ତୁମକୁ ଭଲଲାଗେ ବୋଲି
ତୁମକୁ ଭଲଲାଗେ ବୋଲି
ମମତା ପଟ୍ଟନାୟକ
କେତେଥର ତୁମ ଗାଁକୁ ନିଅ ବୋଲି ଜିଦ୍ କଲି ଜମା ଶୁଣିଲନି
ଏବେ ତୁମେ ନ ଥିଲାବେଳେ ତୁମ ଗାଁକୁ ଯାଇଥିଲି
ଖାସ୍ ତୁମକୁ ଭଲଲାଗେ ବୋଲି ଚିଟ ପ୍ରଜାପତିରର
ଡେଣାରେ ଗାଁ ସାରା ବୁଲିଲି
ପୋଖରୀ ତୁଠ ପଥରରେ ପାଦ ବୁଡେଇ ପାଣି ଚବକେଇଲି
ଚବକା ପାଣିରେ ଭଉଁରୀ କାଟି ଫେରିଗଲେ
ସ୍ମୃତିସବୁ, ତୁମର ଆଉ ମୋର l
ଖାସ୍,ତୁମକୁ ଭଲଲାଗେ ବୋଲି ଗଲି କାଶତଣ୍ଡୀ ପଠାକୁ
ଭରା ଜହ୍ନରାତିରେ ଜହ୍ନିଫୁଲକୁ ତୋଳି ଭରିଲି ଅଣ୍ଟିରେ
ସେବେଠୁ ହଳଦିଆ ନିଆଁରେ ଜଳୁଛି ଅଣ୍ଟି l
ସାଙ୍ଗରେ ନେଇଥିଲି ସେଇ ପୁରୁଣା ଖାତାଟି
ଯେଉଠି ତୁମେ ଆଙ୍କିଥିଲ ନୂଆଣିଆ ଚଳଘରଟେ
ଚାଳରେ ମାଡିଥିବା କଖାରୁ ଡଙ୍କ
ଦାଣ୍ଡପଟେ ମଗୁଶିର ଝୋଟି
ଲାଜେଇ,ଭୁଇଁରେ ଗାରକାଟି ଠିଆ ହୋଇଥିବା
ଚିତ୍ର ପ୍ରତିମାଟେ ଠିକ୍ ମୋରି ପରି l
ସବୁଠି ତୁମର ସ୍ମୃତି, କିଛି ନା କିଛି ଅବଶେଷ
ଏବେ ଖାଲି ଯାହା ତୁମେ ଦିଶୁନଥିଲ
ତୁମେ କେବେଠୁ ମୋ’ ଠାରୁ ଦୂରେଇ’ ଅନ୍ୟ କାହାର l
ସେବେଠୁ, ମୁଁ କ’ଣ ସବୁ ଖୋଜୁଛି
ବୁଲୁଛି ଗାଁର ସବାଶେଷ ନାଲିସଡ଼କରେ
ଜଳୁଛି ବ୍ଯିଶାଖିର ଝାଞ୍ଜିରେ, ତୁମ ଅଲିପା ଅଗଣାରେ
ଭାସୁଛି ଉଜାଣି ବହୁଥିବା ଲୁହରେ
ଜଳୁଛି ଭୋର ଏକୁଟିଆ ତାରାର ନିସଙ୍ଗତାରେ
ତୁମ ଗାଁ ପାହାଡି ମଥାନରେ l
ଦେଖ, ଯେବେ କେବେ ଥରେ ଆସିବ
ଆସ୍ତେ କରି ରଖିବ ତୁମ ଚିହ୍ନା ଭୁଇଁରେ ପାଦ
ସେ ମାଟି,ପାଣି, ପବନରେ, ସମାଧିତଳେ ମୁଁ
ସେମିତି ଅପେକ୍ଷାରେ ରହିଛି ଛୁଆଁଟିକେ ପାଇଁ ତୁମର l