ସ୍ନେହିପୁଅ
ସ୍ନେହିପୁଅ
ସ୍ନେହିପୁଅ,ଶବ,କ୍ରିୟାକର୍ମ।
ସ୍ନେହିପୁଅ।
ଏକ ବରାତ ପରି ବାଜାଗାଜା ବଜାଇ ସ୍ବାଗତ କରିଥିଲେ ଗାଁ ଲୋକେ ।ଗାଡିରେ ବୁହାହେଇ ଆସିଥିଲା ସୁଭାଷ ର ଶବ।ଶହୀଦ ହେଇଯାଇଥିଲା ଦେଶ ସେବାରେ।କାର୍ଗିଲ ଯୁଦ୍ଧରେ ବୀରତ୍ବର ସହ ଲଢିଥିଲା ଜୀବନ ଥିବାଯାଏ।ଗାଁସାରା ଲୋକ ଉପସ୍ଥିତ ଥିଲେ ତାର ସ୍ବାଗତରେ ସତେ ଯେପରି ସେଜଣେ ରାଜା କି ସମ୍ରାଟ।ସମସ୍ତେ ହାତରେ ଫୁଲହାର ଧରି ଉପସ୍ଥିତ ଥିଲେ ତାଙ୍କ ଆଦରର ସ୍ନେହିପୁଅ ସୁଭାସକୁ ସ୍ବାଗତ କରିବା ପାଇଁ।ଶେଷ ପୁଷ୍ପାଞ୍ଜଳି ଦେବାକୁ ଅପେକ୍ଷା କରୁଥିଲେ।ତାଙ୍କ ଶବକୁ ଯେତେବେଳେ ଗାଡିରୁ ଉତାରିଲେ ଭାରତମାତା କି ଜୟ ,ବୀର ଶହୀଦ କି ଜୟ ର ଜୟଘୋଷରେ କମ୍ପିଉଠିଲା ଖଣ୍ଡ ମଣ୍ଡଳ।
ଜନ୍ମମାଟି ତା ବୀରସନ୍ତାନକୁ ତା କୋଳରେ ପାଇ ଗର୍ବିତ ଅନୁଭବ କରୁଥିଲା।ଗାଁ ଲୋକେ ଫୁଲ ଚଢାଇଲେ ତା ଶବ ଉପରେ।ସୁଭାଷ ର ପିତା କୋହକୁ ଛାତିଭିତରେ ଚାପି ପୁଅକୁ ସ୍ବାଗତ କଲେ ବୀର ଶହୀଦ ଭାବରେ।ଜନ୍ମଦାତ୍ରୀର ହୃଦୟ କାନ୍ଦି ଉଠୁଥାଏ
ଆଉ ବିଧବା ପତ୍ନୀର କଥା ନ କହିବା ଭଲ।ଦୁଇବରଷର ବାଳକକୁ କୋଳରେ ନେଇ ସବୁ ଦୁଃଖକୁ ଝୁଲିମୁଣାରେ ବାନ୍ଧି ପଛରେ ରଖି ସେ ସ୍ବାମୀଙ୍କ ଶେଷ ଦର୍ଶନ କରୁଥିଲା।ସେ ଦେଖୁଥିଲା ସେଇ ବୀରଙ୍କର ତେଜଦୀପ୍ତ ମୁଖକୁ ଯିଏ ନିଜ ଘର ପରିବାରର ସୁଖ ପଛ କରି ଦେଶସେବାକୁ ଆଗରେ ରଖି ଥିଲେ।ମଲା ବେଲେବି ମୁଖମଣ୍ଡଳରେ ଏକ ସୁଖର ମୁଦ୍ରା।ଯେମିତି ନିଜର ସବୁ ଇଛା ପୂରା ହେଇଯାଇଛି।ଜଣେ ପ୍ରକୃତ ବୀର ପାଇଁ ଶହୀଦ ହେବା ସୌଭାଗ୍ୟର ବିଷୟ।ସବୁ ସୈନ୍ୟ ଏମିତି ସୌଭାଗ୍ୟ ପାଇବାକୁ ଅନେଇ ବସିଥାନ୍ତି।ଛୋଟ ଶିଶୁଟି ବାପାର ଶବ ବିଷୟରେ ଅବଗତ ନଥିଲା।ସେ ଲୋକଗହଳିକୁ ଟୁକୁରୁ ଟୁକୁରୁ ଦେଖୁଥିଲା।ଗା ସାରା ସମସ୍ତେ ଶେଷ ଦର୍ଶନ ସାରିଲାପରେ କ୍ରିୟାକର୍ମ ପାଇଁ ସ୍ମଶାନ ନିଆହେଲା।ଚନ୍ଦନ କାଠ ଶୁଦ୍ଧ ଗାଈଘିଅ ଆସିଲା ଗାଁଲୋକଙ୍କ ତରଫରୁ ନିଜ ବୀରଯବାନକୁ ଶେଷଭେଟି ଦେବାପାଇଁ।କିଛି ସମୟ ପରେ ଶେଷ ହେଇଯାଇଥିଲା ଏକ ପାର୍ଥିବ ଶରୀର ମିଳେଇ ଯାଇଥିଲା ବାୟୁମଣ୍ଡଳରେ ଧୂଆଁ ଓ ପାଉଁଁଷ ମୁଠେ ହେଇ।
ତାପରେ ଖାଲି ହେଇ ଯାଇଥିଲା ଘର।ଆଉ ମାଡିପଡିଥିଲା ଏତେସମୟ ଧରି ଲୁଚି ରହିଥିବା ଦୁଃଖ।
ସ୍ନେହିପୁଅର ଆବର୍ତ୍ତମାନରେ ଘରଟା ଶୁନ୍ଶାନ୍ ଲାଗୁଥିଲା।ପୁଅ ଆସିଲାପରେ ଘରଟା ଖୁସିରେ ଗହଗହ ଲାଗୁଥିଲା।ସମସ୍ତେ ତା ପସନ୍ଦର ଯୋଗାଡରେ ଲାଗିଯାଉଥିଲେ।ହେଲେ ଆଜି ତା ପସନ୍ଦ ପାଇଁ ଆଉ କେହି ତତ୍ପର ନୁହନ୍ତି।ସେ ଏବେ କ'ଣ ଖାଇବ? କଉଠି ଶୋଇବ?ସେକଥା କେହି ବୁଝୁନାହାଁନ୍ତି।ମାଆ ମନ କିନ୍ଥୁ ବୁଝୁନି।ସେ ଆଜି ବି ସଜାଡୁଛି ଫୁଅର ପସନ୍ଦର ଜିନିଷ ବାହାରେ ଦୁଆରେ ନେଇ ଥୋଇ ଆସୁଛି।ତା ପୁଅ ଭୋକରେ ଥିବ ସେ ଭୋକରେ ଥାଉ ଥାଉ ନିଜ ମୁହଁରେ ଖାଦ୍ୟ ଗଳିବ କିପରି।ମାଆ ମନ କଣ ଏତେ ଶିଘ୍ର ଥୟ ଧରିବ।ଏବେବି ଗୁମୁରି ଗୁମୁରି କାନ୍ଦୁଛି।ଆଉ ହେପଟେ ଅନ୍ୟ କୋଠରୀରେ ସଦ୍ୟ ବିଧବା ଅଶ୍ରୁସାଗରେ ଧୋଇବାକୁ ଚେଷ୍ଟା କରୁଛି ସ୍ବାମୀସହ କାଟିଥିବା ମଧୁର ମୂହୁର୍ତର ସ୍ମୃତିସବୁକୁ।ତିଳତିଳ ଦଗ୍ଧିଭୁତ ହେଉଛି ତାର ହୃଦୟ।