Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Bishwaranjan Tripathy

Inspirational


4  

Bishwaranjan Tripathy

Inspirational


ମାତା ସୀତାଙ୍କ ଠାବ

ମାତା ସୀତାଙ୍କ ଠାବ

9 mins 162 9 mins 162

ସ୍ୱୟଂପ୍ରଭାଙ୍କ ସହାୟତାରେ ବାନରମାନେ ଗୁମ୍ଫା ବାହାରକୁ ଆସି ଆଖି ଖୋଲି ଦେଖନ୍ତି ତ ସମ୍ମୁଖରେ ମହାସମୁଦ୍ର । ବଡ ବଡ ଢେଉମାନ କୂଳରେ ପିଟି ହେଉଛନ୍ତି, ସମୁଦ୍ର ଗର୍ଜନରେ କାନ ସ୍ତବ୍ଧ ହୋଇଯାଉଛି, ଦିଗ୍ବଳୟ ପର୍ଯ୍ୟନ୍ତ ଅନନ୍ତ ସମୁଦ୍ର ବ୍ୟାପି ରହିଛି । ସେମାନେ ତାହାରି ଭିତରେ କିପରି କୁଆଡକୁ ଯାଇ ସୀତା ଠାବ କରିବେ ଭାବିଲା ବେଳକୁ ମଥା ଭ୍ରମି ଯାଉଛି । ରାବଣ ତାଙ୍କୁ ନେଇ କେଉଁଠି ଓ କିପରି ରଖିଛି ସେକଥା କିଏ କହିବ? ସେ ତାଙ୍କୁ ମାରି ଦେଇଛି ନା ଜୀବନରେ ରଖିଛି ସେକଥା କିଏ ବା ଜାଣେ? ଏତେ ଦୂର ଆସିବା ଓ ଏତେ କଷ୍ଟ ସହିବା କ’ଣ ଆମର ବ୍ୟର୍ଥ ହୋଇଯିବ ।

ବାନରମାନେ ସମସ୍ତେ ନିରବ ହୋଇ ଏକାଠି ବସି ରହିଛନ୍ତି, ସୀତାଙ୍କୁ ପାଇବାର କୌଣସି ଆଶା ନାହିଁ । ସୁଗ୍ରୀବ ଦେଇଥିବା ସମୟ ବ୍ୟତୀତ ହୋଇ ସାରିଲାଣି । ଏପରି ଏକ ସଂକଟ ସମୟରେ ଦଳପତି ଅଙ୍ଗଦ କହିଲେ, “ମିତ୍ରଗଣ, ଆମ ଉପରେ ସବୁଠାରୁ ବଡ ବିପଦ ପଡିଛି, କାରଣ ଆମେ ସୀତାଙ୍କୁ ଠାବ ନକରି ନିର୍ଦ୍ଦିଷ୍ଟ ସମୟ ଭିତରେ ଫେରି ଯାଇଥିଲେ ଭୟ କରିବାର କୌଣସି କାରଣ ନଥାନ୍ତା । ସବୁଠାରୁ ଯୋଦ୍ଧା ଓ ବୁଦ୍ଧିମାନ ବୀରମାନେ ଆମ ଦଳରେ ଅଛନ୍ତି । ସେ କ୍ଷେତ୍ରରେ ଆମେ ସୀତା ମାତାଙ୍କ ବିଷୟରେ କୌଣସି ଖବର ସଂଗ୍ରହ କରି ନପାରିବା ଏକ ବଡ ଦୁଃଖର ବିଷୟ । ଆମେ ଅସଫଳ ହୋଇ ଫେରିଗଲେ ମହାରାଜ ସୁଗ୍ରୀବ ଆମକୁ ଜୀବନରେ ଆଉ ରଖିବେ ନାହିଁ । ତେଣୁ ମୁଁ ଆଉ ଫେରିଯାଇ ମୁହଁ ଦେଖାଇ ପାରିବି ନାହିଁ । ସେଥିପାଇଁ ମୁଁ ଭାବୁଛି ଭଗବାନଙ୍କୁ ଡାକି ପ୍ରାୟୋପବେଶନ କରି ଉପବାସରେ ରହି ରହି ନିଜ ପ୍ରାଣତ୍ୟାଗ କରିବି ।”

ଅନ୍ୟ ଜଣେ ବାନର ସୈନ୍ୟ କହିଲେ, “ଏ କଥା ସତ୍ୟ ଯେ ମାତା ସୀତାଙ୍କୁ ନ ପାଇବା ପର୍ଯ୍ୟନ୍ତ ଆମେମାନେ କେହି ମଧ୍ୟ ଘରକୁ ଫେରିବା ନାହିଁ । ପୁଣି ଖୋଜିବାରେ ଲାଗିବା । ଦେଖାଯାଉ ହୁଏତ ଆମେ ସଫଳ ହୋଇ ପାରିବା । ସେକଥା କିଏ କହିବ?”

ପୁଣି ଅନ୍ୟ କେତେକ ବାନର କହିଲେ, “ପ୍ରାଣ ତ୍ୟାଗ ନ କରି ଆମେ ଚାଲ ସୁଡଙ୍ଗ ଭିତର ଦେଇ ପୁଣି ସେହି ସୁନ୍ଦର ସ୍ଥାନକୁ ଯିବା । ସେଇଠି ଯଥେଷ୍ଟ ଫଳମୂଳ ଅଛି । ଏଇଠି ଖାଇ, ପିଇ ଜୀବନ ସାରା ଲୁଚି ରହିବା । ଆରାମରେ ରହିବା ।”

ହନୁମାନ, ଅଙ୍ଗଦ ଓ ଅନ୍ୟ ବୀରମାନେ ଏକଥା ସବୁ ଶୁଣିଲେ, ସେମାନଙ୍କୁ ଏକଥା ମୋଟେ ଭଲ ଲାଗିଲା ନାହିଁ । ବାନରମାନଙ୍କର ନାନା ପ୍ରକାର ଯୋଜନା ଅତ୍ୟନ୍ତ ହାସ୍ୟାସ୍ପଦ ଲାଗିଲା । ହନୁମାନ ଗମ୍ଭୀର ହୋଇ କହିଲେ, “ହେ ଅଙ୍ଗଦ, ଏହି ଚପଳମତି, ବୁଦ୍ଧିହୀନ ବାନରଙ୍କ କଥା ତୁମେ ଅନ୍ତତଃ ଶୁଣିବା ଆଦୌ ଉଚିତ୍ ନୁହେଁ । ତୁମେ ତ ବୀରଶ୍ରେଷ୍ଠ ବାଳୀଙ୍କର ପୁତ୍ର । କିସ୍କିନ୍ଧ୍ୟାର ପୁଣି ଯୁବରାଜ । କିପରି ସୀତା ମାତାଙ୍କୁ ପାଇବା ଏବେ ଆମେ ସେ ବିଷୟରେ ଅଧିକା ଚିନ୍ତା କରିବା । ତା’ ନକରି ତୁମେ ଏଇ ବାନର ଦଳଙ୍କ କଥାରେ ପଡି ରାମ, ଲକ୍ଷ୍ମଣ ଓ ସୁଗ୍ରୀବଙ୍କ କ୍ରୋଧରୁ ନିଜକୁ କିପରି ଲୁଚାଇ ରଖିବ ବୋଲି ଭାବୁଛ? ଏହି ବାନରମାନଙ୍କ ସ୍ୱଭାବ ତ ଚଞ୍ଚଳ । ତୁମେ ସେମାନଙ୍କୁ ବୁଦ୍ଧି ଦେବା ପରିବର୍ତ୍ତେ ଓଲଟି ତାଙ୍କ ଠାରୁ ବୁଦ୍ଧି ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ଯାଉଛ?”

“ସୁଗ୍ରୀବ ଜଣେ ନ୍ୟାୟପ୍ରିୟ ଓ ଧର୍ମାତ୍ମା ବ୍ୟକ୍ତି । ସେ କେବେ ବି ଅନ୍ୟାୟ ଭାବରେ ଆମକୁ କଷ୍ଟ ଦେବେ ନାହିଁ । କାରଣ ମାତା ସୀତାଙ୍କୁ ପାଇବା ଆମର ଇଚ୍ଛାର ଅଧିନ ନୁହେଁ । ତଥାପି ମଧ୍ୟ ଆମେ ଖୋଜିବା । ଏତେ କଷ୍ଟ ସ୍ୱୀକାର କରି ଆମେ ଯେତେବେଳେ ଏଠାକୁ ଆସିଛୁ, ସେତେବେଳେ ନିରାଶ ନ ହୋଇ ଆମେ ଅନ୍ୟ ପନ୍ଥା ଦେଖିବା ।”

ହନୁମାନଙ୍କ କଥା ଶୁଣି ଅଙ୍ଗଦ କହିଲେ, “ହେ ସର୍ବଶ୍ରେଷ୍ଠ ହନୁମାନ, ତୁମ କଥା ସବୁ ଠିକ୍ । ତଥାପି କାକା ସୁଗ୍ରୀବଙ୍କ କ୍ରୋଧର ଭୟରେ ମୁଁ ମୁହ୍ୟମାନ । ତେଣୁ ସୀତା ମାତାଙ୍କୁ ନ ପାଇଲେ ମୁଁ କୌଣସି ପ୍ରକାରେ କିସ୍କିନ୍ଧ୍ୟା ଲେଉଟି ଯିବିନାହିଁ । ଏହିଠାରେ ଉପବାସ ରହି ପ୍ରାଣ ତ୍ୟାଗ କରିବି । ତୁମେ ବରଂ ଫେରି ଯାଇ ମୋ ବିଷୟରେ ରାମ ଲକ୍ଷ୍ମଣଙ୍କୁ କୁହ ।”

ଏସବୁ କହିସାରିବା ପରେ ଅଙ୍ଗଦ ନିଜ ମା’ ତାରାଙ୍କୁ ସ୍ମରଣ କରି ଦୁଃଖରେ ଭୂମି ଉପରେ ଉପବାସରେ ଶୋଇ ରହିଥା’ନ୍ତି । ଅନ୍ୟ ବାନରମାନେ ମଧ୍ୟ ଅଙ୍ଗଦଙ୍କୁ ଅନୁସରଣ କଲେ । ସେମାନେ ସମୁଦ୍ରରେ ସ୍ନାନ କରି ଅଙ୍ଗଦଙ୍କ ଚାରିପାଖରେ ବସି ରାମଙ୍କ ଲୀଳା ସବୁ ଆଲୋଚନା କଲେ । କେତେକ ବାନର ତଳକୁ ମୁହଁ କରି ଚୁପ୍ ହୋଇ ବସି ରହିଥା’ନ୍ତି । ଏପରି ବିଚାର, ଆଲୋଚନା କରୁ କରୁ ଯୁକ୍ତିତର୍କ ମଧ୍ୟ ହେଉଥାଏ; ମଝିରେ ମଝିରେ ପାଟିଗୋଳ ମଧ୍ୟ ଶୁଣା ଯାଉଥାଏ, କାରଣ ଏତେ ଭାବିଚିନ୍ତି ଆଲୋଚନା କରି ମଧ୍ୟ ସେମାନେ ସମସ୍ୟାର ସମାଧାନ କରିପାରୁ ନାହାଁନ୍ତି । ପ୍ରଥମତଃ ସେମାନେ ଜାଣିନାହାଁନ୍ତି ଯେ ଲଙ୍କା କେଉଁଠି ଓ କେତେଦୂର, ତା’ପରେ ସେଠାକୁ କିପରି ଯାଇହେବ, କିଏ ପୁଣି ସେଠାକୁ ଯିବ । ଏହିସବୁ ଆଲୋଚନା ଓ ମତଭେଦ ଯୋଗୁଁ ସେମାନେ ଗର୍ଜ୍ଜନ କରି ଡିଆଁ ଡେଇଁ ଆରମ୍ଭ କଲେ । ଏହି ସମୟରେ ନିକଟସ୍ଥ ପାହାଡ ଖୋଲ ଭିତରୁ ଗୋଟିଏ ଅତିକାୟ ଗୃଧ୍ରପକ୍ଷୀ ଏମାନଙ୍କ ପାଟି ଶୁଣି ବାହାରକୁ ବାହାରି ଆସିଲା ଓ ଅତି ଆନନ୍ଦରେ କହିଲା, “ଆହା, ଏତେଦିନ ପରେ ଯାଇ ଭଗବାନ୍ ମୋତେ ଏତେଗୁଡିଏ ଆହାର ଦେଇଛନ୍ତି । ସବୁ ବାନରମାନଙ୍କୁ ମୁଁ ଖାଇ ଶେଷ କରିଦେବି ।”

ସେହି ଗୃଧ୍ରରାଜ ସୂର୍ଯ୍ୟପୁତ୍ର ସମ୍ପାତି ଥିଲେ, ଅର୍ଥାତ୍ ସେ ହେଲେ ଜଟାୟୁଙ୍କ ବଡ ଭାଇ । ତାଙ୍କର ଗର୍ଜ୍ଜନ ଓ ଅଟ୍ଟହାସ ଶୁଣି ଅଙ୍ଗଦ ଓ ଅନ୍ୟ ବାନରମାନେ ପ୍ରମାଦ ଗଣିଲେ । ସେମାନେ ଭୟଭୀତ ହୋଇ ହନୁମାନଙ୍କୁ ସବୁକଥା କହିଲେ ।

ହନୁମାନ କହିଲେ, “ଦେଖ, ସେ ବୃଦ୍ଧ ପକ୍ଷୀଟିଏ ମାତ୍ର; ତା’ର ଉଡିବାର ଶକ୍ତି ନାହିଁ । ପର୍ବତ ଖୋଲରେ ବସି ଆହାର ପାଇଁ ସେ ବ୍ୟାକୁଳ ହେଉଛି, ବୃଦ୍ଧାବସ୍ଥା ହେତୁ ତା’ର ମତିଭ୍ରମ ହେଉଛି । କ୍ଷୁଧାପିପାସାରେ ଅତିଷ୍ଠ ହୋଇ ସେ ଏପରି କହୁଛି । ଏ ଅବସ୍ଥାରେ ତାକୁ ସାହାଯ୍ୟ କରିବା ପରିବର୍ତ୍ତେ ତମେ ସବୁ ଭୟ କରୁଛ? ଏତେ ଭୟଭୀତ ନ ହୋଇ ପ୍ରଥମେ ତା’ କଥା ଶୁଣ, ସେ କ’ଣ କହୁଛି ।”

ଅନ୍ୟ ଏକ ବାନର କଥା କହିବ ବୋଲି ଆଗେଇ ଯାଇଥିଲା । ସେ କହିଲା, “ଏହି ପକ୍ଷୀ ଆମକୁ ଖାଇବା ପରିବର୍ତ୍ତେ ବରଂ ଆମେ ରାମନାମ ଜପ କରି ମରିବା । ଜଟାୟୁ ଏତେ ବୃଦ୍ଧ ହୋଇ ମଧ୍ୟ ଭଗବାନଙ୍କ ପାଇଁ ପ୍ରାଣ ଉତ୍ସର୍ଗ କଲେ, ଆଉ ଆମେ ତାହା କରିପାରିବା ନାହିଁ?”

ଜଟାୟୁର ନାମ ଶୁଣି ବୃଦ୍ଧ ସମ୍ପାତି ଗର୍ଜ୍ଜି ଉଠି କହିଲା, “କିଏ ତୁମେ ମୋ ଭାଇର ନାମ ଧରୁଛ? ପୁଣି କହୁଛ ଯେ ସେ ପୃଥିବୀରେ ଆଉ ନାହିଁ । ଏସବୁ କି କଥା? ବିସ୍ତାର କରି କୁହ ନହେଲେ ମୋର ପ୍ରାଣ ବ୍ୟାକୁଳ ହେଉଛି ।”

ତା’ପରେ ଅଙ୍ଗଦ କହିଲେ, “ତେବେ ଶୁଣ ଗୃଧ୍ରରାଜ, ଶ୍ରୀରାମଚନ୍ଦ୍ର ହେଲେ ଅଯୋଧ୍ୟାର ରାଜା ଦଶରଥଙ୍କ ପୁତ୍ର । ରାଜା ଦଶରଥ ଜଟାୟୁଙ୍କର ମିତ୍ର ଥିଲେ । ଶ୍ରୀରାମ, ଭାଇ ଲକ୍ଷ୍ମଣ ଓ ସ୍ତ୍ରୀ ସୀତାଙ୍କ ସହିତ ପିତୃସତ୍ୟ ପାଳି ବନବାସ କରୁଥିଲେ । ରାକ୍ଷସରାଜ ରାବଣ ଭଣ୍ଡ ତପସ୍ୱୀ ବେଶ ସାଜି ରାମ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ମାତା ସୀତାଙ୍କୁ ହରଣ କରି ନେଲା । ବାଟରେ ସେ ପୁଷ୍ପକ ବିମାନରେ ଆକାଶ ମାର୍ଗରେ ସୀତା ମାତାଙ୍କୁ ଧରି ଉଡି ଯାଉଥିଲା । ଅସହାୟ ଅବସ୍ଥାରେ ଥାଇ ମାତା ସୀତା ସେତେବେଳେ ଉଚ୍ଚ ସ୍ୱରରେ ରୋଦନ କରୁଥିଲେ । ତାଙ୍କୁ ଚିହ୍ନିପାରି ଓ ରାବଣର ଏଭଳି ଆଚରଣ ଦେଖି ଗୃଧ୍ରରାଜ ଜଟାୟୁ ରାବଣକୁ ଆକ୍ରମଣ କରି ପାରୁପର୍ଯ୍ୟନ୍ତ ନିଜ ଯୁଦ୍ଧ ଚଳାଇଲେ । କିନ୍ତୁ ରାବଣ ଅବଶେଷରେ ତାଙ୍କର ଗୋଟିକ ପରେ ଗୋଟିଏ ପକ୍ଷ ଛେଦନ କରି ତାଙ୍କୁ ଭୂମି ଉପରେ ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲିଗଲା, ତଥାପି ମଧ୍ୟ ତାଙ୍କର ମୃତ୍ୟୁ ହୋଇ ନଥିଲା ।”

“କିଛି ସମୟ ପରେ ଶ୍ରୀରାମ ଓ ଲକ୍ଷ୍ମଣ ମାତା ସୀତାଙ୍କୁ ଖୋଜି ଖୋଜି ସେଠାରେ ଯାଇ ପହଁଚିଲେ ଓ ଗୃଧ୍ରରାଜଙ୍କୁ ଏପରି ମୁମୂର୍ଷୁ ଅବସ୍ଥାରେ ଦେଖି ସେମାନେ ଅତ୍ୟନ୍ତ ଦୁଃଖିତ ହେଲେ । ଗୃଧ୍ରରାଜ ତାଙ୍କୁ ଦେଖିବା ମାତ୍ରେ ସବୁକଥା ଆମୁଳଚୂଳ ବର୍ଣ୍ଣନା କଲେ । ତା’ପରେ ପକ୍ଷଚ୍ଛେଦଜନିତ ଭୟଙ୍କର ଯନ୍ତ୍ରଣା ଆଉ ସହ୍ୟ କରି ନପାରି ଶେଷରେ ସେ ଶ୍ରୀରାମଙ୍କ କୋଳରେ ହିଁ ପ୍ରାଣ ତ୍ୟାଗ କଲେ ତା’ପରେ ଶ୍ରୀରାମ ଓ ଲକ୍ଷ୍ମଣ ଗୃଧ୍ରରାଜ ଜଟାୟୁଙ୍କୁ ମୁଖାଗ୍ନି ଦେଇ ତାଙ୍କର ଶେଷକ୍ରିୟା ସମ୍ପାଦନ କରିଥିଲେ । ଅହୋଭାଗ୍ୟ, ଋଷିମାନଙ୍କ ମତରେ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ଅବତାର । ତାଙ୍କ ହାତରେ ଶେଷକୃତ୍ୟ ସମ୍ପାଦନ ହେବାର ଅର୍ଥ ଜନ୍ମ ଜନ୍ମ ପୁଣ୍ୟର ଫଳ ମିଳିବା ସହ ସମାନ ।”

ଏକଥା ଶୁଣି ବୃଦ୍ଧ ଗୃଧ୍ରରାଜ ସମ୍ପାତି “ହାୟ ମୋର ଭାଇ କୁଆଡେ ଗଲୁ!” ଏହା କହି ସେ ରୋଦନ କରିବାକୁ ଲାଗିଲେ । ହନୁମାନ ଓ ଅଙ୍ଗଦ ତାଙ୍କୁ ସାନ୍ତ୍ୱନା ଦେଇ ପ୍ରକୃତିସ୍ଥ କରାଇବା ପରେ ସେ ନିଜ ବିଷୟରେ କହିବାକୁ ଆରମ୍ଭ କଲେ: “ଆମେ ଦୁହେଁ ଦୁଇଭାଇ, ମୁଁ ଜ୍ୟେଷ୍ଠ ଓ ସେ କନିଷ୍ଠ । ଥରେ ସୂର୍ଯ୍ୟଙ୍କ ଉଚ୍ଚତା ଓ ଗତିପଥ ବିଷୟରେ ଜ୍ଞାନ ଅର୍ଜନ କରିବା ପାଇଁ ଆମେ ଦୁଇଭାଇ ଯୁବକ ଅବସ୍ଥାରେ ଆକାଶରେ ଉଡି ଉଡି ଉଚ୍ଚରୁ ଉଚ୍ଚକୁ ଯାଉଥାଉ! ସୂର୍ଯ୍ୟଙ୍କର ନିକଟତର ହେବାରୁ ସୂର୍ଯ୍ୟଙ୍କ ତେଜ ଅସହ୍ୟ ହେଲା । ତେଣୁ ମୁଁ ମୋର ପକ୍ଷ ବିସ୍ତାର କରି ମୋ ସାନଭାଇ ଜଟାୟୁକୁ ଛାୟା ପ୍ରଦାନ କରୁଥାଏ । ଆହୁରି ନିକଟତର ହେବାରୁ ମୋର ପକ୍ଷ ଦୁଇଟି ଜଳିଗଲା ଓ ମୁଁ ଉଡିବା ଶକ୍ତି ହରାଇ ଏହି ବିନ୍ଧ୍ୟ ପର୍ବତରେ ପଡିଲି ଓ ସେହି ଦିନଠାରୁ ମୁଁ ଏହିଠାରେ ହିଁ ରହିଛି । ମୋ ଭାଇର କଥା ତ ତୁମଠାରୁ ଶୁଣୁଛି । ଏବେ ମୁଁ ବୃଦ୍ଧ ଓ ଶକ୍ତିହୀନ! ନଚେତ୍ ପାପିଷ୍ଠ ରାବଣ ସହିତ ମୁଁ ଏହି ମୁହୂର୍ତ୍ତରେହିଁ ଯୁଦ୍ଧ କରି ମୋ ଭାଇ ମୃତ୍ୟୁର ପ୍ରତିଶୋଧ ମୁଁ ତା’ଠାରୁ ନିଶ୍ଚୟ ନେଇଥାନ୍ତି । ଏବେ କୁହ ତୁମେମାନେ ଏଠାରେ କ’ଣ କରୁଛ?”

ଅଙ୍ଗଦ ପଚାରିଲେ “ତେବେ ଶୁଣନ୍ତୁ, ଶ୍ରୀରାମ ବାନରରାଜ ବାଳୀଙ୍କୁ ବଧ କରି ତାଙ୍କ କନିଷ୍ଠ ସୁଗ୍ରୀବଙ୍କୁ କିସ୍କିନ୍ଧ୍ୟାରେ ରାଜା କରାଇଲେ; ମୁଁ ଅଙ୍ଗଦ, ବାଳୀଙ୍କର ପୁତ୍ର । ଏବେ ଆମେମାନେ ମାତା ସୀତାଙ୍କୁ ଖୋଜି ଖୋଜି ଏହି ସମୁଦ୍ର ତଟରେ ଆସି ପହଁଚିଛୁ । କିନ୍ତୁ ରାବଣର ରାଜ୍ୟ କେଉଁଠି ଓ ଆମେ ସେଠାରେ କେମିତି ପହଁଚିବୁ ସେସବୁ କିଛି ଜାଣି ନପାରି ଅସହାୟ ହୋଇ ବସି ରହିଛୁ । ଏବେ ଆପଣ କହି ପାରିବେ କି ସେହି ଦୁଷ୍ଟ ରାବଣର ରାଜ୍ୟ କେଉଁଠି ଓ ସେଠାକୁ କିପରି ଯାଇ ହେବ?”

ସମ୍ପାତି କହିଲେ, “ହେ ବାନର ବୀର, ମୁଁ ବି ମୋ ଗୁମ୍ଫାରେ ବସି ଥରେ ଦେଖିଥିଲି ଦୁଷ୍ଟ ରାକ୍ଷସରାଜ ରାବଣ ଏକ ସୁନ୍ଦରୀ ସ୍ତ୍ରୀଙ୍କୁ ତା’ ପୁଷ୍ପକବିମାନରେ ବସାଇ ନେଇ ଯାଉଥିଲା । ସେହି ସ୍ତ୍ରୀ ଲୋକ ଜଣକ କାନ୍ଦି କାନ୍ଦି କେବଳ “ହା ରାମ, ହା ଲକ୍ଷ୍ମଣ” ବୋଲି କହୁଥିଲେ ।

ରାବଣ ନାମକ ସେହି ଦୁଷ୍ଟ ରାକ୍ଷସର ରାଜ୍ୟ ହେଲା ଲଙ୍କା । ସେ ବିଶ୍ରବା ମହର୍ଷିଙ୍କର ଔରସଜାତ ନିକଷା ରାକ୍ଷସୀର ପୁତ୍ର । ସେ କୁବେରଙ୍କର ସାନ ଭାଇ । ଏହି ସାଗର ମଧ୍ୟରେ ବହୁତ ଦୂର ଭିତରକୁ ଗଲେ ଏକ ଦ୍ୱୀପ ପଡିବ । ତା’ର ନାମ ଲଙ୍କା । ରାବଣ ସେଇଠାରେହିଁ ରାଜୁତି କରେ । ମୁଁ ଭାବୁଛି ସେ ସୀତାଙ୍କୁ ନେଇ ସେହିଠାରେହିଁ ରଖିଛି । ତୁମେମାନେ ସମୁଦ୍ର ଲଙ୍ଘନ କରି ଲଙ୍କା ଯିବା ପାଇଁ ଚେଷ୍ଟା କର । ଆଉ ଯଦି ଶ୍ରୀରାମ ରାବଣ ବଧ କରନ୍ତି ତ ମୋ ମନ ଭାତୃ ଶୋକରୁ ମୁକ୍ତି ପାଇବ । ଏବେ ମୋତେ ତୁମେମାନେ ଧରି ଧରି ସମୁଦ୍ର ତଟକୁ ନେଇଯାଅ । ମୁଁ ମୋର ସ୍ୱର୍ଗତ ଭାଇ ପାଇଁ ସେଠାରେ ଜଳତର୍ପଣ କରିବି ।

ବାନରମାନେ ତାଙ୍କଠାରୁ ଏସବୁ ଖବର ପାଇ ଅତ୍ୟନ୍ତ ଖୁସି ହେଲେ । ଯାହାହେଉ କିଛି ଗୋଟେ ଖବର ତ ମିଳିଲା । ତା’ପରେ ସେମାନେ ସମ୍ପାତିଙ୍କୁ ନେଇ ସମୁଦ୍ର ତଟକୁ ଗଲେ ଓ ସେଠାରେ ସେ ଜଳତର୍ପଣ କଲେ । ତା’ପରେ ଜାମ୍ବବାନ ତାଙ୍କୁ ବହୁତ ପ୍ରଶ୍ନ କଲେ । ସେ ପୁଣି କହିଲେ, “ମୋର ପକ୍ଷ ଜଳିଯିବା ଦିନଠାରୁ ମୁଁ ଏହିଠାରେହିଁ ରହିଛି । ମୋର ପୁତ୍ର ସୁପାଶ୍ୱର୍ ପ୍ରତିଦିନ ମୋ ପାଇଁ କିଛି ଖାଦ୍ୟ ନେଇ ଆସେ । ଦିନେ ସୂର୍ଯ୍ୟାସ୍ତ ହେବାକୁ ଯାଉଛି କିନ୍ତୁ ମୋ ପୁଅ ଆସିଲା ନାହିଁ । ମୁଁ ଦୁଃଖରେ ବସିଥାଏ, ଏଣେ ଭୋକରେ ମୋ ପେଟ ଖାଲି ଜଳୁଥାଏ । ଶେଷରେ ସେ ଆସିଲା ହେଲେ ବିନା ଖାଦ୍ୟରେ; ସେଦିନ ସେ ମଧ୍ୟ କହିଲା ଯେ ରାବଣ ସୀତାଙ୍କୁ ଉଠାଇ ନେଇ ଯାଇଥିଲା । ରାବଣକୁ ସେ ଝାମ୍ପିବାକୁ ଚେଷ୍ଟା କରୁଥିଲା, ହେଲେ ରାବଣ ତାକୁ ଛାଡି ବହୁ ଉପରକୁ ବିମାନ ଉଠେଇ ନେଇ ଚାଲିଗଲା । ଏସବୁ ଘଟଣା ମୋ ପୁଅ ମଧ୍ୟ ଦେଖିଥିଲା ।”

ତା’ପରେ ବାନରମାନେ ସମ୍ପାତିଙ୍କୁ ଆହୁରି କିଛି ଅନୁଭୂତି କହିବାକୁ ଅନୁରୋଧ କଲେ । ତେଣୁ ସେ ଆରମ୍ଭ କଲେ, “ଆମେ ଦୁଇଭାଇ ହିମାଳୟ ପାଖରେ ଉଚ୍ଚରୁ ଉଚ୍ଚକୁ ଉଡିଲୁ । ବହୁତ ଉଚ୍ଚକୁ ଯିବା ପରେ ପାହାଡ ସବୁ ଛୋଟ ଛୋଟ ଗୋଡିପରି ଓ ନଦୀମାନେ ସୁତାପରି ଦେଖା ଯାଉଥା’ନ୍ତି । କିଛି ସମୟ ପରେ ସେସବୁ ମଧ୍ୟ କିଛି ଆଉ ଦେଖାଗଲା ନାହିଁ । ଆମ ଦୃଷ୍ଟିରେ ଆକାଶର ନୀଳିମା ଯେପରି ସବୁକୁ ଘେରି ରହିଛି । ଶୁନ୍ୟ, ଶୁନ୍ୟ, ମହାଶୁନ୍ୟ । ମହାଶୁନ୍ୟର ସେହି ବିରାଟ ଅନନ୍ତ ରୂପ ଦେଖି ମୋ ସାନ ଭାଇର ମଥା ଭ୍ରମିଗଲା । ସେ କ୍ଳାନ୍ତ ହୋଇ ଶକ୍ତିହୀନ ହୋଇ କ୍ରମେ ତଳକୁ ଖସିଲା । ମୁଁ ତାକୁ ମୋ ପକ୍ଷ ବିସ୍ତାର କରି ଘୋଡାଇ ରଖିଥିଲି । ସେଥିପାଇଁ ତ ମୋ ପକ୍ଷ ଜଳିଗଲା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୁଁ ଆସି ଏହି ପାହାଡରେ ପଡିଲି । ନିକଟରେ ଜଣେ ଋଷି ରହୁଥା’ନ୍ତି, ତାଙ୍କ ନାମ ନିଶାକର । ମୁଁ ପଡିରହି ଦେଖୁଥାଏ ଯେ ଋଷି ସ୍ନାନ କରି ଯେତେବେଳେ ଫେରନ୍ତି ସେତେବେଳେ ଜଙ୍ଗଲର ସାରା ପଶୁପକ୍ଷୀ ତାଙ୍କର ଅନୁଗମନ କରନ୍ତି । ସେ ଆଶ୍ରମରେ ପଶିଗଲେ ସେମାନେ ପୁଣି ନିଜ ନିଜ ରାସ୍ତା ଧରି ଚାଲିଯା’ନ୍ତି । ଦିନେ ଋଷି ତାଙ୍କ ଆଶ୍ରମ ବାହାରକୁ ବାହାରିଛନ୍ତି ମୁଁ ଯାଇ ତାଙ୍କ ଯିବା ରାସ୍ତାରେ ବସିଥାଏ । ମୋତେ ଦେଖି ସେ ଚିହ୍ନିଲେ ଓ ଅତି ଆଦରରେ ମୋତେ ସେ କହିଲେ, “ତୁମେ ସମ୍ପାତି ନା? ତୁମ ଭାଇ ଜଟାୟୁ କାହିଁ? ଆଉ ପୁଣି ତୁମର ଏ ଅବସ୍ଥା କିପରି ବା ହେଲା? ମୁଁ ତୁମକୁ ପିଲାଟିଦିନରୁ ଦେଖିଛି । ତୁମେ ଦୁଇଭାଇ ବେଳେ ବେଳେ ମନୁଷ୍ୟ ରୂପ ନେଇ ମୋ ପାଖକୁ ଆସୁଥିଲ; ସେ କଥା ଅବଶ୍ୟ ତୁମେମାନେ ଭୁଲି ଯାଇଥିବ । ହେଲେ ମୋର କିନ୍ତୁ ସେସବୁ କଥା ଠିକ୍ ମନେ ଅଛି । ମୁଁ ତୁମମାନଙ୍କୁ ବଡ ସ୍ନେହରେ ଫଳମୂଳ ଖୁଆଉଥିଲି । କିନ୍ତୁ ଆଜି ତୁମର ଏପରି ଅବସ୍ଥା କିମିତି ହେଲା?” ତା’ପରେ ମୁଁ ସେହି ଋଷିଙ୍କୁ ସବୁକଥା ବର୍ଣ୍ଣନା କରି କହିଲି । ସର୍ବଶେଷରେ କହିଲି, “ମହାତ୍ମା, ଆଜି ମୁଁ ଆପଣଙ୍କୁ ସବୁକଥା କହିଲି; ଏ ଜୀବନରେ ମୋର ଆଉ ବଞ୍ଚିବାକୁ ତିଳେମାତ୍ର ବି ଇଚ୍ଛା ନାହିଁ । ମୁଁ ପ୍ରାୟୋପବେଶନ କରି ଭଗବାନଙ୍କୁ ଡାକି ପ୍ରାଣ ତ୍ୟାଗ କରିବି ।”

ମୋ କଥା ଶୁଣି ଋଷି ନିଶାକର କହିଲେ, “ଆତ୍ମହତ୍ୟା ଠାରୁ ବଳି ମହାପାପ ଆଉ କିଛିବି ନାହିଁ । ତୁମେ ଧୈର୍ଯ୍ୟ ଧରି ରହିଥାଅ । ତ୍ରେତେୟା ଯୁଗରେ ବୈକୁଣ୍ଠପତି ଭଗବାନ ଶ୍ରୀକୃଷ୍ଣ ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ର ହୋଇ ଜନ୍ମ ନେବେ । ସେତେବେଳେ ସେ ଶ୍ରୀରାମ ଭାବରେ ବିଖ୍ୟାତ ହେବେ । ଭଗବାନ ଶ୍ରୀରାମ ଧରାବକ୍ଷରେ ଅବତୀର୍ଣ୍ଣ ହେବା ପରେ ମାତା ମହାଲକ୍ଷ୍ମୀ ମଧ୍ୟ ସୀତା ରୂପରେ ଜନକଙ୍କ କନ୍ୟା ହୋଇ ରହିବେ । ସେମାନଙ୍କର ବିବାହ ପରେ ସେମାନେ ପିତୃସତ୍ୟ ପାଳି ବଣକୁ ଆସିବେ । ସେତେବେଳେ ପାପିଷ୍ଠ ରାକ୍ଷସ ରାବଣ ସୀତାଙ୍କୁ ଛଳରେ ହରିନେବ । ଯେତେବେଳେ ସୀତା ଠାବ କରିବାକୁ ବାନରମାନେ ଆସିବେ ତୁମେ ତୁମକଥା ସେମାନଙ୍କୁ ଶୁଣାଇଲେ ତୁମର ପକ୍ଷ ଗଜୁରୀ ଉଠିବ ।” ଏହିକଥା ତାଙ୍କଠାରୁ ଶୁଣିବା ପରେ ମୁଁ ଏଠାରେ ପ୍ରାଣ ଧରି ତୁମରିମାନଙ୍କ ଅପେକ୍ଷାରେହିଁ ଥିଲି । ଏବେ ମୁଁ ଅନୁଭବ କରୁଛି ଯେ ମୋ ପକ୍ଷରେ ଅନେକ ବଳ । ଋଷିଙ୍କର ଏକଥା ଯଦି ସିଦ୍ଧ ହେଲା, ତୁମେମାନେ ମାତା ସୀତାଙ୍କୁ ଠାବ କରିବାରେ ମଧ୍ୟ ନିଶ୍ଚୟ ସଫଳ ହେବ ।” ଏତିକି କହି ସେ ସମସ୍ତିଙ୍କୁ ଆଶୀର୍ବାଦ କରି ଉଡି ଉଡି ଆକାଶ ମାର୍ଗରେ କୁଆଡେ ଉଭେଇ ଗଲେ । ଏଣେ ଏ ବାନରମାନଙ୍କ ମନରେ ନୂତନ ବଳ ଓ ଉଦ୍ଦୀପନା ଦେଖା ଦେଲା । ତା’ପରେ ମାତା ସୀତାଙ୍କୁ ଠାବ କରିବାରେ ନିଶ୍ଚିତ ସାଫଲ୍ୟ କଥା ଜାଣିପାରି ସମସ୍ତେ ଉତ୍ଫୁଲ୍ଲ ହେଲେ ।



Rate this content
Log in

More oriya story from Bishwaranjan Tripathy

Similar oriya story from Inspirational