ଟାଇପ୍ ଟୁ ଡାଇବେଟିସ୍
ଟାଇପ୍ ଟୁ ଡାଇବେଟିସ୍
ଡ. ସନାତନ ଦାସ ଜଣେ ଖ୍ୟାତନାମା ଡାଇବେଟିସ ବିଶେଷଜ୍ଞ ।
- ଦେଖ ବାବୁ ! ତୁମେ ଏବେ ଯୁବକ । ଏବେ ଠାରୁ ସତର୍କ ନ ହେଲେ ତୁମକୁ ଟାଇପ୍ ଟୁ ଡାଇବେଟିସ ହେବା ସୁନିଶ୍ଚିତ ।
- ଟାଇପ୍ ଟୁ ଡାଏବେଟିସ୍ ହେଲେ କ'ଣ ଅସୁବିଧା ? ଯୁବକଟି ବ୍ୟସ୍ତ ହୋଇ ପଚାରିଲା ।
- ଅସୁବିଧା ମାନେ, ନିୟମିତ ଇନ୍ସୁଲିନ୍ ନେବାକୁ ପଡିବ । ତେବେ ଏବେ ଭୟ କରିବାର କିଛି ନାହିଁ । ବଡର ଲାଇନରେ ତୁମ ଡାଏବେଟିସ୍ ଅଛି । ନିୟମିତ ବ୍ୟାୟାମ କର ।
ଏ ସମସ୍ତ କଥା ଭିତରେ ଯୁବକ ବାରମ୍ବାର ଅନ୍ୟମନସ୍କ ହେଉଥିଲେ । ସେଲ୍ ଫୋନରେ ବାରମ୍ବାର କିଛି ଦେଖୁଥିଲେ । ବିରକ୍ତ ହେଲେ ଡ. ଦାସ । କହିଲେ, ତୁମ ଦେହର ଅସୁବିଧା ସଂପର୍କରେ କହୁଛି, ଅଥଚ ତୁମେ ଅନ୍ୟମନସ୍କ ହେଉଛ ?
- ନା ସାର୍, ଇଣ୍ଡିଆ- ଇଂଲଣ୍ଡ କ୍ରିକେଟ ଖେଳ ସ୍କୋର ଦେଖୁଥିଲି ।
କ୍ରିକେଟ ଖେଳକୁ ଭୀଷଣ ଘୃଣା କରୁଥିଲେ ଡ. ଦାସ । ରାଗିଯାଇ କହିଲେ, ଯେଉଁ ଖେଳ ମଣିଷକୁ ଅଳସୁଆ କରିଦିଏ ସେ ଖେଳ ପଛରେ ମାତିଛ ?
- ଆମେ ଭାରତୀୟ ସାର୍ । ଆମେ ସମର୍ଥନ କରିବୁନି ତ କିଏ କରିବ ?
- ଆଚ୍ଛା ! ତୁମ ଘର କେଉଁଠି?
- କାହିଁକି ସାର୍ ? ମୟୂରଭଞ୍ଜରେ । ବିଶ୍ଵବିଖ୍ୟାତ ଛଉ ଏବଂ ମୁଢୀ ପାଇଁ ପ୍ରସିଦ୍ଧ । ଗର୍ବରେ ଉତ୍ତର ଦେଲା ଯୁବକ ।
- ଆଉ ତୁମ ଏ ସାଙ୍ଗମାନଙ୍କର ?
- ଏହାର ଘର ବାଲେଶ୍ଵର ଏବଂ ଏହାର ଝାଡ଼ଖଣ୍ଡ, । ତା'ର ପୁରୀ ଏବଂ ଏହାର ପଶ୍ଚିମ ବଙ୍ଗ ।
ହସିଲେ ଡାକ୍ତର ବାବୁ । କହିଲେ, ଏଇଠି ମାଡ଼ ଖାଇଗଲା ଭାରତ । ଏତେ ଯଦି ଭାରତୀୟ ବୋଲି ଗର୍ବ କରି କୋଟି କୋଟି ଲୁଟୁଥିବା ଖେଳାଳିଙ୍କୁ ସମର୍ଥନ କରୁଛ, କାହିଁ ଥରେ ତ କହିଲ ନାହିଁ ତୁମ ଘର ଭାରତ ବୋଲି ? କହିଲ, ମୟୂରଭଞ୍ଜ, ବାଲେଶ୍ଵର, ଝାଡ଼ଖଣ୍ଡ ଇତ୍ୟାଦି ଇତ୍ୟାଦି । ଅସଲରେ ତୁମକୁ ଟାଇପ୍ ଟୁ ଡାଏବେଟିସ୍ ହୋଇଛି ।
ଚମକି ପଡିଲା ଯୁବକ ଏବଂ ତା ସାଙ୍ଗମାନେ । ଡକ୍ଟର୍ ଏବେ କହୁଥିଲେ ଡାଇବେଟିସ ବଡର୍ ଲାଇନରେ ବୋଲି । ଏବେ କହୁଛନ୍ତି ଟାଇପ୍ ଟୁ ?
- ତୁମ ରକ୍ତରେ ଭାରତୀୟତା ନାମକ ଗ୍ଲୁକୋଜର ଘୋର ଅଭାବ । ତେଣୁ କ୍ରିକେଟ, ଅଲମ୍ପିକ, ଦେଶପ୍ରେମ ସିନେମା ଇତ୍ୟାଦିକୁ ବାହ୍ୟ ଇନ୍ସୁଲିନ୍ ଭାବରେ ଗ୍ରହଣ କରିବାକୁ ବାଧ୍ୟ ହେଉଛ ।
ଯୁବକଟିର ମଥାରେ ଡାକ୍ତରଙ୍କ କଥା କିଛି ପଶୁନଥିଲା । ଡାକ୍ତରଙ୍କ ମୁହଁକୁ କେବଳ ଚାହିଁ ରହିଥିଲା ବଲବଲ କରି । ଜଣେ ସାଙ୍ଗ ହାତ ଧରି ଟାଣିଆଣିଲା । କହିଲା, ପଳେଇଚାଲ୍, ବୁଢା ପାଗଳ ହୋଇଗଲାଣି ।
