Sachidananda Kar

Tragedy

3  

Sachidananda Kar

Tragedy

ସମୟ ସୁଅରେ

ସମୟ ସୁଅରେ

3 mins
126


    ସମୟ ଆସିଲେ ଜୀବନର ଅନେକ ବ୍ୟସ୍ତତା, ବଡ଼ପଣ ଓ ଅହଂ ବରଫର ଅସ୍ତିତ୍ଵ ପରି ଆକାଶ,ମହାକାଶର ଶୂନ୍ୟତାରେ ଉଭେଇଯାଏ । ଫର୍ଚ୍ଚା ଲାଗେ ସମୟ । ପ୍ରିୟ ମଣିଷମାନେ ମନେପଡ଼ନ୍ତି । ନିଜ ଠାରୁ ନିଜର ଦୂରତାକୁ ମାପିହୁଏ । ଚିହ୍ନିହୁଏ ନିଜକୁ ।  


    ସେମିତି ଗୋଟିଏ ସମୟ ଆସି ଯାଇଥିଲା ଅମରେଶଙ୍କ ଜୀବନରେ । ସୁନ୍ଦର ଦାମ୍ପତ୍ୟ କାହାକୁ କୁହାଯାଏ ଓ କିପରି ତାହା ବଞ୍ଚେଇ ରଖିବାକୁ ହୁଏ ବୁଝିଲେ ସେ । ତାଙ୍କ ବ୍ୟସ୍ତତା, ବଡ଼ପଣ ଓ ପୁରୁଷତ୍ୱର ଅହଂ ବରଫର ଅସ୍ତିତ୍ଵ ପରି ଉଭେଇଗଲା । ଫର୍ଚ୍ଚା ଲାଗିଲା ସମୟ । ମନେପଡ଼ିଲେ ମୌସୁମୀ ।  


    ଆଉ ଥୟ ହୋଇ ରହି ପାରିଲେନି ସେ । ଆସି ମୌସୁମୀଙ୍କ ପାଖରେ ପହଞ୍ଚିଲେ । ହେଲେ ମୌସୁମୀ ତାଙ୍କୁ ଖାଲିହାତରେ ଫେରାଇଦେଲେ । ସେ ମନଦୁଃଖରେ ଫେରିଲେ ।  


    ମନାନ୍ତରର ପରିସମାପ୍ତି ଘଟୁ । ପୁଣି ନୂଆ କରି ଆରମ୍ଭ ହେଉ ସୁନ୍ଦର ଦାମ୍ପତ୍ୟ ଜୀବନ । - ଏବେ ଏତିକି ମାତ୍ର ଇଚ୍ଛା ଥିଲା ଅମରେଶଙ୍କ ମନରେ ।  


    କିନ୍ତୁ ତାହା ହୋଇ ପାରିଲାନି । କାରଣ ତାହା ହେବାକୁ ଦେଲେନି ମୌସୁମୀ । ଥରେ ନୁହେଁ, ଯେତେଥର ଆସିଲେ ଅମରେଶ, ମୌସୁମୀ ତାଙ୍କୁ ଖାଲି ହାତରେ ଫେରାଇଦେଲେ ।  


    ସବୁଥର ଅମରେଶଙ୍କ ଫେରନ୍ତା ପାଦ ଦେଖୁଥିଲେ ମୌସୁମୀ । ଦେଖୁଥିଲେ ତାଙ୍କ ପାଦରୁ ଘର ଅଗଣାରେ ବୋହିଥିବା ଅସହାୟତାର ଟୋପା ଟୋପା ରକ୍ତ ସବୁକୁ । ତଥାପି ସେ ବଦଳୁ ନ ଥିଲେ । ଏପରିକି ତାଙ୍କୁ ଟିକେ କଷ୍ଟ ମଧ୍ୟ ଲାଗୁନଥିଲା ।  


    ଅସାମାନ୍ୟା ସୁନ୍ଦରୀ ଥିଲେ ସେ । ମନରେ ଥିଲା ପ୍ରଚଣ୍ଡ ସ୍ୱାଭିମାନ । ଆଦୌ ଓହରି ଯାଉ ନ ଥିଲେ ସେ ତାଙ୍କ ଜିଦିରୁ । ବରଂ ଅମରେଶଙ୍କର କଷ୍ଟ, ଅସହାୟତା ଦେଖି ଖୁସି ହେଉଥିଲେ । କେବେ ବି ତାଙ୍କ ପାଖକୁ ନ ଫେରିବାକୁ ମୁହେଁ ମୁହେଁ କହି ଦେଉଥିଲେ ସବୁବେଳେ ।  


    ନିଃସଙ୍ଗ ମୁହୂର୍ତ୍ତ ଓ ମେଞ୍ଚା ମେଞ୍ଚା ଦୁଃଖ ସହିତ ଛାତିକୁ ପାଷାଣ କରି ଗୋଟେ ନୂଆ ସକାଳର ଅପେକ୍ଷାରେ ରହୁଥିଲେ ଅମରେଶ । ମୌସୁମୀଙ୍କୁ ମନେ ପକାଉଥିଲେ ।  


    ପାହାନ୍ତା ପ୍ରହର ହେଲେ ରାତି ପାହିଯାଏ । ଶେଷ ହୁଏ ପରୀକ୍ଷାର ସମୟ । ଯାତନାର ଯଉଘରୁ ମୁକୁଳିଯାଏ ମଣିଷ । ଆରମ୍ଭ କରେ ନୂଆ ସମୟ, ନୂଆ ଜୀବନ ।  


    ଅମରେଶ ମନେ କରୁଥିଲେ ଯେମିତି ପାହାନ୍ତା ପ୍ରହର ହୋଇଗଲାଣି । ରାତି ପାହିଯିବ । ଗୋଟେ ନୂଆ ସମୟ ଆରମ୍ଭ ହେବ ତାଙ୍କ ଜୀବନରେ । ମୌସୁମୀଙ୍କ ସହିତ ଜୀବନକୁ ନୂଆ କରି ଗଢ଼ିବାକୁ ତାଙ୍କୁ ପୁଣି ସୁଯୋଗ ମିଳିବ ।  


    ହେଲେ ସେପରି କିଛି ହେଉ ନ ଥିଲା । ସମୟ ଗଡ଼ି ଗଡ଼ି ଚାଲିଥିଲା ।  


    ଏଠି ସମୟ ସବୁବେଳେ ଜଣକ ସହିତ ରହିବା କ୍ଵଚିତ ଦେଖାଯାଏ । ମୌସୁମୀଙ୍କ ସହିତ ଥିବା ତାଙ୍କର ସେଇ ସମୟ ଦିନେ ତାଙ୍କ ପାଖରୁ ଚାଲିଗଲା । ମଉଳିଗଲା ତାଙ୍କ ରୂପର ଫୁଲଟି । ସେ ହରାଇବସିଲେ ନାରୀର ନମନୀୟତା । ନିଃଶ୍ୱାସରେ ନିଆଁ ଜାଳିବାର ଦକ୍ଷତା ମଧ୍ୟ ତାଙ୍କର ଲୋପ ପାଇଗଲା ।  


    ଗୋଟେ ନଦୀର ପ୍ରବହମାନତା ସବୁବେଳେ ଥାଏ କ'ଣ! 


    ଏବେ ସେ ନିଜକୁ ନିଜେ ବୁଝିଲେ ଓ ଅମରେଶଙ୍କ ପାଖକୁ ନିଃସର୍ତ୍ତରେ ଫେରିବାକୁ ଚାହିଁଲେ ।  


    ସେତେବେଳକୁ ତାଙ୍କ ଠାରେ ଅମରେଶଙ୍କର ଆବଶ୍ୟକତା ଆଉ ନ ଥିଲା । ଆଜି ଯାହା ଆବଶ୍ୟକ କାଲି ତାହା ଅନାବଶ୍ୟକ ମନେହେବା ସଂସାରରେ ବଡ଼ କଥା ନୁହେଁ । ପରିବର୍ତ୍ତନ ସଂସାରର ନିୟମ ।  


    ଇଚ୍ଛା କଲେ ବି ଅମରେଶଙ୍କ ପାଖକୁ ଫେରି ପାରୁନଥିଲେ ସେ ।  


    ଦୀର୍ଘକାଳ ବ୍ୟବହାର ନ ହୋଇ ପଡ଼ିରହିଲେ ଅସ୍ତ୍ରର ଅବସ୍ଥା ଯାହା ହୁଏ, ଠିକ୍ ସେହିପରି ଅବସ୍ଥାକୁ ସେ ଆସି ଯାଇଥିଲେ । ନିଃସ୍ୱ,ନିଃସମ୍ବଳ ଅବସ୍ଥା । ହିମ,ଶୀତଳ ରକ୍ତ । ସତେ ଯେମିତି ଶୁଖିଯାଇଥିବା ବୁନ୍ଦାଏ କାକର ହୋଇ ପଡ଼ିଥିଲେ ସେ । ଏବଂ ଏସବୁ ଅମରେଶଙ୍କ ପାଖକୁ ଫେରିବା ପାଇଁ ତାଙ୍କୁ ବାଧା ଦେଉଥିଲା ।  


    ପରିଣତ ବୟସରେ ପହଞ୍ଚି ସାରିଥିଲେ ଅମରେଶ । ନିଃସଙ୍ଗତାରୁ ମୁକ୍ତି ପାଇବା ପାଇଁ ଦିନେ ପୁଣି ସେ ଆସି ମୌସୁମୀଙ୍କ ପାଖରେ ପହଞ୍ଚିଲେ । ତାଙ୍କୁ ନିଜ ପାଖକୁ ନେବାକୁ ଚାହିଁଲେ । ମୌସୁମୀ...ତୁମେ ଫେରିଆସ ବୋଲି ଅନୁରୋଧ କଲେ ।  


    ମୌସୁମୀ କହିଲେ - ' ଦେଖ,କର୍ପୁର ଉଡ଼ି ଯାଇଥିବା କନା ଖଣ୍ଡକ ପରି ଏବେ ମୁଁ । କାହିଁକି ଯିବି ତୁମ ସହିତ?ଯାଇ କ'ଣ କରିବି?ତେଣୁ ତୁମକୁ ଆଜି ପୁଣି ଫେରାଇଦେବାକୁ ବାଧ୍ୟ ହେଉଛି । ତୁମେ ଫେରିଯାଅ । ' 


    ପୁଣି ଫେରିଆସିଲେ ଅମରେଶ । ହେଲେ ତାଙ୍କୁ ସେଦିନ ଖାଲି ହାତରେ ଫେରାଇଦେଇ ଖୁବ୍ କଷ୍ଟ ଅନୁଭବ କଲେ ମୌସୁମୀ ।  


    ସୁନ୍ଦର ଦାମ୍ପତ୍ୟ କ'ଣ ଓ ତାକୁ କେମିତି ବଞ୍ଚାଇବାକୁ ହୁଏ, ସେଦିନ ପ୍ରଥମଥର ପାଇଁ ବୁଝିଲେ ମୌସୁମୀ ।  


    ଏହାପରେ ଅମରେଶ ଆଉ କେବେ ବି ମୌସୁମୀଙ୍କ ଦୁଆର ମାଡ଼ି ନ ଥିଲେ ।  


    ତୋଫା ଜହ୍ନରାତି ସବୁଦିନେ ନ ଥାଏ । ସମୟ ସୁଅରେ ଭାସିଯିବା ବୋଧହୁଏ ମଣିଷର ଭାଗ୍ୟ । 



Rate this content
Log in

Similar oriya story from Tragedy