STORYMIRROR

Sachidananda Kar

Tragedy

3  

Sachidananda Kar

Tragedy

ତଥାପି ଅଛି ଅପେକ୍ଷାରେ

ତଥାପି ଅଛି ଅପେକ୍ଷାରେ

2 mins
217


            ଆବୋରି ବସିଥାଏ ନିର୍ଜନତା।ବଞ୍ଚିବାର ଅବବୋଧ ଛାଇ ଯାଇଥାଏ ତା' ସତ୍ତାର କୋଣ ଅନୁକୋଣେ।ମନରେ ପ୍ରଶ୍ନ - " କେମିତି ଚଳାଇବି ମୋ ସଂସାର ? ସୁଖରେ, ସ୍ୱଚ୍ଛନ୍ଦରେ ? "


            ସବୁ ତୀର ବ୍ୟର୍ଥ ଓ ନିଷ୍ଫଳ।କେତେକ ଦିଗଭ୍ରଷ୍ଟ।ଉପାୟ ସବୁ ବେଙ୍ଗା।ଥଳକୂଳ ମିଳୁନାହିଁ।ନିସ୍ତରିବାର ରାସ୍ତା ମଧ୍ୟ ଦିଶୁନାହିଁ।ଛଟପଟ ଅବସ୍ଥାରେ ଦିନ କାଟୁଛି ମିନତୀ।


            ସ୍ୱାମୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତା'ର ସଂସାର।ସ୍ୱାମୀଙ୍କ ରୋଜଗାର ସ୍ୱଳ୍ପ।ମାସ ସାରା ଖୁବ୍ ହିସାବୀ ହେବାକୁ ପଡେ,ନ ହେଲେ ନ ଚଳେ।


            ତା' ସତ୍ତ୍ୱେ ସମୟର ପ୍ରବଳ ସ୍ରୋତଧାରାକୁ ରୋକି ପାରୁନାହିଁ ସେ।ସ୍ଥିର, ଅଚଞ୍ଚଳ,ନିର୍ବେଦ ଓ ସ୍ଥାଣୁ ପାଲଟି ତାକୁ ବଞ୍ଚିବାକୁ ହେଉଛି।କେହି ତାକୁ କହିଦେଉ ନାହାନ୍ତି ବଞ୍ଚିବାର ସୂତ୍ର।ଦେଖାଇ ଦେଉ ନାହାନ୍ତି ବାଟ।


            ସାନ ଝିଅର ନାଁ ସରକାରୀ ସ୍କୁଲରେ ଲେଖାଇବା ପାଇଁ ଭାବୁଛି ସେ।ହେଲେ ଶୁଣୁଛି ସେଠି କୁଆଡେ ଆଉ ପାଠପଢା ହେଉନି।ମଧ୍ୟାହ୍ନ ଭୋଜନ, ଜନଗଣନା, ଭୋଟର୍ ଲିଷ୍ଟ ସଂଶୋଧନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସରକାରୀ କାର୍ଯ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବ୍ୟସ୍ତ।ଯାହା ସମୟ ମିଳିଲା ଦରମା ଦାବିରେ ବିଧାନସଭା ଆଗରେ ଧାରଣାରତ।ସ୍କୁଲ ବନ୍ଦ।ପାଠପଢା ବନ୍ଦ।


            ତେଣୁ ଇଂରାଜୀ ମାଧ୍ୟମ ସ୍କୁଲରେ ପିଲାଟାକୁ ଦେବାପାଇଁ ଚିନ୍ତା କରୁଛି ସେ।ହେଲେ କ'ଣ କରିବ !ସେଠି ତ ଆକାଶଛୁଆଁ ଦର।ତା' ସାଙ୍ଗକୁ ପିଲାର ତିନି ଚାରିଟା ଟ୍ୟୁସନ୍ ଦରକାର।ସେମିତି କରିପାରୁନି ସେ।ଦହଗଞ୍ଜ ହେଉଛି ତା' ଅଭାବୀ ସଂସାର।


           ବଡ ଝିଅଟା ବହୁତ ସ୍ୱପ୍ନ ଦେଖି ପକେଇଛି।ପାଠ ପଢି ଚାକିରି କରିବ।ସ୍ୱାଧୀନ ଚେତନାର ମଣିଷ ପାଲଟିବ।କଲେଜ ଯାଉଥିଲା, ହେଲେ ଏବେ ଆଉ କଲେଜ ଯାଉନି।ଦଳେ ଅପାଠୁଆ ବାତରା ତା' ପଛରେ ପଡିଛନ୍ତି।ତାକୁ ଦେଖେଇ ଦେଖେଇ ନାନା କଥା କହୁଛନ୍ତି।ଘରେ ଗୁମ୍ ମାରି ବସିଛି ସେ।


            ତା'ର ସୁରକ୍ଷା ଦରକାର।ହେଲେ ତାକୁ ସୁରକ୍ଷା ଦେବା ପାଇଁ ନା ପଇସା ଅଛି ନା ଅଛି ନେତାଙ୍କ ଆଶୀର୍ବାଦ !ଏପରିକି ପୋଲିସ ପାଖକୁ ମଧ୍ୟ ଯାଇପାରୁନି ସେ।ହାତଗୁଂଜା ଦେବାକୁ ତା' ପାଖରେ ଟଙ୍କା ନାହିଁ।ତେଣୁ ବଜାରୀ ପିଲାଙ୍କୁ ସେ ଶାସନ କରିପାରିବ କିପରି ? ନିରୂପାୟ ହୋଇ ରହିଛି।


            ବଡ ପୁଅ ଏମ୍ . ଏ . ପାଶ୍ କରି ଘରେ ବସିଥିଲା।ଚାକିରି ପାଇଁ ଖୁବ୍ ଆଶାବାଦୀ ଥିଲା।ହେଲେ ଚାକିରି ନାହିଁ।ପିଲାଟା ଘରେ ବସି ବସି ବେକାର ପାଲଟିଗଲା।କେତେଦିନ ଘରେ ବସି ରହିଥାନ୍ତା !ଏବେ ଏବେ ସେ ପାଓ୍ୱାରରେ ଥିବା ଜଣେ ଭ୍ରଷ୍ଟାଚାରୀ ନେତାର ବୋଲକରା ସାଜିଛି।ନିଶା କ'ଣ ଜାଣି ନ ଥିଲା।ଏବେ ସକାଳେ ବାହାରି ଯାଉଛି ତ ରାତି ଅଧରେ ଟଳି ଟଳି ଘରକୁ ଫେରୁଛି।


            ଏବେ ତା' ଘର ଭିତରେ ଅନେକ ଘର।ବିଷାଦର ଘର।ଆବେଗ ସବୁ ରୁଦ୍ଧ।ନିଜର ଏକେଲାପଣକୁ କୁଣ୍ଢାଇ ଧରି ଯେତେ ସବୁ ଶୋକଙ୍କ ଗହଣରେ ଦିନରାତି କାଟୁଛି ସେ।ପାଗଳୀଙ୍କ ପରି ଶୂନ୍ୟରେ ଗାର ଟାଣୁଛି।ତା' ସ୍ୱପ୍ନର ନଉକା କେଉଁଆଡ଼େ ଯେ ଭାସିଯାଇଛି ତା'ର ପତ୍ତା ମିଳୁନି।ଶୁଖିଲା ପଡିରହିଛି ସଂସାରର ନଈ।ଲୁହ ଭରା ଆଖି।ତାକୁ ବି ଦେଖି ଦେଖି ଅଣଦେଖା କରିଦେଉଛି ସେ।


             ତା'ର ଅବସ୍ଥା ଏବେ ଏପରି ଯେ ସେ କାହାକୁ ଦୂରେଇ ଦେଇପାରୁଛି ନା କାହାକୁ କୋଳକୁ ଆଉଜେଇ ନେଇପାରୁଛି ! ସଂସାରକୁ ବଞ୍ଚାଇବା ଚିନ୍ତାରେ ନା ସ୍ୱପ୍ନ ଦେଖିପାରୁଛି ନା ଦହଗଞ୍ଜରେ ମରିପାରୁଛି !


             ଏତେ ସବୁ ପରେ ବି .....


            ସେ ବଞ୍ଚିବାକୁ ଚାହୁଁଛି।ହଁ,ସେ ବଞ୍ଚିବାକୁ ଚାହୁଁଛି।ଭାଷଣ ଲୋଡା ନାହିଁ।ଉପଦେଶ, ପ୍ରବଚନ ଲୋଡା ନାହିଁ।ତାକୁ ଖାଲି କେହିଜଣେ ବଞ୍ଚିବାର ଉପାୟଟେ କୁହ ତ !


            ସେ ଅପେକ୍ଷାରେ ଅଛି।


            ହଁ, . . .ସେ ତଥାପି ଅଛି ଅପେକ୍ଷାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy