ଦାଦନର କୋହ
ଦାଦନର କୋହ
ସବୁଦିନ ଭଳି ସକାଳୁ ସକାଳୁ ଉଠି ବାଲ୍କୋନୀର ଡୋରଟି ଖୋଲିଦେଲି ।ସଙ୍ଗେ ସଙ୍ଗେ ମୋ' ନଜର ଚାଲିଗଲା ମୋ' ସାମ୍ନାରେ ଥିବା ଆମ୍ବ ଗଛଟି ପାଖକୁ ଲାଗିଥିବା ଆପାର୍ଟମେଣ୍ଟରେ କାମ କରୁଥିବା ଶ୍ରମିକ ମାନଙ୍କ ଉପରେ। ସେମାନଙ୍କର ମୁହଁ ଦେଖି ଲାଗିଲା ଖାଲି ଯେମିତି ବିକଳ ହୋଇ କିଛି କହୁଛନ୍ତି ଭଗବାନଙ୍କ ଉଦ୍ଧେଶ୍ୟରେ।ଡ଼ହ ଡ଼ହ ଖରା ଘର ଭିତରରେ ରହିବା ବି କଷ୍ଟ ସେଥିରେ ପୁଣି ସିଡିରେ ଚଢି ସିମେଣ୍ଟ କଢ଼େଇ ମୁଣ୍ଡରେ ବୋହି ଦିନ ସାରା ପାଞ୍ଚ ଦଶ ତାଲା ଉପରୁ ଚଢିବା ଓହ୍ଲାଇବା କେତେ କଷ୍ଟ ସେକଥା ଅନୁଭବି ଛଡ଼ା କେହି ବୁଝିପାରିବେ ନାହିଁ। ତା ଭିତରୁ ଗୋଟିଏ ପିଲା ଥରେ ଆସି ପାଣି ଟିକେ ପିଇବାକୁ ମାଗିଥିଲା ମତେ ଆଉ କିଛି ସମୟ ଘର ବାରଣ୍ଡାରେ ବସିଥିଲା,ଖାଇବା ସମୟରେ। ଘଣ୍ଟାଏ ବିଶ୍ରାମ ପାଇଁ ମାଲିକ ଛୁଟିଦିଏ। ସେହି ସମୟରେ ମୁଁ ସେ ପିଲା ସହ କଥା ହୋଇ ଯାହା ଜାଣିଲି ତାହା ହିଁ ଖୁବ୍ ହୃଦୟ ବିଦାରକ ଥିଲା। ସେ ଓଡ଼ିଶା ବାହାରର ପିଲା ଦଲାଲ୍ ଟିଏ ତାକୁ ଅଧିକ ଟଙ୍କା ଦେବ ବୋଲି କହି କଣ୍ଟ୍ରାକଟର ପଡିଆରେ କିସରେ ଲଗେଇଛି।ନିଜେ ପଇସା ଖାଉଛି ତାକୁ ବହୁତ କମ୍ ପଇସା ଦେଉଛି।ଘରେ ତାର ରୋଗୀଣା ମାଆ , ସ୍ତ୍ରୀ ଓ ବର୍ଷକର ଝିଅ।ଘରକୁ ଯିବାକୁ ବି ଦେଉନି।ବିଚରା କହୁ କହୁ କାନ୍ଦି ପକାଇଲା।କେତେ କଷ୍ଟରେ ଥାଏ ସେ ଆଗୁଆ ଦଶ ହଜାର ଟଙ୍କା ନେଇ ମାଆର ଚିକିତ୍ସା କରେଇ ଥିଲା ବୋଲି ପଡ଼ିରହିଛି ମାସ ମାସ ଧରି।ମାଆର ଶେଷ ସମୟ ଦେଖିବା ଯେମିତି ତା ଭାଗ୍ୟରେ ନାହିଁ। ତା ଭିତର କୋହକୁ ମୁଁ ଠିକ୍ ଅନୁଭବ କରି ପାରୁଥିଲି,ପଢ଼ି ପାରୁଥିଲି ତା ମନର ଅବ୍ୟକ୍ତ ଭାବ ଓ ଭାଷାକୁ ଖୁବ୍ ନିକଟରୁ।ଏଇ ହେଲା ଦାଦନର କୋହ ଜଣକ ଜୀବନ ଯେମିତି ଶହ ଶହ , ହଜାର ହଜାର ଦାଦନ ମାନଙ୍କର ଜୀବନର ଚିତ୍ର ଖୁବ୍ କରୁଣ, ମର୍ମାହତ। ମୁଣ୍ଡ ଗୁଞ୍ଜିବାକୁ ଛାତ ଅଛି ନା ପେଟକୁ ପର୍ଯ୍ୟାପ୍ତ ପରିଣାମ ର ଦାନା।ହା ହତାସଭରା ଜୀବନ।କୋହଭରା ଖୁବ୍ ବେଦନା ଦାୟକ ଯନ୍ତ୍ରଣା ଜର୍ଜରିତ।
