Siddhartha Tripathy

Horror Tragedy Crime

4.5  

Siddhartha Tripathy

Horror Tragedy Crime

ତ୍ରିବେଣୀ

ତ୍ରିବେଣୀ

3 mins
473



       ତ୍ରିବେଣୀ ସଙ୍ଗମ, କୁଢ଼ କୁଢ଼ ପଚା ଶବଙ୍କ ଭାସମାନ ଦୃଶ୍ୟ ହୃଦୟଥରା। ରାସ୍ତାକଡର ପ୍ରସ୍ତରକୁ ସିନ୍ଦୁରବୋଳା ଦେଇ ମୁଣ୍ଡିଆ ମାରି ଖ୍ୟାତିସମ୍ପନ୍ନ ସଜାଇବାରେ ତିଳେ ମାତ୍ର କୁଣ୍ଠା କରେ ନାହିଁ ଆର୍ଯ୍ୟ ସମାଜ। ଠିକ୍ ସେମିତି ତ୍ରିବେଣୀ ରେ ଅସ୍ତି ବିସର୍ଜନ କରିଥିଲେ ଆତ୍ମା ମୁକ୍ତି ପାଇଯାଏ । ନାକଟାକୁ ଚାପିଧରି ଥରେ ବୁଡ଼ ପକାଇ ଉଠିବାକୁ ଉଦ୍ୟତ ହେଲାବେଳେ ହାତରେ କିଛି ଗୋଟେ ଲାଗିଲା। ଲୋଭ ଓ ଖୁସିରେ ସାଉଁଟି ନେଲା ବେଳେ ଅନାଦି ଦେଖିଲା ପଚାସଢା ମନୁଷ୍ୟ ର ହାତ। ଛିଃ, ପାପୀ ହାତଟା ବୋଧେ। ଉଠିଗଲା ଉପରକୁ। ନାକ ସିକୁଡିିନେଲା ଘୃଣାରେ। ଆରେ ! ଏକଣ ପାହାଚ ଉପରେ ମୁର୍ଚ୍ଛିତ ଯୁବକଟିଏ, ହାତରେ ଅସ୍ଥି କଳସ। ପାର୍ଶ୍ୱରେ ପଡିଛି କେତୋଟି ଦଶଟଙ୍କିଆ ଓ ଫୋଟଟିଏ। ଫୋଟଟିକୁ ଦେଖି ଚମକି ଉଠିଲା ଅନାଦି। ସେ ତ ତା'ର ଅତି ପ୍ରିୟ, ବିତେଇ ଥିବା ସୁନ୍ଦର ମୁହୂର୍ତ୍ତର ସାଥି ସଙ୍ଗୀତା।


         ପାଣି ଛାଟି ପୁଅଟିକୁ ଉଠେଇ ନେଲା ଅନାଦି । ପୁଅଟିକୁ ଉଠାଇ ପଚାରିଲା, ଏ କିଏ ? ପୁଅଟି ଉତ୍ତର ଦେଲା କୈାଣସି କାମୁକ, ଲମ୍ପଟ ପୁରୁଷର କାମବାସନାର ଫଳ ଏହି ଜାରଜ ସୁରେଶର ମାଆ ସିଏ। ଜାଣିନି ମୋ ଅସାମାଜିକ, ଲମ୍ପଟ ବାପା କିଏ ଓ କେଉଁଠି, ହେଲେ ମୋ ମାଆର ଶେଷ ଈଚ୍ଛା, ବାବୁରେ! ତୋ ବାପା ବି ମରିସାରିଛନ୍ତି, ମୋ ମୃତ୍ୟୁ ପରେ ତ୍ରିବେଣୀରେ ଦୁହିଁଙ୍କ ତିଳ ତର୍ପଣ କରିଦେବୁ। ଅନ୍ତତଃ, ଏ ଜନ୍ମରେ ଦେଖାନହେଲେ ବି ମିଶିକି ତର୍ପଣ ପାଇଲେ ମୋ ଆତ୍ମାକୁ ଶାନ୍ତି ମିଳିବ।ତେଣୁ ଆସିଛି। ବାପାର ପରିଚୟ ନଥିବାରୁ ପାଠ ପଢ଼ାରେ ଡୋରି ବନ୍ଧା ହେଲା। ମୁଁ କୁଲି କରି ବଞ୍ଚେ। ମୋର ବାହା ହେବାର କ୍ଷମତା ବି ନାହିଁ। ସେ କାମୁକ ଯୋଗୁଁ ମୋ ଅନ୍ତେ ଏ ବଂଶ ଲୋପପାଇଯିବ। ମାଆର କଥା ରକ୍ଷା କରି ଆସିଛି ଦୁହିଁଙ୍କୁ ତର୍ପଣ ଦେବାକୁ। ଦୁହେଁ ଚାଲିଲେ ତ୍ରିବେଣୀ ଘାଟକୁ। ଅନାଦି ଆଖିରେ ଲୁହ ସହ ଅକୁହା କୋହ। ସେ ତର୍ପଣ କରୁଥିଲା ତା ସ୍ତ୍ରୀର ଓ କହି ଚାଲିଥିଲା;


          ଅଜବ, ଅଦ୍ଭୁତ ସାକ୍ଷାତ। ଅଜବ ସହର ଇଏ।ଶୋଇଥାଏ। କଡଲେଉଟାଏ। ଅଲୋଡା ଯୁବତୀ ପରି ଆଖିଖୋଲି ସ୍ୱପ୍ନ ଦେଖୁଥାଏ। ନିଶାର୍ଦ୍ଧରେ ବିବେକକୁ ହତ୍ୟାକରି, ନାରୀଟିକୁ ଭୁଲୁଣ୍ଠିତାକରି ସକାଳୁ ସକାଳୁ ସୂର୍ଯ୍ୟ ସ୍ନାନ ସାରି ସଜାଡ଼ି ନିଏ ନିଜକୁ। କଇଁଛ ଖୋଳପା ଭିତରେ ପଶିଲା ପରି ପଶିଯାଏ ଭଦ୍ର ଖୋଳପାରେ...!


          ସଙ୍ଗୀତା...., ଏ ସଙ୍ଗୀତା....!!

ପ୍ରେମର ସଂଜ୍ଞା ଏବେ ତୁମଠୁ ବୁଝିଲି। ହେଇ ଦେଖ ଜାକିଜୁକି ଭିଡ଼ି ଧରି ଆପଣା ପୈାରୁଷ ମୁଁ ସଭ୍ୟ ସମାଜର ସଭ୍ୟ ମନୁଷ୍ୟ କେମିତି ଠୋ ଠୋ ହସୁଛି ।


      ମନ ଜାଣେ ସ୍ୱାଦ କେତେ ନିଶାର୍ଦ୍ଧରେ ପକ୍ଷୀ ଶୀକାର ର!! ବିବେକର ବିଶୁଦ୍ଧ ଶରୀର ଜଳିଗଲାପରେ ବାରି ହୂଏ କ୍ଷତି କ'ଣ???


       ତୁମ ଅନାଦି ଆଜି ବି କାନ୍ଦୁଛି, ସଙ୍ଗୀତା, ମନେ ପକାଇ ସେହି ନିଶାର୍ଦ୍ଧରେ, ବର୍ଷା ରାତିରେ, କାମ ବାସନାରେ ଇଟା ଭାଟିର ଇଟା ପରି ଡହ ଡହ ଜଳୁଥିବା ଏ ଅନାଦି ସେହି ଜଘନ୍ୟ କୁକର୍ମକୁ। ତୁମ ଇଚ୍ଛା, ଅନିଚ୍ଛାର ଦ୍ୱନ୍ଦ ଭିତରେ ତୁମ ଶରୀରକୁ ଖିନଭିନ କରି, କ୍ଷଣିକ ଉତ୍ତେଜନା ରେ ଭଲ ପାଇବାର ସ୍ୱର୍ଗିୟ , ପବିତ୍ର ଭାବନାକୁ କବର ଦେଇ ଶୀତଳ କରିଦେଇଥିଲି ମୋ ଶରୀରକୁ।ତୁମେ ହେଲ ଅନ୍ତସତ୍ତ୍ଵା ।


       ସଙ୍ଗୀତା.. ଏ ... ସଙ୍ଗୀତା!

ତୁମେ ଆଦର୍ଶ ପ୍ରେମିକା ଚୁପକରି ସହିଗଲ ସବୁ। ରାତିର ଅନ୍ଧକାରରେ ମୁଁ ମିଳେଇଗଲି ଶୂନ୍ୟ ଫୋଟକା ପରି ।


        ସଂସାର କଲି ମୁଁ, ହଜିଗଲି ନୂଆଁ ଦୁନିଆଁରେ, ନୂଆଁ ସ୍ୱପ୍ନରେ, ନୂଆଁ ସଂସାରରେ। ଆଜି ମୁଁ ମୋ ସ୍ତ୍ରୀର ତିଳତର୍ପଣ କଲାବେଳେ ତ୍ରିବେଣୀ ଘାଟରେ ତଥାକଥିତ ଜାରଜ ସନ୍ତାନ ତର୍ପଣ କରୁଛି ଆମ ଦୁହିଁଙ୍କ ଅମର ଆତ୍ମାର ସଦଗତି ପାଇଁ, ମୁଁ ବଞ୍ଚି ଥାଉ ଥାଉ। ନୀଳନୀଳ ଆକାଶରେ ନିଜ ସତ୍ତା ଖୋଜୁଥିବା ମନପକ୍ଷୀଟିର ଟି ଟି ରାବ ଏବେ ମୁଁ ଶୁଣିଲି। ସପନ ସାଗରରେ ପରା ଲାଗି ଅଛି ଶୀତଳ ଅଗ୍ନି ର ଲୀଳା। ନିଭୋଉ ନିଭୋଉ କେମିତି ହାତ ଜଳିଯାଏ।

 ଜାଳେ  କିଏ ... ???

କ୍ଷଣିକ ଉତ୍ତେଜନା, ପ୍ରତାରଣା ନା କ୍ରୋଧ।

ସଙ୍ଗୀତା...ଏ ସଙ୍ଗୀତା...!!

ଜାରଜ ସନ୍ତାନ ଅବୁଝା। ପାଇନି ସେ ମୋର ପରିଚୟ। ଏତେ ଅନୁତାପର ନିଆଁ ରେ ଜଳିଲା ପରେ ବି ମୁଁ ଭଦ୍ରମୁଖା ର ଖୋଳପା ଭିତରୁ ବାହାରି ଦେଇପାରୁନି ମୋ ପରିଚୟ। ହେଇଦେଖ, ଦେଖିପାରୁଛ ନା ! ମୋତେ ଲାଗୁଛି କଟମଟ ଆଖିରେ ଅନାଉଛି ମୋତେ। ପରିଚୟ ପାଇଯାଇଛି କି ଆଉ??


    ତାର ଓ ତୁମର ଇଚ୍ଛାକୁ ଆଜି ସମ୍ମାନ ଦେବି ସଙ୍ଗୀତା। ଦୁହିଁଙ୍କ ତିଳ ତର୍ପଣ ଜାରଜ ସନ୍ତାନ ଦ୍ୱାରା। ଆରେ ନା ନା ସେ ତର୍ପଣ କଲାପରେ ଆଉ ଜାରଜ ନାହିଁ। ମୁଁ ବି ଫେରିବି ତୁମ ପାଖକୁ। 


         ଅନାଦି ର ପାଦ ଖସି ଯାଉଥିଲା ସେହି ନିଶାର୍ଦ୍ଧ ପରି ତଳକୁ ତଳକୁ। ତ୍ରିବେଣୀ ଭିତରକୁ, ଭିତରକୁ! ଆହୁରି ଭିତରକୁ।


କେବଳ କିଛି ପଦ ଶୁଣାଯାଉଥିଲା, "ବଡ଼ବଡ଼ିଆ ହୋ..." ଅନାଦିର ଆତ୍ମାଟି ହସି ଉଠୁଥିଲା, ହୋଇଗଲା ପ୍ରାୟଶ୍ଚିତ ସଙ୍ଗୀତା........!!



Rate this content
Log in

Similar oriya story from Horror