ସଂଗ୍ରାମୀ ଧରଣୀ
ସଂଗ୍ରାମୀ ଧରଣୀ
ନରହରି ଦାଶ ଥିଲେ ନିଜ ଗାଁ ସ୍କୁଲ ରେ ଶିକ୍ଷକ, ସମସ୍ତେ ତାଙ୍କୁ ସନମାନ ଦିଅନ୍ତି,ସେ ସବୁଦିନ ଗାଁ ପୋଖରୀରେ ଗାଧୋଇ ସାରି ଫେରିଲାବେଳେ, ପୋଖରୀ ହୁଡ଼ାରୁ କିଛି ଘାସ ଉପାଡି ଆଣି ଦାଣ୍ଡରେ ବନ୍ଧାହୋଇଥିବା ଗାଈ ମାନଙ୍କୁ ଖାଇବାପାଇଂ ଦିଅନ୍ତି, ଓ ପିଲାଠୁ ଭେଣ୍ଡା ଯାଏଁ ଯିଏ ବି ତାଙ୍କୁ ଯୋଉଠି ଦେଖନ୍ତି ନମଷ୍କାର କରିବାକୁ ଭୁଲନ୍ତିନି, କଣ ପାଇଁ କେବଳ ତାଙ୍କୁ ନମଷ୍କାର କରନ୍ତି, ସେକଥା ସେହିମାନଙ୍କୁ ପଚାରିଲେ ହିଁ କହିପାରିବେ ।
ଆଜି ଆମେ ପଢିବା ତାଙ୍କ ବଡ଼ପୁଅ ଧରଣୀ ଙ୍କ ବିଷୟରେ:
ନରହରି ଦାଶ ଙ୍କର ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ, ୨ ପୁଅ ଓ ୧ ଝିଅ, ତନ୍ମଧ୍ୟରେ ଧରଣୀ ଦାଶ ଥିଲେ ଘରର ବଡ ପୁଅ, ଏକା ଧାରାରେ ସେ ଥିଲେ ଜଣେ ସମାଜସେବୀ, ଶିକ୍ଷାବିତ, ସମାଜ ସଂସ୍କାରକ, ଜ୍ୟୋତିଷ,ବିଚକ୍ଷଣ ରାଜନୀତିଜ୍ଞ ଇତ୍ୟାଦି ଇତ୍ୟାଦି। ସେ ଥିଲେ ତାଙ୍କ ବାପାଙ୍କର ବଡ ପୁଅ, ତାସହିତ ତାଙ୍କ ଉପରେ ଥିଲା ଘରର ବହୁତ କିଛି ଦାଇତ୍ୱ, କିନ୍ତୁ ଘର ପରିବର୍ତେ ସେ ସବୁବେଳେ ବାହାରେ ରହିବାକୁ ପସନ୍ଦ କରୁଥିଲେ,ଲୋକମାନଙ୍କ ସହ ସାଧାରଣ ଜୀବନରେ । କିଛି ବି କୁସଂସ୍କାର ଦେଖିଲେ ପ୍ରଥମେ ସେ ତାକୁ ବିରୋଧ କରୁଥିଲେ, ଏମିତିରେ କିଛି ଲୋକ ଶତ୍ରୁ ତ ରହିବା ସ୍ୱାଭାବିକ ତାଙ୍କର ବି ମଧ୍ୟ ଥିଲେ, ହେଲେ ସେଥିପ୍ରତି ତାଙ୍କର ଧ୍ୟାନ ନଥିଲା , କି ସେ ସେସବୁ କଥା କୁ ନେଇ ବିଚଳିତ ବି ନଥିଲେ।
ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ବି,ସେ ସବୁବେଳେ ସମାଜର ତଳସ୍ଥର ରେ ବସବାସ କରୁଥିବା ନିଷ୍ପେସିତ,ଅବହେଳିତ, ଓ ଅଶହାୟ ଲୋକମାନଙ୍କ ପାଇଁ କାମ କରୁଥିଲେ, ଯଦି କେହି ଲୋକ ଅସୁବିଧାରେ ପଡୁଥିଲା ତ ତାଙ୍କ ପ୍ରାଣ କାନ୍ଦୁଥିଲା,ପ୍ରଥମେ ସେ ତାକୁ ସହାୟତାର ହାତ ବଢ଼ାଉଥିଲେ।
୧୯୮୨ ମସିହା ର କଥା,ସେ ବର୍ଷ ଓଡିଶା ର ମହାନଦୀ ରେ ପ୍ରବଳ ମାତ୍ରା ରେ ବନ୍ୟା ଆସିଥାଏ, ଆଉ ସେହି ବନ୍ୟା ରେ ବହୁତ ଗାଁ ଗଣ୍ଡା, ଛୋଟ ବଡ ସହର ପ୍ରଭାବିତ ହୋଇଥିଲା,ଓ ପ୍ରଚୁର ମାତ୍ରା ରେ ଧନ ହାନି,ତାସହିତ ପ୍ରାଣ ହାନି ମଧ୍ୟ ଘଟିଥିଲା।
ସେହି ବନ୍ୟାରେ ଧରଣୀ ଦାଶ ରହୁଥିବା ଗ୍ରାମ ମଧ୍ୟ ବାଦ ପଡିନଥିଲା, ସେହି ଗ୍ରାମର ଚାରିପଟେ ପାଣୀ ଘେରିସାରିଥାଏ ବାହାରକୁ ଯିବାପାଇଁ ରାସ୍ତା ବି ନଥାଏ,ଏହା ସହିତ ଆଖ ପାଖରେ ଥିବା ପ୍ରାୟ ସବୁ ଗାଁ ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇସାରିଥିଲା।
ହେଲେ ସମାଜର ଉଚ୍ଚସ୍ତରରେ ରହୁଥିବା ସେହି ଗ୍ରାମ ଲୋକମାନଙ୍କ ର ସେମିତି କିଛି ଅସୁବିଧା ନଥିଲା, କାହିଁକି ନା ତାଙ୍କ ପାଖରେ ଖାଇବା ,ପିଇବା,ପିନ୍ଧିବା ଓ ରହିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଥିଲା। କିନ୍ତୁ ସେହି ଗ୍ରାମରେ ବସବାସ କରୁଥିବା ତଥାକଥିତ ନିଚ ସ୍ତରର ଲୋକମାନଙ୍କ ପାଖରେ ନା ଥିଲା ରହିବା ପାଇଁ ଘର, ଖାଇବା ପାଇଁ ଖାଦ୍ୟ,ନା ପିନ୍ଧିବା ପାଇଁ ବସ୍ତ୍ର, ସେସବୁ ଭାସିଯାଇଥିଲା ଆସିଥିବା ବନ୍ୟାରେ, ଯାହା ବସ୍ତ୍ର ଖଣ୍ଡିଏ ଖଣ୍ଡିଏ ଦେହରେ ଥିଲା ସେତିକି ବାସ। ସେମିତି ଭଲ ରାସ୍ତାଘାଟ ସେତେବେଳେ ନଥିବାରୁ ପ୍ରଶାସନ ବି ପହଂଚିବା କଷ୍ଟକର ଥିଲା।
ଏମିତି ସମୟରେ ସେହି ଲୋକମାନଙ୍କ ସାଥିରେ ଛିଡା ହୋଇଥିଲେ ଧରଣୀ ଦାଶ ତ୍ରାଣ କର୍ତ୍ତା ହୋଇ ତାଙ୍କ ଖାଇବା, ପିଇବା ଓ ପିନ୍ଧିବାର ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ ନିଜ ପକେଟ ରୁ ଖର୍ଚ କରି,ବନ୍ୟା ଛାଡିଯିବାରୁ ସେମାନେ ଆଉ ସେହି ପୁରୁଣା ଜାଗାକୁ ଯିବାପାଇଁ ପସନ୍ଦ କଲେନି, କାହିଁକି ନା ସେମାନଙ୍କ ମନରେ ସେହି ବନ୍ୟାର ଭୟ ବସା ବାନ୍ଧିସାରିଥିଲା, ତେଣୁ ସେମାନେ ଚାଲିଆସିଲେ ଗାଁ ମୁଣ୍ଡ ରେ ଥିବା ପୋଖରି ପାଖ ପଡିଆକୁ,ଆଉ ସେଇଠି ରହିଲେ ନେହୁରା ବି ହେଲେ ଗାଁ ର ମୁଖିଆଙ୍କ ଆଗରେ ଟିକେ ସାହାଯ୍ୟ କରିବାପାଇଁ, କିନ୍ତୁ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଧିକାର ଶୁଣିବାକୁ ପଡିଲା, କି ତୁମେ ମାନେ ଜାତିରେ ନୀଚ, ତୁମମାନଙ୍କୁ ସାହାଯ୍ୟ କଲେ ଆମର କାୟା,ଗୋତ୍ର ସବୁ ମାରା ହୋଇଯିବ, ଏମିତି କହି ତଥାକଥିତ ଉଚସ୍ତରର ଲୋକମାନେ ଜୋରଦାର ବିରୋଧ କରିଥିଲେ ସେତେବେଳେ।
ଏହି ସମୟରେ କେବଳ ଧରଣୀ ଦାଶ ଓ ତାଙ୍କର କିଛି ସାଙ୍ଗ ପୋଲିସ ପ୍ରଶାସନ ର ସହାୟତାରେ ସାହାଯ୍ୟ କରିବାପାଇଁ ଆଗେଇ ଆସିଥିଲେ,ତା ସହିତ ସେମାନଂକ ର ରହିବା ପାଇଁ ସବୁ ପ୍ରକାର ର ବନ୍ଦୋବସ୍ତ କରିଦେଇଥିଲେ ଗାଁ ପାଖରେ ଥିବା ଆମ୍ବ ତୋଟାରେ, ନିଜ ହାତରୁ ଖର୍ଚ କରି
କିଛି କୁଡ଼ିଆ ନିର୍ମାଣ କରିଦେଇଥିଲେ ସେହି ଲୋକମାନଙ୍କ ପାଇଁ। ଏପଟେ ଧରଣୀ ଦାଶ ଙ୍କୁ ବି ବିରୋଧ ଆରମ୍ଭ ହୋଇଯାଇଥିଲା ଗାଁରେ, ତାଙ୍କୁ ଗାଁ ରୁ ବିତାଡିତ କରିବା ପାଇଁ ମସୁଧା ଚାଲିଥାଏ, ହେଲେ ସେମିତି କରିବାରେ ସେମାନେ ସଫଳ ହୋଇପାରିନଥିଲେ।
ଗୋଟେ ବର୍ଷ ଏମିତି ତାଙ୍କ ଗ୍ରାମର ମୁଖ୍ୟ ଯାତ୍ରା ବନ୍ଦ ହେବାକୁ ବସିଥାଏ କିଛି ରାଜନୈତିକ କାରଣରୁ, ନିଜ ନିଜ ଭିତରେ ବିରୋଧ ଏତେ ମାତ୍ରାରେ ବଢିଯାଇଥିଲା ଯେ ଯାତ୍ରା ଆୟୋଜନ କରିବା କଷ୍ଟକର ହୋଇପଡିଥିଲା,ଯାତ୍ରାକୁ ଆଉ ମାତ୍ର ୪ ଦିନ ଥାଏ,ଧରଣୀ ଦାଶ ସେହି ମୁରବି ମାନଙ୍କ ପାଖକୁ ଯାଇ ନେହୁରା ହେଲେ ଆଉ ବହୁତ ବୁଝେଇଲେ ମଧ୍ୟ ହେଲେ କିଛି ଫଳ ହେଲାନାହିଁ।
ଫଳରେ ସେଇଠି ସେ ସେହି ମୁରବି ମାନଙ୍କୁ କହିଦେଇ ଆସିଲେ ଯାତ୍ରା ହବ ଆଉ ନିଶ୍ଚିତ ହେବ,ତାପରେ ତାଙ୍କର କିଛି ବନ୍ଧୁ ଏକାଠି ହେଲେ ଆଉ କିଛି ଯୁବଗୋଷ୍ଠୀ ଙ୍କୁ ଏକାଠି କରି ଯାତ୍ରା କରିବା ପାଇଁ ଅଂଟା ଭିଡ଼ିଲେ। ସେତେବେଳକୁ ଗାଁ ର ପୁରା ଯୁବଗୋଷ୍ଠୀ ଏକାଠି ହୋଇସାରିଥାନ୍ତି,ଏପଟେ ଦାଶ ଭାଇନା ୪ଦିନ ଭିତରେ କଣ କେମିତି ହବ ଚିନ୍ତା କରିପାରୁନଥାନ୍ତି,ଏହି ସମୟରେ ପୁରା ଯୁବଗୋଷ୍ଠୀ ଆସି ତାଙ୍କସହ ହାତ ମିଳେଇଲେ ଆଉ ପ୍ରଭୁଙ୍କ କୃପାରୁ ଭଲରେ ଭଲରେ ଯାତ୍ରା ସମାପନ ହେଲା, ପରେ ଖର୍ଚର ପୁରା ବିବରଣୀ ପ୍ରଥମ ଥର ଗାଁ ଲୋକଙ୍କ ସହ ଆଲୋଚନା କରିଲେ, ସେହି ବର୍ଷଠାରୁ ଯାତ୍ରା ର ଭାର ଯୁବଗୋଷ୍ଠୀ ଙ୍କ ହାତକୁ ଚାଲିଆସିଲା।
ସେହିବର୍ଷ ପଂଚାୟତ ନିର୍ବାଚନ ବି ଥାଏ,ପୁରା ପଂଚାୟତ ର ଲୋକମାନେ ନିଷ୍ପତି ନେଇସାରିଥାନ୍ତି ଧରଣୀ ଦାଶଙ୍କୁ ସରପଞ୍ଚ ପାର୍ଥି କରିବେ, ଆଉ ସେୟା ବି ହେଲା,ଦାଶ ଭାଇନା ସ୍ଵାଧୀନ ପାର୍ଥି ରୂପେ କୁରାଢ଼ୀ ଚିହ୍ନରେ ଲଢ଼ିଲେ ଓ ବିପୁଳ ଭୋଟ ରେ ଜୟଯୁକ୍ତ ହେଲେ, ତା ପର ୫ ବର୍ଷ ପଂଚାୟତ ରେ ବହୁତ ଉର୍ଣ୍ଣତି ମୂଳକ କାମ କରେଇଥିଲେ। ହେଲେ ପରବର୍ତ୍ତୀ ପଂଚାୟତ ନିର୍ବାଚନ ବେଳକୁ ସରକାର ନିୟମ ବଦଳେଇ କୋଟା ପ୍ରଥା ଲାଗୁକରିଥିଲେ, ସେହିକାରଣରୁ ସେ ନିର୍ବାଚନ ଲଢ଼ିପାରିନଥିଲେ, କାହିଁକି ନା ସେହି ବର୍ଷ obc ସହ ଲେଡିସ କୋଟା ଆସିଥିଲା ତାଙ୍କ ପଂଚାୟତ କୁ।
ଗ୍ରାମରେ ସେ ଖୋଲିଥିଲେ ମାଗଣା ଟୁଇସନ ସବୁ ଶ୍ରେଣୀ ର ଲୋକମାନଙ୍କ ପାଇଁ, ସନ୍ଧ୍ୟାବେଳେ ପ୍ରତିଦିନ ୨ଘଣ୍ଟା ଦିଅନ୍ତି ଛୋଟ ଛୋଟ ପିଲାମାନଙ୍କୁ, ଯେଉଠିକୁ କେବଳ ଗରିବ ଶ୍ରେଣୀର ଛୁଆମାନେ ପଢିବା ପାଇଁ ଆସନ୍ତି। କିନ୍ତୁ କାହାକୁ ବି ବାରଣ ନଥିଲା ତାଙ୍କ ଦ୍ୱାର, ଯେହେତୁ ନୀଚ ଜାତିର ପିଲାମାନେ ଆସନ୍ତି ପଢିବା ପାଇଁ ସେ ଜାଗାକୁ,ଉଚସ୍ତରର ଲୋକମାନେ ସେମାନଙ୍କ ପିଲାଙ୍କୁ ଛାଡ଼ନ୍ତି ନାହିଁ ସେହିଯାଗକୁ ପଢିବାପାଇଁ।
ଯାହାର ପଢିବାରେ ସମ୍ବଳ ନଥାଏ ତାକୁ ନିଜ ପକେଟ ରୁ ଖର୍ଚ କରି ପାଠ ପଢ଼ାନ୍ତି, ଆଉ ଏମିତି ବହୁତ ଗରିବ ପିଲାଙ୍କୁ ସେ ହାତରୁ ଖର୍ଚ କରି ମଣିଷ କରିଛନ୍ତି,ତାଙ୍କର ଲେଖା ପ୍ରତି ମଧ୍ୟ ଅହେତୁକ ଦୁର୍ବଳତା ଥିଲା, ସେ ଏମିତି ପଢିବା ସମୟରେ ଛୋଟ ବଡ ଗୀତ,ଗଳ୍ପ ବି ଲେଖିଛନ୍ତି ଯାହା ତାଙ୍କ ସାଙ୍ଗମାନଙ୍କ ଠାରୁ ଶୁଣିବାକୁ ମିଳେ, ହେଲେ ତାହା ଲୋକ ଲୋଚନକୁ ଆସିପାରିନାହିଁ। କହିବାକୁ ଗଲେ ସେ ଥିଲେ ଏକଧାରରେ ଜଣେ ଶିକ୍ଷାବିତ,ଗାଳ୍ପିକ,ସାହିତ୍ୟିକ ଓ ଅନେକ କିଛି।
ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିବାରୁ ପୁରୋହିତ,ଜ୍ୟୋତିଷ ବିଦ୍ୟା ବି ତାଙ୍କୁ ଜଣାଥିଲା, ସେ ଥିଲେ ଅନନ୍ୟ ଜ୍ଞାନର ଅଧିକାରୀ,ତଥାପି ସେ ଏତେ ଲୋକପ୍ରିୟ ହୋଇପାରି ନଥିଲେ କେବଳ ଏହି କାମରେ ଯେତିକି ତାଙ୍କ ସାନ ଭାଇ ହୋଇ ପାରିଥିଲେ,କାରଣ ଥିଲା ସେ ସବୁବେଳେ ସମାଜର ତଳସ୍ଥର ର ଲୋକମାନଙ୍କ ପାଖେ ପାଖେ ରହୁଥିଲେ,ତେଣୁ ସେ ଏହି କାମ ପାଇଁ ସମୟ ଦେଇପାରୁନଥିଲେ। ତଥାପି କିଛି ଲୋକ ତାଙ୍କୁ ଡାକନ୍ତି ଯେବେ ଦରକାର ପଡେ, ହେଲେବି ତାଙ୍କର କୌଳିକ ବୃତିକୁ ସେ କେବେ ବି ଭୁଲିନଥିଲେ।
ବହୁତ କମ ବୟସରେ ସେ ଇହ ଧାମ ତ୍ୟାଗ କଲେ, ବୋଧେ ଭଲ ଲୋକମାନଙ୍କୁ ଭଗବାନ ବେସି ଭଲ ପାଆନ୍ତି ସେଥିପାଇଁ ତାଙ୍କୁ ବହୁତ ଜଲ୍ଦି ତାଙ୍କ ପାଖକୁ ନେଇଯାନ୍ତି। ମରିବା ବେଳକୁ ତାଙ୍କୁ ମାତ୍ର ୪୫ ବର୍ଷ ବୟସ ହୋଇଥିଲା।ସେ ଥିଲେ ଜଣେ ପୁଣ୍ୟ ଆତ୍ମା,ନା ଥିଲା ତାଙ୍କ ମନରେ ଜାତି ଗୋତ୍ର ର ଭେଦ ଭାବ ନା ଥିଲା ଉଚ ନୀଚ ର ଭାବନା,ସେ ଥିଲେ ଏ ସବୁର ଉର୍ଦ୍ଧରେ ସେଥିପାଇଁ ତ ତାଙ୍କୁ ଶ୍ରଦ୍ଧାରେ ସେହି ଅଂଚଳର ଲୋକେ ଡାକନ୍ତି କ୍ରାନ୍ତି ବିର ନାମରେ।