ଏକ ଅସମାପ୍ତ କାହାଣି
ଏକ ଅସମାପ୍ତ କାହାଣି
ଗୋଟିଏ ଛୋଟିଆ ସହରର ସାଧାରଣ ମଧ୍ୟବିତ୍ତ ପରିବାରରେ ତାର ଜନ୍ମ । ପିଲାଦିନୁ ମନରେ ତାର ଅସୁମାରୀ ସ୍ୱପ୍ନ, ସେ ପାଠରେ ଯେମିତି, ଶାଠରେ ବି ସେମିତି । ଯେମିତିକି ଖେଳ କୁଦ, ନାଚ, ଡ୍ରାମା ଇତ୍ୟାଦି । ଘରେ ସବା ସାନପୁଅ ହୋଇଥିବାରୁ ତାକୁ ସମସ୍ତେ ସ୍ନେହ, ଆଦର କରନ୍ତି ଓ ତାର ପ୍ରତ୍ୟେକ କଥାରେ ସମର୍ଥନ ବି କରନ୍ତି । ଭଲ ପଢୁଥିବାରୁ ସ୍କୁଲରେ ବି ତାକୁ ସମସ୍ତ ଶିକ୍ଷକ ବହୁତ ଆଦର କରନ୍ତି । ସବୁବେଳେ ତାର ହସ ହସ ମୁହଁ, କେବେ ବି ତାର ମୁହଁରେ ଦେଖିବାକୁ ପାଇବେନି ହତାଶାର ଚିହ୍ନ। ବହୁତ ଛୋଟ ବୟସରୁ ସେ ତାର ସାଙ୍ଗମାନଙ୍କୁ ପ୍ରେରଣା ଦେଉଥାଏ ଜୀବନରେ କିଛି ବଡ କରିବା ପାଇଁ।
ପାଠରେ ଭଲ ଥିବାରୁ ତାର ବାପା ମାଆ ତାକୁ ନେଇ ଅସୁମାରୀ ସ୍ୱପ୍ନ ଦେଖୁଥାନ୍ତି । ତାଙ୍କ ମନରେ କାହିଁ କେତେ ଦୂରରେ ଏକ ଆଶାର କିରଣ ଉଙ୍କି ମାରୁଥାଏ । ପୁଅ ଆମର ବଡ ହେବ, ଇଂଜିନିଅର କି ଡାକ୍ତର ହେବ, ଏମିତି ଅନେକ କିଛି ସ୍ୱପ୍ନ ଦେଖୁଥାନ୍ତି ତାକୁ ନେଇ । ସେ ବି ତାର ମାଆ ବାପାଙ୍କୁ ନିରାଶ କରୁନଥାଏ, ତାଙ୍କ ସବୁ ସ୍ୱପ୍ନକୁ ସାକାର କରିବା ପାଇଁ ପଢ଼ାରେ ଦିନ ରାତି ଏକ କରିଦେଇଥାଏ । ଏମିତିଭାବେ ସେ ଦଶମ ଓ ଯୁକ୍ତ ଦୁଇରେ ବହୁତ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୁଏ । ପୁଅର ଏମିତି ସଫଳତା ଦେଖି ତାର ମାଆ ବାପା ବହୁତ ଖୁସି ହୁଅନ୍ତି।
ଯେହେତୁ ତାର ବଡ ଦୁଇ ଭଉଣୀ ଡାକ୍ତରୀ ପାଇଁ ପାଠ ପଢୁଥିଲେ, ସେ ନିଷ୍ପତ୍ତି ନେଲା ଯେ ଇଂଜିନିଅରିଂ କରିବା ପାଇଁ । ତୁରନ୍ତ ଏହାର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଏ । ଓ ସେ ସେହି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଟପ-୧୦ରେ ସ୍ଥାନ ହାସଲ କରେ । ପୁଅର ଏଭଳି ସଫଳତା ଦେଖି ତାର ମାଆ ବାପାଙ୍କ ଖୁସି କହିଲେ ନସରେ । ଇତି ମଧ୍ୟରେ ତା ପାଖକୁ ଦେଶର ବହୁନାମୀ ଦାମୀ କଲେଜରୁ ଅଫର ଆସେ ସେଠି ପଢିବା ପାଇଁ । ତନ୍ମଧ୍ୟରୁ ସେ ଦିଲ୍ଲୀ ସ୍କୁଲ ଅଫ ଇଂଜିନିଅରିଂ କଲେଜକୁ ବାଛେ ଓ ସେଇଠି ପଢିବା ପାଇଁ ଆଡ଼ମିଶନ ନିଏ।
କିଛିଦିନ ପରେ ସେ ଘରୁ ବିଦାୟ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରେ, ତାର ଉଜ୍ଜ୍ୱଳ ଭବିଷ୍ୟତକୁ ଶିଖରରେ ପହଞ୍ଚାଇବା ସହ ତାକୁ ନେଇ ତାର ମା ବାପା ଦେଖିଥିବା ସବୁ ସ୍ୱପ୍ନ ପୁରା କରିବା ପାଇଁ । ବହୁତ ଆଶା ଓ ସ୍ୱପ୍ନ ନେଇ ସେ ଦେଶର ରାଜଧାନୀ ଦିଲ୍ଲୀରେ ପାଦ ରଖେ । ପୂର୍ବ ଭଳି ଇଂଜିନିଅରିଂରେ ବି ସେ ବହୁତ ଭଲ ପଢୁଥାଏ ଓ ଖୁବ ଭଲ ନମ୍ବର ବି ରଖୁଥାଏ । ହେଲେ ତାର ଇଂଜିନିଅରିଂ ସରିବାକୁ ମାତ୍ର ଆଉ ଦୁଇଟି ସେମିଷ୍ଟାର ବାକିଥାଏ, ହଠାତ ତାର କଣ ହୁଏ କେଜାଣି, ପଢ଼ାରୁ ମନକୁ ହଟାଇ ଫିଲ୍ମରେ ଅଭିନୟ କରିବାପାଇଁ କାହାକୁ କିଛି ନକହି ସେ ମାୟାନଗରୀ ମୁମ୍ବାଇ ଚାଲିଯାଏ।
ପୁଅର ଏମିତି କାର୍ଯ୍ୟକଳାପ ଜାଣିବାପରେ , ତାର ମାଆ ବାପା ତାକୁ ନେଇ ଦେଖୁଥିବା ଏତେସବୁ ସ୍ୱପ୍ନ ଯେମିତି ତାଙ୍କ ଆଖିଆଗରେ ଚୁରମାର ହୋଇ ଭାଙ୍ଗିଯାଉଥିଲା । ଏପରି କାହାକୁ କିଛି ନକହି ନଜଣେଇ କରିଥିବାରୁ ତାସହ ୨-୩ ବର୍ଷ ଯାଏଁ ତାର ବାପା କଥା ବି ହୁଅନ୍ତିନି । ସେ କିନ୍ତୁ ସେହି ୨-୩ ବର୍ଷ ଅକ୍ଲାନ୍ତ ପରିଶ୍ରମ କରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେହି ଦୁନିଆରେ । ଏହି ଧାରାରେ ସେ ଏ କ୍ରୂର ଦୁନିଆକୁ ବହୁତ ପାଖରୁ ଦେଖିଛି ଓ ଅନୁଭବ ବି କରିଛି । ସେ କିନ୍ତୁ ତାର ଜିଦିରେ ସମ୍ପୂର୍ଣ୍ଣ ଅଟଳ ଥାଏ, ସେ ଯାହା ବି ହେଇଯାଉ ଏଠି ତାକୁ କିଛି କରିବାର ଅଛି ଓ ସମସ୍ତଙ୍କୁ ଦେଖେଇଦବାର ଅଛି ଯେ ସେ ଯାହା ବି ନିଷ୍ପତ୍ତି ନେଇଛି ତାହା ଏକଦମ ଠିକ।
ମୁମ୍ବାଇ ସହରରେ ରହିବା ଓ ଚଳିବା ପାଇଁ ସେ ଇତିମଧ୍ୟରେ ବିଭିନ୍ନ ଫିଲ୍ମରେ ବଡ ବଡ ଷ୍ଟାରମାନଙ୍କ ସହ ପଛରେ ଡାନ୍ସ କରିବାର ସୁଯୋଗ ପାଏ ଓ ମନେ ମନେ ଭାବୁଥାଏ ମୁ ଏବେ ଷ୍ଟାର ହେବାଠାରୁ ମାତ୍ର ଦୁଇ ପାଦ ପଛରେ ।
ସେଦିନ ଆଉ ବେଶି ଦୂର ନୁହଁ ଯୋଉଦିନ ମୁ ସେହି ଆଗରେ ଠିଆ ହୋଇ ବଡ ବଡ ହୀରୋଇନମାନଙ୍କ ସହ ଲିଡ଼ ରୋଲରେ ନାଚ କରୁଥିବି । ତାପରେ ସେ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ଲାଗେ।
ଏହିଭିତରେ କୌଣସି ଏକ ଜରିଆରେ ତାର ଭେଟ ହୁଏ ଜଣେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକଙ୍କ ସହ ଏକ ପାର୍ଟିରେ । ନିର୍ଦ୍ଦେଶକ ତାକୁ ଦେଖିବା ମାତ୍ରେ ହିଁ ଏକ ଅଫର ଦିଅନ୍ତି ଅଭିନୟ କରିବା ପାଇଁ ତାଙ୍କର ଆଗାମୀ ମେଗା ଧାରାବାହିକରେ । ସେ ବି ସାଦରେ ଗ୍ରହଣ କରେ ଓ ବିଶ୍ୱାସ କରିପାରୁନଥାଏ ଯେ ଏତେ ବଡ ନିର୍ଦ୍ଦେଶକ ତାକୁ ତାଙ୍କ ଧାରାବାହିକରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାପରେ ଆରମ୍ଭ ହୁଏ ତାର ପ୍ରକୃତ ଅଭିନୟର ଜୟଯାତ୍ରା । ସେହି ଧାରାବାହିକ ମାଧ୍ୟମରେ ସେ ପୁରା ଦେଶରେ ଘରେ ଘରେ ପରିଚିତ ହୁଏ । ଲୋକମାନେ ତାକୁ ଚିହ୍ନିବାକୁ ଲାଗନ୍ତି । ତା ସହିତ ଭଲ ଦୁଇପଇସା ରୋଜଗାର ବି ହୁଏ । ଏସବୁ ଦେଖି ତାକୁ ଘରେ ପୁଣିଥରେ ଗ୍ରହଣ କରିବାକୁ ଲାଗନ୍ତି । ସେହି ଧାରାବାହିକରେ ତାର ବିପକ୍ଷରେ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ସେହି ଅଭିନେତ୍ରୀକୁ ତାର ପ୍ରକୃତ ଜୀବନରେ ମନଦେଇ ବସେ । ପ୍ରାୟ ଛଅ ବର୍ଷ ତାଙ୍କର ପ୍ରେମ ଜୀବନ ଠିକ ଠାକ ଚାଲେ।
ଇତିମଧ୍ୟରେ ତାର ଅଭିନୟରେ ପ୍ରଭାବିତ ହୋଇ ଜଣେ ନିର୍ଦ୍ଦେଶକ ତାକୁ ଏକ ବଡ ବ୍ୟାନରରେ ଏକ ଲୋକପ୍ରିୟ କ୍ରିକେଟରର ବାୟୋପିକରେ ହିରୋ ଭୂମିକାରେ ଅଭିନୟ କରିବାପାଇଁ ପ୍ରସ୍ତାବ ଦିଅନ୍ତି । ସେ ଝଟ କିନା ହଁ ଭରେ ଓ କିଛି ଦିନ ପରେ ଏଗ୍ରିମେଣ୍ଟ ପେପରରେ ଦସ୍ତଖତ କରେ । ସେହି ଫିଲ୍ମଟି ବି ବକ୍ସ ଅଫସିରେ ହିଟ ସାବ୍ୟସ୍ତ ହୁଏ।ତାପରେ ସେ ଧୀରେ ଧୀରେ ସଫଳତାର ସିଡ଼ି ଚଢ଼ିବାକୁ ଲାଗିଲା ଵେଳେ, ତାର ବାନ୍ଧବୀ କୌଣସି ଏକ କାରଣକୁ କେନ୍ଦ୍ରକରି ଛଅ ବର୍ଷର ପ୍ରେମ ସମ୍ପର୍କକୁ ଛଅ ମିନିଟ ମଧ୍ୟରେ ତୁଟେଇ ଦେଇ ଅଲଗା ହୋଇଯାଏ।
ତଥାପି ସେ ଭାଙ୍ଗିନପଡି ନିଜ ମନତଳେ ସେହି ଦୁଃଖକୁ ଚାପି ରଖି, ନିଜକୁ ଦୃଢ଼ କରି ଆଗକୁ ଆଗକୁ ମାଡିଚାଲେ । ଏହିପରିଭାବେ ସେ ପାଖା ପାଖି ଏଗାରଟି ଫିଲ୍ମରେ ସେ ତାର ଅଭିନୟର ଯାଦୁ ଦେଖେଇସାରିଥିଲା । ଦର୍ଶକମାନେ ବି ତାକୁ ଗ୍ରହଣ କରିବାକୁ ଲାଗିଥିଲେ । ହେଲେ ସେହି ବଲିଉଡ ଇଣ୍ଡଷ୍ଟ୍ରିର କିଛି ତଥାକଥିତ ଷ୍ଟାର୍ ତାର ଏତେ ଶୀଘ୍ର ସଫଳତାକୁ ସହ୍ୟ କରି ପାରୁ ନଥିଲେ । ଓ ତାକୁ ଲଗାତାର ଭାବେ ମାନସିକ ଯନ୍ତ୍ରଣା ଦେଇଚାଲିଥିଲେ । କାହିଁକି ନା ସେ କୌଣସି ବଡ ପରିବାରରୁ ଆସିନଥିଲା । ହଠାତ ଗୋଟେ ଦିନ ସେ ସେହି ଯନ୍ତ୍ରଣାକୁ ସହ୍ୟ ନକରିପାରି ନିଜର ରହୁଥିବା ଘରେ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା କରିଦେଲା।
ଏସବୁ ଶୁଣି, ଦେଖି ବି କେହି ବିଶ୍ୱାସ କରିପାରୁନଥିଲେ । ପୁରା ଦେଶ ସହ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ପ୍ରାୟ ହୋଇଯାଇଥାଏ । ହେଲେ ସେ ମରିବାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ । ପୋଲିସି ବିଭିନ୍ନ ଦିଗକୁ ନେଇ ଛାନ୍ ଭିନ କରୁଛି । ଓ ସେହି ଆତ୍ମହତ୍ୟାର ଅଡ଼ୁଆ ସୁତାକୁ ଖୋଜି ଏବେ ଜୋଡ଼ିବାରେ ବ୍ୟସ୍ତ । ଏସବୁ ଦେଖି ତାର ପରିବାର ଏବେ ପୁରା ନିରବ ଓ ନିଶ୍ଚଳ ହୋଇରହିଯାଇଛି । ତାର ମାଆ ବାପା ଏବେ ବ୍ୟାକୁଳ ହୋଇ ଖୋଜୁଛନ୍ତି ତାଙ୍କ ଆଶାର କିରଣ କେତେ ଦୂରରେ । 😥
ଆପଣମାନେ ଜାଣି ସାରିବେଣି ମୁଁ କାହା କଥା କହୁଛି । ହଁ ବନ୍ଧୁ ସେ ଆଉ କେହି ନୁହଁନ୍ତି ମୋର ପ୍ରିୟ ଓ ଆମ ସମସ୍ତଙ୍କ ର ପ୍ରିୟ ଦିବ୍ୟଙ୍ଗତ ଅଭିନେତା ୰ସୁଶାନ୍ତ ସିଂ ରାଜପୁତ।
ହେ ସୁଶାନ୍ତ ତୁମ ଆତ୍ମାର ସଦ୍ଗତି ହେଉ।
ଅସମାପ୍ତ କାହାଣୀ, ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିଥ ତଥ୍ୟକୁ ନେଇ ଏ ସତ୍ୟ ଓ ଦୁଃଖଦ କାହାଣୀଟିକୁ ରଚନା କରିଛି । ଯଦି କିଛି ଭୁଲ ବା ତ୍ରୁଟିଥାଏ ତେବେ ଆଗୁଆ କ୍ଷମା ମାଗିନଉଛି।