Sachidananda Kar

Tragedy

3  

Sachidananda Kar

Tragedy

ସତ ମିଛର ଖେଳ

ସତ ମିଛର ଖେଳ

2 mins
226


ସେ ଲୋକଟା ଦିନରାତି ' ହରେକୃଷ୍ଣ , ହରେକୃଷ୍ଣ ' ହୁଏ । କେବେ କେମିତି ଭଜନ ଗାଏ । 


ଜେଲର ସାତ ନମ୍ବର ସେଲରେ ରହୁଥାଏ ସେ ଲୋକଟା । 


ସେ ଜଣେ ସାଧାରଣ ବନ୍ଦୀ । ଜେଲରେ ରହିବାର କିଛି ଦିନ ପରେ ତା'ର ପାଗଳାମି ଆରମ୍ଭ ହୋଇଛି ଓ ଏଇ ପାଗଳାମି କାରଣରୁ ସେ ୱାର୍ଡରମାନଙ୍କୁ ଦେଖିଲେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରେ । ମନକୁମନ ବାଜେ କଥା ସବୁ ଗପୁଥାଏ । 


ସବୁଦିନେ ରାତି ପାହିଲେ ଉପସ୍ଥାନ ନେବାକୁ ୱାର୍ଡର ଆସନ୍ତି । ' ବୋଲୋରେ ସାତ ନମ୍ବର ' ଡାକ ଦେବା କ୍ଷଣି ସେ ବଡ ପାଟିରେ ଜବାବ୍ ଦେଇଦିଏ । 


ଆଗେ ୱାର୍ଡରମାନେ ତା' ସହିତ ଅନ୍ତରଙ୍ଗ ହେବା ପାଇଁ ବ୍ୟାକୁଳ ହେଉଥିଲେ । ତା' ଠାରୁ ତା'ର କାହାଣୀ ଶୁଣି ଖୁସି ହେଉଥିଲେ । ହେଲେ ଏବେ ଆଉ ସେପରି ହେଉନାହିଁ । ତା'ର ପାଗଳାମି ବାହାରିବା ଦିନରୁ ସେମାନେ ଦୂରେଇ ଯାଇଛନ୍ତି । 


ପାଖ ସେଲର କଏଦୀମାନେ ବେଳେବେଳେ ୱାର୍ଡରଙ୍କୁ ଲାଞ୍ଚ ଦେଇ ବାହାରକୁ ଚାଲି ଆସନ୍ତି । ସାତ ନମ୍ବର ସେଲ ପାଖକୁ ଯାଇ ସେ ପାଗଳର ନାଁ ଧରି ଡାକନ୍ତି । ତାକୁ ବିରକ୍ତ କରାନ୍ତି । 


ତା'ର ନାଁ ଧରି ଡାକିବା ମାତ୍ରେ ସେ ବକାବକି, ଗାଳିଗୁଲଜ ଆରମ୍ଭ କରିଦିଏ । ତା'ର ଏପରି ଆଚରଣକୁ କିଛି ସମୟ ପାଇଁ ଉପଭୋଗ କରନ୍ତି ସେମାନେ । ପୁଣି ନିଜ ନିଜର ସେଲକୁ ଫେରିଯାନ୍ତି । 


ନିଜର ବଡ ଭାଇକୁ ଖୁନ୍ କରିବା ଅପରାଧରେ ବିଚରା ସଜା ଭୋଗୁଛି । ହଁ, ଅପରାଧୀଙ୍କ ପାଇଁ ତ ଜେଲଖାନା ରହିଛି । 


ସିଏ ଏକ ଅତି କୁତ୍ସିତ କାହାଣୀ । ତା'ର ପାରିବାରିକ ଜୀବନର କଦର୍ଯ୍ୟ ପଙ୍କିଳତାର କାହାଣୀ । ଏକଥା ତା'ର ସ୍ତ୍ରୀ ଜଜ୍ ସାହେବଙ୍କ ଇଜଲାସରେ ସମସ୍ତଙ୍କ ଆଗରେ ଫିଟାଇ କହିଛି । 


 ହଁ, ନ କହିବ କେମିତି ! ସେତକ ନ କହିଥିଲେ ସେ ବିଚରା ଅପରାଧୀ ସାବ୍ୟସ୍ତ ହୋଇ ପାରିଥାନ୍ତା କ'ଣ !


- " ୟାଙ୍କ ବଡଭାଇ ଯିଏ କି ମୋର ଦେଢଶୁର ହୁଅନ୍ତି, ମୋତେ ବହୁତ ଭଲପାଆନ୍ତି । ୟାଙ୍କରି ଗୁଣରୁ ମୁଁ ତାଙ୍କୁ ଭଲ ପାଇଲି । ମୋତେ ରାତି ରାତି ଅବହେଳା କରିଛନ୍ତି ଇଏ । ଆପଣ ଏହାକୁ ଅବୈଧ କହିପାରନ୍ତି । ହେଲେ ଆମ ଦୁହିଙ୍କ ମଧ୍ୟରେ ସଂପର୍କ ଥିଲା । ସବୁ ରାତିରେ ଆମେ ଲୁଚିଛପି ମିଶୁ । ଦେହଖେଳରେ ମାତୁ । ଦିନେ ଏସବୁ ୟାଙ୍କ ଦୃଷ୍ଟିରେ ପଡିଲା । ଓ ସେତିକିରେ ଇଏ ରାଗିଯାଇ ଗୋଟେ ଶାବଳରେ ତାଙ୍କୁ ପିଟି ପିଟି ମାରିଦେଲେ । "


ଲଜ୍ଜା, ସରମ ଭୁଲି ଏହି ସବୁ କଥା ସେଦିନ ଜଜ୍ ସାହେବଙ୍କ ଆଗରେ ପ୍ରକାଶ କରିଥିଲା ତା'ର ସ୍ତ୍ରୀ । ଆଜି ସେଲ ଭିତରେ ଥିବା ବେଳେ ଏସବୁ କଥା ତା'ର ମନେପଡେ । ସେଦିନର କୁତ୍ସିତ ଦୃଶ୍ୟ ତା' ଆଖି ଆଗରେ ନାଚିଯାଏ । 


ଜିଲା ଜଜ୍ କୋର୍ଟର ରାୟ ପରେ ହାଇକୋର୍ଟରେ ଆପିଲ ହୋଇଥିଲା । ହେଲେ ତାହା ଖାରଜ ହୋଇ ଯାଇଛି । ସେଇଦିନରୁ ସାତ ନମ୍ବର ସେଲରେ ସେ ଅଛି ଯେ ଅଛି । ତାକୁ ଆଜୀବନ କାରାଦଣ୍ଡ ମିଳିଛି । 


  ଏବେ ସେ ପାଗଳ । ସଂପୂର୍ଣ୍ଣ ପାଗଳ । 


ୱାର୍ଡରମାନେ ସବୁଦିନେ ତା'ର ପାଗଳାମି ଦେଖନ୍ତି । ବୁଝନ୍ତି ମଧ୍ୟ । କିନ୍ତୁ କହନ୍ତି - ମିଛରେ ସେ ପାଗଳାମିର ଛଳନା କରେ । ଏପରି ଅନେକ ସେମାନେ ଦେଖିଛନ୍ତି । " ସରକାର ଐସା ଗୁଡବକ୍ ନହିଁ ହୈ " .. । ରିହାଇ ପାଇବା ଏତେ ସହଜ ନୁହେଁ । 


ଏଠି ସାଧାରଣ ଲୋକଟିଏର ଅବସ୍ଥା କେତେ ଲୋକ ବୁଝନ୍ତି ? ଏବେ ସେ ସଜା ନୁହେଁ, ତା'ର ପାଗଳାମିକୁ ଭୋଗୁଛି । ତା' ଜୀବନରେ ଇଏ ଯେମିତି ଗୋଟିଏ ନୂଆ ଫର୍ଦ୍ଦ ଯୋଡି ହୋଇ ଯାଇଛି । ସେ ଆଉ ଭାବି ପାରୁନାହିଁ, ଏମିତି କାହିଁକି ହେଲା ବୋଲି । 


ସତ ପାଲଟିଛି ମିଛ । ମିଛ ପାଲଟିଛି ସତ । ସବୁଦିନେ ଜେଲର ସେହି ସାତ ନମ୍ବର ସେଲ ଆଗରେ ସତ ମିଛର ଖେଳ ଚାଲିଛି । ହଁ,ସତ ମିଛର ଖେଳ । 



Rate this content
Log in

Similar oriya story from Tragedy