଳିଦାନ ତୁମ ବ୍ୟର୍ଥ ହେବ ନାହିଁ
ଅମର ଆତ୍ମାକୁ
କଥା ରହିଲା ।
ଜଳୁଅଛି ଜୁଇ ଜୁଇ ନୁହେଁ ସିଏ
ବିଦ୍ରୋହର ବହ୍ନି
ରକ୍ତର ଡାକ ।
ପ୍ରତିଶୋଧ ପଣ ହୁଙ୍କାରି ଡାକୁଛି
ତେଜିୟାନ ହେବ
ରଖିବ ଟେକ ।
ଆମ କଥା ଆମ ସୁରମ୍ୟ ଶପଥ
ପ୍ରତିଶୋଧ ନେବୁ
ଅହିଂସା ପଣେ ।
ଅହିଂସା ତ ଆମ ଆର୍ଯ୍ୟ ପରମ୍ପରା
ବିଜୟ ଲଭିବୁ
ଆତ୍ମ ତର୍ପଣେ ।
ଶ୍ରଦ୍ଧାଞ୍ଜଳି, ଶ୍ରଦ୍ଧା ଅଞ୍ଜଳି ସୁମନ
ଅମର ଆତ୍ମାର
ସଦ୍ଗତି ପାଇଁ ।
ଅର୍ପଣ କରୁଛୁ ମନରୁ,ଆତ୍ମାରୁ
ନୟନ ଲୋତକ
ବନ୍ୟାରେ ଧୋଇ ।
ମାନିନୀ ସ୍ବରାଷ୍ଟ୍ର, ସ୍ୱାଭିମନୀ ତୁମେ
ସ୍ବଦେଶ ସମ୍ମାନ
ବଜାୟ ରଖି ।
ବୁକେ ବିଦ୍ଧ କଲ ଗୌରବର ଧ୍ବଜା
ଧୂଳି,ମାଟି,ରେଣୁ
ରହିଛି ସାକ୍ଷୀ ।
ହେ ବୀର ପୁଙ୍ଗବ ବଳିଷ୍ଠ ବିପ୍ଳବ
ସ୍ବର୍ଣ୍ଣାଭ ସହିଦ
ମର୍ଯ୍ୟାଦା ପୁତ୍ର ।
ଗର୍ବ ଗୌରବର ଐତିହ୍ୟ ରଚିଲ
ଆତ୍ମ ଜୟୀ ହେଲା
ଭାରତ କ୍ଷେତ୍ର ।
ଶରୀର ଟି ସିନା ପାର୍ଥିବ ତୁମର
ଅପାର୍ଥିବ ତୁମ
ସୈନିକ ପଣ ।
ସ୍ବର୍ଗୀୟ ସମ୍ମାନେ ବୈଭବ ଭୂଷଣେ
ଦେଶ, ଜାତି,ଜନ
କରେ ବରଣ ।
ପଛ ଘୁଞ୍ଚା ନାହିଁ ଭାରତ ଜାତକେ
ଗର୍ବ ଗରିମାର
ଐତିହ୍ୟ ଭୂମି ।
ଲେଲିହାନ ବହ୍ନି ତେଜିୟାନ ଶିଖା
ଜାଳିଦେଵ ଶତୃ
ତୀବ୍ର ତା'ଅଗ୍ନି ।