ନଷ୍କର ବିଗିଡା
ନଷ୍କର ବିଗିଡା
ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଅନ୍ଧାର ଅଳ୍ପ ଅଳ୍ପ ହୋଇ ଆସୁଅଛି। ଏମିତି ଏକ ସମୟରେ ଭଙ୍ଗା ସାଇକେଲରେ କ୍ଷୀର କ୍ୟାଟିଲ୍ ଟଙ୍ଗାଇ ଚାଲି ଚାଲି ଯାଉଥାଏ ବୃଦ୍ଧ ଲୋକଟିଏ।କାହାର ମୋଉସା ଡାକରେ ତା ଧ୍ୟାନ ଅଟକି ଗଲା।ଚାରି ଆଡକୁ ଚାହିଁ ଦେଖିଲା ପିଲାଟିଏ ରାସ୍ତା ପାଖ ଗଛ ପାଖରେ ଶୋଇଛି। ସେ ପିଲାଟି ଡାକୁଥିବା ଭାବି ପାଖକୁ ଗଲା ଆଉ ପଚାରିଲା ତୁ କିଏ? ମତେ ମୋଉସା ବୋଲି କାହିଁକି ଡାକିଲୁ। ପିଲାଟି କହିଲା ମୋ ନାଆଁ ସୋମୁ କିନ୍ତୁ ମତେ ଏ ନାଁ ରେ କେହି ଡାକନ୍ତି ନାହିଁ ସମସ୍ତେ ମତେ ନଷ୍କର ବିଗିଡା କୁହନ୍ତି। ମୁଁ କିଛି ବୁଝି ପାରେନା ତାର ମାନେ କଣ। ଦିନ ସାରା ଆଜି କିଛି ଖାଇବାକୁ ମିଳିନାହିଁ, ମାଗି ଯାଚିକି ଚଳେ। ଯା ମିଳେ ଖାଇଦିଏ,ଗଛ ମୂଳ, ରାସ୍ତା କଢ,ରେଳ ଷ୍ଟେସନ ଯେଉଁଠି ପାରେ ଶୋଇ ପଡେ। ଭୋକ ଲାଗୁଚି ମତେ କିଛି ଖାଇବାକୁ ଦିଅନ୍ତୁ ମତେ, ସେଥିପାଇଁ ଡାକିଲି। ଲୋକଟି ବ୍ୟାଗରେ ବିସ୍କୁଟ କିଛି ଥିଲା ସେ ସେତକ ପିଲାଟିକୁ ଦେଇ ଅଳ୍ପ କିଛି କଞ୍ଚା କ୍ଷୀର ଦେଲା ଖାଇବାକୁ। ପିଲାଟି ଖାଇ ସାରି ଲୋକଟିର ପାଦତଳେ ପ୍ରଣାମ କଲା ଆଉ କାନ୍ଦି କାନ୍ଦି କହିଲା।ଜନ୍ମରୁ ଆଜିଯାଏ ସ୍ନେହ ଶ୍ରଦ୍ଧା କଣ ମୁଁ ଜାଣିନି,କେବେ ଦିନେ କାହାଠାରୁ ଆଶ୍ଵସନା ପାଇନି। ଘୃଣା କରିଛନ୍ତି ସମସ୍ତେ ମତେ। ମାଡ ଗାଳି,ଉପାସ,ହତାଦର ଯେମିତି ମୋର ଚିର ସହଚର। ସେହିମାନଙ୍କ ସହିତ ଆଜିଯାଏ ବଞ୍ଚି ଆସିଛି ମୁଁ। କିନ୍ତୁ କାହିଁକି କେଜାଣି ଉପାସ ରହିଲେ ବି ମୁଁ ଚୋରୀ,ଅନ୍ୟାୟ ପଥରେ ଯାଇ ରୋଜଗାର କରି ପାରେନା,ମନ ଭିତରେ ଏସବୁ ନକରିବାକୁ କିଏ ମତେ ବାଧା ଦିଏ।। ଏଇ ପାଖ ଗାଁ ରରେ ମୋର ବାପା ମାଆ ରହୁଥିବାର କେତେ ଲୋକଙ୍କ ମୁହଁରୁ ଶୁଣିଛି। ଦେଖିନି କେବ
େ କି ମୋର ବାପା ମାଆଙ୍କ ବିଷୟରେ ଅନୁଭବ କିଛି ନାହିଁ। ହେତୁ ହେବା ପର ଠାରୁ କିଛି ଲୋକଙ୍କ ଦାନ ଦୟା,ବାସି,ବଳକା,ଖାଦ୍ୟ ପୁରୁଣା ଛିଣ୍ଡା ଲୁଗା ଖଣ୍ଡେ,ସାର୍ଟ ଖଣ୍ଡେ ମିଳିଗଲେ ମୋର କାମ ଚଳି ଯାଇଛି। ଯିଏ ଯେଉଁ କାମରେ ମତେ ଲଗାଇଦିଏ ପାରୁ ପର୍ଯ୍ୟନ୍ତ ଖଟେ,କିଏ ପଇସା ଦିଏ ତ କିଏ ଖାଇବାକୁ ଗଣ୍ଡେ ଦିଏ। କିନ୍ତୁ ଭଲ ନଜରରେ ମତେ କେହି ଦେଖନ୍ତି ନାହିଁ। ସବୁ ଘଟଣା ପାଇଁ ମତେ ଦାୟୀ କରନ୍ତି,ଅମଙ୍ଗୁଳିଆ ଟାଏ ବୋଲି କହି ଗାଳି ଦିଅନ୍ତି,ମୋର ଦୋଷ କଣ ଯେ? ସବୁ କଥା ଶୁଣି ସାରି ଲୋକଟି କହିଲା ଦୋଷ ତୋର ନୁହେଁ ଦୋଷ ଲୋକଙ୍କ ମାନସିକତାର , ଯାହାର ଭାବନା ଯେମିତି ତାର କର୍ମ ସେମିତି ଆଉ ଭାଗ୍ୟ ମଧ୍ୟ ସେମିତି ହୋଇଥାଏ। ଚାଲେ ମୋ ସାଙ୍ଗରେ ମୁଁ ତତେ ଏମିତି ଗୋଟେ ଲୋକ ପାଖରେ ପହଞ୍ଚେଇ ଦେବି ତୁ ନୂଆ ରୂପରେ ତୋ ଜୀବନକୁ ଗଢିବୁ।
ତାପରେ ସୋମୁ ନିଜକୁ ଆବିଷ୍କାର କରିଥିଲା ଗୋଟିଏ ଧର୍ମାନୁଷ୍ଠାନ ଭିତରେ ସେଠାର ରହି କାମ କରି ଖାଇ ପିଇ ସତ୍ ସଂଘରେ ବସି ଈଶ୍ବରଙ୍କ କଥା ଶ୍ରବଣ କରି ଖୁବ୍ ଭଲରେ ରହିଲା। ଅନ୍ୟର ପ୍ରିୟ ଭାଜନ ବି ହୋଇ ପାରିଲା। ମୁର୍ଖ ହୋଇ ବି ଏତେ ଜ୍ଞାନ ତତ୍ତ୍ବର ବାଖ୍ୟା ସୁନ୍ଦର ଭାବରେ କରୁଥିଲା ଯେ ପଣ୍ଡିତ ମାନେ ବି ହାରି ଯାଉଥିଲେ। କିନ୍ତୁ ସେହି ଦିନରୁ ସେ ଖୋଜୁଥିଲା ସେହି ଗଉଡ ମୋଉସାକୁ ଯିଏ ଯିଏ ନଷ୍କର ବିଗିଡାକୁ ଆୟୂଷ୍ମାନ କରିଦେଲେ। କରିଦେଲେ ଏଥି ପାଇଁ ଯେ ତାର ରହିଥିଲା ନିର୍ମଳ,ସରଳ, ନିଷ୍କପଟ, ସମର୍ପଣ ଭାବ ଟିଏ। ସାହାଯ୍ୟ କରିଥିବା ଲୋକଟି ଆଉ କେହି ନୁହନ୍ତି ସେ ସ୍ବୟଂ ଈଶ୍ୱର। କ୍ଷୀର ବାଲା ହୋଇ ଆସି ନଷ୍କର ବିଗିଡାର ଦୁଃଖ ଦୂର କଲେ । ଲୋକଙ୍କୁ ଚିନ୍ତାଧାରା ବଦଳେଇବା ପାଇଁ ଦୃଷ୍ଟାନ୍ତ ରଖିଥିଲେ।