Soumya Shubhadarshinee

Tragedy

3  

Soumya Shubhadarshinee

Tragedy

ତୁ କେଉଁଠି ?

ତୁ କେଉଁଠି ?

6 mins
381



 ଛାତି ଭିତରର ଅବ୍ୟକ୍ତ ଯନ୍ତ୍ରଣାଟିଏ ହେଇ ସାଇତା ହେଇଛ ତୁ । କେବେ ସେଇ ଯନ୍ତ୍ରଣା ଉପଶମ ହେବାର ନୁହେଁ କି ମୁଁ ସେଇ ଯନ୍ତ୍ରଣା ଭିତରୁ ମୁକ୍ତି ପାଇବାର ନୁହେଁ ।


★★★★★★★


 ସମୟ ହୁଏତ ଟିକେ ବେପରୁଆ ହେଇପାରେ , ଟିକେ ଅଳସୁଆ ହେଇପାରେ , ଟିକେ ଡେରି କରିପାରେ କିନ୍ତୁ ତୁ ଏକଦମ ପେରଫେକ୍ଟ । 


 ନଅଟା ତିରିଶ ହେଇଗଲା ବୋଲି ତୋତେ ଦେଖି କହି ହୁଏ ଘଡି ନପିନ୍ଧି ମଧ୍ୟ । ତୁ ଆସୁ ବେଶ ସାବଲୀଳ ଭାବରେ । ହାତରେ ଧରିଥିବା ଫୁଲ ମେଞ୍ଚାକ ଜଗନ୍ନାଥଙ୍କୁ ସାମର୍ପି ଦେଇ ଚାଲିଯାଉ ରୋଷେଇ ପାଇଁ । 


 ବଡ଼ ସାଧାରଣ ଜୀବନ ତୋର । ମଧ୍ୟାହ୍ନ ଭୋଜନ ପାଇଁ ନିଯୁକ୍ତ ପାଚିକାର ଜୀବନ ।ସରକାର ଭଲ ଲୋକ ତୋ ଭଳି ଅସହାୟ ମଣିଷ ଲାଗି ଅନ୍ନ ସଂସ୍ଥାନ ଯୋଗାଡ଼ି ଦେଇଛି । ତୁ ଆସୁ ଆମ ସଭିଙ୍କ ଭୋକ କୁ ପ୍ରଶମିତ କରିବାର ଇଚ୍ଛା ନେଇ । ବଡ଼ ମନ ଦେଇ ବନେଇ ଦେଉ ବିଭିନ୍ନ ଖାଦ୍ୟ । ମାନୁଛି ଖାଦ୍ୟଦ୍ରବ୍ୟ ସାମଗ୍ରୀ ସବୁ ସୀମିତ ଥାଏ , ଆଜି କ'ଣ ହେବ କାଲି କ'ଣ ହେବ ଆଗରୁ ନିର୍ଦ୍ଧାରିତ ହେଇଥାଏ । ଡାଲମା , ଭାତ , ସୋୟାବିନ , ଅଣ୍ଡା ଏମିତିହିଁ ତ ରୁଟିନ୍ । କିନ୍ତୁ ସେତିକି ଭିତରେ ତୁ ବେଜାଏ ସ୍ନେହ ମିଶେଇ ଅମୃତ ତିଆରି ପାରୁ ।

 

  ସେଥିପାଇଁ ଆମେ ସବୁ ତୋତେ ଭଲ ପାଉ ବହୁତ ଭଲପାଉ । ତୁ ଜାଣିପାରୁ ଆମ ପେଟ କଥା । ସାର୍ ରଖିଥିବା ଆଚାର ଡିବା ଭିତରୁ ଟିକିଏ ବେଶି ଦେଇପାରୁ ଆମ ଥାଳିରେ । ମୋ ମୁଣ୍ଡରେ ହାତ ରଖି କହିପାରୁ , '' ବାଇଆଣୀ ତୋ ମା' ଭଳି ତୁ ଜମା କାନ୍ଦିବୁନି । ଭୋକ ଲାଗିଲେ କହିବୁ ମୁଁ ଦେବି ତୋତେ ଖାଇବାକୁ । "


  ସତରେ ତୋ ଭିତରେ ମୁଁ ମା' ର ବାସ୍ନା ପାଏ । ତୋତେ ସାଥିରେ ନେଇ ମୋ ଘରେ ସାଇତି ସେଇ ମହମହ ବାସ୍ନା ଭିତରେ ହଜିବାର ସ୍ୱପ୍ନ ସାଇତେ । କିନ୍ତୁ ସେମିତି ହୁଏନି ସିନୁ କାକୀ , ମୁଁ ତୋତେ ପୂରାପୂରି ପାଇ ପାରେନି । ତୁ ରହୁ ସେଇଠି ଇସ୍କୁଲ ରେ । ଦିଶୁ କେବଳ ଇସ୍କୁଲ ଗଲେ । 



 ସିନୁ କାକୀ ତୁ ଜାଣିନୁ , ବାବା ଯେବେଠୁ ନୂଆ ମା' ଆଣିଲା ସେବେଠୁ ମୁଁ ଭାରି ଦୁଃଖରେ ଅଛି । ନୂଆ ମା' ଏକଦମ ଦୁଷ୍ଟ , ମୋତେ ବହୁତ ମାରେ । ବାବାଙ୍କ ଆଗରେ ମୋ ବିଷୟରେ ମିଛ ସତ କୁହେ ଆଉ ବାବା ବି ମାରେ । ନୂଆ ମା' ମୋତେ ଖାଇବାକୁ ବି ଦିଏନି । ଭଲ ଜମା ଖଣ୍ଡେ କିଣି ଦିଏନି । ଟିକିଲି , ଚୁଡ଼ି , ରିବନ ବି ଦିଏନି । ମୁଁ ଓପାସ ରେ ଶୁଏ ଆଉ ନୂଆ ମା' ସବୁ ଭଲ ଭଲ ଚିଜ ଏକା ଏକା ଖାଏ । ବାବା ତ କାମକୁ ଚାଲିଯାଏ ବଡ଼ି ଭୋରୁ । ସେ କାହୁଁ ଜାଣିବ ଏସବୁ !


 ତୁ ବୁଝିପାରୁ ମୋ ଭୋକିଲା ମୁହଁର କଥା । ଦେଇପାରୁ ପିଜୁଳି ଗୋଟେ କି ଆଆତ ଗୋଟେ ଲୁଚେଇ । ମୁଁ ଖୁସିରେ ଖାଇଦିଏ । କିନ୍ତୁ ପରେ ପରେ ଭାବେ ତୁ ଖାଇଛୁ ଟି ?


  ମୁଁ ଜାଣିଚି ସିନୁ କାକୀ ତୁ ବି ଦୁଃଖିନୀ ଟେ ବାହାଘର ବର୍ଷୁ ଟିଏ ଯାଇନି କକା ଚାଲିଗଲେ । ତୁ ହିନୀମାନି ହେଇଗଲୁ । ତୋ ଶଶୁର ଘର ତୋତେ ବିଦା କରିଦେଲେ । ତୋ ବା' ବି ତୋତେ ଭାରି ହରକତ କଲା । ନିଶା ପାଣି ଭିତରେ ବୁଡି ତୋ ଖବର ବୁଝିଲା ନାହିଁ । ତୁ ଏଇ ଆମ ଇସ୍କୁଲ ରେ ଆସି ଆଶ୍ରୟ ନେଲୁ । 


 ହେଲେ କ'ଣ କରିବି କହୁନୁ ମୁଁ ତ ଛୋଟ ଝିଅଟା କେମିତି ନିଜ କଥା ବୁଝିବି । ତୋର ମୋଠୁ ବେଶୀ ବୁଦ୍ଧି ତୁ ପାରିବୁ । ମୋ ଖବର ବୁଝି । ମୁଁ ତୋତେ ସେଥିପାଇଁ ଭାରି ଭଲ ପାଏ କାକୀ । ରୋଜ ଇସ୍କୁଲ ଆସେ ତୋ ପାଇଁ । ମୁଠେ ପେଟ ପୂରା ଖାଇବି ଆଉ ତୋ ପାଖରେ ଘଡ଼ିଏ ଗେହ୍ଲା ହେବି ।


****************


 ଜାଣୁ କାକୀ ତୋର ମୋ ଭଳିଆ ଝିଅଟେ ଥିଲେ ଆହୁରି ବଢିଆ ହେଇଥାନ୍ତା । ତା ' ସହ ମୁଁ ଖେଳନ୍ତି । ଭାରି ମଜା ହୁଅନ୍ତା । ନୂଆ ମା' ମୋତେ ତା' କୁନି ପୁଅ ସହ ଖେଳିବାକୁ ଦିଏନି । କୁହେ ମୁଁ କୁଆଡେ ଡାହାଣୀ ଟେ ମୋ ମା' କୁ ଖାଇଛି । ମୋ ଛାଇ ପଡିଲେ ତା' ପୁଅର ଦେହ ଅସୁଖ ହେବ । ମୋଠୁ ସେ ନିଜ ପୁଅକୁ ଲୁଚେଇ ରଖେ । ମୋ ମନ ଭରି ଉଣା ହୁଏ । ମୁଁ ଲୁଚି ଲୁଚି ଦେଖେ ପୁଅକୁ । 


 ତୋର ଝିଅଟିଏ ଥିଲେ କିନ୍ତୁ ଏମିତି ହୁଅନ୍ତା ନାହିଁ । ତୁ ମୋତେ ତା' ସହ ଖେଳିବାକୁ ଦିଅନ୍ତୁ । ମୁଁ ତା' ଚୂଳ କୁଣ୍ଡେଇ କିଲିପି ନଗେଇ ଦିଅନ୍ତି । ଟିକିଲି ନାଇ ଦିଅନ୍ତି । ନଖ ପାଲିସି ଲ଼ଗେଇ ଦିଅନ୍ତି । କେଡେ ବଢିଆ ହୁଅନ୍ତା । ମୋତେ ଖେଳ ସାଥିଟିଏ ମିଳିଯାଅନ୍ତା । ମୋର ଭାରି ମନ ହୁଏ କାକୀ ତୋର ଝୁଅଟେ ହେଉ । କିନ୍ତୁ ହୁଏନି ସେମିତି । କୋଳ ତୋର ଖାଲି ଥାଏ । 


 ଚୁନୁ କହୁଥିଲା ତୁ ବାହା ହେଲୁ ସିନା କିନ୍ତୁ କିଛି ପାଇଲୁ ନାହିଁ । ଛୁଆଟେ ଭଲା କରିଥାନ୍ତୁ । ମୁଁ ବୁଝୁଛି ଏବେ କକା ଚାଲିଗଲା ବାଦେ ଆଉ କୁନି ଝିଅଟିଏ ଆସିବ ନାହିଁ ତୋ କୋଳରେ । 


 କାକୀ ମୋତେ ସେଇଥିପାଇଁ ବୋଧେ ତୁ ଏତେ ଗେହ୍ଲା କରୁ । ବୋକ ଦେଉ । ମୋ ଭିତରେ ଖୋଜୁ ତୋ ଝିଅର ସ୍ୱପ୍ନ । 


 କାକୀ କିଛି ନାଁ ନାହିଁ ଆମ ଏଇ ଖୋଜା ଲୋଡ଼ାର । କିନ୍ତୁ ବହୁତ କିଛି ଅଛି । ମୁଁ ମା' ହରେଇ ଥିବା ଝିଅ ଆଉ ତୁ ସବୁ ହରେଇ ଥିବା କାକୀ । କିନ୍ତୁ ଏଇ ସମ୍ପର୍କରେ ହିଁ ବାନ୍ଧିହେଇଯିବାର ବହୁତ ଇଚ୍ଛା ଲୋ । ତୋ ରାଣ ।


 ମୋ ମନ କୁହେ ତୁ ଯିବୁନି କୁଆଡେ କେବେବି ମୋତେ ଛାଡ଼ି । ଥିବୁ ସାରା ଜୀବନ ପାଇଁ । ମୋ ଜନମ କଲା ମା' ସିନା ଠାକୁରଙ୍କ କତିକି ଚାଲିଗଲା । ତୁ କିନ୍ତୁ ରହିବୁ । ମୋ ଭୋକ କଥା , ଲୁହ କଥା , ଦେହ କଥା ବୁଝିବୁ । ଦରଦୀ ହେଇ ମୋ ମୁଣ୍ଡ ଆଉଁସି ଦେବୁ । ଵୋକ ଦେଇ ନିଜ ପଣତ ଭିତରେ ଘୋଡେଇ ରଖିବୁ ।


******************


 ସାରା ଇସ୍କୁଲ କେମିତି ଗୋଟେ ଖାଁ ଖାଁ ଲାଗୁଚି କିଆଁ ? 

ସଭିଙ୍କ ମୁହଁଟି ମାନ ଶୁଖିଲା , କାନ୍ଦୁରା ଦୁଉଚି କିଆଁ ?

ଭୋ ଭୋ ରଡ଼ି କରି ତାରା ମାଉସୀ କାନ୍ଦୁଛି କିଆଁ ?

ମୋତେ କିଛି ବୁଝା ପଡୁନି । ମୋ ଦେହ ଥରୁଛି । ତୋଟି ସୁଖୀ ସୁଖୀ ଯାଉଛି । ଗୋଡ଼ ଦିଇଟା ଝିମିଝିମି ହେଉଛି । କେହି କିଛି କହୁ ନାହାନ୍ତି । କାହାକୁ ପଚାରିବି ଯେ ଚୁନୁ ଟା ଭଲା ଦିଶନ୍ତା । 


  ଏଉ ଚୁନୁ ଦିଶିଲା , ମୁଁ ଧାଇଁଲି ଜୋରରେ ତା କତିକି । 

-- '' ଚୁନୁ କ'ଣ ହେଇଚି ?''


--'' ବୋକି ଟା କିଲୋ , ତୁ ଜାଣିନୁ କି ସିନୁ କାକୀ କଥା ?''


--'' ହାଁ କି କଥା !''


--'' କାକୀ ଇସ୍କୁଲ ରୁ ଚୋରି କରି ଫେରାର ହେଇଯାଇଛି । ତାରା ମାଉସୀ ଝିଅ ବାହାଘର ଲାଗି ବେଙ୍କରୁ ଟଙ୍କା ଉଠେଇଥିଲା । ସବୁ ସଫା କରି ନେଇ ପଳେଇଛି । ''


 ମୋର ଟିକିଏ ବି ବିଶ୍ୱାସ ହେଉନଥିଲା । ତାରା ମାଉସୀ ପିଅନ ଚାକିରୀ କରେ ଇସ୍କୁଲ ରେ । ତାରି ପାଖରେ ଥିଲା ସିନୁ କାକୀ । ଯାହା ଘରେ ଆଶ୍ରା ପାଇଲା ତା' ସହ କାକୀ ଏମିତି କରିପାରିବ ନାହିଁ । ସେ ବଡ଼ ସୁଧାର । ଭାରି ଭଲ । ମୋ ମା' ।


 ମୁଁ ଏତକ ଶୁଣି ବହୁତ କାନ୍ଦିଲି । କାକୀ ଚୋର ନୁହେଁ ସଭିଙ୍କୁ ବୁଝେଇ କହିଲି । ହେଡ ସାର୍ ଙ୍କୁ ବି କହିଲି , '' ସିନୁ କାକୀ ଏମିତି ନୁହେଁ । ସାର୍ ସେ ମୋ ମା' ଭଳିଆ ।''


 ଆହୁରି ଛୁଆ କାନ୍ଦୁ ଥିଲେ ସିନୁ କାକୀକୁ ଝୁରି ହେଉଥିଲେ । ସଭିଏଁ ଗୋଟେ ଅଜଣା ଯନ୍ତ୍ରଣା ଭୋଗୁଥିଲେ ମନେ ମନେ । ବୁଝୁ ଥିଲି ମୁଁ । ସିନୁ କାକୀ ଏମିତି ନଥିଲା ଏତକ ଆହୁରି ଅନେକ ଭାବୁଥିଲେ ନିଶ୍ଚିତ ମନେ ମନେ !


*******************


 ଏ ଘଟଣାକୁ ବହୁ ବର୍ଷ ବିତିଗଲାଣି କିନ୍ତୁ ଆଜିବି ସତେଜ ଅଛି ସିନୁ କାକୀ ମୁହଁ ମୋ ଆଖିରେ । ଗାଁ କୁ ଆସି ଟିକେ ତା' ବାସ୍ନା ପାଇଯାଏ ମୁଁ ସୁଯୋଗ ପାଇଲେ । 


 ଆଜି ଆସିଥିଲି କିନ୍ତୁ ଦେଖିଲି କିଛି ବିଶେଷ । ହଁ ଦେଖିଲି ତାରା ମାଉସୀ ଝିଅକୁ । ସେଇ ଝିଅ ଯାହା ବାହାଘର ଭାଙ୍ଗିଗଲା ସିନୁ କାକୀ ସକାଶେ । ସେ ଘଟଣା ପାରେ ତାରା ମାଉସୀ ଝିଅକୁ ଗାଁ କୁ ପଠେଇ ଦେଇଥିଲା । ଆଉ ଦେଖି ନଥିଲି ମୁଁ ତାକୁ । 

  

ଆଜି ଅନେକ ବର୍ଷ ପରେ ଦେଖିକି ପୁଣି ସିନୁ କାକୀ ପ୍ରସଙ୍ଗ ସଜୀବ ହେଇଗଲା । ସେଇ ଝିଅଟି କିନ୍ତୁ ବେଶ ସୁଖୀ ଦିଶୁଥିଲା । କୋଳରେ ଗୋଟେ କୁନୁମୁନିଆ ପୁଅ କାଖେଇଥିଲା । ଖାଇପିଇ ବେଶ ପୁରିଲା ପୁରିଲା ଲାଗୁଥିଲା । 


 ମୋର କାଇଁ କେଜାଣି ତା ' ସହ କଥା ହେବାକୁ ଭାରି ମନ ହେଲା । ଲାଗିଲା ଏଇ ଜାଣିଚି ସିନୁ କାକୀ କଥା । ମୁଁ ପଚାରିଦେଲି ବଡ଼ ଅଭଦ୍ର ଭଳିଆ । ସତରେ କଣ ସିନୁ କାକୀ ଚୋରେଇ ଥିଲା ?


ସେ କିନ୍ତୁ ଏତେ ବର୍ଷ ପରେ ଏଭଳି ପ୍ରଶ୍ନ ଶୁଣି ଚମକି ଗଲା । ଟିକେ ଥତମତ ହେଇଗଲା । ମୁଁ ତାକୁ ବୋଧ ଦେଇ କହିଲି । କିଛି ଭାବନା ତୁ , ସତ କହ ସେ ଘଟଣା ଘଟିବାର ବହୁ ବର୍ଷ ହେଇଗଲାଣି । ମୁଁ କିନ୍ତୁ ମୋ ସିନୁ କାକୀ କୁ ଭୁଲିନି । ତେଣୁ ପଚାରି ଦେଲି ।


  ସେ ହୁଏତ ବୁଝିଲା ମୋ ମନର ଯନ୍ତ୍ରଣା । ମୋ ହାତ ଧରି କହିଲା , '' ରୀନା ଦେଈ , ମୋତେ କ୍ଷମା କରିବ । ଟଙ୍କା ତକ ସିନୁ କାକୀ ନେଇ ଦେଇଥିଲେ ମୋ ମନର ମଣିଷ ସରଜୁ ହାତରେ । ହେଲେ ତା' ପରେ ସିନୁ କାକୀ କାହିଁକି ସେ ରାତିରେ ଚାଲିଗଲା ମୁଁ ଜାଣିନି ?"

 ହୁଏତ କାକୀ ଏଇ ଝିଅଟିର ଘର ବସେଇବା ପାଇଁ ଏମିତି ତ୍ୟାଗ କରିଦେଇଗଲା ।


 ମୋତେ ଭାରି ଉଶ୍ଵାସ ଲାଗିଲା । ଛାତି ଉପରୁ ଗୋଟେ ଶକ୍ତ ପଥର ହଟିଗଲା । ସିନୁ କାକୀ ମୋ ମା' ଏତକ ପୁଣି ସାଇତି ନେଲି ।ହେଲେ ଏବେ ସିନୁ କାକୀକୁ ଖୋଜିବାର ଇଚ୍ଛା ଆହୁରି ଯନ୍ତ୍ରଣା ଦେଲା ମୋ ଛାତି ତଳେ । ଆମ ସମ୍ପର୍କ କୁ ଜୀବନ ଦେବାର ଝୁଙ୍କ କବଳିତ କଲା ମୋ ମନକୁ । 


 ସିନୁ କାକୀ ତୁ କେଉଁଠି ?



Rate this content
Log in

Similar oriya story from Tragedy