STORYMIRROR

Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ସୁନା ବୋହୂ-ଭାଗ-୧୦

ସୁନା ବୋହୂ-ଭାଗ-୧୦

5 mins
176

【ଭାଗ -୧୦】 


【ପୂର୍ଵ ଭାଗରେ ଆପଣମାନେ ପଢିଥିଲେ ..... ରାମ ଏବଂ ଅନସୂୟା, ଦୁହିଁଙ୍କ ମଧ୍ୟରେ ଥିବା ତିକ୍ତତାରେ କିଞ୍ଚିତ ବୁଝାମଣାରେ ସମାଧାନ ହୋଇବା ସହ, ବିବାହ ପାଇଁ ସବୁ ପ୍ରସ୍ତୁତି ସରିଯାଇଥାଏ ......ଆଉ ତା ପରେ 】 


ସକାଳୁ ଦୁଇ ପରିବାରଙ୍କର ଘରେ ବନ୍ଧୁ ବାନ୍ଧବଙ୍କର ଗହଳି ଲାଗିଯାଇଥାଏ । ସମସ୍ତେ ପୁରା ବ୍ୟସ୍ତ ଥିଲେ ବାହାଘର ପାଇଁ। ରାମଙ୍କର ଘର ତରଫରୁ ଅନୁକୂଳ ଭାରରେ କୁଇଣ୍ଟାଲେ ମିରିକାଳୀ ମାଛ, ପନିପରିବାକୁ ଗାଡିରେ ଲଦି ମାମୁଁ ରବି, ବାରିକକୁ ସାଥିରେ ଧରି ଝିଅ ଘର ଅଭିମୁଖେ ଯାତ୍ରା ପୂର୍ଵ ନିର୍ଦ୍ଧାରିତ ସମୟ ଅନୁସାରେ କରନ୍ତି । ବାକି ଅନ୍ୟ କାମ ସବୁ କିଛି ସୁରୁଖୁରୁରେ ଚାଲିଥାଏ। 


  ଅନୁକୂଳ ଭାର ପହଞ୍ଚିଲା ପରେ, ଅନସୂୟାଙ୍କର ଘରେ ଦାଦା ପୁଅ ଭାଇଙ୍କୁ ବରଧରା ବେଶରେ ସଜେଇ ହେଲା ପରେ, ରାମଙ୍କର ଘର ଅଭିମୁଖେ ଜୁଆଇଁ ବରଣ କରିବାକୁ ବାହାରି ଆସନ୍ତି।

  ସନ୍ଧ୍ୟାରେ ରାମ ବାଡୁଅ ପାଣିରେ ଗାଧେଇଲା ପରେ, ବରଧରା ସହ ବେଦୀରେ ଅନୁକୂଳ କର୍ମ କରାଯାଇ, ବରଧରା ଜୁଆଇଁକୁ ବରଯାତ୍ରୀଙ୍କ ଗ୍ରହଣରେ ବିବାହ କରିବା ପାଇଁ କନ୍ୟା ପାର୍ଥିଙ୍କୁ ଅନୁରୋଧ କରି ପ୍ରତ୍ୟାବର୍ତ୍ତନ କରେ । ଚନ୍ଦନ, ଅତର, ବରଣ ମାଳ ପିନ୍ଧି ରାମ ବରଯାତ୍ରୀଙ୍କ ଗ୍ରହଣରେ ବିବାହର ରୋଷଣୀ ଆରମ୍ଭ କରି ଦିଏ । ବରଯାତ୍ରୀମାନେ ଡିଜେ ଗୀତ ସହ ବିଭିନ୍ନ ନାଚରେ ସମସ୍ତେ ଝୁମୁ ଥିଲେ । ବିଭିନ୍ନ ପ୍ରକାରର ଆତାସ ବାଜିର ଝଲକ ଦେଖିବା ପାଇଁ ରାସ୍ତା କଡରେ ପଡୋଶୀଙ୍କର ଗହଳି । ରାମ ବର ବେଶରେ ଖୁବ ସୁନ୍ଦର ଦେଖା ଯାଉଥାଏ । ଭଲପାଇ, ପରିବାର ସହମତିରେ ବାହା ହଉଥିବାରୁ ସେ ବହୁତ ଖୁସି ଥାଏ । ସାଙ୍ଗ ସାଥି ମାନଙ୍କର ମନୋରଞ୍ଜନ ପାଇଁ ରାମ ମଦର ବିଭିନ୍ନ ପ୍ରକାର ବ୍ରାଣ୍ଡ ଯୋଗାଇ ଦେଇ ଥାଏ । ବରଯାତ୍ରୀଙ୍କର ନାଗିନ ନାଚରେ ପୁରା ଧୂଳି ଉଡ଼ୁଥିଲା ରାସ୍ତାରେ । ରାମ, ବର ବେଶରେ ଘୋଡାରେ ସବାରୀ କରି ଆସୁଥାଏ । ବର ଆସିବାର ଖବର ପାଇଲା ପରେ ଅନସୂୟାଙ୍କର ଘରେ ଭାଉଜମାନେ 

ପାଣି- ତୋଳା କାର୍ଯ୍ୟକ୍ରମ ମା, ଗ୍ରାମ ଦେବତୀଙ୍କୁ ଝିଅର ମଙ୍ଗଳ କାମନା କରିବା ପାଇଁ, ସର୍ବଦା ତାର ସଂସାର ହସ ଖୁସିରେ ରହୁ ବୋଲି ସେଠାରେ ମା'ଙ୍କର ଆଶୀର୍ବାଦ କାମନା କରନ୍ତି। 


ଝିଅ ଘର ପାଖାପାଖି ହେଲା ପରେ, ବରଯାତ୍ରୀମାନଙ୍କୁ, ମହାପ୍ରସାଦ ସେବନ ସହ ଥଣ୍ଡା ପାନୀୟ ଜଳ ସମସ୍ତେ ପାନ କରି ସାରିଲା ପରେ, ପୂର୍ଵ ପ୍ରସ୍ତୁତରେ ବିଭିନ୍ନ ପ୍ରକାର ଖାଦ୍ୟ ବ୍ୟଞ୍ଜନର ସମସ୍ତେ ଆନନ୍ଦ ପୂର୍ଵକ ସେବନ କରୁଥାନ୍ତି । ଅନ୍ୟ ଦୃଶ୍ୟରେ ବରକୁ ଦାଣ୍ଡରେ ବାଟ ବରଣୀ ଶଶୁର ଆସି କରନ୍ତି। ପୂଜକ ଏବଂ ବାରିକଙ୍କର ଉପସ୍ଥିତିରେ ବାଟ ବରଣି କର୍ମ ସମାପ୍ତ ହେଲା ପରେ, ରାମକୁ ଶଳାମାନେ ଟେକି ଟେକି ଆସ୍ଥାନ ପାଖକୁ ନେଇ ଯାଆନ୍ତି । 

 

  ବ୍ରାହ୍ମଣ,ନାହାକଙ୍କ ବେଦ ଧ୍ଵନିରେ ପୁରା ପରିବେଶରେ ଏକ ସୁନ୍ଦର ବାତାବରଣ ସୃଷ୍ଟି ହେଉଥାଏ । ସାତ କଳସ ଆଠ ଦ୍ୱୀପକୁ ସାକ୍ଷୀ ରଖି, ତେତିଶ କୋଟି ଦେବତାଙ୍କର ଗ୍ରହଣରେ, ସୂର୍ଯ୍ୟ, ଚନ୍ଦ୍ରଙ୍କର ଆରାଧନା ସହ ପଞ୍ଚ ଭୂତଙ୍କୁ ହୋମ ମାଧ୍ୟମରେ ଆବହାନ ବିବାହ ମଣ୍ଡପରେ କରାଯାଏ । ବର ବଧୂଙ୍କର ମଙ୍ଗଳ କାମନା ପୂର୍ଵକ ବିବାହର ଯଥା ବିଧି ପୁରୋହିତ ସମ୍ପାଦାନ କରନ୍ତି ।ବ୍ରାହ୍ମଣ, ବରକୁ ମନ୍ତ୍ର ଉଚ୍ଚାରଣରେ କନ୍ୟାର ମଥାରେ ମଙ୍ଗଳ ସୂଚକ ଧର୍ମ ପତ୍ନୀ ରୂପେ ଗ୍ରହଣ କରିବା ଉଦ୍ଦେଶ୍ୟରେ ମଥାରେ ସିନ୍ଦୂର ଲଗେଇବା, ହାତରେ ଶଙ୍ଖା ପିନ୍ଧେଇବାକୁ ଏବଂ ତା ସହ ମଙ୍ଗଳ ସୂତ୍ର ପିନ୍ଧେଇ ବାକୁ କୁହନ୍ତି । ରାମ ସମସ୍ତ କର୍ମ ବେଦୀରେ ବ୍ରାହ୍ମଣଙ୍କର ପରାମର୍ଶକୁ ଅନୁସରଣ କରି, ଯଥା ବିଧି ମୁତାବକ କରି ଚାଲିଥାଏ । ବର ବଧୂ ବେଶରେ ଦୁହେଁ ଖୁବ ସୁନ୍ଦର ଦେଖା ଯାଉଥିଲେ । ଅନସୂୟା ମଧ୍ୟ ବେଶି ଖୁସି ଥିଲା ରାମର ବିବାହ ବସ୍ତ୍ରକୁ ଦେଖି, ଦୁହେଁ ପୁରା ମ୍ୟାଚ କରିଲା ଭଳି ଡ୍ରେସ ପିନ୍ଧି ଆକର୍ଷଣୀୟ ଦେଖା ଯାଉଥିଲେ । ହସ୍ତ ଗଣ୍ଠି ଖୋଲିବା ସମୟରେ ବର ଠାରୁ ଅନୁସାୟଙ୍କର ଦାଦା ଝିଅ ( ଶାଳୀ) ଆସି କିଛି ମୋଟା ଆଙ୍କର ରାଶି ଦାବି କରେ । ରାମ ମଧ୍ୟ ହସି ହସି ତାହା ପ୍ରଦାନ କରେ । ବାରିକାଣୀ ବର କନ୍ୟାଙ୍କୁ ଆରିସା ପିଠା ଖୁଆଇବାର ଖେଳ ଖେଳାଏ ଏବଂ ଶେଷକୁ କଉଡି ଖେଳରେ ଅନସୂୟା ବାଜିମାତ୍ କରେ ରାମକୁ ହରାଇ । 


  ହୋମର ବେଦୀକୁ ସାକ୍ଷୀ ରଖି ନବ ଦମ୍ପତ୍ତି ସାତ ଭେରାରେ ସାତ ଜନ୍ମର ସାଥେ ରହିବାକୁ ବଚନ ନିଅନ୍ତି। 

ଉଭୟଙ୍କୁ ଉପସ୍ଥିତ ଦୁଇ ପରିବାରର ସଦସ୍ୟଙ୍କ ତରଫରୁ ପୁଷ୍ପ ପକାଇ ଆଶୀର୍ବାଦ କରନ୍ତି । ଶେଷରେ ସେମାନେ ଗୁରୁଜନଙ୍କର ପାଦ ସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରନ୍ତି । ସମସ୍ତେ ଆଶୀର୍ବାଦ କରି ସାରିଲା ପରେ ବିବାହର କର୍ମ ସମ୍ପାଦନ ହୁଏ । ଦୁଇ ସମୁଦି ଆଲିଙ୍ଗନ କରି, ଭାଵର ଆଦାନ ପ୍ରଦାନ କରନ୍ତି ଏବଂ ସମ୍ପର୍କର ଡୋରିରେ ବାନ୍ଧି ହୋଇଯାଆନ୍ତି । 


   ସକାଳୁ ବର, ବଧୂ ଉପବାସକୁ ସମାପ୍ତ କରି, ନିଜର ନିତ୍ୟ କର୍ମ ସାରିଲା ପରେ, ଶାଶୁ ଏବଂ ଆଈଙ୍କ ଠାରୁ ରାମ ଅନ୍ନ ଜଳ ପାନ ଆହାର କରେ । ତା ପରେ ଝିଅ ବିଦାୟର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଏ । 


  ସମସ୍ତଙ୍କୁ ଦେଖି ଲୋତକର ଅଶ୍ରୁରେ ଅନସୂୟା ବିଦାୟର ଅନୁମତି କାନ୍ଦଣା ମାଧ୍ୟମରେ ମାଗୁଥାଏ । 


ଅନସୂୟା:- ବୋଉକୁ ଧରି କାନ୍ଦି କାନ୍ଦି ବାହୁନି ଥାଏ ....!!!!

  

     କଦଳୀ କାଟିଲେ କଂସା ପୁରେଇ ଲୋ ...ବୋଉ ।

     ତୋ ସାଙ୍ଗେ ଖାଇଲେ ପେଟ ପୁରେଇ ଲୋ.. ବୋଉ ।।

    ଦୁଵ ନେଉଟିଆ ଦୁଆର ଚେକା ଲୋ ..... ବୋଉ ।

    କାଲି ଅନ୍ନ ଥାଳି ଭୁଞ୍ଜିବୁ ଏକା ଲୋ .....ବୋଉ ।।

  ଶୀଳ ତଳେ ଗଲା ହଳଦୀ ପାଣି ଲୋ....ବୋଉ ।

   ତୋର ଡାକ ମତେ ଅମୂଲ୍ୟ ବାଣୀ ଲୋ ...ବୋଉ ।।

  ଶୀଳ ତଳ ପାଣି କାକର ହେବ ଲୋ .....ବୋଉ ।

   ତୋର ଡାକ ସାତ ସପନ ହେବ ଲୋ....ବୋଉ ।। 


ବାପାଙ୍କୁ ଦେଖି କାନ୍ଦି ଅନସୂୟା କାନ୍ଦଣାରେ କହୁଥାଏ 😢। 


  ଛତିଶ ପାଠକ ଦାଣ୍ଡେ ଯାଆନ୍ତି ଲୋ ....ବାପା ।

  ତୁମ ଠାରୁ ବୁଦ୍ଧି ମାଗି ନିଅନ୍ତି ଲୋ...... ବାପା ।।

  ମୋର ପାଇଁ ବୁଦ୍ଧି ହେଲା ନଖଟ ଲୋ ..ବାପା ।

  ଛୋଟ ତାଳ ଗଛ ମୋଟା ବରଡା ଲୋ...ବାପା ।

  ଛୋଟ ଲୋକଙ୍କର କଥା କରୋଡା ଲୋ ...ବାପା ।। 


ଏମିତି କେତେ କଣ କାନ୍ଦଣାରେ ଅନସୂୟା ବାହୁନି ବାହୁନି ନିଜର ଲୋକଙ୍କର ଗ୍ରହଣରୁ ବିଦାୟ ନେଇ,ଶାଶୁ ଘର ଆଭିମୁଖେ ଯାତ୍ରା କରେ ......।।

   ରାମ ଅନସୂୟାଙ୍କୁ ସାଥିରେ ଧରି ନିଜର ଘରେ ଆସି ପହଞ୍ଚିଲା ପରେ, ଶାଶୁ ମା ସହ ଅନ୍ୟ ବନ୍ଧୁ ଘର ଭାଉଜମାନେ ଦୁହିଁଙ୍କୁ ଧୂପ ଦୀପ, ଅରୁଆ ଚାଉଳ ଆଉ ଚନ୍ଦନ ଲଗେଇ ସ୍ୱାଗତ କରନ୍ତି । ଅନସୂୟା ଶାଶୁଘରର ଏରୁଣ୍ଡି ବନ୍ଧ ଡେଇଁବା ବେଳେ ଶୁଭ କଳସକୁ ନିଜର ଡାହାଣ ପାଦ ସ୍ପର୍ଶରେ ଆଳତାର ଥାଳିରେ ପାଦ ପକେଇ ଘର ଭିତରକୁ ଗୃହ ଲକ୍ଷ୍ମୀଙ୍କ ପରି ପ୍ରବେଶ କରେ । ରାମଙ୍କର ଘରେ ନବ ବଧୂର ଆଗମନରେ ସମସ୍ତେ ଖୁସି ଥିଲେ ।

  ରବି :- ଆଈ କଣ କହୁଥିଲେ ଆମ ବୋହୂ ପୁରା ମଡର୍ଣ୍ଣ କିଛି ବି ପରମ୍ପରା ଜାଣିନି ନାହିଁ !!! ଆଜି ଘରୁ ବିଦାୟ ନେଇ ଆସିଲା ବେଳେ ସେ(ଅନସୂୟା) ଯେଉଁ ବାହୁନା ବାହୁନି ଥିଲା ତୁମେ ଶୁଣିଲେ ଖୁସିରେ ନାଚି ଉଠିଥାନ୍ତ । ଏଇ ଦେଖୁନ ମୁଁ ରେକର୍ଡିଂ କରି ଆଣିଛି । ମୋବାଇଲରୁ ଭିଡିଓ କାଢି ରବି ଆଈଙ୍କୁ ଦେଖାଏ । 

 ଆଈ ବି ମନେ ମନେ ଖୁସି ହୋଇଯାଆନ୍ତି । ବୋହୂର ପରମ୍ପରାକୁ ମାନିବା ଦେଖି । ତାହା ନ ହୋଇଥିଲେ ଏତେ ମଡର୍ଣ୍ଣ ପିଲା ଆଉ କାନ୍ଧଣା ..... ଯାହା କହ ରବି ନାତୁଣୀ ବୋହୁ ଟା ମୋର ବହୁତ ଚାଲାକ ଅଛି । କେଉଁଠୁ ଶିଖିଲା କେମିତି ଏ ସବୁ କାନ୍ଧଣା !!! ଆଜି କାଲିର ଝିଅମାନେ ନାକ ଟିକେ ସୁଁ ସୁୱ କରି ବିଦାୟ ନେଇ ଆସି ଯାଉଛନ୍ତି । କାଳେ ତାଙ୍କର ମେକଅପ୍ ଖରାପ ହୋଇଯିବ ବୋଲି ।

  ହଉରେ ଦେଖିବା ରହ ବୋହୂ ଆମ କେତେ ସୁନା ନାଖି । ସମୟ କହିବ ନି !!!! 


  ରବି:- ମୋ ଭଣଜାର ପସନ୍ଦ ଉପରେ ମୁଁ ତ କିଛି ଖରାପ ଗୁଣ ବାରି ପାରୁନି ବୋହୂ ଠାରେ । ତୁମେ ଯାହା ଖାଲି ଆଈ ବାଛି ହେଉଛ ।

  ଆଈ:- ହଉରେ ମୁଁ ତ ଖରାପ କହୁଛି ଖାଲି, ଆଜି କାଲିର ଛୁଆ ତୁମେ ସବୁ କଣ ବୁଝିବ, ଘର ସଂସାର କାହାକୁ କୁହାଯାଏ। ବାହା ହୋଇପଡି ମାଇପ ଆଣି ଦେଲେ କଣ ଘର ସଂସାର ହୋଇଯାଏ କି ???? 

  ଘର ସଂସାର କରିବାକୁ ହେଲେ ବହୁତ କିଛି ସୁଖ ଦୁଃଖ ଭିତରେ ଜୀବନର ଗୃହସ୍ଥର ଯାତ୍ରା ଆରମ୍ଭ ହୁଏ ।ଦେଖି ବା ରହ ରାମ ଆମର କେମିତି ତା' ସଂସାରର ମଙ୍ଗ ଧରି ଆଗକୁ ବଢୁଛି । 


    କ୍ରମଶଃ.........


  

            


          



Rate this content
Log in

Similar oriya story from Tragedy