ଟେଷ୍ଟ ପେପର୍
ଟେଷ୍ଟ ପେପର୍


-ବାପା ମୋ ପାଇଁ ଟେଷ୍ଟ ପେପର ଆଣିବ।ମୁଁ କେତେଥର କହିଲିଣି ତୁମେ ଭୁଲି ଯାଉଛ।
-ନାଇଁ ଲୋ ମା ...ବେପାର ଟିକେ ବେଶୀ ହେଉଛି ତ ଆଜିକାଲି ! ସେଥିପାଇଁ ଡେରି ହୋଇଯାଉଛି। ମୋ ଦୋକାନ ଉଠିଲା ବେଳକୁ ବହି ଦୋକାନ ବନ୍ଦ। କଣ କରିବି କହିଲୁ ??
-ତୁମେ ସବୁଦିନ ଏମିତି କହୁଛ।ମୋର୍ ଟେଷ୍ଟ ପେପର ନାହିଁ ବୋଲି ଟିଉସନ୍ ସାର ସବୁଦିନ ପାଟି କରୁଛନ୍ତି ।
-ହଉ ଆଜି ଯେମିତି ହେଲେ ଆଣିବି।
-ହେଇଟି ଶୁଣୁଛ !
-ଆରେ ଆଗରୁ ଡାକି ପାରୁନାହୁଁ ! ଠିକ ବୋଝ ଟା ମୁଣ୍ଡେଇଲା ବେଳକୁ ଡାକୁଛୁ ..କଣ ହେଲା କହ ?
-ମିକି ,ନିକି ଦୁଇଜଣ ଯାକ ଚାରି ମାସ ହେଲାଣି ଟିଉସନ୍ ପଇସା ଦେଇ ନାହାଁନ୍ତି।ତାଙ୍କ ସାଙ୍ଗ ମାନେ ସବୁ ଦେଇ ସାରିଲେଣି।ତାଙ୍କୁ ଲାଜ ଲାଗୁଛି ବୋଧହୁଏ।
-ହଁ ତୁମେ କାହିଁକି ବ୍ୟସ୍ତ ହେଉଛ ଯେ ,ମୁଁ ରବି ସାର୍ ଙ୍କୁ କହିଦେଇଛି ପରା ଏକାଥରେ ଦେଇଦେବି ବୋଲି।ରବି ସାର ତ ତାଙ୍କୁ ପଇସା ବାବଦରେ କିଛି କହୁନଥିବେ !
-ହଁ ଯେ ହେଲେ କେତେ ଅବହେଳା କରିବା ??
ତାଙ୍କ ସାଙ୍ଗ ମାନେ ସାରଙ୍କୁ ମାସ ଶେଷକୁ ପଇସା ବଢ଼େଇ ଦେଉଥିବେ।ଏମାନେ ଦେଖୁଥିବେ।ସେଥିପାଇଁ ତ ମୋତେ ଘରେ ଆସି ପଚାରନ୍ତି ।ମା' ଆମର ଟିଉସନ ପଇସା କେବେ ଦିଆଯିବ ?
ମୁଁ ଘଷି ବିକିକରି ୨୦୦ ଟଙ୍କା ରଖିଥିଲି ।ଦେଇଦେଲି।ଠିକ କଲି ନା ???
- ନାଇଁ ,ହଁ...ନାଇଁ..... ହଁ ତୁ ଠିକ କରିଛୁ ରମା।
ହେଲେ....
-ହେଲେ ଆଉ କଣ ?
-କଣ କରିବି ଦେଖୁଛୁ ତ ଏ ବର୍ଷା ସିଜିନ୍ ଟାରେ ବେପାର ସେତେ ହେଉନି।ଗୋଦାମରୁ ଯେତିକି ପଇସା ଦେଇ ଆଣୁଛି ଲାଭ ବାହାର କରିବା ମହା ମୁସ୍କିଲ।ତା ଛଡା ଦେଖୁଛୁ ଆଜିକାଲି ଲୋକଙ୍କ କଥା ଦୁଇଟା କଦଳୀ ନେବେ ନାହିଁ ୧୦ ଟା କଥା ପଚାରିବେ !
ମୁଲେଇ ବହୁତ।
ଡେଲି ,କିଛି କିଛି ପଚୁଛି ଆଉ ସଢ଼ୁଛି।ତାକୁ ଫିଙ୍ଗା ହେଉଛି। ସେଥିପାଇଁ ମୂଳଧନ ବଞ୍ଚାଇବା କଷ୍ଟ।ମାର୍କେଟରେ ଚିହ୍ନା ପରିଚିତ ଅଛି ବୋଲି ବଞ୍ଚି ଯାଉଛି। ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉଛେ। ତା ଛଡା ତୁ ଦେଖୁଛୁ।ମୁଁ ତ ବାପା ମାଙ୍କର ଗୋଟିଏ ବୋଲି ପୁଅ।ତିନି ତିନି ଟା ଭଉଣୀ ରଜ -ଅଷ୍ଟମୀ -କୁଅଁର ପୁନେଇ ସବୁ ପୁନେଇ ପରବରେ ସବୁ ନାନୀ ମାନଙ୍କ ଘରୁକୁ ଯିବାକୁ ପଡୁଛି।
-ହେ ଆଉ କେତେ ଦେବା ଯେ ! ବନ୍ଧୁଘର କାଟିଦେବା। ତୁମ ନାନୀ ମାନେ କଣ ଆମ ପରିସ୍ଥିତି ଜାଣି ନାହାଁନ୍ତି।
-ହଉ ମୁଁ ଛକ ଯାଉଛି।ବାକି ଯାହା ରହିଲା ଫେରିଲେ ଶୁଣେଇ ଦେବୁ।
-ତୁମେ ତ ଖାଲି ସବୁବେଳେ ଟାପରା କରିବ ମୋତେ !!
××××××
-ଓଃ!!! ଆଜି କାହା ମୁହଁ ଚାହିଁ ଥିଲି ।ଗୋଟିଏ ବି ବିକ୍ରି ହେଲାନାହିଁ।ଆରେ ରାଧୁ ଭାଇ କଣ ହେଲା କିରେ ଆଜି ??
-ଶସ୍ତା କେତେ କରିବା ??ନୋକସାନି ହେବ।
-ଚାଲ୍ ବଡ଼ ବସ୍ ଦୁଇଟା ଆସିଲାଣି ।
-କଦଳୀ କଦଳୀ ।ମିଠା କଦଳୀ।
ଡ଼ର୍ଜନ ୨୫ ...ଡ଼ର୍ଜନ ୨୫।
-ଏ କଦଳୀ !!!
-ଆଜ୍ଞା କେତେ ଦେବି ? ଡ଼ର୍ଜନ ନା ଦୁଇ ଡ଼ର୍ଜନ ??
-ହେ...ଚାରିଟା ଦେ ଭାଇ ?ଥଣ୍ଡା କରେଇବୁ ନା କଣ ??
ତା ଛଡା ସ୍ୱାଦ ନଜାଣି ଏକାବେଳ ଏତେ କେମିତି ନେଇଯିବି।
-ବାବୁ ଚାଖିକି ଦେଖନ୍ତୁ ମିଠା।ଗୋଟିଏ ବୋଲି ଖଟା ପାଇବେନି।ଗୋଟିଏ ଖଟା ଯଦି ପାଇବେ ମୁଁ ଝୁଡ଼ି ଏଇଠି ଛାଡିକି ପଳାଇବି।
-ହଉ ଛ'ଟା ଦେ ...
-ନାଇଁ ବାବୁ ଦଶ ଟଙ୍କା ପୋସେଇବ ନାହିଁ।ପିଲା ଛୁଆ ଘର ମୋର।ଜମା ଲାଭ ରଖୁନି ।
-ହେ ରଖ ମ...
ସବୁଦିନ ପରି ଆଜି ବି ସେହି ଏକା କଥା ଟଙ୍କା ଚାରି ଶହ ବିକ୍ରି ହୋଇନାହିଁ।ନିକି ପାଇଁ ଟେଷ୍ଟ ପେପେର କେମିତି ନେବ ଦାମ ଭାଇ।ଦୁଇ ପ୍ରହରେ ମିଲ୍ ବି ଖାଇନି।ମନେ ମନେ ସ୍ଥିର କଲା ...ଆଜି ଗୋଦାମ ବାଲାକୁ ଦେବ ନାହିଁ ଟଙ୍କା।ଜଲ୍ଦି ମଧ୍ୟ ଯିବାର ଅଛି।ନହେଲେ ବହି ଦୋକାନ ବନ୍ଦ ହୋଇଯିବ।
-ରମେଶ ଭାଇ।ଝିଅ ପାଇଁ ଗୋଟେ ଟେଷ୍ଟ ପେପର ଦିଅ ??
-କୋଉ କ୍ଲାସ ?
-ହଁ ରୁହ !!!ମୁଁ କାଗଜ ଟା ବାହାର କରେ।ସେଥିରେ ମୋ ମା ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖିଦେଇଛି ପରା।ନିଅ...
-ଓଃ ! ସପ୍ତମ କ୍ଲାସ।
-ହଁ ହଁ ସପ୍ତମ ବୋଧେ ପଢୁଛି ନା କଣ !!ତା ମା'କୁ ସବୁ ଜଣା।କେତେ ଟଙ୍କା ହେଲା ??
-ତିନି ଶହ।
-ପୁରା ତିନି ଶହ।ତୋ ଠାରୁ ଲାଭ ରଖିନି ଦାମ।
ହଉ ନେ।ପେପର ରେ ଗୁଡେଇ ଦେଇଛି।
-ମୋ ଝିଅ ଆଜି ବହୁତ ଖୁସି ହେବ।ଟିଉସନ୍ ସାର କହୁଥିଲେ ମୋ ଝିଅ ଭଲ ପାଠ ପଢୁଛି।ମୁଁ ବି ଭାବି ନେଇଛି ,ଯେତେ ଦୁଃଖ କଷ୍ଟ ହେଲେ ବି ପେଟରେ ଓଦା କନା ପକେଇ ଶୋଇବି ପଛେ ମୋ ଝିଅକୁ ହାକିମ କରିବି।
××××××××
-ନେ ମା ନେ...ତୋ ଟେଷ୍ଟ ପେପର ଆଣିଛି ।
-ସତରେ ! ମୋ ଟେଷ୍ଟ ପେପର ଆସିଯାଇଛି ! ମୋ ଟେଷ୍ଟ ପେପର ଆସିଯାଇଛି।
-ରମା ଖାଇବା ବାଢ଼ିଲୁ।ଆଜି ଦୁଇ ପହରେ ଖାଇ ନାହିଁ।ବହୁତ ଭୋକ ଲାଗୁଛି।
-ଏଁ ଖାଇନ !!! ଚାଉଳ ମାଣେ ପଡିଥିଲା। ରାନ୍ଧି ଦେଇଥିଲି।ଆଳୁ ଦୁଇ ଚାରିଟା ଗଡୁଥିଲା ଭାଜି ଦେଇଥିଲି। ହଉ ବାସୀ ତୋରାଣୀ ଟିକେ ପଡିଛି ମୁଁ ପିଇ ଦେଉଛି।
ତୁମେ ବାପ ଝିଅ ଖାଇଦିଅ।
-ହଉ ମୁଁ କାଲି ଚାଉଳ ନେଇ ଆସିବି।ତୁମେ ମା ଝିଅ ତତଲା ଭାତ ଖାଇଦିଅ।
ମୋତେ ଚୁଡା ଗଣ୍ଡେ ଦେ.. କଦଳୀ ଦୁଇ ଚାରିଟା ଚକଟି ମୁଁ ଖାଇଦେବି। ରାତି ଅଧରେ ରମା ଧଡ୍ କିନା ଉଠିପଡ଼ିଲା ।
ମିକି ବାପା ବାଉଳି ହେଉଥିଲା ...
ମୋ ଝିଅ ହାକିମ ହେବ...ମୋ ଝିଅ ହାକିମ ହେବ ...!!!