Sachidananda Kar

Tragedy

2  

Sachidananda Kar

Tragedy

ଉତ୍ତର ଅପେକ୍ଷାରେ

ଉତ୍ତର ଅପେକ୍ଷାରେ

2 mins
507



              ପ୍ରେମରେ ପଡିବାର ବୟସ ଥିଲା।

              କେମିତି ଧୀରେଧୀରେ ସେ ବୟସଟି ହାତରୁ ଖସିଗଲା।

              ଝିଅଙ୍କୁ ଦେଖିଲେ ଚାହିଁ ରହୁଥିଲି।

              ଆଉ ଚାହିଁବାକୁ ଲାଜ ଲାଗିଲା।

              ବେଳେବେଳେ ଏମିତି ଗୋଟିଏ ଗୋଟିଏ ଝିଅ ଆଖିରେ ପଡୁଥିଲେ ଯେ ଆଖି ଫେରାଇ ହେଉ ନ ଥିଲା।ଏଇ ଯେମିତି ମୁହଁ ପୋତି ବସି ରହିଥିବା ଝିଅ।ଏମାନଙ୍କୁ କେବଳ ଚାହୁଁ ନ ଥିଲି, ପାଖକୁ ଆସି ପଚାରୁଥିଲି - 'କ'ଣ ମନ ଭାଙ୍ଗି ଯାଇଛି ?'

              କୌଣସି ଉତ୍ତର ପାଉ ନ ଥିଲି।

              କହୁଥିଲି - ' ମନ ଭାଙ୍ଗିଗଲେ ତାହା ତ ଆଉ ଯୋଡି ହୁଏନାହିଁ,ତେବେ ଯଦି କିଛି ହଜି ଯାଇଥାଏ ଖୋଜି ଆଣି ଦେଇ ହେବ। '

              ତଥାପି କୌଣସି ଉତ୍ତର ପାଉ ନ ଥିଲି।ସେମିତି ମୁହଁ ପୋତି ବସି ରହୁଥିଲା ଝିଅଟି।

               ବେଳେବେଳେ ଆନମନା ହୋଇ ବସିଥିବା ଗୋଟିଏ ଗୋଟିଏ ଝିଅଙ୍କୁ ଦେଖୁଥିଲି।ଆଖି ଫେରାଇ ହେଉ ନଥିଲା।ପ୍ରେମିକାଟିଏ ପରି ଲାଗୁଥିଲା ଝିଅଟି।ବାରି ହେଉଥିଲା କାହିଁକି ସେ ଆନମନା।ତା'ର ମନଟି ଟିକେ ଚିରି ଯାଇଥିବା ପରି ଲାଗୁଥିଲା।ତାକୁ କ'ଣ ପଚାରିବି ବା କ'ଣ କହିବି ଭାବି ପାରୁ ନ ଥିଲି।ତା' ଠୁଁ ଆଖି ଫେରାଇ ନେଇ ନିଜ ବାଟରେ ଚାଲି ଯାଉଥିଲି।

               ଆଉ ବେଳେବେଳେ ଖୁବ୍ ହସୁଥିବା ଗୋଟେ ଗୋଟେ ଝିଅ ଆଖିରେ ପଡୁଥିଲେ।ବାବାରେ ! କି ଖୋଲା ହସ ସିଏ !ମୁଗ୍ଧ ହେଉଥିଲି।ଅପଲକ ହୋଇ ରହୁଥିଲା ଆଖି।ଦି'ପଦ କହିବାକୁ ଇଚ୍ଛା ହେଉଥିଲା।ପାଖକୁ ଆସି ଝିଅଟିକୁ କହୁଥିଲି - ' ଆଜି ହସ ତ କାଲି କାନ୍ଦ।ଆଜି ହସିବାରେ କ'ଣ ଅଛି !କାଲି କିପରି ହସି ପାରିବୁ ଆଗ ସେକଥା ତ ଚିନ୍ତା କର।ହସ ବନ୍ଦ କର।ପ୍ରେମରେ ପଡିବାର ବୟସ ଏବେ ମୋର ନାହିଁ।ଜାଣିଛୁ କେତେ ମୋର ବୟସ?'

               କେବେ କେବେ ଭାରି ଗମ୍ଭୀର ଆଉ ସାହସୀ ଝିଅ ଜଣେ ଜଣେ ଆଖି ସାମ୍ନାକୁ ଆସୁଥିଲେ।ଦିନେ ସେପରି ଗୋଟିଏ ଝିଅକୁ ଭେଟିଲି।ଚାହିଁବି ଚାହିଁବିନି ହୋଇ ଏମିତି ଚାହିଁଲି ଯେ ଆଖି ଫେରାଇ ପାରିଲିନି।

               ପ୍ରଥମ ଦେଖା।ଝିଅଟି ଲାଗି ଆସିଲା ପାଖକୁ।ଧୀରେ କହିଲା - ' ତୁମେ ଖୁବ୍ ଭଲ ଲାଗୁଛ।ମୋର କେବଳ ତୁମ ଭଲପାଇବା ଦରକାର।ସତ କହୁଛି କେବେ ବି ପଚାରିବିନି ତୁମ ବୟସ,କ'ଣ କରନ୍ତି ତୁମ ବାପା ମା' , ଆଉ ତୁମେ ଏବେ କ'ଣ କର।ମୋତେ କେବଳ ତୁମ ଭଲପାଇବାଟି ମିଳିଗଲେ ହେଲା।କହିବ ତ ଜୀବନ ସାରା ସବୁକିଛି ଗୋପନ ରଖିପାରିବି ମୁଁ।ତୁମ ପାଇଁ ସବୁକିଛି କରିପାରିବି। ' 

       ଯେତେ ମନାକଲି ମାନିଲାନି ଝିଅଟି। ତୁମ ବିନା ବଞ୍ଚି ପାରିବିନି - ଶେଷରେ ଏମିତି କହିଲା।

               ଏତେ ପ୍ରେମ ! ଏତେ ଭଲପାଇବା !

 ଗଡି ଯାଇଥିବା ବୟସରେ ମୋର କ'ଣ ହେଲା କେଜାଣି ! ମନକୁ ଟିକେ ବୁଝେଇ ଦେଇ ତା' ପ୍ରେମରେ ପଡିଗଲି।  ତା' ପରେ ଆମ ଦୁହିଙ୍କ ମଧ୍ୟରେ ଦିନାକେତେ ପ୍ରେମର ଗଙ୍ଗା ବହିବାକୁ ଲାଗିଲା।ବିଶ୍ବାସରେ ବଞ୍ଚୁଥିଲୁ ଆମେ ଦୁହେଁ।ସ୍ବପ୍ନ ଦେଖୁଥିଲୁ। ହଠାତ୍ ଦିନେ ଏଇ ପ୍ରେମରେ ପୂର୍ଣ୍ଣଛେଦ ପଡିଗଲା।ମୋତେ ଭୁଲି ତା' ନିଜ ବାଟରେ ଚାଲିଗଲା ସେ।

               ମୋତେ ଏତେ ପ୍ରେମ କରିବାକୁ କିଏ ତାକୁ କହୁଥିଲା?

               ମୋତେ ଭୁଲି ଯିବାକୁ କହିଲା କିଏ?

               ଏହା ପ୍ରେମ ଥିଲା ନା ନାଟକ?

               ହୃଦୟ ଜଳୁଥିଲା।ମନକୁ ଆନ୍ଦୋଳିତ କରୁଥିଲା ଏସବୁ ପ୍ରଶ୍ନ।ସବୁ କେମିତି ଜଟିଳ ମନେ ହେଉଥିଲା।

               ଆଜି ବି ସେପରି ହେଉଛି, କାରଣ ମୋ ପ୍ରଶ୍ନର ଉତ୍ତର ମୁଁ ଏଯାଏଁ ପାଇନି।ଏବେ ବି ଉତ୍ତର ଅପେକ୍ଷାରେ ମୁଁ।

               ସେଇଦିନଠୁଁ ଆଉ କୌଣସି ଝିଅଙ୍କ ମୁହଁକୁ ଚାହୁଁନି।କାହିଁକି ଚାହିଁବି ଯେ !


Rate this content
Log in

Similar oriya story from Tragedy