ଯବନିକା
ଯବନିକା
ଦୀର୍ଘ ବତିଶ ବର୍ଷ ପରେ ବାପା ମା ଶାରଦା ଙ୍କୁ ଦେଖି ନିଜ ଆଖିକୁ ବିଶ୍ବାସ କରି ପାରୁ ନଥିଲେ। ଭାଇ ଭଉଣୀ ମାନେ କେହି ତାଙ୍କୁ ଚିହ୍ନି ପାରି ନଥିଲେ। ସେ ଯେ ଦିନେ ଏମିତି ଅବସ୍ଥା ରେ ଫେରିବ ସେ, ଆଶା କାହାରି ନଥିଲା। ନିଜେ ଶାରଦା କେବେ ଭାବି ନଥିଲେ ମଧ୍ୟ ଆଉ ଥରେ ଫେରିବେ ବୋଲି। କିନ୍ତୁ ମଣିଷ ପରିସ୍ଥିତିର ଦାସ। ମଣିଷ ଯାହା ଭାବେ ପରିସ୍ଥିତି ତାର ଠିକ୍ ଓଲଟା ବାଟ କଢ଼ାଇ ନିଏ। ଶାରଦା ଦିନେ ଆଉ କେବେ ନ ଫେରିବାର ନିଷ୍ପତ୍ତି ନେଇ ଯେଉଁ ପରିବାରକୁ ତ୍ୟାଗ କରି ଚାଲି ଯାଇଥିଲେ, ପରିସ୍ଥିତି ତାଙ୍କୁ ପୁଣି ସେଇଠି ଆଣି ଠିଆ କରେଇ ଦେଇଛି। ଏଇଟା ହିଁ ଜୀବନ।
ହିମାଚଳ ପ୍ରଦେଶର ଚ୍ଛୋଟିଆ ଗାଁ ଟିରେ ଗୋଟିଏ ପଞ୍ଜାବୀ ପରିବାରରେ ଜନ୍ମ ଶାରଦାର। ବଡ ପରିବାର ସାଙ୍ଗକୁ ମଇଁଷିର ଫାର୍ମ ତାଙ୍କର। ବାପା ଭାଇ ଚାଷ ସାଙ୍ଗକୁ ମଇଁଷି।ଘରର ପିଲା ମାନେ ମଧ୍ୟ ସେଇ କାମରେ ଲାଗିଥାନ୍ତି। ସେଇ କାମ ତାଙ୍କର ପିଢି ପରେ ପିଢି କରି ଆସିଛନ୍ତି। ପାଠ ପଢ଼ାରେ ସେମାନଙ୍କର କାହାରି ଆଗ୍ରହ ନଥିଲା । କିନ୍ତୁ ଶାରଦା ଟିକେ ଭିନ୍ନ ଥିଲା ଅନ୍ୟ ପିଲାଙ୍କ ଠାରୁ। ପାଠ ପଢିବାକୁ ଜିଦ୍ କରି କଲେଜ ପର୍ଯ୍ୟନ୍ତ ଯାଇଥିଲା ସେ। କଲେଜରେ ତାର ଦେଖା ହୋଇଥିଲା ଓଁ ପ୍ରକାଶ(0P)ସାଙ୍ଗରେ। ଦୁଇଜଣଙ୍କ ଭିତରେ ଘନିଷ୍ଠତା ବଢିଲା। ଶାରଦାର ଘର ଲୋକ ଜାଣିଲେ ତାଙ୍କ ଦୁହିଁଙ୍କର ସମ୍ପର୍କ ବିଷୟରେ।ଶାରଦାର ପରିବାର ଜାଠ ପରିବାର। ଏକଦମ୍ ଜିଦ୍ ଖୋର ତାର ବାପା ଭାଇ ମାନେ। OP ଥିଲା ମାରୁଆଡ଼ି ସମ୍ପ୍ରଦାୟର। କେମିତି ହେବ ଦୁହିଁଙ୍କର ମିଳନ?ଶାରଦା କୁ ଘରେ ବନ୍ଦ କରି ରଖି OP କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଲେ।ଦୁଇ ଜଣଙ୍କ ଭଲପାଇବାରେ ଯବନିକା ପଡ଼ିବା ଆଗରୁ ଦୁଇଜଣ ନିଜର ରାସ୍ତା ବାଛି ନେଲେ।ଶେଷରେ ଗୋଟେ ଦିନ କେମିତି କେଜାଣି ଘରୁ ବାହାରି ଦୁଇ ଜଣ ଯାକ ଚାଲି ଆସିଥିଲେ ଗୋଟେ ଅଜଣା ଅଶୁଣା ଅନିଶ୍ଚିତତାର ଦୁନିଆକୁ। ଯୋଉ ଦୁନିଆକୁ ନା ସେ ଜାଣିଥିଲେ ନା ତାଙ୍କୁ କେହି ଜାଣିଥିଲେ। ଶାରଦା ଜୀବନରେ ପିତ୍ରାଳୟକୁ ଗେଲବସର ଦିନରେ ଯବନିକା ଟାଣି ସେଇ ଅଜଣା ଅଶୁଣା ଦୁନିଆରେ ତାଙ୍କ ଜୀବନର ପ୍ରଥମ ପ୍ରହରର ପ୍ରଥମ ସୋପାନ ଆରମ୍ଭକଲା। କାହିଁ ହିମାଚଳ ପ୍ରଦେଶ କାହିଁ ଓଡିଶା। ଓଡିଶା ତ ଓଡିଶା ସେ ପୁଣି ବ୍ରହ୍ମପୁର ଭଳି ଗୋଟିଏ ଚ୍ଛୋଟିଆ ସହର। କାହିଁକି କେଜାଣି ତାଙ୍କୁ ସେ ଜାଗା ନିଜ ଆଡକୁ ଟାଣି ଆଣିଲା ସେମାନେ ନିଜେ ମଧ୍ଯ ଜାଣି ନଥିଲେ।ହାତରେ ନଥିଲା ବେଶୀ କିଛି ଧନ।ନଥିଲେ କେହି ଚିହ୍ନା ଜଣା। କିନ୍ତୁ କେମିତି କେଜାଣି ତାଙ୍କୁ କୋଳକୁ ଆଉଜେଇ ନେଲା ବ୍ରହ୍ମପୁର ସହର। ତାଙ୍କୁ ଆପଣେଇ ନେଲେ ବ୍ରହ୍ମପୁରର ପଞ୍ଜାବୀ ସମ୍ପ୍ରଦାୟ।ଜଣେ ତେଲଗୁ ପରିବାର ତାଙ୍କୁ ଦେଲେ ଘର ଖଣ୍ଡିଏ ରହିବାକୁ। ସମସ୍ତେ ମିଳିମିଶି ତାଙ୍କୁ ଛୋଟ ମଟର ପାର୍ଟର ଦୋକାନ ଟିଏ ଖୋଲେଇ ଦେଲେ। OP ଆଉ ଶାରଦାଙ୍କର ନୂଆ ବସା ବାନ୍ଧି ହୋଇଗଲା। ଧିରେ ଧିରେ ଆଗକୁ ବଢୁ ଥିଲେ ସେମାନେ। ବହୁତ ଲୋକ ଚିହ୍ନା ଜଣା ହୋଇଗଲେ। ବ୍ୟବସାୟ ବି ବଢିବାକୁ ଲାଗିଲା। ଭୁଲିଗଲେ ସେମାନେ ପଛରେ ଛାଡି ଆସିଥିବା ନିଜର ଲୋକ ଙ୍କୁ। ବ୍ରହ୍ମପୁର ସହର ତାଙ୍କୁ ଗୋଟିଏ ନୂଆ ଦୁନିଆ ସହିତ ତାଙ୍କର ଗୋଟିଏ ନୂଆ ପରିଚୟ ମଧ୍ୟ ଦେଇଥିଲା। ସେମାନେ ବି ହୋଇଗଲେ ବ୍ରହ୍ମପୁର ବାସିନ୍ଦା। ସମୟ ବିତି ଚାଲିଲା। ସେ ଦୁଇଜଣ ଚାହୁଁ ଥିଲେ ତାଙ୍କ କୋଳ କୁ ପିଲାଟିଏ। ମାତ୍ର ଭଗବାନ ଅନ୍ୟ କିଛି ଚାହୁଁ ଥିଲେ। ଦୀର୍ଘ ଚଉଦ ବର୍ଷ କଟିଗଲା। ଡାକ୍ତର ମାନେ ନାସ୍ତି ବାଣୀ ଶୁଣାଇ ଦେଲେ। ଶେଷରେ ଦୁଇଜଣ ଗୋଟିଏ ପିଲା ପୋଷ୍ୟ କରିବାର ନିଷ୍ପତ୍ତି ନେଲେ। ଆଉ ଗୋଟିଏ ପିଲା ମିଳିଗଲା ମଧ୍ଯ। ତାଙ୍କ ଶୁଷ୍କ ଜୀବନକୁ ଅଙ୍କୁରିତ କରି ତାଙ୍କ କୋଳକୁ ଆସିଲା ଅଙ୍କୁର।ଅଙ୍କୁର ମା ଶାରଦା ଙ୍କ କୋଳ ରେ ତାର ଶାଖା ପ୍ରଶାଖା ମେଲେଇ ବଡ ହେବାକୁ ଲାଗିଲା। ଅଙ୍କୁର ଆସିଲା ପରେ ତାଙ୍କ ଜୀବନ ଆଉରି ଉତ୍ସବ ମୁଖର ହେବାକୁ ଲାଗିଲା। ବ୍ରହ୍ମପୁର ସହରର କିଛି ଦୂରରେ ଜାଗା ଖଣ୍ଡିଏ କିଣି ସେଇଠି ଫାର୍ମ ହାଉସ ଟିଏ ତିଆରି କରି ରହିଗଲେ ସେମାନେ।
ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ, ଇଏ ତ ଜୀବନ ଚକ୍ର। ସୁଖ ସମୟଟି କେମିତି କଟିଯାଏ ଜଣା ପଡେ ନାହିଁ କିନ୍ତୁ ଦୁଖର ସମୟ ପାହାଡ ଭଳି ମାଡି ବସେ, ସହଜରେ କଟେ ନାହିଁ।ଗୋଟେ ଦିନ ଦୋକାନ ରୁ ଫେରିବା ବାଟରେ OP ଙ୍କର ହେଲା ଆକ୍ସିଡେଣ୍ଟ। ଦୁଇ ତିନିଦିନ ମାସ ବେଡ୍ ରେ ପଡି ରହିଲେ। ଶାରଦା କିନ୍ତୁ ହାର୍ ନ ମାନି ନିଜେ ଦୋକାନରେ ବସି ଚଳେଇ ନେଲେ। କଥାରେ ଅଛି ଦୁଃଖ ଯେତେବେଳେ ଆସେ ସେ ତାର ଭାଇ ବନ୍ଧୁ କୁଟୁମ୍ବ ଙ୍କୁ ଧରି ଆସେ। ଶାରଦାଙ୍କ ଜୀବନରେ ମଧ୍ୟ ସେଇଆ ଘଟିଲା। ସୁଖ ସମୟ ତ କଟିଗଲା। ଦୁଃଖ ପରେ ଦୁଃଖ ଆସି ପୁଣିଥରେ ଶାରଦାଙ୍କ ଜୀବନ କୁ ଅନ୍ଧକାରମୟ କରିଦେଲା। ଅଙ୍କୁରର ନିଜର ପିତା ମାତା ଆସି ଜୋର୍ କରି ନେଇଗଲେ ପିଲାଟାକୁ,ଶାରଦାଙ୍କ ସଂସାରକୁ ଉଜାଡି ଦେଇ। ଶାରଦା ବାତ୍ସଲ୍ୟ ମମତାରେ ଯବନିକା ଆସିଲା।ବହୁତ କାନ୍ଦିଥିଲେ ଶାରଦା ଆଉ ପିଲାଟି ମଧ୍ଯ ବହୁତ ଦୁଃଖରେ ଭାଙ୍ଗି ପଡିଥିଲା। କିନ୍ତୁ ନିଷ୍ଠୁର ସାମାଜ ମଧ୍ଯ OP ଆଉ ଶାରଦା ଙ୍କ ଦୁଃଖ ବୁଝି ପାରିଲାନି। ପାଳକ ପିତା ମାତାଙ୍କର ସ୍ନେହ ଶ୍ରଦ୍ଧା ତ୍ୟାଗ ବଳିଦାନ, ସବୁ କିଛି ତୁଚ୍ଛ ହୋଇଗଲା। ସେଇ ଯେ ଦୁଃଖରେ ଶାରଦା ଆଉ 0P ଭାଙ୍ଗି ପଡ଼ିଲେ, ଆଉ ଉଠିବା ତାଙ୍କ ପାଇଁ କଷ୍ଟ ହୋଇଗଲା। ଦୋକାନ ଗୋଟେ ଦିନ ଗଲେ ତ ଗୋଟେ ଦିନ ବନ୍ଦ। ଦୋକାନ ରେ ଯେଉଁ ପୁରୁଣା ପିଲା କାମ କରୁଥିଲେ, ସେଇମାନେ ସବୁ ଠକି ବା ଆରମ୍ଭ କଲେ।କଥାରେ ଅଛି ନଇଁ ପଡ଼ିଥିବ ଯେତେବେଳେ ବିଧା ମାରିବ ସେତିକି ବେଳେ। ତାଙ୍କର ଯେତେବେଳେ ଖରାପ ସମୟ ପଡିଲା ସେତିକି ବେଳେ ନିଜର କହୁଥିବା ଲୋକ ମାନେ ତାଙ୍କୁ ଠକିଲେ ଫଳରେ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଯାହା କିଛି ଫାର୍ମରୁ ମିଳୁଥିଲା କିନ୍ତୁ OP ଙ୍କର ବେମାର ହେବା ଶାରଦାଙ୍କ ପାଇଁ ଆଉ ଏକ ପରୀକ୍ଷାର ଘଡି ସନ୍ଧି ମୁହୂର୍ତ୍ତ ହୋଇ ଠିଆ ହେଲା ଆସି। କଣ ସେ କରିବେ?କେମିତି କରିବେ?ଜୀବନ ଆରମ୍ଭରେ ଯୋଉ ମାନେ ସହଯୋଗ କରିଥିଲେ, ତାଙ୍କ ମଧ୍ୟରୁ କେତେ ଜଣ ଚାଲି ଯାଇ ସାରିଥିଲେ। ଆଉ ଯେଉଁ ମାନେ ଥିଲେ, ସେମାନେ କେତେ ସାହାଯ୍ୟ କରନ୍ତେ?ଶାରଦା ଭାବୁଥିଲେ ,ଜୀବନଟା ସାରା କଣ ଖାଲି ସାହାଯ୍ଯରେ ବଞ୍ଚିବେ?ପୁଣି ଭାବୁଥିଲେ କାହିଁକି ବଞ୍ଚିବେ?ଆତ୍ମହତ୍ୟା କରି ଦେବେ। ଅନେକ ଥର ଚେଷ୍ଟା କରିଛନ୍ତି ମଧ୍ୟ। କିନ୍ତୁ ପାରି ନଥିଲେ ସେ, OP ଙ୍କ କଥା ଚିନ୍ତା କରି। OP ବଡ ଲୋକ ଘର ପିଲା ଥିଲେ। ଶାରଦାଙ୍କୁ ଭଲ ପାଇ, ନିଜର ଘର ଦ୍ଵାର ସବୁ ତ୍ୟାଗ କରି ଦେଇଥିଲେ।ଘରର ସାନ ପୁଅ ଥିବାରୁ ତାଙ୍କ ମା ତାଙ୍କୁ ବହୁତ ଭଲ ପାଉଥିଲେ, ହେଲେ ଶାରଦାଙ୍କ ପାଇଁ ସେ ସବୁ ଭୁଲି ଯାଇଥିଲେ। ତାଙ୍କର ମା ମଧ୍ୟ ମଝିରେ ମଝିରେ ତାଙ୍କୁ ଦେଖା କରିବାକୁ ଆସୁଥିଲେ, କିନ୍ତୁ ସେ ଶାରଦାକୁ ଶେଷ ପର୍ଯ୍ୟନ୍ତ ଗ୍ରହଣ କରି ପାରି ନଥିଲେ। କାରଣ ସେ ଭାବିଥିଲେ ତାଙ୍କ ପୁଅକୁ ଶାରଦା ତାଙ୍କ ଠାରୁ ଦୂରକୁ ଶିଖେଇକି ନେଇଗଲେ। ସେଥିପାଇଁ OP କେବେ ନିଜ ଘରକୁ ଯିବାର ନାମ ମଧ୍ଯ ଧରୁ ନଥିଲେ। କହୁଥିଲେ, ଯୋଉଠି ଶାରଦା ର ସ୍ଥାନ ନାହିଁ, ସେଠି ମୋର ମଧ୍ୟ ସ୍ଥାନ ନାହିଁ। ଶାରଦା ନିଜକୁ ବେଳେ ବେଳେ ଦୋଷୀ ଭାବନ୍ତି, ଭାବନ୍ତି ତାଙ୍କ ପାଇଁ ଆଜି OP ଙ୍କର ଏମିତି ଦୁର୍ଦ୍ଦଶା। କିନ୍ତୁ ପଛ କଥା ଭାବିଲେ ଆଉ ଯୋଉ ସମୟ ଯାଇଛି ସେ ତ ଫେରିବନି। ତା ଛଡା ଭାଗ୍ୟ ଲିଖନକୁ କେହି ଆନ କରି ପାରିବେନି। OP ଙ୍କ ବେମାର ହେବା ଶାରଦାଙ୍କ ପାଇଁ କାଳ ହୋଇଗଲା। ଜମି ବାଡି ସବୁ ବିକିଦେଲେ, ଗହଣା ଗଣ୍ଠି ଯାହା ଥିଲା ସବୁ ଔଷଧ ଆଉ ପଥିରେ ସରିଲା,ଶେଷରେ OP ତାଙ୍କୁ ଛାଡ଼ି ଚାଲିଗଲେ। ଆଉ ଶାରଦାଙ୍କ ଜୀବନରେ ରହିଲା କଣ?କାହିଁକି ସେ ବଞ୍ଚନ୍ତେ?କିନ୍ତୁ ସତରେ କଣ କେହି କାହା ପାଇଁ ମରି ପାରେ?ସବୁ ବଞ୍ଚି ଥିଲା ବେଳର କଥା। କେହି କାହାକୁ ଛାଡି ରହି ପାରିବା ନାହିଁ। ମରିବା ଯଦି ସାଥି ହୋଇ ମରିବା। ଜଣଙ୍କ ବିନା ଅନ୍ୟ ଜଣେ ବଞ୍ଚି ପାରିବନି ଇତ୍ୟାଦି ଇତ୍ୟାଦି। ଥରେ ଆଖି ବନ୍ଦ ହୋଇଗଲେ ସବୁ ଭଲ ପାଇବା, ସବୁ ପ୍ରତିଶ୍ରୁତି, ସବୁ ପ୍ରତିଜ୍ଞା କୁଆଡେ ଉଭାନ୍ ହୋଇ ଯାଏ,ଜୀବନ ନାଟକର ଯବନିକାରେ ଭଲପାଇବାରେ ମଧ୍ୟ ଯବନିକା ଆସାଯାଏ।
ଶାରଦା କେମିତି ସେଥିରୁ ବାଦ ଯାଇଥାନ୍ତେ?ଯେତେ ଦୁଃଖ ଯନ୍ତ୍ରଣା ସହିଲେ ମଧ୍ୟ ପୁଣି ବଞ୍ଚି ରହିବାର ଆଶାକୁ ସେ ଏଡେଇ ପାରିଲେ ନାହିଁ। ଜୀବନର ମୋହ ତାଙ୍କୁ ପୁଣି ଟାଣି ନେଇଗଲା ସେଇ ଜନ୍ମ ମାଟିକୁ।
OP ଙ୍କ ସାଙ୍ଗରେ ସଂସାର କରି ଖୁସିରେ ରହିବାକୁ ଯୋଉ ମାନଙ୍କୁ ଛାଡି ଚାଲି ଯାଇଥିଲେ, କେବେ ନ ଫେରିବାର ଶଫଥ ନେଇ ସବୁ କିଛି ତୁଚ୍ଛ କରି ଦେଇଥିଲେ, ସେମାନଙ୍କ କୋଳରେ ଆଜି ତାଙ୍କର ମଥା। ଦୀର୍ଘ ବର୍ଷର ଦୁଃଖ, ଯନ୍ତ୍ରଣା, କୋହ ଲୁହ ହୋଇ ଭିଜେଇ ଦେଉଛି ଗୋଟିଏ ମାର ମମତା,ଗୋଟିଏ ଭାଇର ସ୍ନେହ ଆଉ ଗୋଟିଏ ବାପାର ହୃଦୟ। ଜୀବନରେ ଗୋଟିଏ ଦୃଶ୍ୟର ଯବନିକା ଆସିଲେ ଭଗବାନ ଆଉ ଗୋଟିଏ ପଥ ଉନ୍ମୋଚନ କରି ଦିଅନ୍ତି।ଯେ ପର୍ଯ୍ୟନ୍ତ ଜୀବନ ରଙ୍ଗମଞ୍ଚର ଶେଷ ଦୃଶ୍ୟରେ ଯବନିକା ନ ଆସିଛି ସେପର୍ଯ୍ୟନ୍ତ ଅଭିନୟ ଚାଲିଥାଏ।କିଏ ଜାଣେ କାହା ଜୀବନରେ କେବେ ଯବନିକା ଆସିଯିବ?ସବୁ ଯବନିକାର ସୁତ୍ରଧର ହିଁ ପରମପିତା।
