ସନେଟ -୧୬
ସନେଟ -୧୬
ଅଶକ୍ତ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଗୁରୁ ବୋଝ ଦେଇଅଛ ଶିରେ ମୋର ଦେଇ
ଜୀବନ କଣ୍ଟକ ପଥେ ପାରୁନି ଆଗେଇ ।।
ନାହିଁ ଶକ୍ତି ଶୀର୍ଣ୍ଣ ଅଙ୍ଗେ ମୁମୂର୍ଷୁ ଅବସ୍ଥା
କି ଉପାୟ କରିବି ମୁଁ ଦିଶୁନାହିଁ ପନ୍ଥା ।।
ସ୍ଫୁରୁ ନାହିଁ ସ୍ତବ୍ଧ କଣ୍ଠୁ ହରଷ-ରାଗିଣୀ
ଛିନ୍ନ ହୃଦ-ବୀଣା ତାର ବାଇଲେ ବାଜୁନି ।।
ଛାଇଛି ମାନସ-ନଭେ ଖଞ୍ଜତା ମୁଦିର
ରୁନ୍ଧିଛି ବିବେକ ଦିଶେ ଚୌଦିଗ ଅନ୍ଧାର ।।
ଜାଳିଥିଲି ଆଶା-ଦୀପ ମାନସ କୋଠରେ
ଲଭିଛି ତା ଦିଷ୍ଟ-ବାତ ନିର୍ମମ ଠୋକରେ ।।
ଅଶକ୍ତ ମୁଁ ପାରୁନାହିଁ ତବ ଆଜ୍ଞା ପାଳି
ଦେଇଅଛ ଗୁରୁଭାର ଶିରେ ଜାଣି ଢାଳି ।।
ଶକ୍ତି ଦେଇ କରିଥିଲେ ପରୀକ୍ଷା ମୋ ଓଜ
ବୁଝିଥାନ୍ତି ପିତଳ ବା ସ୍ୱର୍ଣ୍ଣ,ହେ ବିଭ୍ରାଜ !
ସମାପ୍ତ