Bidulata Sahoo

Tragedy

3.5  

Bidulata Sahoo

Tragedy

ସୋନିର ସ୍ୱପ୍ନ

ସୋନିର ସ୍ୱପ୍ନ

3 mins
171


ଆଜି ସୋନିକୁ ତା ଶାଶୁଘର ଲୋକ ଦେଖିବାକୁ ଆସିବେ । ତା ବାପାଙ୍କର ଗୋଡ ତଳେ ଲାଗୁନି । ଜୋଇଁ ଜଣେ ପ୍ରଥମ ଶ୍ରେଣୀ ଅଫିସର । ସଂଭ୍ରାନ୍ତ ପରିବାର । ବାପା ଖାଲି ଚାରିଆଡେ କହି ବୁଲୁଥାନ୍ତି । ଏମିତି ଘର ଓ ବର ଭାଗ୍ୟରେ ଥିଲେ ମିଳେ । ଆମ ସୋନିଟା ଭାରି କପାଳିଆ । 


ଏତିକିବେଳେ ଗୋଟିଏ ଗାଡି ଆସି ଦୁଆରେ ଲାଗିଲା । ସେଥିରୁ ଜଣେ ଲୋକ ଓହ୍ଲାଇ ଗୁଡାଏ ଜିନିଷ ଖାଲି କରି ଘରେ ଆଣି ରଖି ଚାଲିଗଲେ । ତାପରେ ଫୋନ ବାଜିଲା । ସେପଟୁ ଭାଵି ଜୋଇଁ କହିଲେ ବାପା କୁଣିଆ ଚର୍ଚ୍ଚାର ସବୁ ଜିନିଷ ପଠାଇ ଦେଇଛି, ଭଲରେ ଚର୍ଚ୍ଚା କରିବେ । ମୁଁ ଯେଉଁ ଶାଢ଼ୀଟା ପଠାଇଛି ସୋନି ସେଇଟା ଆଜି ପିନ୍ଧିବ । ବାପା ଖୁସିରେ ଖାଲି ହଁ ହଁ କହୁଥାନ୍ତି । 


ସୋନି ଘରର ଅବସ୍ଥା ଭଲ ନୁହେଁ । ବାପା ଗୋଟିଏ ଛୋଟ ଦୋକାନ କରି ଘର ଚଳାଉଛନ୍ତି । ତିନି ଝିଅ ଓ ଗୋଟିଏ ପୁଅ ଓ ଜେଜେମାଆଙ୍କୁ ନେଇ ତାଙ୍କ ପରିବାର । ଝିଅଟିଏ ବାହା କରିବା ପରି ସାମର୍ଥ୍ୟ ତାଙ୍କର ନାହିଁ । ତେଣୁ ଏପରି ଗୋଟେ ଅଯାଚିତ ପ୍ରସ୍ତାବ ପାଇ ସେ ଅତ୍ୟନ୍ତ ଖୁସି । 


କିନ୍ତୁ ସୋନି ବଡ ଚିନ୍ତାରେ ପଡ଼ି ଯାଇଛି । ଏତେ ବଡ଼ ଘରେ କେମିତି ଚଳିବ ଭାବି ମନେ ମନେ ଭୟ କରୁଥାଏ । ଏହି ସମୟରେ ଦୁଇଟି ଗାଡି ଆସି ତାଙ୍କ ଦୁଆରେ ଲାଗିଲା । ସେଥିରୁ ପ୍ରାୟ ଦଶଜଣ ଲୋକ ଓହ୍ଲାଇ ତାଙ୍କ ଘରକୁ ପଶିଆସିଲେ । 


ସୋନି ଖୁବ୍ ସୁନ୍ଦର । ତା ଦେହର ରଙ୍ଗ ସୁନା ପରି ହୋଇଥିବାରୁ ତା ଜେଜେମା ତା ନାଁ ଦେଇଥିଲେ ସୋନି । ସେ ନୂଆ ଦାମିକା ଶାଢ଼ୀ ପିନ୍ଧି ଆହୁରି ସୁନ୍ଦର ଦିଶୁଥାଏ । ଶାଶୁଘର ଲୋକେ ବୋହୂକୁ ଦେଖି ଖୁବ୍ ପସନ୍ଦ କଲେ । ତାପରେ ସେମାନେ ସୋନିକୁ ଏକ ହିରାର ମୁଦି ପିନ୍ଧାଇ ତାଙ୍କର ସ୍ଵୀକୃତି ଦେଇ ଚାଲିଗଲେ । 


ତାପରେ ବାହାଘର ତିଥି ଠିକ୍ ହେଲା । ବାହାଘରର ସବୁ ଖର୍ଚ୍ଚ ଜୋଇଁ ଆଗୁଆ ପଠାଇ ଦେଲେ । ବାହାଘର ଭାରି ଧୁମ୍ ଧାମରେ ହେଲା । 


ଆଜି ସୋନିର ଚଉଠି ରାତି । ତାକୁ ଗୋଟିଏ ଝିଅ ଆସି ଖୁବ୍ ସୁନ୍ଦର କରି ସଜାଇ ଦେଇଗଲା । ତାପରେ ତାକୁ ଦୁଇ ଜଣ ସମ୍ପର୍କୀୟ ଭାଉଜ ନେଇ ଏକ ବିଶାଳ ଶୟନକକ୍ଷରେ ଛାଡ଼ିଦେଇ ହସି ହସି ବିଦାୟ ନେଲେ । 

ସୋନି ଘରେ ଖଟ ନଥିଲା । ସେ ତଳେ ମସିଣା ପାରି ଭଉଣୀମାନଙ୍କ ସହ ଶୋଉଥିଲା । ସେ ଦେଖିଲା ଏକ ବିରାଟ ବଡ ଖଟରେ ବହୁତ ସୁନ୍ଦର ଗଦି ଉପରେ ଦାମି ବେଡ୍ ସିଟ୍ ପଡିଛି । ଖଟଟି ଗୋଲାପ ଓ ରଜନୀ ଗନ୍ଧା ଫୁଲରେ ସଜା ହୋଇଛି । ଘରସାରା ଦାମୀ କାର୍ ପେଟ ବିଛା ଯାଇଛି । ଚାରିଆଡୁ ଅତରର ମହ ମହ ବାସ୍ନା ଭାସି ଆସୁଛି । 


ସେ ଏତେ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ନିଜକୁ ଭାରି ଅସହଜ ମନେ କରୁଥାଏ । ସେ ଏହାକୁ ତାର ସୌଭାଗ୍ୟ କି ଦୁର୍ଭାଗ୍ୟ କିଛି ଭାବି ପାରୁନଥାଏ । ଖଟ ଉପରକୁ ଯିବାକୁ ତାକୁ ଭୟ ଲାଗୁଥାଏ । 


ସେ ଜାକିଜୁକି ହୋଇ ଭୟରେ ଖଟର ଗୋଟିଏ କଣରେ ବସିପଡ଼ିଲା । ଏତିକି ବେଳେ ଘର କବାଟ ଖୋଲି ସ୍ୱାମୀ ପଶିଆସିଲେ । ସୋନି ଆଖି ବନ୍ଦ କରି ଓଡ଼ିଆ ଫିଲ୍ମର କିଛି ଦୃଶ୍ୟ ମନେ ପକେଇ ଭାବିଲା ସେ ଏବେ ନିଶ୍ଚୟ ତା ପାଖକୁ ଆସି ଓଢ଼ଣା ଟେକି କହିବେ ସତରେ ସୋନି ତୁମେ ବହୁତ ସୁନ୍ଦର । 


କିନ୍ତୁ ନା ଏମିତି କିଛି ହେଲାନି । ସେ ଆସି ଖଟ ଉପରେ ବସିଲେ । ସେ କିଛି କହିବେ କହିବେ ହେଉଥାନ୍ତି କିନ୍ତୁ କହୁନଥାନ୍ତି । ସୋନି ବି କିଛି କହିପାରୁ ନଥାଏ । କିଛି ସମୟ ପରେ ସେ ପାଟି ଖୋଲିଲେ । ସୋନି ମୁଁ ତୁମକୁ ସ୍ୱାମୀ ସୁଖ ଦେବାକୁ ସମ୍ପୂର୍ଣ୍ଣ ଅସମର୍ଥ । ମୋ ବାପାମାଆ ଏକଥା ଜାଣନ୍ତି ନାହିଁ । ସେମାନେ ଚାହାନ୍ତି ମୁଁ ବାହାହୋଇ ଏ ବଂଶ ରକ୍ଷା କରିବି । ମୁଁ ଡାକ୍ତରଙ୍କ ସହ କଥାବାର୍ତ୍ତା କରିସାରିଛି । ତୁମେ ରାଜି ହେଲେ ଆମର ଛୁଆଟିଏ ହୋଇ ପାରିବ । ସବୁ କଥା ତ ତୁମକୁ ଖୋଲି କହିଲି । ଏଥର ବିଚାର ତୁମର । 


ଏତିକି କହିବା ପରେ ସେ ଶୋଇପଡ଼ିଲେ । ମୁହଁରେ ତାଙ୍କର ପ୍ରସନ୍ନତା ଓ ଶାନ୍ତିର ଝଲକ । ସୋନି ପାଦତଳୁ ମାଟି ଖସିଗଲା ପରି ଲାଗିଲା । କଣ କରିବ, ଯଦି ସେ ଘରକୁ ଫେରିଯାଏ ବାପା ମୁହଁ ଟେକି ବାଟ ଚାଲି ପାରିବେ ନାହିଁ । ତା ଲାଗି ତାର ଆଉ ଦୁଇ ଭଉଣୀ ମଧ୍ୟ ବାହା ହୋଇପାରିବେ ନାହିଁ । ଏ ଅକୁହା କଥା ସେ କାହାକୁ କହିବ ? ଯଦି ଏଠି ରହେ ଅତୃପ୍ତି ଓ ଅପ୍ରାପ୍ତିର ଜ୍ୱାଳାରେ ସବୁଦିନ ତାକୁ ଜଳିବାକୁ ପଡିବ । 


ସତରେ ତା ସ୍ୱାମୀ କେତେ ଚାଲାକ୍ । ସମାଜରେ ଡାଙ୍କର କିଛି ବଦନାମ ହେବନି । ବାପାମାଆ ଖୁସି ହେବେ । ବଂଶରକ୍ଷା ହେବ । ହେଲେ ସୋନି ପାଇବ କଣ ?ସୋନି ଭାବୁଥିଲା ବାହାଘର ପୂର୍ବରୁ ସେ କେତେ ସ୍ୱପ୍ନ ଦେଖି ଥିଲା । ଅଥଚ ଆଜି ସେ ସବୁ ତାସ୍ ଘର ପରି ଭୁଷୁଡି ପଡିଛି । 


ତା ମୁଣ୍ଡ ପଙ୍ଖାଠାରୁ ଅଧିକ ଜୋରରେ ଘୂରିବାକୁ ଲାଗିଲା । ହଠାତ୍ ସେ ଘରର ଲାଇଟ୍ ଲିଭେଇ ଓଢ଼ଣାଟିକୁ ବେକରେ ଗୁଡେଇ ଷ୍ଟୁଲ ଉପରକୁ ଚଢିଗଲା । 



Rate this content
Log in

Similar oriya story from Tragedy