Parameswar Ojha

Tragedy Inspirational

2.0  

Parameswar Ojha

Tragedy Inspirational

ତୋ ପରି ଆଉ କେ ନାହିଁ

ତୋ ପରି ଆଉ କେ ନାହିଁ

8 mins
664


ମୁଁ ଯେତେବେଳେ ଆକାଶକୁ ଚାହିଁ କ'ଣ ଗୋଟେ ଭାବୁଥିଲି ତୁ ସେତେବେଳେ ଆସି ମୋ ପଛରୁ ମୋତେ ଭିଡ଼ି ଧରିଲୁ ।


- " ତମେ ଏଇଠି ଆସି ବସିଛ ମୁଁ ଘର ବାରି ଛାତ ସାରା ତମକୁ କେତେ ଖୋଜି ସାରିଲିଣି ? ":

 

ତୁ କହିଲୁ ହେଲେ ମୋତେ ଲାଗିଲା ଯେମିତି ଗୋଲାପ ଫୁଲଟେ ଫୁଟିଗଲା । ଚାନ୍ଦିନୀ ରାତିରେ ମଲ୍ଲୀ ଫୁଲ ପରି ଚାରି କଡ ମୋର ମହକିଗଲା ।


ମୁଁ ଜାଣିନଥିଲି ତୁ ମୋ ଜୀବନେ ଆସିଲେ ମୋ ଜୀବନ ଟା ଏତେ ସୁନ୍ଦର ଏତେ ମଧୁର ଏତେ ଚଳଚଞ୍ଚଳ ହୋଇଯିବ ବୋଲି । ସତରେ ଇଶ୍ବରଙ୍କ ଆଶୀର୍ବାଦ ତୁ । ସେ ନିଷ୍ଠୁର ବିରାଟ ହତଭାଗା ବା ହତଭାଗିନୀଟିଏ ଯିଏ ତୋ ଭଳି ଦେବୀଟିକୁ ପର କରିଦେଲା । ଭାଗ୍ୟବତୀ ହୋଇ କି ବି ହତଭାଗିନୀ ବନିଗଲା । ଛାଡ କିଛି ଲୋକ ଦେବୀ ପାଇଁ ଦେହକୁ ତ୍ୟାଗ କରିବାକୁ ବସିଥାଆନ୍ତି ତ ଆଉ କିଛି ଲୋକ ଦେହ ପାଇଁ ଦେବୀକୁ ତ୍ୟାଗ କରି ଦିଅନ୍ତି । 


ସତରେ ତୁ ଏମିତି ଦେବୀଟେ ପାଖରେ କେହି ନଥିଲେ ଭାଙ୍ଗି ପଡିଥିଲେ , ଦେହ ଠୁ ଯନ୍ତ୍ରଣାର ଓଜନ ଅଧିକ ଥିଲେ ଠିକ୍ ସେତିକି ବେଳେ ତୋ କଥା ବିଶଲ୍ୟକରଣୀ ପରି କାମ ଦିଏ । ତୋ କୁନି ପାଟିରେ ଦରଭିଜା କଥା ତୋ ଚାପା ଓଠରେ ମନକିଣା ଖିଲି ଖିଲି ହସ ସତରେ ଖୁବ୍ ମନୋରମ ଲାଗେ ଆଉ ମୁହୂର୍ତ୍ତ ଗୁଡାକ ଏତେ ଅନ୍ତରଙ୍ଗ ହୋଇଥାଏ ଯେ ଇଛା ହୁଏ ଏମିତି ତୋ ସହ ବିତି ଯାଆନ୍ତା କି ଚିହ୍ନା ସମୟ ବିନା ଖାଇବା ପିଇବା ରେ ଖାଲି ତୋ କଥା ଶୁଣିବାରେ ତତେ ଦେଖିବାରେ । ସତରେ ସ୍ନେହର କିରଣ ଟେ ତୁ ଭଲପାଇବାର ମନ୍ଦିରଟେ ତୁ ପ୍ରେମର ଝଙ୍କାରଟେ‌ ଆଉ ମମତାର ଅସୁଖା ସ୍ରୋତଟେ ତୁ ।


ମୋ ଦେହ ଅସୁସ୍ଥ ଥିଲେ ଜ୍ବର କିମ୍ବା ମୁଣ୍ଡ ବିନ୍ଧା ହେଲେ ତୋ ହାତର ପାଣି ପଟି ଆଉ ଅମୃତାଞ୍ଜନ ମାଲିସ ବେଳେ ସତରେ ତୁ ମୋର ମା ଟିଏ ପରି ଲାଗୁ । ଛୋଟ ମୋଟ ଜିନିଷ ପାଇଁ କଳି ଝଗଡା ଅଭିମାନ କଲେ ମୋତେ ତୁ ସାନ ଭଉଣୀ ପରି ଲାଗୁ ଆଉ ଯେତେବେଳେ ମୋ ଗାଲରେ ଚୁମା ଟିଏ ଦେଇ ମୋତେ ବଶ କଲା ପରି ଚାହିଁ ଦେଉ ନାଁ , ମୋତେ ତୁ ପ୍ରେମିକା ପ୍ରେମିକା ଲାଗୁ ଆଉ ଆଉ .......ସତରେ ନାରୀର ଅର୍ଦ୍ଧେକ ଭୂମିକା ମୁଁ ତୋଠି ଦେଖିପାରେ , ତୋ ବିନା ମୁଁ କିଛି ନୁହଁ ଆଉ ମୁଁ ତୋର ସବୁକିଛି ।


 ରାତିରେ ମୋତେ କୁଣ୍ଢେଇ ଶୋଇଲା ବେଳେ ତୁ ଯେତେବେଳେ ପଚାରୁ " ପାପା ତମେ ମୋ ବୟଫ୍ରେଣ୍ଡ୍ ହବ ? "


 ମୁଁ ସେତେବେଳେ ଦାନ୍ତ ଚାପି ହସୁଥାଏ ଆଉ କହେ 


 - " ହଁ ମୁଁ ତୋ ବୟଫ୍ରେଣ୍ଡ୍ "


ତାପରେ ତୁ‌ ଗପୁ 


- " ଆମ ସ୍କୁଲରେ ନା , ସମସ୍ତଙ୍କର ଗୋଟେ ଗୋଟେ ବୟଫ୍ରେଣ୍ଡ୍ କିନ୍ତୁ ମୋର ନାହିଁ । 


 ମୁଁ ପଚାରିଲି ସ୍ବପ୍ନାକୁ ବୟଫ୍ରେଣ୍ଡ୍ କାହାକୁ କହନ୍ତି ? 

ସେ କହିଥିଲା ,  ଯିଏ ତତେ ଭଲକି ବୁଝିପାରେ , ତୋର ଭଲସେ ଯତ୍ନ ନିଏ ,ତୋର କ'ଣ ଟିକେ ହୋଇଗଲେ ସେ ଜମା ସହି ପାରେନା , ସମସ୍ତଙ୍କ ଠୁ ଯିଏ ଅଧିକ ତତେ ଭଲପାଏ ଆଉ ସମସ୍ତଙ୍କ ଠୁ ସେ ତୋ ଆଖିରେ ସବୁଠୁ ପ୍ରିୟ ପ୍ରିୟ ଲାଗନ୍ତି ।


 ଯିଏ ‌‌‌‌ତୋ ଆଖି ସାମ୍ନାରେ ‌‌‌‌‌‌‌‌‌‌‌ନ ଥିଲେ ସାରା ଦୁନିଆଁଟା ଫିକା ଫିକା ଲାଗେ , ଆଉ ଯେତେବେଳେ ଆଖି ସାମ୍ନାରେ ଥିବା ମଣିଷ ଆଉ ତୋର ଉଭୟଙ୍କ ଭାବନା ପ୍ରାୟ ସମାନ ହୋଇଯାଏ ସେତେବେଳେ ସେ  ବୟଫ୍ରେଣ୍ଡ୍ ହୋଇଯାନ୍ତି ।


ମୁଁ କହିଲି ସ୍ବପ୍ନା କୁ - ମୋର ବି ବୟଫ୍ରେଣ୍ଡ୍ ଅଛନ୍ତି ‌ । ମୁଁ କ'ଣ ଚାହେଁ କହିବା ଆଗରୁ ସେ ଜାଣି ଦିଅନ୍ତି , ମୁଁ ମନ ଦୁଃଖ କଲେ ସେ ଲୁହ ଗଡାନ୍ତି , କିଛି ମାଗିବାକୁ ପଡିନି ତାଙ୍କୁ ଆବଶ୍ୟକ ପୂର୍ବରୁ ଭରପୁର ଖଞ୍ଜି ଥାନ୍ତି , ମୋତେ ସମୁଦ୍ରେ ଭଲପାଇବା ଦିଅନ୍ତି ଆକାଶ ପରି ପ୍ରେମ କରନ୍ତି । ମୋର ଟିକି ନିକି ଯତ୍ନ ନିଅନ୍ତି , ଦୁନିଆଁ ଭିତରେ ସବୁଠୁ ଅନ୍ତରଙ୍ଗ ଆଉ ବିଶ୍ବସ୍ତ ମଣିଷ ମୋତେ ସେହିଁ ଲାଗନ୍ତି ।

 ମୋ ପାପା । ମୋ ପାପା ମୋ ବୟଫ୍ରେଣ୍ଡ୍ । ' ପାପା ମୁଁ ଠିକ୍ କହିଲି ନା ସ୍ବପ୍ନା କୁ ? "



- " ହଁ ତୁ ଠିକ୍ କହିଚୁ । ଆଛା ବୟଫ୍ରେଣ୍ଡ୍ ମାନଙ୍କୁ ସବୁ ନୂଆ ନାଁ ରେ ଡାକନ୍ତି , ଜାନୁ ହବି ହନି ବେବି ତେବେ ତୁ ମୋତେ କୋଉ ନାଁ ରେ ଡାକିବୁ ?



- ମୁଁ , ମୁଁ ତୁମକୁ ଡାକିବି , ମୋତେ ଏସବୁ ନା ଭଲ ଲାଗୁନି , ମୁଁ ତମକୁ ଡାକିବି , ପାପା ଫ୍ରେଣ୍ଡ୍ । 



- ଆଛା ହେଉ ଠିକ୍ ଅଛି ।



********


ଏମିତି କଥାବାର୍ତ୍ତା ଏମିତି ଆମ ସମ୍ପର୍କ.... 


ତୁ ଯେତେବେଳେ ମୋ ଛାତିରେ ମୁଣ୍ଡ ଗୁଞ୍ଜି ନିଶ୍ଚିନ୍ତରେ ଶୋଇ ଯାଉ ସେତେବେଳେ ମୁଁ ତତେ ନେଇ ଏକ ସୁନ୍ଦର ଭବିଷ୍ୟତର କଳ୍ପନା କରୁଥାଏ ଯୋଉଥିରେ ତୋ ପାଇଁ କେବଳ ଖୁସି ହିଁ ଖୁସି ଥିବ ।


ଈଶ୍ଵରଙ୍କୁ ସମସ୍ତେ କୁହନ୍ତି ଆମ ବୟସ ପିଲା ମାନଙ୍କୁ ଲାଗିଯାଉ ହେଲେ ତୋ ଭଲପାଇବାରେ ମୁଁ ଏମିତି ଅନ୍ଧ ଯେ ମୁଁ ଚାହେଁନା ମୋ ବୟସକୁ ତୁ ଧାରେ ନେ ବୋଲି ବରଂ ମୁଁ ଚାହୁଁଛି ତୁ ତୋ ପ୍ରତ୍ୟେକ ମୁହୂର୍ତ୍ତ ମୋ ସାଥିରେ ବିତା । ତୋ ଠୁ କମ୍ ବୟସରେ ମୁଁ ଯିବାକୁ ମୋଟେ ଚାହେଁନା ମୁଁ ଚାହେଁନା ତୋ ଠୁ ପାଇବାକୁ ଥିବା ସାନିଧ୍ୟକୁ ଆଉ କେ ହାତେଇ ନଉ । ମୁଁ ସବୁବେଳେ ତୋ ସାଥେ ସାଥେ ରହିବାକୁ ଚାହେଁ ।


-------


- " ଆଇ ଲଭ୍ ୟୁ ପାପା ଫ୍ରେଣ୍ଡ୍ "


- " ଲଭ୍ ୟୁ ଭେରି ମଚ୍ ମାମା " 


- " ପାପା ଫ୍ରେଣ୍ଡ୍ , ତୁମେ ମୋତେ ମାମା କ'ଣ ପାଇଁ ଡାକୁଛ ଏତେ ଭଲ ନାଁ ସବୁ ଥାଉ ଥାଉ ?


-" କାହିଁକି ନା ତୁ ହେଉଛୁ ମୋ ମାମା ମୋ ବୋଉ " 


- " ଆଛା ପାପା ଫ୍ରେଣ୍ଡ୍ , ମୋତେ ଯଦି କେ କିଡନାପ କରି ନେଇଯାଏ ? ତମେ କଣ କରିବ ? 


- " ମୋ ପାଖରୁ ତତେ କେହିବି ନେଇ ପାରିବେନି " 


- " ମୁଁ ଜାଣିଛି , ହେଲେ ସବୁବେଳେ ମୁଁ ତମ ପାଖରେ ତ ରହୁନି ନା । ଯଦି ବାହାରେ ଥିବା ବେଳେ କିଏ ନେଇଯାଏ ତେବେ ? 


- " ତେବେ ମୁଁ ଶନିଦେଓ୍ବଲ ପରି ଦୁଇଟା ଚାପୁଡାରେ ତାକୁ ବେହୋସ୍ କରି ତା ପୁଅକୁ କିଡନାପ କରି ନେଇ ଆସିବି ।

 

- " ତାକୁ ତ ମାରିବ ବୁଝିଲି , ହେଲେ ତା ପୁଅକୁ କାହିଁକି କିଡନାପ କରିବ ବୁଝି ପାରିଲିନି ପାପା ଫ୍ରେଣ୍ଡ୍ ।"


-" ମୋ ମାମା କୁ କିଡନାପ କଲେ ମୋତେ କେତେ କଷ୍ଟ ହୁଏ ସେବିତ ଜାଣୁ ।


- " ଓଃ...."


- " ପାପା ଫ୍ରେଣ୍ଡ୍ ଯଦି ଆଁ....ଯଦି ... ମୁଁ ମରିଯାଏ ....ତେବେ ତମେ କଣ କରିବ ? " 


ସେଦିନ ମାମା ପାଟିରୁ ଏଇ କଥା ପଦକ ସାରିଛି କି ନାହିଁ ଗୋଟେ ଶକ୍ତ ଚାପୁଡ଼ା ବସେଇ ଦେଲି ତା ବାଁ ଗାଲରେ ।


ଏଇ ହାତ ଉଠାଇବା ମୋର ତା ଉପରକୁ ପ୍ରଥମ  ଆଉ ଶେଷ ଥର ହିଁ ଥିଲା । ତା ଆଗରୁ କେବେ ଉଠେଇ ନଥିଲି କି ତା ପରେ ବି ନୁହେଁ ।


- " ଛୋଟ ବେଳୁ ମୁହଁ ଦେବାରୁ ଅଧିକ ଫାଜିଲ୍ ହୋଇ ଗଲୁଣି । ଆଉ ଦିନେ ଏମିତି କଥା କହିଲେ ମୁଁ ତୋ ସହ କଥା ହେବିନି କହି ଦେଉଛି ‌। "


ମୁଁ ସିନା ତାକୁ କହିଲି କଥା ହେବିନି ହେଲେ ସେ ମୋ ସହ କଥା ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ହୋଇନଥିଲା ପୂରା ମାସେ ଟେ ।


ତାକୁ ମନେଇ ବାକୁ କ'ଣ କ'ଣ ନକରିବାକୁ ପଡ଼ିଛି ତା ଭାବିଲେ ଏବେ ହ‌ସ ମାଡେ ଯେତିକି ସେତିକି କାନ୍ଦ ।


ରାତି ରାତି ଅନିଦ୍ରା ହୋଇ ଗେହ୍ଲା କରିଛି । ଏଟା ଖାଇବିନି ସେଟା ଖାଇବିନି ଫୋପଡା କଚଡା ସବୁ ସହିଛି । ଟିଭି , ନୂଆ ମୋବାଇଲ ଦୁଇଟି , ଡ୍ରେସିଂ ଟେବଲର ପୁରୁଣା ଆଇନା ଗୋଟେ , ଆଉ ନୂଆ ଲଗାଇଲା ପରେ ଆଉ ଗୋଟେ ହରେଇଛି । ଗେହ୍ଲା କରିବାକୁ ଯାଇ ବିଧା ଗୋଇଠା ଚାପୁଡ଼ା କହୁଣିଆ ମୁଣ୍ଡିଆ ଖାଇଛି । ଆଉ ତାର ସବୁଠୁ ମାରାତ୍ମକ ଚାହାଣୀର ଶିକାର ହୋଇଛି । ଇସ୍ କି ସେ ଚାହାଣୀ ରାଜା ବି ଭୟରେ ରାଜ୍ୟ ତ୍ୟାଗ କରି ପଳେଇବ ।


 ମୋ ଦେହ ଠୁ ମନ ଯାଏ ସବୁର ଯତ୍ନ ନେଉଥିବା ।

ପ୍ରତି ମୁହୂର୍ତ୍ତରେ କଥାରେ କଥାରେ ଖୁସି ଉପହାର ଦେଉଥିବା ମୋ ମାମା , ଦିନେ ମୋତେଛାଡ଼ି ଚାଲିଗଲା ।


ସେ ମୋତେ ଛାଡି ଯିବା ପରେ ମୁଁ ସହି ପାରିଲିନି ।

ସମୁଦିକୁ ଖବର ଦେଲି ମୁଁ ମାମା ସାଥିରେ ରହିବି , ନହେଲେ ମାମା ଆଉ ସୌମ୍ୟ ମୋ ପାଖରେ ରୁହନ୍ତୁ ନହେଲେ ସତରେ ମାମାକୁ ମୁଁ ଆଖି ଆଗରେ ନ ଦେଖିଲେ ଶାନ୍ତିରେ ନିଃଶ୍ବାସ ବି ନେଇ ପାରିବିନି। 

ସାରା ଦୁନିଆଁ ମୋ ପାଇଁ ଅନ୍ଧାର ତା ବିନା , 


ସମୁଦି ବହୁତ ବୁଝାଇଲେ ଆଶ୍ଵାସନା ସାନ୍ତ୍ଵନା ଦେଇ ବିଦାକଲେ ମୋତେ ।


ହେଲେ ମୋ ଦେହ ମୁଣ୍ଡ ବିଲକୁଲ ଭଲ ରହିଲାନି ତା ବିନା , ମୁଁ ଯେତିକି ଅସୁସ୍ଥରେ କଷ୍ଟ ପାଉନଥିଲି ତାଠୁ ଅଧିକ ଯନ୍ତ୍ରଣା ପାଉଥିଲା ମୋ ମାମା ମୋ ଅସୁସ୍ଥ ଖବର ଶୁଣି କି ।

ତାକୁ ଜଣେଇ ନଥିଲି ହେଲେ ଦିନେ ଅଚାନକ ମୋତେ ନ ଜଣେଇ ଚାଲି ଆସିଥିଲା ଘରକୁ । ସେତେବେଳେ ବିଛଣାରେ ମୁଁ ଶୋଇଥିଲି ଘୋଡି ହୋଇ । ମୋତେ ଦେଖି ତା ଆଖି ଛଳ ଛଳ ହୋଇଗଲା । ମୋ ଦେହରେ ପ୍ରବଳ ତାତି ହାତ ମାରି ଚମକି ପଡିଲା , ସୌମ୍ୟକୁ କହି ମେଡ଼ିସିନ ନେଇ ଆସିଲା । ମୁଁ ସୁସ୍ଥ ଥିବାର ଯେତେ ଅଭିନୟ କଲେ ବି ତା ଆଖିରେ ଲୁଚି ପାରିଲିନି । 


ସୌମ୍ୟକୁ ବିଦା କରି ଦେଇ ମାମା ମୋ ପାଖରେ ପ୍ରାୟ ସପ୍ତାହଟେ ରହିଲା । ମୋର ସେବା ଯତ୍ନ କଲା , ମନ ଦୁଃଖ କରି ଉଦାସ ରହିଲା । ମୋ ଦେହ ଟିକେ ଭଲ ହୋଇ ଆସିଲା ତାକୁ ପାଖରେ ପାଇ ।


 ମୋ ପାଖରେ ବସି ମୋତେ ବୁଝାଇଲା


- " ମୋତେ ଛାଡ଼ି ଯଦି ମୁହୂର୍ତ୍ତେ ରହି ପାରିବନି ମୋତେ ବାହାଘର କାଇଁ କରଉଥିଲ ? ନ ବାହା ହୋଇ ବରଂ କୁଆଁରୀ ରହି ଯାଇଥାନ୍ତି ମୋର କିଛି ଦୁଃଖ ନଥାନ୍ତା ।ହେଲେ ପାପା ତମର‌ ଏ ଅବସ୍ଥା ମୁଁ ଦେଖି ପାରୁନି । ନିଜର ଯତ୍ନ ନିଅ ପାପା ଏମିତି ଛୋଟ ପିଲାଙ୍କ ପରି ହୁଅନି । ଭୋର୍ ରୁ ମର୍ଣିଂଓ୍ବାକ କର , ବାହାରେ ବୁଲା ବୁଲି କର , ନୂଆ ନୂଆ ଫିଲ୍ମୀ ଦେଖିଯାଅ । ସାଙ୍ଗ ମାନଙ୍କୁ ଘରକୁ ଡ଼ାକି ସଂଧ୍ୟାରେ ଚା ଖଟି ଗପ ସପ କର । ଯାହା ଇଛା ହେଉଛି ସେୟା କର କିନ୍ତୁ ଖୁସିରେ ରୁହ ବିନ୍ଦାସ ରୁହ ପାପା । ସତ କହୁଛି ପାପା ତମେ ଏମିତି ରହିଲେ ମୁଁ ଜମା ଖୁସିରେ ରହି ପାରିବିନି ।


ଠିକ୍ ଅଛି ଯଦି ତମେ ତମ ମାମା ର ଖୁସି ଚାହୁଁନ ତେବେ ଠିକ୍ ଅଛି ନିଜେ ଏମିତି ରୋଗିଣା ଅଯତ୍ନରେ ଦୁଃଖି ରହିବା ସହ ତମ ମାମାକୁ ସେମିତି କରିଦିଅ ।" 


- " ନାଇଁ ମାମା ସେମିତି କହନି , ତୁ ଯାହା କହିବୁ ମୁଁ ସବୁ ମାନିବି । ଆଉ ଯମା ମନ କଷ୍ଟ କରିବିନି କି ତୋ କଥା ଭାବି କାନ୍ଦିବିନି । ଦେଖିବୁ ତୋ ପାପା ତୋ ବିନା ବି ଖୁସିରେ ବଞ୍ଚିବା ସିଖିଯିବ । ସମସ୍ତଙ୍କ ସହ ସମୟ ବିତେଇ ବିନ୍ଦାସ ଜୀବନକୁ ଉପଭୋଗ କରିବ ।" 


" ମୋ ସୁନା ପାପା " 

କହି ମାମା ଯେତେବେଳେ ମୋ ମଥାରେ ଚୁମ୍ବନଟେ ଦେଇ ଦେଲା ପୁଣି ଥରେ ମୋତେ ସେ ମା ପରି ଲାଗିଲା । ଯାହାକୁ ଡରୁଥିଲି ପୁଣି ତାହା ଘଟିଗଲା ।


ଶେଷରେ ପୁଣି ମୋ ମା ମୋତେ ଛାଡ଼ି ପଳେଇଲା । 


ଏଥର ପ୍ରାୟ ସବୁ ଦିନେ ଫୋନ୍ କରି ଭଲ ମନ୍ଦ ପଚାରି ବୁଝେ । କିଛି ନୂଆ ସ୍ବାସ୍ଥ୍ୟ ସମ୍ବନ୍ଧିୟ କଥା ୟୁଟ୍ୟୁବରେ ଦେଖିଲେ ମୋତେ ଆଗ ଜଣାଏ , ଆଉ ତାକୁ ପାଳନ କରିବାକୁ କୁହେ ମୁଁ କରେ । 


ଟିଭିରେ କିଛି ଧାରାବାହିକର ନାଁ ବି କହି ଦେଇଛି । ଯାହାକୁ ଦେଖିଲେ ବହୁତ ଖୁସି ଲାଗେ ।


ଭିଡିଓ କଲିଙ୍ଗ କରି ମୋତେ ଶାସନ କରେ ସବୁ ଦିନ ।

ସେ ସାର୍ଟ ସଫା କାଇଁ ହେଇନି ? ସେଠି ବିନା ଆଇରନରେ ଧୋବା ଘର ଭଳି କାଇଁ ଫୋପାଡିଛ ? ବିଛଣା କାଇଁ ସଜଡ଼ା ଯାଇନି ? ବାଳ , ନିଶ ଦାଢ଼ି ଏତେ ବଡ଼ ବଡ଼ କ'ଣ ପାଇଁ ରଖିଛ ? ଆଜିରେ ଯାଇ କାଟି ଆସିବ । ସେ ପୁରୁଣା ଚପଲ ବଦଳେଇ ନୂଆ ଚପଲ ଆଣିବ। ସେ ଭିଟାମିନ ଟନିକ ଖାଉଛ ଛ ନାଇଁ ? ସବୁ ଦିନ ରାତିରେ ଖାଇବା ପରେ ଉସୁମ କ୍ଷୀର ଗ୍ଲାସେ ପିଉଛ ନା ନାଇଁ ?



ବାପ୍ ରେ ବାପ୍ ସେ ପାଖରେ ନଥିଲା ମନ ଦୁଃଖ କରୁଥିଲି । ଏବେ ଏମିତି ପାଖରେ ରହି ଏତେ ତାଗିଦ୍ କରୁଛି ଯେ । ପ୍ରାୟ ସମୟ ମିଛ କହି ଲୁଚି ଯିବାକୁ ପଡୁଛି । ସେ ମୋ ମାମା ନୁହେଁ ମୋତେ ଏବେ ମାଷ୍ଟରାଣୀ ପରି ଲାଗୁଛି । ମୁଁ ତା ପାପା ନୁହେଁ ତା ଛାତ୍ର ଯେମିତି । ପାଠ ନକରିଥିଲେ ଛାତ୍ର ଟେ ଯେମିତି ଡରି ଡରି ରୁହେ ମୁଁ ଏବେ ସେମିତି ଡରି ଡରି ରହୁଛି ମୋ ମାମା ଠୁ । କେତେ ବା ନିଜକୁ ଆଉ ସଜାଡିବ ଯେ ମଣିଷ ?  



**************


ଆଜି କାଇଁ ଅଦିନିଆ ବର୍ଷା ଟା ଲାଗି ରହିଛି ଝିପ୍ ଝିପ୍ ।


ମନେ ପଡିଗଲା ସେଦିନର କଥା ମାର୍କେଟରୁ ଫେରୁଛି ଏମିତି ଏକ ଝିପ ଝିପ ବର୍ଷାରେ । ବାଇକ ରେ‌ ଝିପ ଝିପ ବର୍ଷାରେ ଯାହା ଅବସ୍ଥା ... । ବନ୍ଦ ଥିବା ପାଖ ଦୋକାନ ପିଣ୍ଡାକୁ ଉଠିଗଲି । କିଛି ଶବ୍ଦ ଶୁଭିଲା ଛୋଟ ପିଲା କାନ୍ଦୁ ଥିବାର । ଶବ୍ଦ ବାରି ପାଖକୁ ଗଲି ତ ଛାନିଆ ହୋଇଗଲି । ଡଷ୍ଟବିନରେ ଧଳା କପଡାରେ ଗୁଡା ହୋଇ ପଡ଼ିଛି କଅଁଳ ଛୁଆ ଟିଏ । ଆଉ ଧୈର୍ଯ୍ୟ ଧରି ପାରିଲିନି ନେଇ ଆସିଲି ସାଙ୍ଗରେ ।


ବୋଉ ବି ସହମତି ଦେଲା ସେ ଆମ ଘରେ ରହିଲା ମୋ ଝିଅ ହୋଇ । ବୟସ ୩୧ ହେଲା ବାହାଘର ଖୋଜା ଗଲା ମୋର । ଝିଅ ଘର ତରଫରୁ ପ୍ରସ୍ତାବ ଦେଲେ ଏ ପାଳୀତ ଝିଅକୁ ଅନାଥାଶ୍ରମରେ ଛାଡ଼ିଲେ ଯାଇ ସେ ତାଙ୍କ ଝିଅକୁ ବାହା ଦେବେ ନହେଲେ ନାଇଁ । ପ୍ରାୟ ଦୁଇ ତିନି ଟି ପ୍ରସ୍ତାବରେ ଏମିତି ଏକା  ଉତ୍ତର ଝିଅଠୁ ଅଲଗା ରହିବା କଥା ଶୁଣି ଶୁଣି ବାହାଘରକୁ ଛି କରିଦେଇ ସିଧା ମନା କରିଦେଲି ବୋଉକୁ ମୁଁ ବାହା ହେବିନି ।



ଆଜି ପାଖରେ ମୋ ବୋଉ ନାଇଁ କିନ୍ତୁ ଥିଲେ ବହୁତ ଖୁସି ହୋଇଥାନ୍ତା ଯେ ମୋ ମାମା ତାପରି ମୋର କେତେ ଯତ୍ନ ନେଉଛି ।  


ମୋତେ ଅନ୍ୟମନସ୍କ ତାରୁ ଫେରେଇ ଆଣିଲା ମୋବାଇଲ , 


ମାମା ଭିଡିଓ କଲ୍ କରିଛି 


ମୋ ଆଖି ଖୋଜି ବୁଲିଲା ମୋ ନିଜ ପ୍ରତି ଅଯତ୍ନର କୌଣସି ସମ୍ଭାବନା ଅଛି କି ଆଖ ପାଖରେ ...


-------------------୦୦୦------------------

✍️.. ପରମେଶ୍ବର ଓଝା

ମହାକାଳପଡ଼ା  ,   କେନ୍ଦ୍ରାପଡ଼ା

ମେଲ୍ -- ojhaparameswar@gmail.com

ମୋ-- ୬୩୫୫୧୩୩୩୦୧


Rate this content
Log in

Similar oriya story from Tragedy