STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ତୃପ୍ତି

ତୃପ୍ତି

2 mins
142

ଅଭିନାଶ ବାବୁ ପ୍ରାତଃ ଭ୍ରମଣରେ ଆଜି ତାଙ୍କ ନାତି ଅନ୍ବେଷକୁ ନେଇ ଯାଇଥିଲେ ।ଏଇ ତ ମୁଖ୍ୟ ଜଗନ୍ନାଥ ସଡକରେ ଚାଲିବା କଥା ।କୋଉ ବିଲମାଳ ପଡିଆ ଆଉ ବଳିଛି ଯେ ।ସେ ଆପାର୍ଟମେଣ୍ଟ ଚାରିପଟଟା ଜକାଳିଆ ଲାଗେ ।ପଛକୁ ପଛ ଗାଡି ଧୂଆଁ ପଛେ ହଉ ଟିକେ ମେଲା ଦାଣ୍ଡପଟ ଥାଉ ।


"କ୍ରୋମା ଷ୍ଟୋର " ଏଇ ମୁଖ୍ୟ ରାସ୍ତାରେ ।କଣ ନାହିଁ କହିଲେ ନାହିଁ ସେଠି !ସବୁ ବୋଇଲେ ସବୁ ।ଏମିତି କି କଟା ପରିବା, ବଟା ମସଲା, ରନ୍ଧା ତରକାରୀ, ସେକା ରୁଟି । ଅନ୍ବେଷ ଧରିଲା ତ ଧରିଲା ଗୋଟେ ଉଡାଜାହାଜ ପ୍ଲାଷ୍ଟିକ ଖେଳନା ଧରିଲା ।ଏଠି ତ ଆଉ ମୂଲଚାଲ ନାହିଁ ।ଷ୍ଟିକର ଯାହା କହିବ, ଯନ୍ତ୍ର ଯାହା ବତେଇବ ।ଅଗତ୍ଯା ନାତି କଥା ,ଆଉ କି ନାସ୍ତି ବାଚକ ବାହାରେ ! ଚାଖଣ୍ଡିଆ ଖେଳନା, ଦେଢହଜାରେ ।ସକାଳୁ ସକାଳୁ ପକେଟ ଝଡିଲା ।ହଉ ଅନ୍ବେଷ ମୁହଁର ଚାନ୍ଦ ପରି ହସ ଆଉ କୋ' ମିଳିବ ! କାଲି ଗଲେ ପରଦିନ ତ ଛୁ' ।


ଫେରିଲେ କାନ ମୁଣ୍ଡା ଆଉଁସି ଆଉଁସି ଅବିନାଶ । ବାଟରେ ଭେଟିଲେ ସଜ ଶାଗ ବେପାରୀଟିଏକୁ ।ଲୋଚାକୋଚା ଚମ,ଆଖିଏ ପରଳ ।ଧୁଡୁଧୁଡୁ କାଠି ଗୋଡରେ କେତେ ବଳ କେଜାଣି କିଏ ଭରେ ।ମୁଣ୍ଡରେ ଏଡେ ଏକେ ଡାଲା ।ଏଇଲେ ତୋଳା ବଛା ହେଇଛି ।ପୋଇ, ଖଡା, ସଜନା, କୋଶଳା, ପାଳଙ୍ଗ, ମଦରଙ୍ଗା, ଲେଉଟିଆ, ପିତା, ମିଶାମିଶି ଏମିତି କେତେ ନା ଲୋକଟି ଲ....ମ୍ବେ...ଇକି ଡାକୁଥାଏ ।


ସଜ ଶାଗ ଭଜା ବାସ୍ନା ଆପେ ସ୍ମୃତିରୁ ନାକ ପାଖକୁ ଉଠି ଆସିଲା ।ଗାଁ ଛବି ସହ ।ପୁଣି ଦିଶିଗଲା ଯୋଡେ ପାଞ୍ଚଟା ନହକା ବାସି ଝାଉଁଳା ପତ୍ର ଭରା ଡବାଏ ଶାଗର ଦର ଷାଠିଏ ଟଙ୍କା ।ଏଇ ଲାଗୁ ଲାଗୁ ଦେଖିଆସିଲେ ସେ ଥଣ୍ଡାଯନ୍ତ୍ର ଲଗା ଚାରିତାଲା କୋଠାରେ ।

ବିକଳରେ ଡାକ ପକେଇଦେଲେ ବୁଢାକୁ ।ଅଟକି ଗଲା ବୁଢା। ତା' ସ୍ବପ୍ନ ତାକୁ ହାତ ଠାରି ଡାକିଲା ପରି ।

_ ବିଡାକ କେତେ? କେମିତି ଦଉଛ?

ସ୍ବରରେ ପଇସାର ଧଡଶ ସ୍ପଷ୍ଟ ।

_ ତିନିବିଡା ଦଶ ଟଙ୍କା ଆଜ୍ଞା ।ଏଇ ତୋଳିଲି ତ ଆଣିଲି ।ପୁରା ସଜ ।କଣ କହୁଛନ୍ତି ତ ପିଲେ ଆଜିକାଲି ।ଅର....ଗାନିକ ଖାଣ୍ଟି ।


ନମ୍ରତା ସହ ଖୁସିଖୁସିଆ ମୁହଁ ର ଭାଷା ।

_ ଆଛ୍ଛା ।କାଇଁ ଏତେ ମହରଗ ଶୁଣେ । ଲୁଟୁଛ ସବୁ ଆଉ କଣ ।ଦିଅ ଦିଅ ପାଞ୍ଚ ବିଡା ଦିଅ ଦଶକୁ ।

_ ନାଇଁ ବାବୁ ଟଙ୍କାଏ ଲାଭ ହବ କି ନାହିଁ ।ଖଟଣି କଣ କମ ।ରୋ,ପାଛୁଡେ, ଉଆଁ..... ଚାରି ଦଉଛି ନ ହେଲେ ।

_ ହଁ ଥାଉ ଥାଉ ସେ ସବୁ ବାହାନା ବଖାଣିବା ଲୋଢା ନାହିଁ ।ଦବକି ନାହିଁ କୁହ ।ପାଞ୍ଚ ଦେଲେ ଦିଅ ,ନ ହେଲେ ଯ ।ଏମିତି ବି କିଛି ଅପୂର୍ବ ଦରବ ନୁହେଁ ।

_ ନାଇଁ ବାବୁ ପୋଷଉନି ।ଆଖି ଛୁଉଁଛି ।

ମଉଳୁଥିଲା ଆଖିତଳ ସ୍ବପ୍ନ ।

ଅବିନାଶଙ୍କ ଆଖିରେ ପଢିହେଉଛି କଅଁଳ ଛନଛନ ଲାଗ ପ୍ରତି ଲାଳସା ଟିକକ ।ତଥାପି ଅଣ୍ଟି ବସିଛନ୍ତି ଦେଢ ଅଢେଇ ଖେଳରେ ।କୁନି ଅନ୍ବେଷ ହଠାତ୍ ଆବାକାବା ହେଇ ଚାହିଁଲା ଜେଜଙ୍କୁ ଆଉ କହିଲା, " ଜେଜେ ଭାଙ୍ଗିଗଲା।"


ହାତରେ ଧରେଇଦେଇଥିବା ସ୍ବପ୍ନର ଆୟୁଷ ବା କେତେ !

_ ହ ହଉ ଛାଡ ।ପ୍ଲାଷ୍ଟିକ ଟେ ତ ।କେତେ ସମୟ ଆଉ ଯାନ୍ତା ।ଆଉ ଗୋଟେ ଆଣିବା ।

ପଇସାରେ କି ବା କିଣି ହୁଏ ସ୍ବପ୍ନ !

ଫେରିଆସୁଥିଲେ ଜେଜେ, ନାତି ଦରଶୁଖିଲା ମୁହଁଟି ମାନ ନାଇ ,କି ପଛରୁ ଶୁଭିଲା ....

_ ନେ ବାପ ନେ ,ବିଡେ ଶାଗ ପାଇଁ କାଇଁ ମନଉଣା କରିବୁ? ଝୁଅକୁ ମୋର ଦବୁ, ଭଲକି ଖରଡି ଦବ ।ଭାରି ସୁଆଦ ।ମାଟିର ଚିଜ ,ମାଟି ତାର କେତେଗୁଣା କରି ଫଳେଇଦବନି ଫୁଣି ! ମତେ ମନେପକେଇବୁ ।

ହାତରେ ପାଞ୍ଚ ବିଡା ଶାଗ ସହ ମୁଠାଏ ଧନିଆ ଥାପିଦେଇ ଆଗେଇ ଯାଉଥିଲା ବୁଢା ଦଶ ଟଙ୍କିଆଟିକୁ ନିଜ ମଥାରେ ଛୁଏଁଇ, ଆକାଶକୁ ଅନେଇ .... ଗୋଟେ ଅପୂର୍ବ ତୃପ୍ତିରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action