STORYMIRROR

Nibedita Panda

Inspirational

4  

Nibedita Panda

Inspirational

ଜଉଘର

ଜଉଘର

5 mins
11


ସେଦିନ ଥିଲା ଶନି ଙ୍କର ଜନ୍ମଦିନ। ମନ୍ଦିର ରେ ଚାଲିଥାଏ ଯଜ୍ଞ। ମନ୍ଦିର ବାହାରେ ଭିକାରୀ ମାନଙ୍କ ଲାଇନ୍ ଲାଗିଥାଏ। ସବୁ ଲୋକ ମାନେ ପୂଜା ଦେଇ ସାରି ଭିକାରୀ ମାନଙ୍କୁ କିଛି କିଛି ଦେଇ ଯାଉଥାନ୍ତି। ଅପ (ଅପର୍ଣ୍ଣା)ମନ୍ଦିର ପୂଜା ସାରି ଭିକାରୀ ମାନଙ୍କ ଲାଇନ୍ ପାଖକୁ ଆସି ଜଣକ ପରେ ଜଣଙ୍କୁ କିଛି କିଛି ଦେଇ ଚାଲିଥିଲା। ଏମିତି ଦେଉ ଦେଉ କାହିଁକି କେଜାଣି ଗୋଟିଏ ଭିକାରୁଣୀ ପାଖରେ ତା ପାଦ ଅଟକି ଗଲା। ତା ମୁହଁକୁ ଚାହିଁଲା ସେ। ତାକୁ ଠିଆ ହେବା ଦେଖି ଡ୍ରାଇଭର କହିଲା ମା!ଚାଲ ।କାହିଁକି ଠିଆ ହେଇଛ?ତା କଥାରେ ସେ ଆଗକୁ ବଢିଲା। କିନ୍ତୁ ତା ମନରେ ଗୋଟିଏ କଥା ଆସୁଥିଲା, ଭିକାରୁଣୀ ଟିକୁ ସେ ଚିହ୍ନିଛି। ଗାଡିରେ ବସୁ ବସୁ ସେ ତା ଡ୍ରାଇଭରକୁ କହିଲା, ମତେ ସେ ଭିକାରୁଣୀଟି ଚିହ୍ନା ଚିହ୍ନା ଲାଗୁଛି କାହିଁକି। ତା କଥା ଶୁଣି ଡ୍ରାଇଭର କହିଲା କଣ ମା!ତୁମେ ଯାହାକୁ ଦେଖୁଛ କହୁଛ ଚିହ୍ନିଛି। ଡ୍ରାଇଭରର କଥାକୁ ଶୁଣି ନ ଶୁଣିଲା ଭଳି ସେ କହିଲା ତୁମେ ଟିକେ ଗାଡି ରଖ,ମୁଁ ଆଉ ଥରେ ଯାଇ ତାକୁ ଦେଖି ଆସେ। ଗାଡିରୁ ଓହ୍ଲାଇ ସେ ସିଧା ସେଇ ଭିକାରୁଣୀଟି ସାମ୍ନାରେ ଠିଆ ହୋଇ ପଚାରିଲା, ତୁ ନିଶା ନା?ତା କଥା ଶୁଣି ବିଚାରୀ ଭିକାରୁଣୀ ଡରିଗଲା ଟିକେ, କହିଲା କାହାକୁ ଖୋଜୁଛ ମା?କୋଉ ନିଶା?ତା ସ୍ଵରରୁ ଅପର୍ଣ୍ଣା ନିଶ୍ଚିତ ହୋଇଗଲା ସେ ନିଶା। କହିଲା ମୁଁ ତୋତେ ଖୋଜୁଛି ,ତୁ ନିଶା। ସେତିକିରେ ଭିକାରୁଣୀ ଟି ତଳେ ବସି ପଡ଼ିଲା ଏବଂ କାନ୍ଦିବାକୁ ଲାଗିଲା। କାନ୍ଦି କାନ୍ଦି କହିଲା ମା ମୁଁ ଭିକାରୁଣୀଟିଏ। କୋଉ ନିଶାକୁ ମୁଁ ଜାଣି ନାହିଁ। ଅପ କୋଉ ଛାଡିବା ଲୋକ। ତାକୁ ଜୋର୍ କରି ସେ ଲାଇନରୁ ଟାଣି ଆଣିଲା । କହିଲା ଚାଲ ମୋ ସାଙ୍ଗରେ। ତୁ କଣ ଭାବିଚୁ ମୁଁ ତୋତେ ଚିହ୍ନି ପାରୁନି?ଏତକ କହି ତାକୁ ଜୋର୍ କରି ଗାଡିରେ ବସେଇ ନେଇ ଆସିଲା ତା ଘରକୁ। ଅପ ଆଉ ନିଶା ଦୁହେଁ ଗୋଟିଏ ବୃନ୍ତରେ ଦୁଇଟି କଢି ଥିଲେ। ଦୁଇଙ୍କର ଶରୀର ଆଲଗା ଥିଲା ସିନା ମନ ଏକ ଥିଲା। ଦୁହେଁ ଯଦିଓ ଦୁଇ ଭଉଣୀ ନଥିଲେ କିନ୍ତୁ ଭଉଣୀ ଠାରୁ ଅଧିକ ଥିଲା ତାଙ୍କ ସମ୍ପର୍କ।ଦୁଇଜଣ ଗୋଟିଏ ସ୍କୁଲରେ ପାଠ ପଢିଲେ। ଦୁହେଁ ଏକା ପ୍ରକାର ଡ୍ରେସ ସାଙ୍ଗକୁ ଏକା ପ୍ରକାର ଜୋତା। ଏମିତି କି ସ୍କୁଲ ବ୍ୟାଗ୍ ମଧ୍ୟ ଗୋଟେ ପ୍ରକାର। ଗୋଟିଏ ବେଞ୍ଚରେ ଦୁହେଁ ସାଙ୍ଗହୋଇ ବସନ୍ତି। ଏତେ ଘନିଷ୍ଠ ଯେ ଦୁଇଜଣ, ଅପକୁ ଡାକିଲେ ନିଶା ଚାଲି ଆସେ, ନିଶାକୁ ଡାକିଲେ ଅପ ଚାଲିଆସେ।

କିନ୍ତୁ ଦୁଇଜଣଙ୍କର ପରିବାର ଥିଲେ ସମ୍ପୂର୍ଣ୍ଣ ଅଲଗା। ଅପ ବଡଲୋକ ଘର ଏକ ମାତ୍ର ସନ୍ତାନ।ତା ବାପାଙ୍କର ହୋଟେଲ ବ୍ୟବସାୟ। ବହୁତ ଅଲିଅଳରେ ବଢିଛି ସେ।

ନିଶାର ଭାଇ ଭଉଣୀ ମିଶି ପାଞ୍ଚ ଜଣ। ବାପା ଚାଷୀ ଲୋକ। ଦୁଃଖେ କଷ୍ଟେ ସଂସାର ଚାଲେ ତାଙ୍କର। ନିଶା ସବୁଠାରୁ ବଡ ଝିଅ। କେମିତି କେଜାଣି ସେ ଦୁହେଁ ଏତେ ଘନିଷ୍ଠ ହୋଇଗଲେ, ହୁଏତ ପୂର୍ବ ଜନ୍ମର କିଛି ସମ୍ପର୍କ ଥାଇପାରେ। ଅପ ତାକୁ ଏତେ ଭଲ ପାଏ ଯେ, ତାର ଖଣ୍ଡେ ଜାମା ଆସିଲା ମାନେ ନିଶା ପାଇଁ ଯେ ପର୍ଯ୍ୟନ୍ତ ସମାନ ଜାମା ନ ଆସିଛି ସେ ପିନ୍ଧେ ନାହିଁ। ଅପର ବାପା ଜାଣି ଶୁଣି ଯାହା ଆଣନ୍ତି ଦୁଇ ଜଣଙ୍କ ପାଇଁ ଆଣନ୍ତି। ଏମିତି ନିଶା ତାଙ୍କ ପରିବାରର ଜଣେ ସଦସ୍ୟ ହୋଇଯାଇଥିଲା।

ଦୁହେଁ ଟିକେ ବଡ଼ ହେଲା ପରେ, ଅପର ବାପା ଅପକୁ ବାହାରେ ପାଠ ପଢେଇବାକୁ ସ୍ଥିର କଲେ। ଏମିତି କି ପୂରା ପରିବାର କଟକ କୁ ଚାଲି ଗଲେ। ନିଶା ରହିଗଲା ସେଇ ଗାଁରେ। ପ୍ରଥମେ ତ ଅପ କଟକ ଯିବା କଥା ଶୁଣି ଘରେ ଗୋଟେ ଝଡ଼ ସୃଷ୍ଟି କରିଦେଇଥିଲା। ବହୁତ ବୁଝା ଶୁଝା କଲା ପରେ ଚୁପ୍ ହୋଇଥିଲା ସେ। କିନ୍ତୁ ଯେଉଁ ଦିନ ଦୁହେଁ ଆଲଗା ହେଲେ, ସେଦିନ ଦୁହେଁ ଏତେ ଦୁଖୀ ହୋଇଥିଲେ ଯେ କେହି କାହା ସାଙ୍ଗରେ କଥା କହିବାର ଅବସ୍ଥାରେ ନଥିଲେ। ଅପର୍ଣ୍ଣା କଟକ ଚାଲିଗଲା। କଲେଜରେ ପାଠ ପଢିଲା। କିଛିଦିନ ନିଶାକୁ ଝୁରି ହେଲା। ଚିଠି ପତ୍ର ଦିଆ ନିଆରେ ଯାହା ସମ୍ପର୍କ କିଛି ଦିନ ଥିଲା। କଲେଜ୍ରେ ନୂଆ ସାଙ୍ଗ, ନୂଆ ଜାଗା, ଧିରେ ଧିରେ ସେ ଟିକେ ବଦଳିବାକୁ ଲାଗିଲା, ନିଶା ଠାରୁ ଦୂରତ୍ୱ ତାର ବଢିବାକୁ ଲାଗିଲା। ପ୍ରତି ସପ୍ତାହରେ ଗୋଟେ ଚିଠି ବଦଳରେ ମାସ କରେ ଖଣ୍ଡେ ଚିଠି ଦବା ନବା ହେଲା। ନିଶାକୁ ଭୁଲିବାକୁ ଲାଗିଲା। କଥାରେ ଅଛି ଦୂର ଯିଏ, ପର ସିଏ। ନିଶା ଆଉ ପାଠ ପଢି ପାରିଲାନି। ତା ପାଠରେ ଡୋରି ବନ୍ଧା ହେଲା । ସହଜେ ଅଭାବି ପରିବାର। ତା ଛଡା ଟିକେ ବଡ଼ ହେଲା ପରେ ଘରେ ମା କାମରେ ହାତ ବାଣ୍ଟିଲା ସେ। ଘର କାମ ନ ଶିଖିଲେ ଶାଶୁ ଘରେ ବାପା ମାଙ୍କ ନାମ ବଦନାମ୍ କରିବ। ଯେତେ ପାଠ ପଢିଲେ ବି ଝିଅ ପିଲା ହାଣ୍ଡିଶାଳକୁ । ଏମିତି ଅନେକ୍ କଥା ଘରୁ ଶୁଣିବାକୁ ପାଇଲା ସେ। ନିଶା ଏମିତି ବି ବାପା ମା ଙ୍କ କଥାରେ ଚାଲିବାର ଝିଅ। ନ ଚାଲି ବା ଉପାୟ କଣ ଥିଲା ତାର?ସହଜେ ଝିଅ ପୁଣି ଗରିବ ଘର। ଘରର ବଡ଼ଝିଅ ହୋଇଥିବାରୁ ବାପା ତାର ବାହାଘର କରିବା ଚିନ୍ତା କରି ଖୋଜା ଖୋଜି ଆରମ୍ଭ କରିଦେଲେ। ଜଣ କର ସାରିଲେ ତାପଛରେ ଆଉରି ତିନି ଭଉଣୀ। ଶେଷରେ ସନିଆ ଡ୍ରାଇଭର ସହିତ ନିଶାର ବାହାଘର କରିଦେଲେ।ବେଶ୍ ଭଲପିଲା ସନିଆ କିନ୍ତୁ ସାବତ ମାଆର ଅତ୍ୟାଚାର ତା ଉପରେ ଚାଲିଥାଏ ଜୀବନସାରା।ବାପା ବି ନାଚାର ପାଠ ଛାଡ଼ିଲା ଶେଷରେ ଗାଡ଼ି ଚଲାଇ ଯାହା ରୋଜଗାର କଲା ସାବତମାଆକୁ ଦେଲା।ସେଥିରେ ବି ଶାନ୍ତି ନାହିଁ ତା ଜୀବନରେ। ଭଲରେ ନଥିଲା ସେ କିନ୍ତୁ ବାହାଘର ପରେ ଦୁଇପ୍ରାଣୀ ଭଲରେ ଚଳିଯାଉଥିଲେ ତାଙ୍କର ମନ ମିଶିଥିଲା । କଥାରେ ଅଛି ଦୁଖୀର ଦୁଃଖ ସରେ ନାହିଁ। ଦୁଃଖ ଯେତେବେଳେ ଆସେ ସେ ତାର ସାଙ୍ଗ ସାଥିଙ୍କୁ ଧରି କରି ଆସେ। ନିଶା ଜୀବନରେ ମଧ୍ୟ ସେଇଆ ହେଲା। ଯେମିତି ସେ ଚିର ଦୁଃଖିନୀ ଟିଏ ହୋଇ ଜନ୍ମ ହୋଇଥିଲା।ସନିଆ ଗାଡ଼ି ନେଇ ପ୍ରାୟ ସମୟ ବାହାରକୁ ଯାଉଥିଲା ଏମିତିକି ୪-୬ ଦିନ ବି ରହିଯାଏ ବାହାରେ।ଏପଟେ ସାବତ ମାର ଅତ୍ୟାଚାର ନିଶା ଉପରେ ବଢିଚାଲିଥାଏ। ଯୈାତୁକ ଆଣିବାକୁ ତାଗିଦ୍ କରୁଥାଏ ଓ ଜୀବନରୁ ମାରିବାରେ ଧମକ ଦେଉଥାଏ।ଦିନକୁ ଦିନ ଏହା ବଢିଲା ସିନା କମ୍ ହେଲା ନାହିଁ।ଶାଶୁର କଥା ଶୁଣି ନିଶା ମୁଣ୍ଡରେ ବଜ୍ର ପଡିଗଲା। ଯୈାତୁକ ବାବଦରେ ପାଞ୍ଚଲକ୍ଷ ନ ଆଣିଲେ ସନିଆ ଠାରୁ ଅଲଗା ରହିବୁ । ଗୋଟେ ଘରେ ବନ୍ଦୀ କରିଛି ରଖିଲା ତାକୁ।ବହୁତ କନ୍ଦା କଟା କରୁଥାଏ ନିଶା ମନେ ମନେ ଠାକୁରଙ୍କୁ କହୁଥାଏ ମୋ ଜୀବନକୁ ଜଉଘର ଭଳି ଯନ୍ତ୍ରଣାର ନିଆଁରେ କାହିଁକି ଜାଳି ଦେଉଛ ପ୍ରଭୁ ଏ ଜଉଘର ରୁ ମୁକ୍ତି ଦିଅ।କଣ କରିବ? ଯେତେବେଳେ ଯନ୍ତ୍ରଣା ର ମାତ୍ରା ସୀମା ଟପିଲା ଆଉ ସହି ପାରିଲା ନାହିଁ ନିଶା।ସନିଆ ବି କିଛି କରିପାରୁ ନଥାଏ ବୁଢ଼ା ବାପାକୁ ଛାଡ଼ି ସନିଆ ନିଶାକୁ ନେଇ ଅଲଗା କୋଉଠି ରହିବାକୁ ରାଜି ନଥାଏ।ଶେଷରେ ନିଶା ନିଷ୍ପତ୍ତି ନେଲା ନିଜ ଭାଗ୍ୟକୁ ନିନ୍ଦି ରାତାରାତି କାହାକୁ କିଛି ନ କହି ଘରୁ ପଳେଇବ। ଯୁଆଡେ ମନ ଡାକିଲା ଆଉ ତା ଭାଗ୍ୟ ତାକୁ ଯୋଉଠିକୁ ବାଟ କଢ଼ାଇଲା। ଗାଁ ଛାଡି କୁଆଡେ ଯାଇ ନଥିଲା ସେ। ଗାଡି ମୋଟର କେବେ ଦେଖି ନଥିଲା, ହେଲେ ଉପରେ ପଡ଼ିଲେ ବଜାଇ ଶିଖନ୍ତି, ସେହିଭଳି କେମିତି ଆସି ସେ ପହଁଞ୍ଚିଲା, ବଡ ସହର, ଚାରିଆଡ଼େ ଆଲୁଅ, ଲୋକ ମାଳ ମାଳ। ଗାଡି ମଟର ପେଁ ପେଁ ଶବ୍ଦରେ ଟିକେ ଡରିଗଲା ସେ, କୁଆଡେ ଯିବ?ଭୁବନେଶ୍ବର ଭଳି ଜାଗା, ଶେଷରେ ରେଳ ଷ୍ଟେସନ ହୋଇଗଲା ତାର ସ୍ଥାୟୀ ଠିକଣା। ଭିକ୍ଷା ବୃତ୍ତି ତାର ପେଶା ହେଲା।ନିଶାକୁ କିନ୍ତୁ ଏମିତି ଭିକାରୀ ଜୀବନ କଷ୍ଟ ଦାୟକ ହେଉଥିଲା, ତଥାପି କିଛି ଉପାୟ ନପାଇ ଆଦରି ନେଲା ସେ ଭିକାରୀ ବେଉସାକୁ। ଅପର୍ଣ୍ଣା ଆଉ ନିଶା, ଦୁହେଁ ଗୋଟିଏ ବୃନ୍ତରେ ବଢୁ ଥିଲେ, ଏକ୍ ମନ, ଏକ୍ ଚିତ୍ତ ଭଳି। କିନ୍ତୁ ଦୁଇଜଣଙ୍କର ଭାଗ୍ୟ ଥିଲା ଦୁଇଟି ବିପରିତ ରେଖା। ଦୁଇଜଣଙ୍କୁ ନିୟତି ଦୁଇଟି ଭିନ୍ନ ରାସ୍ତାରେ ନେଇ ପୁଣି ଆଣି ଗୋଟିଏ ମୋଡରେ ଠିଆ କରି ଦେଇଛି। ମଣିଷଙ୍କର ଇଚ୍ଛା ଆଉ ନିୟତି ର ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭିନ୍ନ। ଆମର ପୂର୍ବଜନ୍ମର କର୍ମର ଫଳ ସ୍ଵରୂପ ଆମର ଭାଗ୍ୟ ଆମକୁ ମିଳିଥାଏ। ଆମେ କୋଉ ଜନ୍ମରେ କଣ କର୍ମ କରିଛୁ ସେଇଟା ଇଶ୍ଵରଙ୍କ ଛଡା ଆଉ କେହି ଜାଣି ନଥାନ୍ତି। ସେଇ ଇଶ୍ଵର ହିଁ ଆମର ଭାଗ୍ୟ ନିୟନ୍ତା। ଯାହା ଲେଖା ଥାଏ ଭାଗ୍ୟରେ ସେଇଆ ହିଁ ଘଟେ। ନିଶା ଆଉ ଅପ ଦୁହେଁ ଦୁହିଁଙ୍କର ଭାଗ୍ୟ ନେଇ ଜନ୍ମ ହୋଇଥିଲେ। ଏକା ମନ,ଏକା ହୃଦୟ ହେଲେ ମଧ୍ୟ ଭାଗ୍ୟ ଦୁହିଁଙ୍କର ଏକା ନଥିଲା।ଭାଗ୍ୟ ଚକ୍ର ପୁଣି ଥରେ ଆଣି ମିଳେଇ ଦେଇଛି ଦୁହିଁଙ୍କୁ। ପୁଣି ଦୁହେଁ ଅପ ନିଶା।

      ଜଣେ ରାଜ ମହଲରେ ଥିଲା ଓ ଆଉ ଜଣେ ଜଉଘରେ।ଶେଷରେ ନିଶାକୁ ଜଉଘର ରୁ ମୁକ୍ତି ମିଳିଲା।ଏବେ ଦୁଇ ସାଙ୍ଗ ଆଗାମୀ ଜୀବନକୁ ଭଲରେ କାଟିଲେ। ହସଖୁସିରେ ପୂର୍ବପରି।

  


Rate this content
Log in

Similar oriya story from Inspirational